Unknown

 

 

 

 

 

 

 

 

 

 

 

ବିବିଧ ପ୍ରସଙ୍ଗ

ଶ୍ରୀ ମୋହିନୀମୋହନ ସେନାପତି

 

ଅବତରଣିକା

 

ମୁଁ ୪ କାର୍ତ୍ତିକ ୧୨୮୯ ଫସଲି (ଇଂରାଜୀ ୧୧ ଅକ୍‌ଟୋବର ୧୮୮୧) ସାଲରେ ଢେଙ୍କାନାଳରେ ଜନ୍ମଗ୍ରହଣ କଲି । ମୋର ପିତା ଫକୀରମୋହନ ସେନାପତି ସେତେବେଳେ ଢେଙ୍କାନାଳରେ ଏସିଷ୍ଟେଣ୍ଟ ମେନେଜରୀ କର୍ମ କରୁଥିଲେ । ପରେ ବାମଣ୍ଡାର ‘ସୁରତରଙ୍ଗିଣୀ ସାରସ୍ୱତ ସମିତି’ ତାଙ୍କର ସାହିତ୍ୟସାଧନାର ପୁରସ୍କାର ସ୍ୱରୂପ ତାଙ୍କୁ ‘‘ସରସ୍ୱତୀ’’ ଉପାଧି ଦାନ କରିଥିଲେ । ଉପାଧି-ଦାନ ସମୟରେ ରୂପାର ଥାଳିରେ ଅଙ୍କିତ କରି ନିମ୍ନଲିଖିତ ଅଭିନନ୍ଦନ-ପତ୍ର ତାଙ୍କୁ ଦିଆ ହୋଇଥିଲା ।

 

‘‘ସୁକବି ଶ୍ରୀମାନ୍‌ ଶ୍ରୀ ଫକୀରମୋହନ ସେନାପତି ।

 

ଶ୍ରୀମନ୍ମହୋଦୟ,

 

ଆପଣ ଆଜୀବନ ସରସ୍ୱତୀ ଉପାସନାରେ କାଳାତିପାତ କରି ମାତୃଭାଷାକୁ ସମଧିକ ପୁଷ୍ଟିଶାଳିନୀ କରି ଅଛନ୍ତି ଏବଂ ତଦ୍ଦ୍ୱାରା ଆପଣ ଉତ୍କଳୀୟ ଶିକ୍ଷିତ ଯୁବକମଣ୍ଡଳୀଙ୍କର ଆଦର୍ଶସ୍ଥାନୀୟ ହୋଇ ଅଛନ୍ତି । ଏଥି ନିମନ୍ତେ ବାମଣ୍ଡା ସୁରତରଙ୍ଗିଣୀ ସାରସ୍ୱତ ସମିତି କୃତଜ୍ଞତାର ନିଦର୍ଶନ ସ୍ୱରୂପ ପ୍ରୀତି-ପ୍ରଫୁଲ୍ଲ ହୃଦୟରେ ଆପଣଙ୍କୁ ‘‘ସରସ୍ୱତୀ’’ ଉପାଧି ପ୍ରଦାନ କରୁଅଛନ୍ତି । ଭରସା କରୁଁ ଆପଣ ଉକ୍ତ ଉପାଧି ସଶ୍ରଦ୍ଧ ଚିତ୍ତରେ ଗ୍ରହଣ କରି ସଭାକୁ ସମ୍ମାନିତ କରାଇବା ହେବେ ।

 

ତା ୭ । ୨ । ୧୯୧୬

ସଚ୍ଚିଦାନନ୍ଦ ତ୍ରିଭୁବନ ଦେବ

ଦେବଗଡ଼, ବାମଣ୍ଡା

ସଭାପତି

 

ସୁରତରଙ୍ଗିଣୀ ସାରସ୍ୱତ ସମିତି ଏବଂ ସଦସ୍ୟ ବର୍ଗ’’

☆☆☆

 

କୌଳିକ ଗୁଣ ଯଦି କେହି ଉତ୍ତରାଧିକାର ସୁତ୍ରେ ପାଇଥାଏ ମୁଁ ମୋର ପିତାଙ୍କର ସାହିତ୍ୟାନୁରାଗ ଅଳ୍ପ ପରିମାଣରେ ପାଇଥିବି । ମୁଁ ଯେ ଶିକ୍ଷା-ବିଭାଗରେ ୨୫ ବର୍ଷ କାଳ କର୍ମ କରିଥିଲି ତାହାର ଗୋଟାଏ ଉଦ୍ଦେଶ୍ୟ ସାହିତ୍ୟ-ସେବା । ମୋର ପିତା ବଡ଼ ଦୁଃସାହାସୀ ଥିଲେ । ତାଙ୍କର ଏହି ଦୁର୍ଗୁଣ ସକାଶେ ସେ କେନ୍ଦୁଝରରେ ବନ୍ଧନଦଶା ଭୋଗ କରିଥିଲେ । ସେଠାରେ ତାଙ୍କର ପ୍ରାଣନାଶର ସମ୍ଭାବନା ଉପସ୍ଥିତ ହୋଇଥିଲା । ତାଙ୍କର ଦୁଃସାହାସ ମୋ ଜୀବନରେ ମଧ୍ୟ କାର୍ଯ୍ୟ କରିଅଛି । ମୁଁ ଚିରଜୀବନ ସମାଜ ସହିତ ସଂଗ୍ରାମ କରି ଆସିଅଛି । ମୁଁ ଯେତେବେଳେ ସରକାରୀ କାର୍ଯ୍ୟରେ ନିଯୁକ୍ତ ଥିଲି ଏହି ଦୁଃସାହାସ ପାଇଁ ମୋତେ ଅନେକ ଥର ବିପଦରେ ପଡ଼ିବାକୁ ହୋଇଅଛି । ପିତାଙ୍କ ସହିତ ଅନେକ ବିଷୟରେ ସାମ୍ୟ ଥିଲେ ମଧ୍ୟ ପାଠକମାନେ ନାନା ବିଷୟରେ ପ୍ରଭେଦ ମଧ୍ୟ ଖୋଜି ପାଇବେ । ସେ ପରମ ଭକ୍ତ ଥିଲେ । ଈଶ୍ୱର, ପରକାଳ ଓ ଆତ୍ମା ବିଷୟରେ ତାଙ୍କର ବିଶ୍ୱାସ ଅଟଳ ଥିଲା । ପ୍ରତିଦିନ ସେ ନିୟମିତରୂପେ ଉପାସନା କରୁଥିଲେ । ଯେତେବେଳେ ତାଙ୍କର ମୃତ୍ୟୁ ଆସନ୍ନ ହୋଇ ଆସିଲା ସେ ମୋତେ ଡାକି କହିଲେ ଯେ ସେ ମୋର ମାତାଙ୍କ ସହିତ ମିଳିତ ହେବାକୁ ଯାଉଛନ୍ତି ଏବଂ ମୋତେ ମୋର ମାତାଙ୍କ ସମାଧିଠାରେ ପ୍ରଣାମ କରିବାକୁ ଆଦେଶ କଲେ । ସେତେବେଳେ ତାଙ୍କର ମନେ ପଡ଼ିଲା ଯେ ମୁଁ ନାସ୍ତିକ । ମୋତେ ପୁଣି କହିଲେ, ‘‘ତୁ ବର୍ତ୍ତମାନ ତୋର ବିଚାରବୁଦ୍ଧି ତ୍ୟାଗ କରି ତୋର ପରଲୋକଗତ ମାତାଙ୍କର ଚରଣତଳେ ପ୍ରଣାମ କର ।’’

 

ମୋର ମାତା କୃଷ୍ଣକୁମାରୀ ଦେବୀ ଅତ୍ୟନ୍ତ ସ୍ନେହୀ ଥିଲେ । ନାରୀସୁଲଭ କୋମଳତା ତାଙ୍କଠାରେ ଅତ୍ୟଧିକ ପରିମାଣରେ ବର୍ତ୍ତମାନ ଥିଲା । ଦିନେ ମୋର ପିତା ତାଙ୍କ ପାଖରେ ‘ଯୋଷେଫାଇନ’ ଶୀର୍ଷକ ତାଙ୍କର ପଦ୍ୟ ପାଠ କରୁଥିଲେ । ଯୋଷେଫାଇନଙ୍କର କରୁଣ କାହାଣୀ ଶୁଣି ମୋର ମାତା କାନ୍ଦିବାକୁ ଲାଗିଲେ । ଦିନେ ମୋର ପିତାଙ୍କ ସହିତ ମୁଁ ବଣ-ଭୋଜନ କରିବାକୁ ଯାଇଥିଲି । ସୂର୍ଯ୍ୟୋଦୟ ପୂର୍ବେ ଯାଇଥିଲି, ଫେରିବାକୁ ରାତ୍ରି ହୋଇଗଲା । ଆସି ଶୁଣିଲି ମାତା ସେ ପର୍ଯ୍ୟନ୍ତ ଅନ୍ନଗ୍ରହଣ କରି ନାହାନ୍ତି । ମୁଁ ଘରକୁ ଫେରି ନାହିଁ, ସେ କିପରି ଅନ୍ନଗ୍ରହଣ କରିବେ-?

 

ମୋର ବାଲ୍ୟକାଳ ବାଲେଶ୍ୱରରେ ଅତିବାହିତ ହୋଇଥିଲା । ମୋର ଯେତେବେଳେ ବୟସ ୧୩ ବର୍ଷ ମୋର ମାତା ପ୍ରାଣତ୍ୟାଗ କଲେ । ମୋର ପିତା ସେତେବେଳେ ଡୋମପଡ଼ାରେ କର୍ମ କରୁଥିଲେ । ସେ ମୋତେ କଟକ ଘେନି ଆସି କଲେଜିଏଟ୍‍ ସ୍କୁଲରେ ଭର୍ତ୍ତି କରାଇ ଦେଲେ । କଟକ ଡୋମପଡ଼ାର ଅତି ନିକଟରେ । ସେ ସେଥିପାଇଁ ମୋତେ କଟକ ଘେନି ଆସିଥିଲେ । ମୁଁ ଯେତେବେଳେ ବାଲେଶ୍ୱର ଛଡ଼ିଲି ବେଙ୍ଗଲ୍‍—ନାଗପୁର—ରେଲଓୟେ ସେତେବେଳେ ସୃଷ୍ଟି ହୋଇ ନାହିଁ । ମୁଁ ଷ୍ଟୀମାର ଯୋଗେ କଟକ ଆସିଲି । ରେଲରାସ୍ତା କେତେକ ବିଷୟରେ ଉଡ଼ିଶ୍ୟାର ଉପକାର କରିଥିଲେ ମଧ୍ୟ ତାହା ଉଡ଼ିଶ୍ୟାକୁ ମେଲେରିଆ ଆଣି ଦେଇଅଛି । ଯେଉଁ ବାଲେଶ୍ୱର ଏକ କାଳରେ ସ୍ୱାସ୍ଥ୍ୟକର ସ୍ଥାନ ବୋଲି ପ୍ରସିଦ୍ଧ ଥିଲା ତାହା ବର୍ତ୍ତମାନ ଜନଶୂନ୍ୟ ହେବାକୁ ବସିଲାଣି-

 

ମୁଁ ଏଣ୍ଟ୍ରେନ୍‌ସ ପାଶ୍‍ କରି ରେଭେନ୍‌ସା କଲେଜରେ ଏଫ. ଏ. ଓ ବି. ଏ. ପଢ଼ିବାକୁ ଲାଗିଲି । ସେତେବେଳେ ପାଠ୍ୟ ପୁସ୍ତକ ଛଡ଼ା ଏବଟ୍‌—ଲିଖିତ ନେପୋଲିୟନ ବୋନାପାର୍ଟଙ୍କ ଜୀବନୀ ମୋର ପ୍ରିୟ ସଙ୍ଗୀ ଥିଲା । ସେ ବହି ପଢ଼ିଲେ ମୁଁ ରୋଗ—ଶୋକ ସମସ୍ତ ଭୁଲି ଯାଉଥିଲି-। ମୋର ସତୀର୍ଥ କବି ନନ୍ଦକିଶୋର ବଳ ସେତେବେଳେ ତାଙ୍କର ଅପୂର୍ବ ସୁନ୍ଦର କବିତାବଳୀ ଦ୍ୱାରା ଉତ୍କଳକୁ ମୋହିତ କରାଉଥିଲେ । ତାଙ୍କର ଲେଖାର ଅନେକ ଅଂଶ ମୋର ମୁଖସ୍ଥ ହୋଇ ଯାଇଥିଲା । ମୁଁ ସେ ସବୁ ତାଙ୍କଠାରେ ଆବୃତ୍ତି କଲେ ସେ ଆନନ୍ଦିତ ହେଉଥିଲେ । ସେ ସମୟରେ ରାଧାନାଥଙ୍କ ‘‘ମହାଯାତ୍ରା’’, ମଧୁସୂଦନଙ୍କ ‘‘ବସନ୍ତଗାଥା’’ ଏବଂ ଫକୀରମୋହନଙ୍କ ‘‘ଛମାଣ ଆଠଗୁଣ୍ଠ’’ ପ୍ରଥମ ପ୍ରକାଶିତ ହେଲା । ଏହି ସମୟକୁ ଉତ୍କଳ-ସାହିତ୍ୟର ସୁବର୍ଣ୍ଣଯୁଗ କହିଲେ ଅତ୍ୟୁକ୍ତି ହେବ ନାହିଁ । କଲେଜରେ ପଢ଼ିବା  ସମୟରେ ମୁଁ ‘ଓଡ଼ିଆ କାହାଣୀ’ ବିଷୟରେ ପ୍ରବନ୍ଧ ଲେଖି ତାଳଚେର ପଦକ ପୁରସ୍କାର ପାଇଥିଲି । ଜିଲ୍ଲାର କଲେକ୍‌ଟର ପ୍ରବନ୍ଧଗୁଡ଼ିକ ପରୀକ୍ଷା କରିଥିଲେ ଏବଂ ମୋ ପ୍ରବନ୍ଧର ବିଶେଷ ପ୍ରଶଂସା କରିଥିଲେ ।

 

ଭକ୍ତ କବି ମଧୁସୂଦନଙ୍କ ସମ୍ପର୍କରେ ଆସି ମୁଁ ବ୍ରାହ୍ମଧର୍ମ ପ୍ରତି ଆକୃଷ୍ଟ ହେଲି । ଉପାସନା ସମୟରେ ତାଙ୍କର ଭାଷାର ଗାମ୍ଭୀର୍ଯ୍ୟ ଓ ମାଧୁରୀ କଟକ ସହରର ଶିକ୍ଷିତ ମଣ୍ଡଳୀଙ୍କୁ ଆକର୍ଷଣ କରୁଥିଲା । ସେ ଉଡ଼ିଶ୍ୟାର କେଶବଚନ୍ଦ୍ର ଥିଲେ । ଈଶ୍ୱର ଓ ପରକାଳ ବିଶ୍ୱାସର ଦାର୍ଶନିକ ଭିତ୍ତି ଜାଣିବା ସକାଶେ ମୁଁ ବି.ଏ. ପରୀକ୍ଷା ପାଇଁ ଦର୍ଶନ ପଢ଼ିବାକୁ ଲାଗିଲି । ଦର୍ଶନରେ ଯେଉଁ ଯୁକ୍ତି ଦେଖିଲି ସେଥିରେ ମୁଁ ସନ୍ତୁଷ୍ଟ ହୋଇପାରିଲି ନାହିଁ । ସେ ସମୟରେ ବଙ୍ଗସାହିତ୍ୟରେ ସାକାର ଓ ନିରାକାର ଉପାସନା ଘେନି ତର୍କ ବିତର୍କ ଚଳୁଥିଲା । ମୋର ଯେତେଦୂର ମନେ ପଡ଼େ ନଗେନ୍ଦ୍ରନାଥ ଚଟ୍ଟୋପାଧ୍ୟାୟ ‘‘ଧର୍ମ-ଜିଜ୍ଞାସା’’ ପ୍ରଭୃତି ପୁସ୍ତକ ରଚନା କରି ବ୍ରାହ୍ମ ଧର୍ମ ଓ ନିରାକାର–ଉପାସନାର ସାରବତ୍ତା ପ୍ରମାଣ କରୁଥିଲେ । ହିନ୍ଦୁଧର୍ମର ଜଣେ ପ୍ରଧାନ ପୃଷ୍ଠପୋଷକ ରାୟବାହାଦୂର ଯତୀନ୍ଦ୍ରମୋହନ ସିଂହ ‘‘ସାକାର ଓ ନିରାକାର ତତ୍ତ୍ୱ-ବିଚାର’’ ନାମକ ପୁସ୍ତକ ରଚନାକରି ସାକାର ଉପାସନାର ଯୁକ୍ତିଯୁକ୍ତତା ଏବଂ ନିରାକାର ଉପାସନାର ଭ୍ରାନ୍ତି ପ୍ରତିପାଦନ କରିବାକୁ ପ୍ରବୃତ୍ତ ହେଲେ । ଏ ସବୁ ତର୍କବିତର୍କର ଫଳରେ ମୋର ଧର୍ମ-ବିଶ୍ୱାସ ଆହୁରି ଶିଥିଳ ହୋଇ ପଡ଼ିଲା । ସେତେବେଳେ ସମାଜରେ ଗୋଟାଏ ବିଶ୍ୱାସ ଥିଲା ଯେ ବ୍ରହ୍ମମାନେ ମିଛ କୁହନ୍ତି ନାହିଁ । ମୋର ମଧ୍ୟ ବିଶ୍ୱାସ ଥିଲା, ଯେତେବେଳେ ସେମାନେ ଈଶ୍ୱର ଦର୍ଶନ କରିଅଛନ୍ତି ସେମାନେ ନିଜେ ଜଣେ ଜଣେ କ୍ଷୁଦ୍ର ଈଶ୍ୱର ହେବେ । ପରେ ସେମାନଙ୍କ ଆଚରଣ ଦେଖି ମୋର ବିଶ୍ୱାସ ଭାଙ୍ଗିଗଲା । ଏହି ସବୁ ନାନା କାରଣରୁ ମୁଁ ଧର୍ମର ଆବରଣ ଭେଦ କରି ନାସ୍ତିକତାରେ ଉପନୀତ ହେଲି । ୧୯୦୪ ଖ୍ରୀଷ୍ଟାବ୍ଦରେ ମୁଁ ନାସ୍ତିକତା ସମର୍ଥନ କରି ‘ଉତ୍କଳସାହିତ୍ୟ’ରେ ପ୍ରଥମ ପ୍ରବନ୍ଧ ଲେଖିବାକୁ ଆରମ୍ଭ କଲି । ମୋର ମନେ ହୁଏ ଉତ୍କଳ-ସାହିତ୍ୟ କ୍ଷେତ୍ରରେ ମୋ ପୂର୍ବେ ଏପରି ସାହସର କର୍ମ କେହି କରି ନ ଥିଲା । ମୁଁ ଉତ୍କଳକୁ ପ୍ରଥମେ ବିପ୍ଳବର ବାଣୀ ଶୁଣାଇଅଛି-। କବି ମଧୁସୂଦନ ପ୍ରଭୃତି ମୋ ପ୍ରତି ବିରକ୍ତ ହୋଇଥିଲେ କିନ୍ତୁ କବି ରାଧାନାଥ ମୋର ପ୍ରଶଂସା କରିଥିଲେ-। ରାଧାନାଥ କହିଲେ, ସେ ପ୍ରାଚ୍ୟ ଓ ପାଶ୍ଚାତ୍ୟ ଧର୍ମବିଜ୍ଞାନମାନ ପାଠ କରିଅଛନ୍ତି ଏବଂ ଦେଖିଛନ୍ତି ଯେ ଈଶ୍ୱର ଓ ପରକାଳ ସସ୍ୱନ୍ଧୀୟ ତର୍କମାନ ଭ୍ରାନ୍ତ । ରାଧାନାଥ ତାଙ୍କର କାବ୍ୟରେ ଧର୍ମର ମହତ୍ତ୍ୱ କୀର୍ତ୍ତନ କରି ଥାଇ ପାରନ୍ତି, କିନ୍ତୁ ତାଙ୍କର ବିଶ୍ୱାସ ଅନ୍ୟରୂପ ଥିଲା । ସେତେବେଳେ ଲୋକଙ୍କର ବିଶ୍ୱାସ ଥିଲା ଯେ ନାସ୍ତିକମାନେ ଚରିତ୍ରହୀନ ହୁଅନ୍ତି । ସେ ସମୟରେ ମୋର ଜଣେ ବାରିଷ୍ଟାର ବନ୍ଧୁ ତାଙ୍କର ବିଦୁଷୀ ସ୍ତ୍ରୀ ସହିତ ମୋତେ ଯେତେବେଳେ ପରିଚୟ କରାଇଦେଲେ ସେ ଭଦ୍ରମହିଳା କହିଲେ, ‘‘ମୁଁ ଏତେକାଳ ଶୁଣିଥିଲି ଯେ ମୋହିନୀବାବୁ ଜଣେ ନାସ୍ତିକ, କିନ୍ତୁ ବର୍ତ୍ତମାନ ଦେଖୁଛି ସେ ଜଣେ ଭଦ୍ରଲୋକ ।’’

 

୧୯୩୫ ମସୀହା ଡିସେମ୍ୱର ୧ ତାରିଖରେ ‘ନବଯୁଗ ସାହିତ୍ୟ ସଂସଦ’ର ସଭାପତିରୂପେ ମୁଁ ଧର୍ମ ସମ୍ୱନ୍ଧରେ ନିମ୍ନଲିଖିତ କେତେ ଗୁଡ଼ି କଥା କହିଥିଲି :–

 

‘‘କେତେକ ଧାର୍ମିକ ଅଛନ୍ତି ଯେଉଁମାନେ କହନ୍ତି ଯେ ସେମାନେ ଭଗବାନଙ୍କୁ ଦେଖି ଅଛନ୍ତି । ଯାହାଙ୍କର ଅସ୍ତିତ୍ୱ ନାହିଁ ଲୋକେ ତାହାଙ୍କୁ ଦେଖନ୍ତି କିପରି ? ପ୍ରାଚୀନ କାଳରେ ଆର୍ଯ୍ୟଋଷିମାନେ ଭଗବାନଙ୍କୁ ଦେଖିବା ପାଇଁ ସୋମରସ ପାନ କରୁଥିଲେ, ଆଜିକାଲି ମଧ୍ୟ ଅନେକ ସନ୍ନ୍ୟାସୀ ସେହି ଉଦ୍ଦେଶ୍ୟରେ ଗଞ୍ଜା ସେବନ କରି ଥାଆନ୍ତି । ଯେ ପର୍ଯ୍ୟନ୍ତ ମସ୍ତିସ୍କ ପ୍ରକୃତିସ୍ଥ ଥାଏ ସେ  ପର୍ଯ୍ୟନ୍ତ  ସେ ଅଳୀକ ବସ୍ତୁ ଦର୍ଶନ କରିପାରେ ନାହିଁ । ଏଥିପାଇଁ ଧାର୍ମିକମାନେ ପ୍ରକୃତିସ୍ଥ ନ ହୋଇ ଅପ୍ରକୃତିସ୍ଥ ହେବା ଅଧିକ ବାଞ୍ଛନୀୟ ମନେ କରନ୍ତି । ଧାର୍ମିକ ଓ ପାଗଳ ଏକ—ଶ୍ରେଣୀଭୁକ୍ତ । ସଭ୍ୟ ଯୁଗରେ ଧାର୍ମିକମାନେ ଗଞ୍ଜା ଓ ସୋମରସ ପରିତ୍ୟାଗ କରି ଅଛନ୍ତି ସତ୍ୟ, ସେମାନେ ବାତୁଳତାର ଅନ୍ୟ ଗୋଟିଏ ପନ୍ଥା ଅବଲମ୍ୱନ କରନ୍ତି । ଯୋଗଦ୍ୱାରା ଆମ୍ଭମାନେ କୌଣସି ଗୋଟିଏ ବିଷୟରେ ଅଧିକ କାଳ ମନଃସଂଯୋଗ କଲେ ତାହା ପ୍ରତ୍ୟକ୍ଷ—ଜ୍ଞାନ ବୋଲି ପ୍ରତୀତ ହୁଏ । ଏହି ଚିତ୍ତଭ୍ରାନ୍ତି (hallucination) ଯୋଗର ଅବଶ୍ୟମ୍ଭାବୀ ଫଳ । ଏତଦ୍ଦ୍ୱାରା ଭଗବାନ, ମୃତଲୋକ ଏବଂ ନାନାରୂପ ଅଳୀକ ବସ୍ତୁ ପ୍ରତ୍ୟକ୍ଷୀଭୂତ ହୋଇଥାଏ । ଆଜିକାଲି  ଭଗବାନଙ୍କୁ ଦର୍ଶନ କରିବାର ଏହା ଗୋଟିଏ ପ୍ରଶସ୍ତ ପନ୍ଥା  । ଧାର୍ମିକମାନେ ଉପବାସ ପ୍ରଭୃତି ଯେତେ ପ୍ରକାର [କୃଚ୍ଛ୍ର] ସାଧନ କରି ଥାଆନ୍ତି ତଦ୍ଦ୍ୱାରା ମସ୍ତିଷ୍କ ଅବଶ ହୋଇଯାଏ । ସେ ଅବସ୍ଥାରେ ଅସତ୍ୟ ସତ୍ୟରୂପେ ପ୍ରତ୍ୟକ୍ଷୀଭୂତ ହୁଏ । ଅନେକେ ବିଶ୍ୱାସ କରନ୍ତି ଯେ ଭଗବାନଙ୍କୁ ଦର୍ଶନ କଲେ ସ୍ୱର୍ଗପ୍ରାପ୍ତି ହୁଏ । ପ୍ରକୃତିସ୍ଥ ଥିବା ପର୍ଯ୍ୟନ୍ତ ମାନବ ଭଗବାନଙ୍କୁ ଦର୍ଶନ କରେ ନାହିଁ । ସେଥିପାଇଁ ଅପ୍ରକୃତିସ୍ଥ  ହେବା ଧାର୍ମିକମାନଙ୍କର ଇପ୍ସିତ ଅଟେ ।

 

‘‘ଆଉ ଗୋଟାଏ କାରଣରୁ ଧର୍ମପ୍ରତି ଲୋକମାନଙ୍କର ଆସକ୍ତି ଜାତ ହୋଇଥାଏ । ଧର୍ମ-ମନ୍ଦିରରେ, ଗିର୍ଜା ଓ ମସ୍‌ଜିଦରେ ଆମ୍ଭେମାନେ ଆମ୍ଭମାନଙ୍କର ସଙ୍ଗୀମାନଙ୍କ ସହିତ ମିଳିତ ହେଉଁ । ସେଠାରେ ପୁଷ୍ପର ସୌରଭ ଓ ସଙ୍ଗୀତର ମଧୁର ଧ୍ୱନି ଉପଭୋଗ କରୁଁ । ଏହିସବୁ ଆନୁସଙ୍ଗିକ ବ୍ୟାପାର ଯୋଗୁଁ ଆମ୍ଭମାନଙ୍କର ଧର୍ମ ପ୍ରତି ଅନୁରାଗ ଜାତ ହୁଏ । ନାସ୍ତିକ—ସମାଜର ସୌଧ ଶିଖର ଯଦି ପୁରୀ ମନ୍ଦିର ପରି ଗଗନ ଭେଦକରେ, ପ୍ରକୃତିର ବିରାଟ ଓ ରମ୍ୟ ଦୃଶ୍ୟ ସମ୍ମୁଖରେ ଯଦି ନାସ୍ତିକ—ସୌଧ ସ୍ଥାପିତ ହୁଏ, ଯଦି ପୁଷ୍ପ ଏବଂ ସୁଗନ୍ଧି ଦ୍ରବ୍ୟଦ୍ୱାରା ନାସ୍ତିକ—ଅଟ୍ଟାଳିକା ଆମୋଦିତ କରାହୁଏ ଏବଂ ସଙ୍ଗୀତ ଓ ବାଦ୍ୟର ମଧୁର ଧ୍ୱନିଦ୍ୱାରା ନାସ୍ତିକ—ମନ୍ଦିର ଝଙ୍କୃତ ହୁଏ, ତେବେ ପୃଥିବୀର ଯାବତୀୟ ତୀର୍ଥଯାତ୍ରୀମାନେ ଆମ୍ଭମାନଙ୍କର ନାସ୍ତିକ—ମନ୍ଦିରରେ ପଦାର୍ପଣ କରି କହିବେ—ନାସ୍ତିକ ଧର୍ମ କି ଉଦାର କି ମହତ୍‍ । ଧର୍ମର ମହତ୍ତ୍ୱ ଧର୍ମରେ ନାହିଁ, ତାହା ତାହାର ଆନୁସଙ୍ଗିକ ବ୍ୟାପାରରେ ବର୍ତ୍ତମାନ ଅଛି ।’’

 

୧୯୦୨ ସାଲରେ ମୁଁ ରେଭେନ୍ସା କଲେଜରୁ ବି. ଏ. ପାଶ କଲି । ଉକ୍ତ ବର୍ଷ ଏହି କଲେଜରୁ ୫ ଜଣ ବି. ଏ. ପାଶ କରିଥିଲେ ।  ସଚରାଚର ସେ ସମୟରେ ଉଡ଼ିଶ୍ୟାରୁ ପ୍ରତିବର୍ଷ ଜଣେ ଦୁଇଜଣ ବି. ଏ. ପାଶ କରୁଥିଲେ । ସେମାନେ ସମସ୍ତେ ଉଚ୍ଚ ସରକାରୀ ଚାକିରି ପାଇ ପାରୁଥିଲେ । ସେମାନଙ୍କ ମଧ୍ୟରୁ ଅନେକେ ଡେପୁଟି, ସବ୍‍ ଡେପୁଟି ଅଥବା ମୁନସଫି କର୍ମ ପାଉଥିଲେ । ବର୍ତ୍ତମାନ ଉଚ୍ଚ ଶିକ୍ଷା ବିସ୍ତାର ସଙ୍ଗେ ସଙ୍ଗେ ଉଡ଼ିଶ୍ୟାରୁ ପ୍ରତିବର୍ଷ ୫୦।୬୦ଜଣ ବି. ଏ. ପାଶ କରୁ ଅଛନ୍ତି । ଏଥି ମଧ୍ୟରୁ ଅନେକେ କିରାଣୀ କାମ ମଧ୍ୟ ପାଇପାରୁ ନାହାନ୍ତି । କେହି କେହି ପ୍ରଥମ ଶ୍ରେଣୀରେ ଏମ୍‍. ଏ. ପାଶ କରି ମଧ୍ୟ ଗୋଟାଏ ଭଲ ଚାକିରି ପାଇପାରୁ ନାହାନ୍ତି । ତଥାପି ବିଶ୍ୱବିଦ୍ୟାଳୟର ଉପାଧିର ମୋହ ଶିକ୍ଷିତ ଯୁବକମାନଙ୍କୁ  କେଉଁ ଅତଳ ଗହ୍ୱର ଆଡ଼କୁ ଟାଣି ନେଇ ଯାଉଅଛି । ଦେଶରେ ଅର୍ଥୋପାର୍ଜ୍ଜନର ଅସଂଖ୍ୟ ପନ୍ଥା ରହିଛି । ‘ଅନନ୍ତ—ରତ୍ନ—ପ୍ରସବିନୀ’ ଇଂରାଜୀ ଶିକ୍ଷା ଲାଭ ନ କଲେ କି ଯୁବକମାନଙ୍କର ମୁକ୍ତିର ଅନ୍ୟ ଉପାୟ ନାହିଁ ? ମୋର ଜନ୍ମ ବର୍ଷରେ ମୋର ପିତା ମହାଭାରତର ଓଡ଼ିଆ ପଦ୍ୟାନୁବାଦ ଆରମ୍ଭ କରିଥିଲେ । ଏହି ୧୯୦୨ ସାଲରେ ସେ ତାହା ସମ୍ପୂର୍ଣ୍ଣ କଲେ । ସାହିତ୍ୟ ଜଗତରେ ଏପରି ଅଧ୍ୟବସାୟର ଉଦାହରଣ କମ୍‍ ଦେଖିବାକୁ ମିଳେ ।

 

୧୯୦୫ ସାଲରେ ମୁଁ ୧୦୦ ଟଙ୍କା ବେତନରେ ସବ୍‌ ଡେପୁଟି କାର୍ଯ୍ୟ ଗ୍ରହଣ କଲି । ସାର୍‌ କୃଷ୍ଣଗୋବିନ୍ଦ ଗୁପ୍ତ ଏଥିରେ ମୋର ସହାୟ ହୋଇଥିଲେ । ୧୯୧୧ ସାଲରେ ମୁଁ ରେଭେନ୍ସା କଲେଜରେ ୨୦୦ ଟଙ୍କା ବେତନରେ ଅସ୍ଥାୟୀ ଦର୍ଶନର ଅଧ୍ୟାପକ ନିଯୁକ୍ତ ହେଲି । ଉଡ଼ିଶ୍ୟାର ବର୍ତ୍ତମାନ ଶାସନକର୍ତ୍ତା ସାର୍‍ ଜନ୍‌ ହବକ୍‌ ଏଥିରେ ମୋର ସହାୟ ହୋଇଥିଲେ । ୧୯୦୮ ସାଲରେ ମୁଁ ସବ୍‌ ଡେପୁଟି କାର୍ଯ୍ୟ କରୁଥିବା ସମୟରେ ଦର୍ଶନରେ ଏମ୍‌. ଏ. ପାଶ କଲି । ମୁଁ ରେଭେନ୍ସା କଲେଜରେ ୨୫ ବର୍ଷ କର୍ମ କରି ୧୯୩୬ ସାଲରେ ସରକାରୀ କର୍ମରୁ ଅବସର ଗ୍ରହଣ କଲି ।

 

ମୁଁ ଚାକିରି କରୁଥିବା ସମୟରେ ଉଡ଼ିଶ୍ୟାର ଇତିହାସରେ କେତେ ମହା ପରିବର୍ତ୍ତନ ସଙ୍ଘଟିତ ହୋଇଗଲା । ୧୯୦୫ ସାଲ ପର୍ଯ୍ୟନ୍ତ ସମ୍ୱଲପୁର ଜିଲ୍ଲା ମଧ୍ୟପ୍ରଦେଶର ଅଧୀନରେ ଥିଲା । ତାହା ଉକ୍ତ ସାଲରେ ବଙ୍ଗ ଓ ଉଡ଼ିଶ୍ୟା ସହିତ ଯୁକ୍ତ ହେଲା । ଉଡ଼ିଶ୍ୟାର ଆୟତନ ବଢ଼ିଗଲା । ସମ୍ୱଲପୁର ଉତ୍କଳ ସହିତ ମିଶିବାର ଏକ ସପ୍ତାହ ପରେ ମୁଁ ତହସିଲଦାର କର୍ମରେ ନିଯୁକ୍ତ ହୋଇ ବାଲେଶ୍ୱରରୁ ସମ୍ୱଲପୁରକୁ ସ୍ଥାନାନ୍ତରିତ ହେଲି । ୧୯୧୨ ସାଲରେ ଉଡ଼ିଶ୍ୟାର ରାଜନୈତିକ ଭାଗ୍ୟ ପୁଣି ପରିବର୍ତ୍ତିତ ହୋଇଗଲା । ବିହାର ଓ ଉଡ଼ିଶ୍ୟାକୁ ବଙ୍ଗ ପ୍ରଦେଶରୁ ବିଚ୍ଛିନ୍ନ କରି ଗୋଟାଏ ସ୍ୱତନ୍ତ୍ର ପ୍ରଦେଶ ଗଠନ କରାଗଲା । ସେତେବେଳେ ରେଭେନ୍‌ସା କଲେଜରେ ଗୋଟାଏ ସ୍ଥାୟୀ ଦର୍ଶନ—ଅଧ୍ୟାପକର ପଦ ଖାଲି ହେଲା ।  ମୁଁ ସେହି ଶୂନ୍ୟପଦରେ ସ୍ଥାୟୀ ଦର୍ଶନ–ଅଧ୍ୟାପକ ନିଯୁକ୍ତ ହେଲି । ୧୯୩୬ ସାଲରେ ମୋର କର୍ମରୁ ଅବସର ଗ୍ରହଣ କରିବା ପୂର୍ବେ ଗଞ୍ଜାମ ଜିଲ୍ଲାକୁ ମାନ୍ଦ୍ରାଜ ପ୍ରଦେଶରୁ ବିଚ୍ଛିନ୍ନ କରି ଉଡ଼ିଶ୍ୟା ସହିତ ମିଶାଇ ଦିଆଗଲା ଏବଂ ଉଡ଼ିଶ୍ୟା ଗୋଟାଏ ସ୍ୱତନ୍ତ୍ର ପ୍ରଦେଶରେ ପରିଣତ ହେଲା । ଉଡ଼ିଶ୍ୟା ୧୯୧୨ ସାଲରେ ବଙ୍ଗ ପ୍ରଦେଶରୁ ପୃଥକ୍‌ ହୋଇଥିଲା । ବର୍ତ୍ତମାନ ତାହା ବିହାର ପ୍ରଦେଶରୁ ପୃଥକ୍‌ ହେଲା । ୧୯୧୮ ସାଲରେ ପାଟନା ବିଶ୍ୱବିଦ୍ୟାଳୟ ଗଠିତ ହେଲା । ଉଡ଼ିଶ୍ୟାର ସ୍କୁଲ ଓ କଲେଜଗୁଡ଼ିକ କଲିକତା ବିଶ୍ୱବିଦ୍ୟାଳୟରୁ ବିଚ୍ଛିନ୍ନ କରି ପାଟନା ବିଶ୍ୱବିଦ୍ୟାଳୟର ଅଧୀନରେ ରଖାଗଲା । ମୁଁ କେତେକ ବର୍ଷ ପାଟନା ବିଶ୍ୱବିଦ୍ୟାଳୟର ସଭ୍ୟ ଥିଲି, ଦେଖିଛି କଲିକତାରୁ ବିଚ୍ଛିନ୍ନ ହୋଇ ପାଟନା ଅଧିନରେ ରହି ବିହାର ଓ ଉଡ଼ିଶ୍ୟାର ଶିକ୍ଷାର ଉନ୍ନତି ନ ହୋଇ ବରଞ୍ଚ ଅବନତି ହୋଇଅଛି । ଅର୍ଦ୍ଧଶିକ୍ଷିତ ଅଧ୍ୟାପକମାନେ ପାଟନା ବିଶ୍ୱବିଦ୍ୟାଳୟ ଅଧିକାର କରି ବସି ଅଛନ୍ତି । ସେମାନେ ନୂତନତ୍ୱ ଦେଖାଇବାକୁ ଯାଇ ଶିକ୍ଷାର ଅବନତି କରୁଅଛନ୍ତି । ବିଶ୍ୱବିଦ୍ୟାଳୟ ସଙ୍ଗେ ସଙ୍ଗେ ପାଟନା ହାଇକୋର୍ଟ ମଧ୍ୟ ସୃଷ୍ଟି ହୋଇଅଛି । କଲିକତା ହାଇକୋର୍ଟ ସହିତ ଏହାକୁ ତୁଳନା କଲେ ମୋର ଅନଧିକାର ଚର୍ଚ୍ଚା ହୋଇ ପଡ଼ିବ । ବ୍ୟବହାରଜୀବୀମାନଙ୍କ ପାଇଁ ଏ ଆଲୋଚନା ସ୍ଥଗିତ ରଖିଲି-। ଭାଷା, ଆଚାର—ବ୍ୟବହାର ବା ନୈକଟ୍ୟ କୌଣସି ବିଷୟରେ ବିହାର ସହିତ ଉଡ଼ିଶ୍ୟାର ଐକ୍ୟ ନାହିଁ । କିପାଇଁ ବିହାର ସହିତ ଉଡ଼ିଶ୍ୟାକୁ ଏତେକାଳ ସରକାର ବାନ୍ଧି ରଖିଥିଲେ ତାହା ବୁଝିବା କଠିନ । ଯାହାହେଉ ସରକାର ଯେ ବର୍ତ୍ତମାନ ତାଙ୍କର ଭ୍ରାନ୍ତି ବୁଝି ପାରିଛନ୍ତି, ଏହା ଆନନ୍ଦର ବିଷୟ-

 

ମୁଁ ସବ୍‍ ଡେପୁଟି କାର୍ଯ୍ୟ କରୁଥିବା ସମୟରେ ଅଧିକାଂଶ ସମୟ ବିହାର ଓ ଉଡ଼ିଶ୍ୟାର ବନ୍ଦୋବସ୍ତ କାର୍ଯ୍ୟରେ ନିଯୁକ୍ତ ଥିଲି । ମୁଁ ସର୍ବଦା ପ୍ରଜାମାନଙ୍କୁ ଜମିଦାରମାନଙ୍କ ଅତ୍ୟାଚାରରୁ ରକ୍ଷା କରିବାକୁ ଚେଷ୍ଟା କରିଅଛି । ପୁରୀ ଜିଲ୍ଲାର ଏର୍‌ବଙ୍ଗ ମୌଜାର ପ୍ରଜାମାନଙ୍କୁ ଗୋଟାଏ ମହା ବିପଦରୁ ଉଦ୍ଧାର କରି ଯେତେବେଳେ ସେ ମୌଜା ଛାଡ଼ି ଚାଲି ଆସିଲି କୃତଜ୍ଞ ପ୍ରଜାମାନେ ମୋତେ ବିଦାୟ ଦେବା ସକାଶେ ମୋ ସହିତ ଏକ ମାଇଲ ପର୍ଯ୍ୟନ୍ତ ଆସିଥିଲେ । ଏହି ସମୟରେ ମୁଁ ‘‘ସ୍ତ୍ରୀ ଜାତିର ସ୍ୱାଧୀନ ଜୀବିକା’’ ନାମକ ପ୍ରବନ୍ଧ ‘ଉତ୍କଳ-ସାହିତ୍ୟ’ରେ ପ୍ରକାଶ କରିଥିଲି । ଏ ବିଷୟ ବର୍ତ୍ତମାନ ପୁରାତନ ହୋଇଅଛି । କିନ୍ତୁ ସେ ସମୟରେ ଏହା ବଙ୍ଗ ଏବଂ ଉଡ଼ିଶ୍ୟା ବିଭାଗରେ ଚାଞ୍ଚଲ୍ୟ ଉପସ୍ଥିତ କରାଇଥିଲା । ମୋର ଲେଖାର ଅବ୍ୟବହିତ ପରେ ମୁଁ ଦେଖିଲି, ତାହା ବଙ୍ଗଳା ମାସିକ ପତ୍ରିକାରେ ଅନୁବାଦିତ ଓ ପ୍ରକାଶିତ ହୋଇଅଛି । ଏହି ଅନୁବାଦ ସକାଶେ ମୋର ଅନୁମତି ପାଇଁ ସେମାନେ ଅପେକ୍ଷା କରି ନ ଥିଲେ । ବିବାହର ଦୌରାତ୍ମ୍ୟରୁ ରକ୍ଷା ପାଇବା ସକାଶେ ବର୍ତ୍ତମାନ କେତେକ ଶିକ୍ଷିତା ରମଣୀ ସ୍ୱାଧୀନ-ଜୀବିକାର ଆଶ୍ରୟ ଗ୍ରହଣ କରୁଛନ୍ତି । ଅଶିକ୍ଷିତା ରମଣୀମାନେ ନିରୁପାୟ ହୋଇ ବିବାହପେଶା ଅବଲମ୍ୱନ କରୁଅଛନ୍ତି । ସମାଜରେ ଅନେକ କାର୍ଯ୍ୟ ଅଛି ଯେଉଁଥିରେ ଶିକ୍ଷାର ଆବଶ୍ୟକତା ନାହିଁ । ଏସବୁ କାର୍ଯ୍ୟ କରି ଅଶିକ୍ଷିତା ନାରୀମାନେ କି ନିଜର ଜୀବିକା ନିର୍ବାହ କରି ପାରିବେ ନାହିଁ ?

 

ମୁଁ ଯେତେବେଳେ ରେଭେନ୍ସା କଲେଜରେ ପଢ଼ୁଥିଲି ସେତେବେଳେ ନୀଳକଣ୍ଠ ମଜୁମଦାର ଓ ବିପିନବିହାରୀ ଗୁପ୍ତଙ୍କ ପରି ଯୋଗ୍ୟ ବଙ୍ଗାଳୀ ପଣ୍ଡିତମାନେ ଉକ୍ତ କଲେଜର ଅଧ୍ୟକ୍ଷ କାର୍ଯ୍ୟ କରୁଥିଲେ । ଓଡ଼ିଆମାନଙ୍କ ମଧ୍ୟରେ ଅଧ୍ୟକ୍ଷ ହେବା ଭଳି ଲୋକ ସେତେବେଳେ କେହି ନ ଥିଲେ । ବଙ୍ଗାଳୀମାନଙ୍କୁ ଅଧ୍ୟକ୍ଷ କର୍ମରୁ ତଡ଼ିବା ପାଇଁ ସେତେବେଳେ ଆନ୍ଦୋଳନ ଉପସ୍ଥିତ ହେଲା-। ସରକାର ଏହି ସୁଯୋଗରେ ଉକ୍ତ ପଦରେ ଅଯୋଗ୍ୟ ଇଂରେଜ କର୍ମଚାରୀମାନଙ୍କୁ ନିଯୁକ୍ତ କରିବାକୁ ଲାଗିଲେ । ଏହି କର୍ମଚାରୀମାନଙ୍କ ଅଧୀନରେ ଥାଇ ରେଭେନ୍ସା କଲେଜର ଶିକ୍ଷା ବାଧାପ୍ରାପ୍ତ ହୋଇଅଛି । ବର୍ତ୍ତମାନ ଯୋଗ୍ୟ ଏବଂ ଶିକ୍ଷିତ ଓଡ଼ିଆମାନେ ଉଡ଼ିଶ୍ୟାର ଶିକ୍ଷା ବିଭାଗର ସମସ୍ତ ଉଚ୍ଚପଦ ଅଧିକାର କରିଅଛନ୍ତି ଏହା ଅତ୍ୟନ୍ତ ଆନନ୍ଦର ବିଷୟ । ମୋତେ କିନ୍ତୁ ଚିରକାଳ ଇଂରେଜ ଅଧ୍ୟକ୍ଷ ଅଧୀନରେ କାର୍ଯ୍ୟ କରିବାକୁ ହୋଇଥିଲା । ମୁଁ ଯେତେକାଳ ଶିକ୍ଷା ବିଭାଗରେ କର୍ମ କରିଥିଲି ବିଶ୍ୱବିଦ୍ୟାଳୟ ନିର୍ଦ୍ଧାରିତ ପାଠ୍ୟର ସୀମା ଅତିକ୍ରମ କରି ଛାତ୍ରମାନଙ୍କୁ ସାମ୍ୟ, ମୈତ୍ରୀ ଓ ସ୍ୱାଧୀନତାର ମନ୍ତ୍ର ଶିଖାଉଥିଲି । ଛାତ୍ରମାନଙ୍କ ମନରେ ସ୍ୱାଧୀନଚିନ୍ତା ଫୁଟାଇବାକୁ ମୁଁ ସର୍ବଦା ଚେଷ୍ଟା କରିଅଛି । ଅନ୍ୟ ଅଧ୍ୟାପକମାନେ ଏ କାର୍ଯ୍ୟ ସେମାନଙ୍କର କର୍ତ୍ତବ୍ୟର ଅନ୍ତର୍ଗତ ବୋଲି ମନେ କରୁ ନ ଥିଲେ ।

 

କଲେଜରେ ଶିକ୍ଷକତା କରିବା ସମୟରେ ମୁଁ ଗୋଟାଏ ନୂତନ ବସ୍ତୁ ଆବିଷ୍କାର କଲି । ଆବିଷ୍କାର କଲି କହିବାଟା ଠିକ୍‍ ନୁହେଁ, କାରଣ ମୋ ପୂର୍ବେ ଯାହା ଆବିଷ୍କୃତ ହୋଇଥିଲା ତାହାହିଁ ମୁଁ ଦେଶବାସୀଙ୍କୁ ଶୁଣାଇଅଛି । ଦିନେ କଲିକତାରେ ଗୋଟାଏ ପୁସ୍ତକ ଦୋକାନରେ ଖଣ୍ଡିଏ ବହି ଦେଖିଲି—V. F. Calverto ଲିଖିତ The Bankruptcy of Marriage. ଉକ୍ତ ପଣ୍ଡିତ ନାନା ତଥ୍ୟ ସଂଗ୍ରହ କରି ଦେଖାଇ ଅଛନ୍ତି ଯେ ବିବାହ ପ୍ରଥା ସମାଜ ପକ୍ଷରେ ଅକଲ୍ୟାଣକର, ତାହା ବିତାଡ଼ିତ ହେବା ଉଚିତ । ମୁଁ ସେତେବେଳେ ବିବାହ ବିଷୟରେ ଅନ୍ୟାନ୍ୟ ପୁସ୍ତକ ଆଲୋଚନା କଲି । ବିବାହ ବିନା ଯେ ସମାଜ ରହିପାରେ ଏ ବିଷୟରେ ସ୍ଥିରନିଶ୍ଚୟ ହେବା ପାଇଁ ମୁଁ ଆସାମର ରାଜଧାନୀ ସିଲଂ ଯାତ୍ରା କଲି । ସେଠାରେ ଦେଖିଲି ଖାସୀ ଓ ସିଣ୍ଟେଙ୍ଗ୍‌ମାନଙ୍କ ମଧ୍ୟରେ ବିବାହ ପ୍ରଥା ନାହିଁ କହିଲେ ଚଳେ । ସେଠାରେ ପିତା ନିର୍ଦ୍ଦେଶ କରିବା କଠିନ ବୋଲି ମାତା ସମସ୍ତ ସମ୍ପତ୍ତି ପାଏ, ଏବଂ ମାତା ଅନ୍ତେ କନ୍ୟାମାନେ ତାହାର ସମ୍ପତ୍ତି ପାଆନ୍ତି । ଏହି ବିଚିତ୍ର ଉତ୍ତରାଧିକାର ନିୟମ ବିଷୟରେ ସେଠାକାର କଲେକ୍‌ଟର ଖଣ୍ଡିଏ ପୁସ୍ତକ ରଚନା କରିଥିଲେ । ମୁଁ ସେହି କଲେକ୍‌ଟର Keith Cautlieଙ୍କ ସହିତ ଦେଖା କଲି । ସେ ତାଙ୍କର ‘‘Notes on Khasi Law’’ ନାମକ ପୁସ୍ତକ ମୋତେ ଉପହାର ଦେଲେ । ମୁଁ ଏତେଗୁଡ଼ି ଅସ୍ତ୍ର ହସ୍ତଗତ କରି ମୋର ମତ ପ୍ରଚାର କରିବାକୁ ଲାଗିଲି । ‘ନବଭାରତ’ ‘ସହକାର’ ପ୍ରଭୃତି ଉଡ଼ିଶ୍ୟାର କେତେଗୁଡ଼ି ମାସିକ ପତ୍ରିକାରେ ମୋର ବିବାହ ବିଷୟକ ପ୍ରବନ୍ଧମାନ ପ୍ରକାଶିତ ହେଲା । ସମସ୍ତ ଭାରତବାସୀମାନେ ଯେ ମୋର ମତ ଜାଣିବେ ସେ ବିଷୟ ମୁଁ ସ୍ୱପ୍ନରେ ସୁଦ୍ଧା ଭାବି ନ ଥିଲି । ଦିନେ କଲେଜରେ ପଢ଼ାଉଥିବା ସମୟରେ ଛାତ୍ରମାନେ ମୋତେ ଗୋଟାଏ ବକ୍ତୃତା ଦେବାକୁ ଅନୁରୋଧ କଲେ । Atrocities of the marriage law (ବିବାହବିଧିର ନୃଶଂସତା) ମୋର ବକ୍ତୃତାର ବିଷୟ ସ୍ଥିର ହେଲା । ବକ୍ତୃତା ଦେବାର ଅଳ୍ପ ଦିନ ପରେ ଦେଖିଲି  ‘Statesman’ ନାମକ ଦୈନିକ ପତ୍ରିକାରେ ମୋର ବକ୍ତୃତାର ବିଷୟ ଆଲୋଚିତ ହେଉଅଛି । ତା’ର ପରେ ଦେଖିଲି, ଭାରତବର୍ଷର ଅନ୍ୟାନ୍ୟ ପତ୍ରିକାରେ ମୋର ବକ୍ତୃତାର ବିଷୟ ଆଲୋଚିତ ହେଉଅଛି । ମୋର ବକ୍ତୃତା ବିରୁଦ୍ଧରେ ଯେତେ ସବୁ ପ୍ରତିବାଦ ବାହାରି ଥିଲା ସେ ସବୁର ଉତ୍ତରରେ ମୁଁ ‘‘ଅମୃତ ବଜାର ପତ୍ରିକା’’ର ସମ୍ପାଦକଙ୍କୁ ଖଣ୍ଡିଏ ପତ୍ର ଲେଖିଲି । ସେ ସେ ପତ୍ର ତାଙ୍କର ପତ୍ରିକାର ୧୦ ଏପ୍ରିଲ, ୧୯୩୬ ସଂଖ୍ୟାରେ ପ୍ରକାଶ କଲେ । ଏହି ପତ୍ରର ଅନେକ ପ୍ରତିବାଦ ବାହାରିଅଛି । କେତେକ ବିବାହିତା ଓ ଅବିବାହିତା ରମଣୀମାନେ ମଧ୍ୟ ଏ ବିତର୍କରେ ଯୋଗ ଦେଇଥିଲେ ।

 

ମୋର ବନ୍ଧୁମାନଙ୍କ ଅନୁରୋଧରେ ମୋର ଚିନ୍ତାଗୁଡ଼ି ବର୍ତ୍ତମାନ ପୁସ୍ତକାକାରରେ ପ୍ରକାଶ କଲି । ମୋର ଜୀବନ-ପ୍ରଦୀପର ତେଲ ସରି ଆସୁଅଛି । ଏ କାର୍ଯ୍ୟରେ ଆଉ ବିଳମ୍ୱ କଲେ ଚଳିବ ନାହିଁ । ପାଠକମାନେ ଯଦି ମୋର ମତ ଆଦର ସହିତ ଗ୍ରହଣ କରନ୍ତି ମୁଁ ମୋର କାର୍ଯ୍ୟ ସଫଳ ମନେ କରିବି ।

 

ବାଖରାବାଦ, କଟକ

 

୦୧-୯–୧୯୩୯

ଗ୍ରନ୍ଥକର୍ତ୍ତା

☆☆☆

 

ସୂଚିପତ୍ର

 

୧.

ଆମେରିକା ଆବିଷ୍କାର

୨.

ଜୀବଜନ୍ତୁର ଅଧିକାର

୩.

ଭାଗ୍ୟ

୪.

ଓଡ଼ିଆ କାହାଣୀ

୫.

ନିଟ୍‌ଜେଙ୍କ ଦାର୍ଶନିକ ମତ

୬.

ବ୍ରାହ୍ମ ସମାଜ

୭.

ବସନ୍ତ-ଗାଥା

୮.

ବିବାହର ଇତିହାସ

୯.

ବିବାହ

୧୦.

ସ୍ତ୍ରୀ ଜାତିର ସ୍ୱାଧୀନ ଜୀବିକା

୧୧.

ବିବେକ

୧୨.

ଭାରତରେ ବିବାହ-ସଂସ୍କାର

☆☆☆

 

 

 

 

 

 

 

 

 

 

 

 

ବିବିଧ ପ୍ରସଙ୍ଗ

 

ଆମେରିକା ଆବିଷ୍କାର

 

୧୪୯୨ ଅଗଷ୍ଟ ୩ ତାରିଖରେ କଲମ୍ୱସ୍‍ ପେଲସ୍‍ ନାମକ ସ୍ପେନର ଗୋଟିଏ କ୍ଷୁଦ୍ର ବନ୍ଦରରୁ ସମୁଦ୍ରଯାତ୍ରା କଲେ । ତାଙ୍କ ସହିତ ତିନୋଟି ଜାହାଜ ଥିଲା । ସେମାନଙ୍କର ନାମ ସାଣ୍ଟାମେରିଆ, ପିଣ୍ଟା ଓ ନିନା । ଏହି ତିନୋଟି ଜାହାଜ ମଧ୍ୟରୁ କେବଳ ଗୋଟିକରେ ଡେକ୍‌ ଥିଲା; ଅନ୍ୟ ଦୁଇଟିରେ ତାହା ନ ଥିଲା । ଡେକ୍‌ ବିଶିଷ୍ଟ ଜାହାଜର ନାୟକତ୍ୱ ନିଜେ କଲମ୍ୱସ୍‌ ଗ୍ରହଣ କଲେ-। ପ୍ରତ୍ୟେକ ଜାହାଜରେ ଦୁଇ ଗୋଟି ମାସ୍ତୁଲ ଥିଲା । ଏହି ଜାହାଜମାନଙ୍କର ୧୨୦ ଜଣ ନାବିକ ଘେନି କଲମ୍ୱସ୍‌ ଅଜ୍ଞାତ ଦେଶର ଅନୁସନ୍ଧାନରେ ବାହାରିଲେ । ସେ ଯେତେବେଳେ ସମୁଦ୍ରଯାତ୍ରା କଲେ, ସେତେବେଳେ ତାଙ୍କର ବୟସ ୫୭ ବର୍ଷ ହୋଇଥିଲା । ଏହି ବୃଦ୍ଧ ବୟସରେ ସେ ଯୌବନର ଆଶା ଅନୁଭବ କରିଥିଲେ ଏବଂ ଗୋଟାଏ ନୂତନ ପୃଥିବୀ ଆବିଷ୍କାର କରି ସେ ଯେ ଅମର ହେବେ, ସେ ବିଷୟରେ ତାଙ୍କର ବିଶ୍ୱାସ ଥିଲା ।

 

ଅନୁକୂଳ ବାୟୁ ତାଙ୍କୁ ଆଫ୍ରିକାର ପଶ୍ଚିମବର୍ତ୍ତୀ କେନେରିଶ୍‌ ଦ୍ୱୀପପୁଞ୍ଜକୁ ଭସାଇ ନେଇଗଲା । ଏହି ଦ୍ୱୀପପୁଞ୍ଜ ସମୁଦ୍ରଯାତ୍ରୀ ନାବିକମାନଙ୍କର ଶେଷ ବିଶ୍ରାମସ୍ଥଳ । ଏଠାରେ କଲମ୍ୱସ୍‌ ଯଥେଷ୍ଟ ଖାଦ୍ୟ ଓ ପାନୀୟ ଜଳ ସଂଗ୍ରହ କରିଥିଲେ । ଏହି ଦ୍ୱୀପମାନଙ୍କରେ ଟେନେରିଫ୍‌ ଆଗ୍ନେୟଗିରିର ଅଗ୍ନ୍ୟୁତ୍ପାତ ଦେଖି ନାବିକମାନେ ଭୀତ ଓ ବିସ୍ମିତ ହୋଇଥିଲେ । ଯେତେବେଳେ ଏହି ପର୍ବତର ଚୂଡ଼ା ନାବିକମାନଙ୍କର ଦୃଷ୍ଟିରୁ ଅନ୍ତର୍ହିତ ହେଲା, ସେତେବେଳେ ସେମାନେ ହତାଶ ହୋଇ ପଡ଼ିଲେ । ସେମାନଙ୍କର ମନେ ହେଲା ଯେ ସେମାନେ ପୃଥିବୀ ଛାଡ଼ି ଅନ୍ୟ କୌଣସି ଗ୍ରହ ଉପଗ୍ରହ ଆଡ଼କୁ ଧାବିତ ହେଉ ଅଛନ୍ତି । କଲମ୍ୱସ୍‌ ସେମାନଙ୍କୁ ଆଶ୍ୱାସନା ଦେଲେ ଯେ, ସେମାନେ ନିଶ୍ଚୟ ଗୋଟାଏ ମହାଦେଶରେ ଉପନୀତ ହେବେ, ସେଠାରେ ଧନଧାନ୍ୟ ମଣିମାଣିକ୍ୟରେ ପରିପୂର୍ଣ୍ଣ ନୂତନ ରାଜ୍ୟମାନ ଦେଖିବାକୁ ପାଇବେ; ସେଠାରେ ଯେଉଁ ଲତା ବୃକ୍ଷମାନ ଦେଖିବେ, ତାହା ନାନା ଫଳପୁଷ୍ପର ଗନ୍ଧରେ ଆମୋଦିତ । କଲମ୍ୱସ୍‌ ତାଙ୍କର କବିକଳ୍ପନା ସାହାଯ୍ୟରେ ଅଜ୍ଞାତ ରାଜ୍ୟକୁ ଅତି ସୁନ୍ଦର ଭାବରେ ଚିତ୍ରିତ କରିଥିଲେ ।

 

ଏହି ସମୟରେ କେତେଗୁଡ଼ିଏ ବକ ଓ ଅନ୍ୟାନ୍ୟ ପକ୍ଷୀ ଜାହାଜ ନିକଟରେ ଉଡ଼ିବାର ଦେଖାଗଲା । ସମୁଦ୍ର ବକ୍ଷରେ କେତେଗୁଡ଼ିଏ ବୃକ୍ଷଲତା ଭାସୁଥିବାର ଦୃଷ୍ଟିଗୋଚର ହେଲା । ଏହି ସବୁ ଲକ୍ଷଣ ଦେଖି ନାବିକମାନେ ‘ସ୍ଥଳଭାଗ’ ବୋଲି ଚିତ୍କାର କରି ଉଠିଲେ । କିନ୍ତୁ କଲମ୍ୱସ୍‌ ଗଣନା କରି ଦେଖିଲେ ଯେ, ସେତେବେଳେ ସ୍ଥଳଭାଗ ଆହୁରି ଦୁଇ ହଜାର କି ଅଢ଼େଇ ହଜାର ମାଇଲ ଦୂର । ଏ କଥା ସେ ନାବିକମାନଙ୍କଠାରେ ଗୋପନ ରଖିଥିଲେ ।

 

ଯେତେବେଳେ କଲମ୍ୱସ୍‌ ସମୁଦ୍ରଯାତ୍ରା କରିଥିଲେ, ସେତେବେଳେ ବାଷ୍ପୀୟ-ପୋତର ସୃଷ୍ଟି ହୋଇ ନ ଥିଲା । ସେତେବେଳେ ଆହୁଲା ବାହି ଅଝାଲ ଟାଙ୍ଗି ନାବିକମାନେ ଜାହାଜ ଚଳାଉଥିଲେ । ଅନୁକୂଳ ପବନ ହେତୁ କଲମ୍ବସ୍‌ଙ୍କ ନାବିକମାନଙ୍କୁ ଆହୁଲା ବାହିବାକୁ ହେଉ ନ ଥିଲା, କେବଳ ପାଲ ସାହାଯ୍ୟରେ ସେମାନଙ୍କ ଜାହାଜ ଚଳୁଥିଲା । ଦୁଇମାସ ଅନବରତ ଜାହାଜ ଚାଲି ସୁଦ୍ଧା ଯେତେବେଳେ ସ୍ଥଳଭାଗ ଦେଖା ନ ଗଲା ସେତେବେଳେ ନାବିକମାନେ ବିଦ୍ରୋହ ଆରମ୍ଭ କଲେ । ସେମାନେ ଏ ଅସୀମ ସମୁଦ୍ରରେ ଆଉ ଅଧିକ ଅଗ୍ରସର ହେବାକୁ ଅସ୍ୱୀକାର କଲେ ଏବଂ କଲମ୍ୱସ୍‌ଙ୍କୁ ସେମାନଙ୍କ ବିପଦ ଓ ଭାବୀ ମୃତ୍ୟୁର ହେତୁ ମନେ କରି ତାଙ୍କୁ ଦଣ୍ଡ ଦେବା ପାଇଁ ଚେଷ୍ଟିତ ହେଲେ । ସେତେବେଳେ ନାବିକମାନଙ୍କର ସ୍ପେନକୁ ଫେରିଯିବାର ଉପାୟ ନ ଥିଲା-। କାରଣ ସେମାନେ ଯେଉଁ ଖାଦ୍ୟ ଓ ପାନୀୟ ଘେନି ବାହାରିଥିଲେ, ତାହା ପ୍ରୟ ଶେଷ ହେବାକୁ ବସିଥିଲା  । ଏପରି ଦୁର୍ଯୋଗରେ କଲମ୍ୱସ୍‌ ନାବିକମାନଙ୍କୁ ଆଉ ତିନିଗୋଟି ଦିବସ ଅପେକ୍ଷା କରିବା ପାଇଁ ଅନୁରୋଧ କରିଥିଲେ ଏବଂ କହିଲେ ଯେ ତୃତୀୟ ଦିବସ ଶେଷ ହେବା ପୂର୍ବରୁ ଯଦି ସ୍ଥଳଭାଗ ନ ମିଳେ, ସେ ସେମାନଙ୍କୁ ଇଉରୋପକୁ ଫେରାଇ ନେଇଯିବେ-। ନାବିକମାନେ କଲମ୍ୱସ୍‌ଙ୍କର ଏହି ପ୍ରାର୍ଥନା ମଞ୍ଜୁର କଲେ ।

 

ପ୍ରଥମ ଦିବସ ଅତୀତ ହୋଇଗଲା । ସ୍ଥଳଭାଗର କୌଣସି ସନ୍ଧାନ ମିଳିଲା ନାହିଁ । ଦ୍ୱିତୀୟ ଦିବସରେ ଦେଖାଗଲା ଯେ କେତେ ଗୁଡ଼ିଏ ସଦ୍ୟ ଉନ୍ମୁଳିତ ବୃକ୍ଷ ଜାହାଜ ନିକଟରେ ଭାସୁଅଛି । କୁରାଢ଼ୀ ଦ୍ୱାରା କଟା ହୋଇଥିବା ଖଣ୍ଡିଏ ତକ୍ତା, ଶାଣିତ ଅସ୍ତ୍ରନିର୍ମ୍ମିତ ଖଣ୍ଡିଏ ବାଡ଼ି, ଖଣ୍ଡିଏ ଡାଳ—ସେଥିରେ ଫୁଲ ଫୁଟିଛି, ଅନ୍ୟ ଖଣ୍ଡିଏ  ଡାଳରେ ଗୋଟିଏ ପକ୍ଷୀର ବସା, ସେହି ବସାରେ ଗୋଟାଏ ମାଆ ଚଢ଼େଇ ଅଣ୍ଡାଗୁଡ଼ିକୁ ଘୋଡ଼ାଇ ରଖିଛି । ଏ ସବୁ ଜାହାଜ ପାଖ ଦେଇ ଭାସିଗଲା । ନାବିକମାନେ ଏ ସବୁ ଦେଖି ସ୍ଥିର କଲେ ଯେ, ସ୍ଥଳଭାଗ ଅଧିକ ଦୂର ନାହିଁ ଏବଂ ସେମାନେ କଲମ୍ୱସ୍‌ଙ୍କ ପ୍ରତି ଯେଉଁ ଆଚରଣ କରିଥିଲେ, ସେଥିପାଇଁ ତାଙ୍କଠାରେ କ୍ଷମା ଭିକ୍ଷା କଲେ । ଏହି ଶେଷ ରାତ୍ରିରେ କେହି ଶୋଇଲେ ନାହିଁ । ଘନ ଘନ ଜଳ ମପା ହେଉଥାଏ, କାଳେ ଜାହାଜ ଚଡ଼ାରେ ଲାଗିଯିବ । ସ୍ଥଳଭାଗ ଦେଖିବା ପାଇଁ ସମସ୍ତେ ଉଦ୍‌ଗ୍ରୀବ ହୋଇ ବସି ରହିଥିଲେ-। ଯେ ପ୍ରଥମେ ସ୍ଥଳଭାଗ ଦେଖିବ  କଲମ୍ୱସ୍‌ ତାକୁ ପୁରସ୍କାର ଦେବାପାଇଁ ଅଙ୍ଗୀକାର କଲେ । କିନ୍ତୁ ସେ ନିଜେହିଁ ପ୍ରଥମେ ସ୍ଥଳଭାଗ ଦେଖିଲେ । ସେ ଡେକ ଉପରେ ବସି ଗୋଟାଏ ଆଲୋକ ଦେଖିବାକୁ ପାଇଲେ । ୧୪୯୨ ଅକ୍ଟୋବର ୧୧ ତାରିଖ ରାତ୍ରିରେ ସେ ଏହି ଦୃଶ୍ୟ ଦେଖିଲେ-। କାଳେ ତାହା ଭ୍ରାନ୍ତିମୂଳକ ହୋଇଥିବ ଏହି ଦୁଶ୍ଚିନ୍ତାରେ ସେ ଅସହ୍ୟ ଯନ୍ତ୍ରଣାରେ ରାତ୍ରି କଟାଇଲେ-। ତାଙ୍କର ଚିନ୍ତାମଗ୍ନ ଅବସ୍ଥାରେ ସେ ଦୂରରୁ ଗୋଟାଏ ତୋପଧ୍ୱନି ଶୁଣିବାକୁ ପାଇଲେ-। ତାଙ୍କର ଅଗ୍ରବର୍ତ୍ତୀ ଜାହାଜ ପିଣ୍ଟାରୁ ଏହି ତୋପଧ୍ୱନି ହେଲା । ଏହା ସ୍ଥଳ ଦର୍ଶନର ସଙ୍କେତ ।

 

ଯେତେବେଳେ ପ୍ରଭାତ ହେଲା ସେତେବେଳେ ଗୋଟାଏ ଦ୍ୱୀପ ମଧ୍ୟରେ ବନ ଏବଂ କେତେକ ଆବାସଗୃହ ଦେଖିବାକୁ ମିଳିଲା । ବୃକ୍ଷମାନଙ୍କ ଅନ୍ତରାଳରେ କେତେଗୁଡ଼ିଏ ଅର୍ଦ୍ଧନଗ୍ନ ନରନାରୀ ଭୟ ଏବଂ ବିସ୍ମୟର ସହିତ ବିଦେଶରୁ ଆଗତ ସେହି ଜାହାଜ ଓ ତାହାର ଆରୋହୀମାନଙ୍କୁ ଦେଖୁଥିଲେ । କଲମ୍ୱସ୍‌ ତାଙ୍କର ଉତ୍କୃଷ୍ଟ ପୋଷାକରେ ସଜ୍ଜିତ ହୋଇ ଗୋଟାଏ ନୌକାରେ ଚଢ଼ି ସମୁଦ୍ର କୂଳକୁ ଗଲେ । ସେ ନୌକାରୁ ଓହ୍ଲାଇ ଭୂମି ଚୁମ୍ୱନ କଲେ ଏବଂ ଘାସରେ ମୁହଁ ପୋତି କାନ୍ଦିବାକୁ ଲାଗିଲେ । ଜଣେ ଐତିହାସିକ ଲେଖିଅଛନ୍ତି ଯେ କଲମ୍ୱସ୍‌ ଯେତେବେଳେ ଆନନ୍ଦରେ କ୍ରନ୍ଦନ କରୁଥିଲେ, ସେତେବେଳେ ଅଦୃଶ୍ୟରେ ଆମେରିକା ଦୁଃଖରେ କ୍ରନ୍ଦନ କରୁଥିଲା-। କାରଣ ପରେ ଏହି ବିଦେଶୀମାନେ ବିଜ୍ଞାନ-ଆବିଷ୍କୃତ ମାରଣାସ୍ତ୍ରରେ ସଜ୍ଜିତ ହୋଇ ଆମେରିକା ଓ ତାହାର ଅଧିବାସୀମାନଙ୍କୁ ଧ୍ୱଂସ କରିଥିଲେ ।

 

ଯେଉଁ ଦ୍ୱୀପରେ କଲମ୍ୱସ୍‌ ଓହ୍ଲାଇ ଥିଲେ ତାହାର ନାମ ଦେଲେ ସାନ୍‌ ସେଲ୍‌ଭେଡର (San salvador) । ଏହି ବାକ୍ୟଟିର ଅର୍ଥ ‘ପବିତ୍ର ତ୍ରାଣକର୍ତ୍ତା’ ଅର୍ଥାତ୍‌ ‘ଯୀଶୁଖ୍ରୀଷ୍ଟ’ । କଲମ୍ୱସ୍‌ ଭାବିଲେ ଯେ, ସେ ଭାରତବର୍ଷରେ ଉପସ୍ଥିତ ହୋଇ ଅଛନ୍ତି । ସେଥିପାଇଁ ସେ ଆମେରିକାର ଅଧିବାସୀମାନଙ୍କୁ Indian ଅଥବା ଭାରତବାସୀ ନାମ ଦେଇଥିଲେ । ଏହି ସରଳ ଅଧିବାସୀମାନେ ଶ୍ୱେତକାୟ ବିଦେଶୀମାନଙ୍କୁ ଦେବତା ଜ୍ଞାନରେ ପ୍ରାର୍ଥନା ଓ ପୂଜା କଲେ ।

 

* ‘ଜିଜ୍ଞାସୁ’ ମାଘ, ୧୩୪୪ ସଂଖ୍ୟାରେ ପ୍ରକାଶିତ ।

☆☆☆

 

ଜୀବଜନ୍ତୁର ଅଧିକାର*

 

ଯେଉଁ ଆର୍ଯ୍ୟ-ସନ୍ତାନ ବ୍ରାହ୍ମଣମାନେ ବିଶ୍ୱାସ କରିନ୍ତି ନାହିଁ ଯେ ହେୟ ପରପଦାନତ ଶୂଦ୍ରମାନଙ୍କର ମଧ୍ୟ କେତେଗୁଡ଼ିଏ ନ୍ୟାୟସଙ୍ଗତ ଅଧିକାର ଅଛି, ଯେଉଁ ଭାରତ-ପ୍ରବାସୀ ଫିରିଙ୍ଗିମାନେ ବିଶ୍ୱାସ କରନ୍ତି ନାହିଁ ଯେ ସେମାନଙ୍କ ସମ୍ପର୍କରେ କୃଷ୍ଣକାୟ ଭାରତନିବାସୀ ନେଟିଭ୍‌ମାନଙ୍କର ମଧ୍ୟ ବିଶେଷ କୌଣସି ଅଧିକାର ଅଛି, ଯେଉଁ ଦାମ୍ଭିକ ପୁରୁଷ ଜାତି ବିଶ୍ୱାସ କରନ୍ତି ନାହିଁ ଯେ ଅବଳା ନାରୀଜାତିର ମଧ୍ୟ କେତେଗୁଡ଼ିଏ ବିଶେଷ ଅଧିକାର ଅଛି. ସେମାନଙ୍କୁ ମୁଁ କିପରି ବୁଝାଇବି ଯେ ଜୀବଜନ୍ତୁମାନଙ୍କର ମଧ୍ୟ ମାନବ ସମ୍ପର୍କରେ କେତେଗୁଡ଼ିଏ ବିଶେଷ ଅଧିକାର ଅଛି ! ଅଧିକାର ଦ୍ୱିବିଧ, ଶକ୍ତିମୂଳକ ଏବଂ ନ୍ୟାୟସଙ୍ଗତ ।  ଯେତେବେଳେ ନ୍ୟାୟ ଅନ୍ୟାୟ ଅବିଚାରରେ ଅଧିକାର କେବଳ ଶକ୍ତି ଉପରେ ପ୍ରତିଷ୍ଠିତ ଥାଏ, ତାହାକୁ ଆମ୍ଭେମାନେ ଶକ୍ତିମୂଳକ ଅଧିକାର କହୁଁ । ଗୋଟିଏ ବଳବାନ୍‌ ଜାତି ଗୋଟିଏ ଦୁର୍ବଳ ଜାତିକୁ ପରାସ୍ତ କରି ସେହି ଜାତି ଉପରେ ଶାସନ ଏବଂ ରାଜସ୍ୱ-ଗ୍ରହଣର ଅଧିକାର ବିସ୍ତାର କରି ପାରେ । ପକ୍ଷାନ୍ତରେ ଶକ୍ତିର ବିଷୟ ବିଚାର ନ କରି କେବଳ ଜଗତ ସାର୍ବଜନୀନ ଓ ସର୍ବୋଚ୍ଚ କଲ୍ୟାଣ ନିମିତ୍ତ ମାନବ ଅପରକୁ ଯେଉଁ ଅଧିକାର ଅର୍ପଣ କରେ କିମ୍ୱା ଅପରଠାରୁ ଯାହା ପାଇବାର ଆଶା କରେ, ତାହାକୁ ଆମ୍ଭେମାନେ ନ୍ୟାୟସଙ୍ଗତ ଅଧିକାର କହି ପାରୁଁ । ଶିଶୁମାନଙ୍କର, ନାରୀଜାତିର ଏବଂ ବିଜିତ ଜାତିର ଅଧିକାର—ଏ ସବୁ ଦ୍ୱିତୀୟ ଶ୍ରେଣୀର ଅଧିକାର ଅଟେ । ମାନବ-ସମ୍ପର୍କରେ ଜୀବଜନ୍ତୁମାନଙ୍କର ଯେ ପ୍ରଥମ ଶ୍ରଣୀର ଅଧିକାର ନାହିଁ, ତାହା ବୋଲିବା ବାହୁଲ୍ୟ ମାତ୍ର । ଶାରୀରିକ ଶକ୍ତିରେ କେତେକ ଜନ୍ତୁ ମାନବଠାରୁ ବଳବତ୍ତର ହେଲେ ମଧ୍ୟ ବୁଦ୍ଧିଗତ ଓ କୌଶଳ-ଜନିତ ଶକ୍ତିରେ ମାନବ ଜୀବଜନ୍ତୁ ଅପେକ୍ଷା ଏତେ ଅଧିକ ଶକ୍ତଶାଳୀ ଯେ ମାନବ ଉପରେ ଜୀବଜନ୍ତୁମାନଙ୍କର ଶକ୍ତିମୂଳକ ଅଧିକାର ଥାଇ ନ ପାରେ । ସେମାନଙ୍କର ଅନ୍ୟପ୍ରକାର ଅଧିକାର ଅଛି କି ନାହିଁ, ତାହାହିଁ ବର୍ତ୍ତମାନ ଆଲୋଚ୍ୟ ବିଷୟ ।

 

ଅନେକେ ଧର୍ମ ଓ ନୀତି ଶାସ୍ତ୍ରର ଦୋହି ଦେଇ କହିବେ ଯେ ଇତର ଜୀବଜାତିର ଲେଶ ମାତ୍ର ଅଧିକାର ନାହିଁ; ସେମାନଙ୍କର ସୃଷ୍ଟି କେବଳ ମାନବ ଜାତିର ବ୍ୟବହାର ସକାଶେ, ସେମାନଙ୍କ ଉପରେ ମାନବର ସର୍ବମୟ ଅଧିକାର ଅଛି, କିନ୍ତୁ ମାନବ ଉପରେ ସେମାନଙ୍କର କୌଣସି ଅଧିକାର ନାହିଁ, ଇତର ଜୀବଜାତିର  ଆତ୍ମା ନାହିଁ, ପରଲୋକ ନାହିଁ, ଆତ୍ମା ଓ ପରଲୋକର ସମ୍ପଦ କେବଳ ମାନବଜାତିର ବିଶେଷ ସମ୍ପତ୍ତି । ଏ କଥାର ଉତ୍ତରରେ ଏତିକି ମାତ୍ର କହିଲେ ଯଥେଷ୍ଟ ହେବ ଯେ, ମାନବ ଧର୍ମ ଓ ନୀତି ସାଧାରଣତଃ ମାନବପାଇଁ ସୃଷ୍ଟ ହୋଇଥାଏ, ସେଥିରେ ଇତର ଜୀବଜାତିର ସ୍ଥାନ ନାହିଁ ବୋଲି ଯେ ପ୍ରକୃତ ପକ୍ଷରେ ଇତର ଜୀବଜାତିର କୌଣସି ଅଧିକାର ନାହିଁ, ଏହା ବୋଲା ଯାଇ ନ ପାରେ । ଯଦି ଇତର ଜୀବଜାତି ଧର୍ମ ଓ ନୀତି ସୃଷ୍ଟି କରୁଥାନ୍ତେ, ସେମାନେ ମଧ୍ୟ ଆତ୍ମା ଓ ପରଲୋକର ସମ୍ପଦ ମାନବଠାରୁ କାଢ଼ି ନେଇ କେବଳ ନିଜସ୍ୱ କରି ରଖି ଦିଅନ୍ତେ । ମାନବଜାତି କେଡ଼େ ସ୍ୱାର୍ଥପର ! କୋମଳ-ହୃଦୟ ମହାତ୍ମା ଯିଶୁଙ୍କ ଉଦାରନୀତି ଯଦିଚ ସମଗ୍ର ମାନବଜାତିକୁ ସ୍ପର୍ଶ କରିଥିଲା, ତଥାପି ସେ ନୀତି ମାନବଜାତିକୁ ଅତିକ୍ରମ କରି ଇତର ଜୀବଜାତିକୁ ସ୍ପର୍ଶ କରି ନ ଥିଲା, ତାହା ମାନବ ମଧ୍ୟରେ ଚିରକାଳ ସୀମାବଦ୍ଧ ହୋଇ ରହିଥିଲା । କିନ୍ତୁ ‘‘ମାନବର ଭ୍ରାତୃତ୍ୱ’’ (Brotherhood of man) ଅପେକ୍ଷା ଅଧିକତର ଉଦାର ନୀତି ‘‘ଜୀବେ ଦୟା’’ କପିଳବସ୍ତୁର ସେହି ମୁନି ଯିଶୁଙ୍କ ପୂର୍ବେ ଭାରତ-ଭୂମିରେ ପ୍ରଚାର କରିଥିଲେ । ତାଙ୍କର କୋମଳ ହୃଦୟ ଇତର ଜୀବଜାତିର ଦୁଃଖ ଦେଖି ପ୍ରଥମେ ବିଚଳିତ ହେଲା ଏବଂ ଏହି ଜଗତକୁ ଦୁଃଖମୟ ମଣି ଦୁଃଖର ମୋଚନକୁ ସେ ଜୀବନର ମହାମନ୍ତ୍ର କରିଥିଲେ । ସ୍ୱାର୍ଥକଳୁଷିତ ଜଗତରେ ବୌଦ୍ଧଧର୍ମ ପରି ଏଡ଼େ ଉଦାର ଓ ନିଃସ୍ୱାର୍ଥପର ଧର୍ମ କାହୁଁ ମିଳିବ । ଜୀବଜନ୍ତୁ ପ୍ରତି ମାନବର ଯେ କର୍ତ୍ତବ୍ୟ ଅଛି ତାହା ଉନବିଂଶ ଶତାଦ୍ଦୀ ପର୍ଯ୍ୟନ୍ତ ଇଉରୋପର ଅତି ଅଳ୍ପ ଲୋକେ ଭାବିଥିଲେ । ୧୮୨୨ ଖ୍ରୀଷ୍ଟାବ୍ଦରେ ଇଂଲଣ୍ଡରୁ ପଶୁମାନଙ୍କ ପ୍ରତି ନିର୍ଦ୍ଦୟ ବ୍ୟବହାର ପ୍ରଥମ ଆଇନଦ୍ୱାରା ନିଷିଦ୍ଧ ହୁଏ । ପରେ ହିତବାଦୀଦଳ (Utilitarians) ଜୀବଜନ୍ତୁ ପ୍ରତି ଦୟା ସେମାନଙ୍କ ନୀତିର ମୂଳମନ୍ତ୍ର କରିଥିଲେ ।

 

ପ୍ରତ୍ୟେକ ଦେଶର ଧର୍ମଶାସ୍ତ୍ର ସବୁ କହି ଆସିଅଛିନ୍ତି ଯେ ମାନବ ବିଧାତାର ଗୋଟିଏ ସ୍ୱତନ୍ତ୍ର ସୃଷ୍ଟି, ସମସ୍ତ ମାନବଜାତି ଏକ ଆଦିମ ପିତାମାତାଠାରୁ ଜନ୍ମଗ୍ରହଣ କରିଅଛିନ୍ତି । ଭାରତର ଧର୍ମଶାସ୍ତ୍ର କହେ, ମନୁ ସମସ୍ତ ମାନବଜାତିକୁ ଜନ୍ମ ଦେଇଅଛନ୍ତି । ଇଉରୋପର ଧର୍ମଶାସ୍ତ୍ର କହେ, ଆଦମ ଓ ଇବାଙ୍କଠାରୁ ସମସ୍ତ ମାନବଜାତି ଜନ୍ମଗ୍ରହଣ କରିଅଛନ୍ତି । କିନ୍ତୁ ଦାରୁଇନ-ପ୍ରମୁଖ କେତେଗୁଡ଼ିଏ ପାଶ୍ଚାତ୍ୟ ପଣ୍ଡିତ ଆମ୍ଭମାନଙ୍କର ଏହି ପରମ୍ପରାଗତ ଧାରଣାକୁ ଦୂରୀଭୂତ କରିଅଛନ୍ତି-। ସେମାନେ ଦେଖାଇଅଛନ୍ତି ଯେ  ମାନବଜାତିର ଏପରି କୌଣସି ସାଧାରଣ ପିତାମାତା ନାହିଁ, ଭିନ୍ନ ଭିନ୍ନ ଦେଶରେ ଭିନ୍ନ ଭିନ୍ନ ଯୁଗରେ ମାନବଜାତି ଅନ୍ୟ କୌଣସି ଜୀବଜାତିଠାରୁ ଉତ୍ପନ୍ନ ହୋଇଅଛି । ଯିଶୁ ସମସ୍ତ ମାନବଜାତିର ଭ୍ରାତୃତ୍ୱ ପ୍ରତିପାଳନ କରିଥିଲେ ସତ୍ୟ, ମାତ୍ର ବର୍ତ୍ତମାନର ବିଜ୍ଞାନ ସମସ୍ତ ଜୀବ ଜାତିର ଭ୍ରାତୃତ୍ୱ ପ୍ରତିପାଦନ କରିଅଛି, ସମସ୍ତ ଜୀବଜାତି ମଧ୍ୟରେ ଗୋଟିଏ ମହାନ୍‌ ରକ୍ତ ମାଂସର ସମ୍ପର୍କ ଦେଖାଇ ଅଛି । ମାନବ ଏବଂ ପଶୁ ମଧ୍ୟରେ ପୂର୍ବ-କଳ୍ପିତ ଦୂରତ୍ୱ ଘୁଞ୍ଚି ଯାଇଅଛି । ସମସ୍ତେ ବର୍ତ୍ତମାନ ଏକ ଭ୍ରାତୃତ୍ୱ-ବନ୍ଧନରେ ଆବଦ୍ଧ । ଯେଉଁ ଆତ୍ମା ମାନବ ଜାତି ମଧ୍ୟରେ ବିଜ୍ଞାନ, ଦର୍ଶନ, ସମାଜନୀତି ଧର୍ମନୀତି, କାବ୍ୟ, ପୁରାଣ ଇତ୍ୟାଦି ଅଭୁତ ବିଷୟମାନ ସୃଷ୍ଟି କରିଅଛି, ସେହି ଆତ୍ମା ଇତର ଜୀବ ଜାତି ମଧ୍ୟରେ ଅସ୍ଫୁଟ ଭାବରେ ରହି ସେମାନଙ୍କୁ ବହିର୍ଜଗତର ଜ୍ଞାନ, ସୁଖ ଦୁଃଖବୋଧ, ସନ୍ତାନ-ଉତ୍ପାଦନ ଓ ସନ୍ତାନ-ପାଳନର ସ୍ପୃହା ଦେଇଅଛି । ଆମ୍ଭମାନଙ୍କର ଏହି ଅନୁନ୍ନତ ଭ୍ରାତା ଏବଂ ଭଗିନୀମାନଙ୍କର ଅଧିକାର ବିଷୟ ଆଲୋଚନା କରୁଁ ।

 

ଜୀବଜନ୍ତୁମାନଙ୍କ ସହିତ ଆମ୍ଭମାନଙ୍କର ଦୁଇଗୋଟି ବିଶେଷ ସମ୍ପର୍କ । କର୍ମ-ସ୍ଥଳରେ ସେମାନେ ଆମ୍ଭମାନଙ୍କର ଦାସ-ଦାସୀ, ଭୋଜନ ସମୟରେ ସେମାନେ ଆମ୍ଭମାନଙ୍କର ଖାଦ୍ୟ । ଆମ୍ଭେମାନେ କଦାଚିତ୍‌ ସେମାନଙ୍କର ସ୍ୱତନ୍ତ୍ର କଲ୍ୟାଣ ଚିନ୍ତା କରିଥାଉଁ । ମୁସଲମାନର କୁକୁଡ଼ା ପୋଷିବା ପରି ସେମାନଙ୍କର କଲ୍ୟାଣ-ଚିନ୍ତା କେବଳ ଆମ୍ଭମାନଙ୍କର ପ୍ରୟୋଜନ ସିଦ୍ଧି ସକାଶେ । ସେମାନଙ୍କ ସହିତ ବ୍ୟବହାରରେ ଆମ୍ଭେମାନେ ସେମାନଙ୍କୁ ଅଚେତନ ତୃଣଲତାଠାରୁ ଉଚ୍ଚତର ଆସନ ଦେଉ ନାହିଁ; ଭାବୁ ନାହିଁ ଯେ ଆମ୍ଭମାନଙ୍କ ପରି ସେମାନଙ୍କର ମଧ୍ୟ ହୃଦୟରେ ସୁଖଦୁଃଖବୋଧ, ସ୍ନେହ, ମାୟା, ମମତା, ମାନ, ଅଭିମାନ ପୂର୍ଣ୍ଣ ମାତ୍ରାରେ ବିରାଜିତ ଅଛି । ଏଥିପାଇଁ କି ସେହି ଫରାସୀ ଦାର୍ଶନିକ ଡେକାର୍ଟେ କହି ଯାଇ ଅଛନ୍ତି ଯେ ଜୀବଜନ୍ତୁମାନେ ଆତ୍ମାହୀନ, ସୁଖଦୁଃଖବୋଧହୀନ କେତେଗୁଡ଼ିଏ ଭ୍ରାମ୍ୟମାନ ଯନ୍ତ୍ର ମାତ୍ର ! କିଛିଦିନ ପୂର୍ବେ ଆମ୍ଭମାନଙ୍କ ଦୟାଳୁ (?) ଗବର୍ଣ୍ଣମେଣ୍ଟ ଦେଶର ଆହାର ବୃଦ୍ଧି କରିବା ମାନସରେ ମତ୍ସ୍ୟ ଜାତିର ବୃଦ୍ଧି ସକାଶେ ଗୋଟାଏ ଫିସାରୀ କମିଶନ୍‌ (Fishery Commission) ବସାଇଥିଲେ । ସେହି ସମୟରେ ଯଦି ଜୀବଜନ୍ତୁମାନଙ୍କ ମଧ୍ୟରେ ସେମାନଙ୍କର ଆହାର ବୃଦ୍ଧି କରିବା ମାନସରେ ମାନବ-ଜାତିର ବୃଦ୍ଧି ସକାଶେ ଗୋଟିଏ କମିଶନ୍‌ ବସିଥାନ୍ତା, ତାହାହେଲେ ସ୍ୱାର୍ଥାନ୍ଧ ମାନବର ସ୍ୱାର୍ଥ-ନିଦ୍ରା ଭାଙ୍ଗି ଯାଇଥାନ୍ତା ! କିନ୍ତୁ ଜୀବଜନ୍ତୁମାନଙ୍କର ମାନବ ଉପରେ ସେ କ୍ଷମତା ନାହିଁ । ସେଥିପାଇଁ ମାନବ ନିଶ୍ଚିନ୍ତ ମନରେ ଜୀବଜନ୍ତୁମାନଙ୍କ ଉପରେ ଅତ୍ୟାଚାର କରୁଅଛି । ଯଦିଚ ଆମ୍ଭମାନେ ବାକ୍ୟାଳାପରେ ‘‘ପୁଣ୍ୟର ଜୟ’’ କହିଥାଉଁ, ତଥାପି କି ସମାଜନୀତି, କି ରାଜନୀତି, କିବା ଆମ୍ଭମାନଙ୍କର ନିମ୍ନପ୍ରାଣୀ ସହିତ ସମ୍ପର୍କ ମଧ୍ୟରେ କେତେ ଅଧିକଥର ‘‘ଶକ୍ତିର ଜୟ’’ ଦୃଷ୍ଟିଗୋଚର କରିଥାଉଁ । ହା ସୃଷ୍ଟି । ତୋର ମଙ୍ଗଳମୟ ସ୍ୱରୂପ କେଉଁଠାରେ ?

 

ଜଣେ ପାଶ୍ଚାତ୍ୟ ପଣ୍ଡିତ (Lewis Compertz) କହିଛନ୍ତି ଯେ, ମାନବ ଜାତିର ଯେପରି ସ୍ୱାଧୀନତାର ଅଧିକାର ଅଛି, ଜୀବଜନ୍ତୁମାନଙ୍କର ମଧ୍ୟ ସେହିପରି ସ୍ୱାଧୀନତାର ଅଧିକାର ଅଛି; ବିଶେଷତଃ ମନୁଷ୍ୟ ଅଧୀନରେ ଥାଇ ସେମାନେ ଯେପରି ଅଯଥା କଷ୍ଟ ଏବଂ ଅତ୍ୟାଚାର ସହ୍ୟ କରି ଆସି ଅଛନ୍ତି, ସେମାନଙ୍କୁ ଆଉ ଅଧିକ କାଳ ମନୁଷ୍ୟ ଅଧିନରେ ରଖିବା ନୀତି ଏବଂ ଧର୍ମ-ବିରୁଦ୍ଧ ଅଟେ । ଜୀବଜନ୍ତୁମାନଙ୍କର ସ୍ୱାଧୀନତା ! ଏ ଗୋଟାଏ ଭୟଙ୍କର ପ୍ରଶ୍ନ । ଗୋରୁ ଆମ୍ଭମାନଙ୍କୁ ଆଉ ଦୁଧ ଦେବ ନାହିଁ, ବଦଳ ଆଉ ଆମ୍ଭମାନଙ୍କର ଲଙ୍ଗଳ ଟାଣିବ ନାହିଁ, ଉଟ ପିଠିରେ ବସାଇ ଆଉ ଆମ୍ଭମାନଙ୍କୁ ମରୁଭୂମି ପାର କରାଇବ ନାହିଁ, ପକ୍ଷୀ ପିଞ୍ଜର ମଧ୍ୟରୁ ଆଉ ତାହାର ସୁମଧୁର ସଙ୍ଗୀତ ଶୁଣାଇବ ନାହିଁ, ଆଉ ଆମ୍ଭେମାନେ ହାତି ଉପରେ ଚଢ଼ି ଦେଶ-ବିଦେଶ ବୁଲି ପାରିବୁ ନାହିଁ—ଏସବୁ ଯେତେବେଳେ ଭାବୁଁ, ସେତେବେଳେ ମନେହୁଏ ସମାଜ ଚଳିବ କିପରି ! ସମାଜ ମଧ୍ୟରେ ଏପରି ଅନେକ ଲୋକ ଅଛନ୍ତି, ଯେଉଁମାନଙ୍କଠାରେ ନାରୀ ଜାତିର ସ୍ୱାଧୀନତା କଥା କହିଲେ କର୍ଣ୍ଣରେ ହାତ ଦେବେ । ସେମାନଙ୍କଠାରେ ଯଦି ଜୀବଜନ୍ତୁମାନଙ୍କର ସ୍ୱାଧୀନତା କଥା କହୁଁ, ସେମାନେ ଆମ୍ଭମାନଙ୍କୁ ବାତୁଳ ଛଡ଼ା ଅନ୍ୟ କ’ଣ ମନେ କରିବେ ? ମାନବ କେଡ଼େ ସ୍ୱାର୍ଥପର । ଯେଉଁଠାରେ ତାହାର ସ୍ୱାର୍ଥରେ ବାଧା ଅଛି, ତାହାପରି ଅପ୍ରିୟ କଥା ତାଠାରେ ଆଉ କ’ଣ ଥାଇପାରେ ? ଆମ୍ଭମାନଙ୍କର ଆଦର୍ଶ ଯେତେବେଳେ ଉଚ୍ଚ ହୁଏ, ତାହା କାର୍ଯ୍ୟରେ ପରିଣତ କରିବା ଦୁଷ୍କର ହୋଇପଡ଼େ । କିନ୍ତୁ ସେଥିପାଇଁ ସେ ଆଦର୍ଶ ହେୟ ଅଥବା ପରିତ୍ୟାଜ୍ୟ ନୁହେ । ତାହା ଆମ୍ଭମାନଙ୍କ ହୃଦୟରେ ବର୍ତ୍ତମାନ ଥାଇ କ୍ରମଶଃ ଅଲକ୍ଷିତ ଭାବରେ ଆମ୍ଭମାନଙ୍କୁ ଉନ୍ନତି ଆଡ଼କୁ ଘେନିଯାଏ । ଜଗତର ସାର୍ବଜନୀନ ମଙ୍ଗଳ ଗୋଟିଏ ଦୁଷ୍କର ଏବଂ ଅନଧିଗମ୍ୟ ଆଦର୍ଶ ହୋଇପାରେ, କିନ୍ତୁ ସେଥିପାଇଁ କି ତାହାକୁ ପରିତ୍ୟାଗ କରିବା ଆମ୍ଭମାନଙ୍କ ପକ୍ଷରେ ଉଚିତ ?

 

ପୂର୍ବୋକ୍ତ ମତ ସମ୍ୱନ୍ଧରେ ଅନେକଙ୍କର ମତଦ୍ୱୈଧ ଥାଇ ପାରେ, କିନ୍ତୁ ଏହା ସମସ୍ତେ ସ୍ୱୀକାର କରିବେ ଯେ ଜୀବଜନ୍ତୁମାନେ ସ୍ୱାଧୀନ ହେଉନ୍ତୁ ବା ନ ହେଉନ୍ତୁ, ସେମାନେ ଯେତେ କାଳ ଆମ୍ଭମାନଙ୍କ ଅଧୀନରେ ଥିବେ ସେମାନଙ୍କର ଆମ୍ଭମାନଙ୍କଠାରୁ ପ୍ରଚୁର ଓ ଉତ୍ତମ ଆହାର, ସଦୟ ବ୍ୟବହାର, ସୁଖପ୍ରଦ ଆବାସ ଏବଂ ବ୍ୟାଧି ସମୟରେ ଚିକିତ୍ସା ପାଇବାର ସମ୍ପୂର୍ଣ୍ଣ ଅଧିକାର ଅଛି । ଆମ୍ଭେମାନେ ଯଦି ସେମାନଙ୍କୁ ଏହି ସବୁ ଅଧିକାରରୁ ବଞ୍ଚିତ କରୁଁ, ତାହାହେଲେ ସେମାନଙ୍କଠାରୁ ଆମ୍ଭେମାନେ ଯେତେ ଯେତେ ଉପକାର ପାଉଁ, ତାହା ବିବେଚନାରେ ଆମ୍ଭମାନଙ୍କ ପରି ଅକୃତଜ୍ଞ ଜୀବ ଆଉ ଜଗତରେ ନାହିଁ । ହାୟ ! ଆମ୍ଭେମାନେ କେତେ ଅଧିକ ସମୟରେ ଏ ନିୟମ ଲଙ୍ଘନ କରିଥାଉଁ । ଯେଉଁ ଗୋରୁଠାରୁ ଆମ୍ଭେମାନେ ଶତ ଉପକାର ପାଇଥାଉଁ, କୃତଜ୍ଞ ହୃଦୟରେ ହିନ୍ଦୁ ଗୃହସ୍ଥ ଯାହାଠାରେ ଦେବତ୍ୱ ଆରୋପ କରେ, ତାହାକୁ କି ଆମ୍ଭେମାନେ ସବୁ ସମୟରେ ଉତ୍ତମ ଏବଂ ପ୍ରଚୁର ଆହାର ଦେଇଥାଉଁ ? ସହିଷ୍ଣୁତାର ଅବତାର ସେହି ଜନ୍ତୁ ପ୍ରତି ଆମ୍ଭେମାନେ କି ଶତ ପ୍ରକାରେ ନିର୍ଯାତନ ଏବଂ ଅତ୍ୟାଚାର କରୁଁ ନା ?

 

ଜୀବଜନ୍ତୁମାନଙ୍କର ଦାସତ୍ୱର ସମ୍ପର୍କ ଆଲୋଚନା କଲୁଁ । ବର୍ତ୍ତମାନ ଅନ୍ୟ ଗୋଟିଏ କଳଙ୍କମୟ ସମ୍ପର୍କ—ଖାଦ୍ୟର ସମ୍ପର୍କ ଆଲୋଚନା କରୁଁ । ଜୀବନ-ଧାରଣର ଅଧିକାର ଏବଂ ଜୀବନ-ସମ୍ଭୋଗର ଅଧିକାର ଆମ୍ଭମାନଙ୍କର ଯେପରି, ପଶୁପକ୍ଷିମାନଙ୍କର ମଧ୍ୟ ସେହିପରି ଅଛି । ଯଦି ସେମାନେ ସେହି ଜୀବନ-ଧାରଣର ଅନୁପଯୁକ୍ତ ବିବେଚିତ ନ ହୁଅନ୍ତି, ଅଥବା ସେମାନଙ୍କର ଜୀବନ-ଧାରଣ  ଯଦି ସମାଜର କଲ୍ୟାଣର ଅନ୍ତରାୟ ନ ହୁଏ, ତାହାହେଲେ କେବଳ ରସନା-ତୃପ୍ତି ସକାଶେ ଆମ୍ଭେମାନେ ସେମାନଙ୍କର ଜୀବନ ନଷ୍ଟ କରି ନ ପାରୁଁ । ଯଦି ଆହାରପାଇଁ ଆମ୍ଭମାନଙ୍କୁ ଜୀବବଧ କରିବାକୁ ହୁଏ, ତାହାହେଲେ ମାନବ ଏବଂ ହିଂସ୍ର ଜନ୍ତୁ ମଧ୍ୟରେ ପ୍ରଭେଦ କ’ଣ ? ଆହାର ନିମିତ୍ତ ଆମ୍ଭେମାନେ ନିମ୍ନ-ପ୍ରାଣିଜଗତ୍‌ ଉପରେ ଯେଉଁ ଭୀଷଣ ବେଦନା ନିକ୍ଷେପ କରୁଁ, ତାହା ଭାବିଲେ ଅବାକ୍‌ ହେବାକୁ ହୁଏ । ବଧ-ମଣ୍ଡପରେ ଛୁରିକାର ସେହି ନିର୍ମମ ପ୍ରୟୋଗ, ଜୀବଜନ୍ତୁମାନଙ୍କର ସେହି ଭୀଷଣ ଆର୍ତ୍ତନାଦ, ସେମାନଙ୍କର ସେହି ବିକୃତ ମୁଖ ଚକ୍ଷୁ, ରକ୍ତର ଅଜସ୍ର ପ୍ରବାହ, ଅଥବା କଣ୍ଟକ-ବିଦ୍ଧ ମତ୍ସ୍ୟର ଜଳାଶୟ ମଧ୍ୟରେ ସେହି ଆକୁଳ ଭ୍ରମଣ, ଅଥବା ସେହି ବିଶାଳ ବାରିଧିବକ୍ଷରେ ଖଡ୍ଗ-ପ୍ରହାରରେ ଜର୍ଜରିତ ତିମି ମତ୍ସ୍ୟର ସେହି ଭୀଷଣ ବାତୁଳତା—ଏ ସବୁ ମାନବର କାର୍ଯ୍ୟ ନା ପୈଶାଚିକ କାଣ୍ଡ ! ସ୍ୱର୍ଗର ଦେବତା କି ନରକର କୀଟ ହୋଇପାରେ-? ଆମ୍ଭେମାନେ ଏହି ଜୀବନର ଅନ୍ୟାୟ ଅତ୍ୟାଚାରର କ୍ଷତିପୂରଣ ନିମନ୍ତେ ପରକାଳ ସିଦ୍ଧାନ୍ତରେ ଉପନୀତ ହେଉଁ; କିନ୍ତୁ ଯଦି ସେପରି ଗୋଟିଏ ପରକାଳ ଥାଏ ଏବଂ ଯଦି ସେହି ପରକାଳରେ ଆମ୍ଭେମାନେ ଆମ୍ଭମାନଙ୍କର ଅନୁନ୍ନତ ଭ୍ରାତା ସେହି ନିମ୍ନ ପ୍ରାଣିମାନଙ୍କର ଉପରେ ନିଜର ସୁଖ ଏବଂ ବିଳାସିତା ସକାଶେ ଯେଉଁ ଭୀଷଣ ଯନ୍ତ୍ରଣା ପ୍ରୟୋଗ କରୁଁ ତାହା ବିଚାରିତ ହୁଏ, ତାହାହେଲେ ସେ ପରକାଳରେ ଆମ୍ଭମାନଙ୍କ ଦଶା କେଡ଼େ ଶୋଚନୀୟ ! ମାନବ ମାନବ ଉପରେ ଅନୁଷ୍ଠିତ ଅତ୍ୟାଚାରର କ୍ଷତିପୂରଣ ନିମନ୍ତେ ଗୋଟିଏ ପରକାଳର ଅନ୍ୱେଷଣ କରେ, କିନ୍ତୁ ତାହାର ଅନୁନ୍ନତ, ଅତ୍ୟାଚାରିତ, ଉତ୍ପୀଡ଼ିତ ଭ୍ରାତାମାନଙ୍କର କି ସେପରି କୌଣସି କ୍ଷତିପୂରଣର ସ୍ଥାନ ନାହିଁ-?

 

ଯେଉଁ ଆମିଷ-ଭକ୍ଷଣ ସକାଶେ ଏତେ ମହାପାତକ ଅନୁଷ୍ଠିତ ହୁଏ, ଅନେକଙ୍କର ଧାରଣା ଯେ ତାହା ମାନବ ପକ୍ଷରେ ଗୋଟିଏ ଆବଶ୍ୟକୀୟ ବିଷୟ ଅଟେ । ସେମାନଙ୍କ ଭ୍ରାନ୍ତି ଦୂର କରିବା ପାଇଁ ସିଡ୍‌ନି ଏଇଚ୍‌ ବିଆର୍ଡ (Sydney H. Beard) ଙ୍କ ପ୍ରଦର୍ଶିତ ଆମିଷ ଭକ୍ଷଣ-ବିରୋଧୀ କେତେଗୁଡ଼ିଏ କାରଣର ସାରାଂଶ ନିମ୍ନରେ ଉଦ୍ଧାର କଲୁଁ ।

 

୧ । ଆମିଷାହାର ମନୁଷ୍ୟ ପକ୍ଷରେ ଅସ୍ୱାଭାବିକ ଅଟେ । ପ୍ରାଣିତତ୍ତ୍ୱବିଦ୍‌ ଓ ଶରୀରତତ୍ତ୍ୱବିଦ୍‌ ପଣ୍ଡିତମାନେ ଏ ବିଷୟରେ ଏକମତ ଯେ ଗଠନ ବିଷୟରେ ମାନବ-ଶରୀର ଫଳାହାରୀ ଜୀବମାନଙ୍କର ଶରୀର ଅଟେ ଏବଂ ଆମିଷାଶୀ ଜୀବମାନଙ୍କର ଶରୀର ସହିତ ତାହାର କୌଣସି ସୌସାଦୃଶ୍ୟ ନାହିଁ ।

 

୨ । ଆମିଷାହାର ଅନାବଶ୍ୟକ ଅଟେ । ଜଗତର ଅର୍ଦ୍ଧେକ ଲୋକ ଆମିଷ ଭକ୍ଷଣ କରନ୍ତି ନାହିଁ । କେତେଗୁଡ଼ିଏ ବଳିଷ୍ଠ ଜାତି ଯଥା ସ୍ପାର୍ଟାନ୍‌, ରୋମାନ୍‌, ଆରବ ଓ ଯାପାନୀମାନେ ଆମିଷ ଭକ୍ଷଣରୁ ନିବୃତ୍ତ ହୋଇଅଛନ୍ତି । ଇଉରୋପ ଓ ଆମେରିକାର କେତେକ ବିଜ୍ଞାନବିଦ୍‌ ପଣ୍ଡିତ ପରୀକ୍ଷା କରି ଦେଖିଅଛନ୍ତି ଯେ ନିରାମିଷଭୋଜିମାନେ ଯଦି ଉପଯୁକ୍ତ ପରିମାଣରେ ଦୁଧ, ଦହି, ଘିଅ, ଫଳ, ଶସ୍ୟ ଇତ୍ୟାଦି ଭକ୍ଷଣ କରନ୍ତି, ସେମାନେ ଆମିଷଭୋଜିମାନଙ୍କଠାରୁ ସୁସ୍ଥ, ସବଳ ଓ କଷ୍ଟ-ସହିଷ୍ଣୁ ହୁଅନ୍ତି ।

 

୩ । ମାସଂ-ଭକ୍ଷଣ ସ୍ୱାସ୍ଥ୍ୟ ପକ୍ଷରେ ଅପକାରୀ ଅଟେ । ଏହା ଗଣନାଦ୍ୱାରା ସ୍ଥିର କରା ହୋଇଅଛି ଯେ, ଆମ୍ଭମାନଙ୍କର ଗୃହପାଳିତ ପଶୁମାନଙ୍କ ମଧ୍ୟରୁ ଶତକଡ଼ା ୫୦ ରୁ ଅଧିକ ପଶୁ କୌଣସି ପ୍ରକାର ହେଲେ ରୋଗରେ ଆକ୍ରାନ୍ତ । ସେମାନଙ୍କ ମୃତଶରୀର-ଆହାରଦ୍ୱାରା ଉଦର ସଧ୍ୟସ୍ଥ କ୍ଷତ (Appendicitis), କର୍କଟ ରୋଗ (Cancer), ବାତ (Rheumatism), ଗ୍ରନ୍ଥିବାତ (Gout), ରାଜଯକ୍ଷ୍ମା (Consumption) ଓ ଏକପ୍ରକାର ପ୍ରସ୍ରାବର ରୋଗ (Albuminoria) ଜାତ ହୁଏ । କେତେଗୁଡ଼ିଏ ବଡ଼ ବଡ଼ ସହର ଛଡ଼ା ଅନ୍ୟ ସ୍ଥାନରେ ମାଂସ ପରୀକ୍ଷା କରିବାର ବନ୍ଦୋବସ୍ତ ନାହିଁ କହିଲେ ଚଳେ । ସେଥିପାଇଁ ସାଧାରଣ ଲୋକେ ନାନା ଅଖାଦ୍ୟ ଭକ୍ଷଣ କରି କେତେ ଯେ ରୋଗ ସଞ୍ଚୟ କରୁଅଛନ୍ତି, ତାହାର ଇୟତ୍ତା ନାହିଁ ।

 

୪ । ଆମିଷ-ଭକ୍ଷଣ (ବିଶେଷରେ ମାଂସ-ଭକ୍ଷଣ) ସୁରାଲିପ୍ସାର ଗୋଟିଏ ପ୍ରଧାନ କାରଣ । ଯେଉଁ ଦେଶରେ ଲୋକେ ନିରାମୀଷାଶୀ ଓ ଫଳାହାରୀ, ସେ ଦେଶରେ ମାଦକ-ସେବନର ପ୍ରାଦୁର୍ଭାବ ଦୃଷ୍ଟି-ଗୋଚର ହୁଏ ନାହିଁ । ଏହା ପରୀକ୍ଷା କରି ଦେଖା ଯାଇଅଛି ଯେ ଯେଉଁମାନେ ଅତ୍ୟଧିକ ସୁରାପାୟୀ, ସେମାନଙ୍କର ସୁରାଲିପ୍ସା କେତେଗୁଡ଼ିଏ ଶାକ୍‌ସବ୍ଜି ଓ ଫଳାହାର ଦ୍ୱାରା ଆରୋଗ୍ୟ କରା ଯାଇପାରେ । ଅତଏବ ସୁରାପାନ-ନିବାରଣର ଗୋଟିଏ ପ୍ରଧାନ ଉପାୟ ନିରାମିଷ-ଭୋଜନ ଓ ଫଳାହାର ।

 

୫ । ଯେଉଁ ମାନବ ଅଥବା ଜୀବମାନେ ଆମିଷ ଭକ୍ଷଣ କରନ୍ତି, ସେମାନେ ସ୍ୱଭାବତଃ କଳହପ୍ରିୟ, ହିଂସ୍ର-ସ୍ୱଭାବ ଏବଂ ରକ୍ତ-ପିପାସୁ ହୁଅନ୍ତି ଏବଂ ଯେଉଁ ଜାତିମାନେ ନିରାମିଷାଶୀ ଓ ଫଳାହାରୀ ସେମାନେ ସେମାନଙ୍କର ଶାନ୍ତସ୍ୱଭାବପାଇଁ ପ୍ରସିଦ୍ଧ । ଯଦି ଜଗତର ସମସ୍ତ ଜାତି ନିରାମିଷାଶୀ ଓ ଫଳାହାରୀ ହୁଅନ୍ତେ, ଜଗତରୁ ସମର-ସ୍ପୃହା କମି ଯାନ୍ତା ଏବଂ ହୁଏତ ସମର ଚିରକାଳପାଇଁ ନିର୍ବାସିତ ହୋଇ ଜଗତରେ ଚିରଶାନ୍ତି ବିରାଜ କରନ୍ତା ।

 

୬ । ଆମିଷ ଭକ୍ଷଣ ହେତୁରୁ ଶାନ୍ତ ଖ୍ରୀଷ୍ଟଧର୍ମାଭିମାନୀ କେବଳ ଇଉରୋପ ଦେଶରେ ପ୍ରତିଦିନ ଅନ୍ତତଃ ଦଶ ଲକ୍ଷ ବୃହତ୍‍ ଜନ୍ତୁ ଅତି ନିଷ୍ଠୁର, ନିର୍ମମ ଓ ନିର୍ଦ୍ଦୟ ଭାବରେ ନାନା ପ୍ରକାର ଭୀଷଣ ଉପାୟରେ ବଧ କରା ହୁଏ । ଯେଉଁ ଆମିଷ-ଭୋଜନ ସକାଶେ ଏଡ଼େ ବିପୁଳ ଓ ଭୀଷଣ ଯନ୍ତ୍ରଣା ଓ ନିଷ୍ଠୁରତା ଆଚରିତ ହୁଏ, ତାହା ଯେ ସ୍ଥଳରେ ମାନବ ପକ୍ଷରେ ଅନାବଶ୍ୟକ ଅଟେ, ଆମିଷ ଭକ୍ଷଣ ସପକ୍ଷରେ କୌଣସି ନୀତିସଙ୍ଗତ ଯୁକ୍ତି ଥାଇ ନ ପାରେ ।

 

୭ । ଆମିଷ-ଭକ୍ଷଣ-ପ୍ରଥା ଯୋଗୁଁ ସହସ୍ର ସହସ୍ର ନରନାରୀ ଓ ବାଳକ-ବାଳିକାମାନଙ୍କୁ ଜୀବହତ୍ୟା-କାର୍ଯ୍ୟରେ ଲିପ୍ତ ରହିବାକୁ ହୁଏ । ଏମାନଙ୍କର କି ନୈତିକ ଅବନତି ! ଏମାନଙ୍କ ପାଶବସ୍ୱଭାବ ଏମାନଙ୍କ ବଂଶଧରମାନଙ୍କ ମଧ୍ୟରେ ସଂକ୍ରମିତ ହୋଇ ସେମାନଙ୍କୁ ପାପାସକ୍ତ ଓ ନରହତ୍ୟାପରାୟଣ କରାଏ ।

 

୮ । ଆମିଷ-ଭକ୍ଷଣ ମାନବର ଆଧ୍ୟାତ୍ମିକ ଉନ୍ନତି ଓ ବିକାଶର ଅନ୍ତରାୟ ଅଟେ । ତାହା ମାନବକୁ ନିଷ୍ଠୁର, ନିର୍ମମ ଓ ହିଂସ୍ର-ସ୍ୱଭାବ କରାଏ, ତାହାର ଦେବସ୍ୱଭାବ ନଷ୍ଟ କରି ପାଶବ ସ୍ୱଭାବ ଜାଗରିତ କରାଏ । ଅତଏବ ସମାଜର ଅନ୍ୟ କୌଣସି ସଂସ୍କାର ପୂର୍ବେ ଖାଦ୍ୟସଂସ୍କାର ଆଦୌ ଆବଶ୍ୟକ ।

 

ଜୀବଜନ୍ତୁମାନଙ୍କ ପ୍ରତି ଆମ୍ଭମାନଙ୍କର କର୍ତ୍ତବ୍ୟ ନିରୂପଣ କରିବାକୁ ଯାଇ ଆମ୍ଭେମାନେ ସାଧାରଣତଃ ଗୃହପାଳିତ ଜୀବଜନ୍ତୁମାନଙ୍କ କଥା ଭାବୁଁ । ବନ୍ୟ ଜୀବଜନ୍ତୁମାନଙ୍କ ପ୍ରତି ଆମ୍ଭମାନଙ୍କର ଯେ କର୍ତ୍ତବ୍ୟ ଅଛି ଆମ୍ଭେମାନେ ସ୍ୱପ୍ନରେ ସୁଦ୍ଧା ସ୍ଥାନ ଦେଉ ନାହିଁ । ଗୃହପାଳିତ ପଶୁ ପକ୍ଷୀ ଆମ୍ଭମାନଙ୍କର ସ୍ନେହ, ମାୟା, ମମତାର ଅଧିକାରୀ; ବନ୍ୟ ଜୀବଜନ୍ତୁମାନଙ୍କର କି ମନୁଷ୍ୟ ଉପରେ କୌଣସି ଦାବୀ ନାହିଁ ? ସେମାନଙ୍କର ଅନ୍ୟ କିଛି ଅଧିକାର ଥାଉ ବା ନ ଥାଉ, ମନୁଷ୍ୟଠାରୁ ମନୁଷ୍ୟୋଚିତ ବ୍ୟବହାର ପାଇବାର ସେମାନଙ୍କର ସମ୍ପୂର୍ଣ୍ଣ ଅଧିକାର ଅଛି । ଆମ୍ଭେମାନେ କି ସେମାନଙ୍କର ଏହି ଅଧିକାର ବିଷୟ ଚିନ୍ତା କରିଥାଉଁ । କ୍ରୀଡ଼ାସକ୍ତ ମୃଗାୟାସକ୍ତ ହୋଇ ଆମ୍ଭେମାନେ କେତେଥର ସେମାନଙ୍କ ଶାନ୍ତିଭଙ୍ଗ କରିଥାଉଁ । ମନୁଷ୍ୟ ହୋଇ ହିଂସ୍ରଜନ୍ତୁ ପରି ସେମାନଙ୍କୁ ବଧ କରିବା ନିମିତ୍ତ କେତେଥର ସେମାନଙ୍କର ପଶ୍ଚାଦ୍ଧାବନ କରିଥାଉଁ । ସେମାନଙ୍କର କ୍ରନ୍ଦନ, ସେମାନଙ୍କର ମୃତ୍ୟୁକାଳୀନ ଯନ୍ତ୍ରଣା ଆମ୍ଭମାନଙ୍କ କର୍ଣ୍ଣରେ ସଙ୍ଗୀତ ବର୍ଷଣ କରେ ! ଶିକାର ସମୟରେ ମନୁଷ୍ୟ-ସ୍ୱଭାବ ହରାଇ ଆମ୍ଭେମାନେ ପିଶାଚ-ସ୍ୱଭାବ ଅବଲମ୍ୱନ କରୁଁ-! ଏହା ସତ୍ୟ ଯେ ଜଗତରେ ଅନେକ ଜୀବଜନ୍ତୁ ଅଛନ୍ତି, ଯେଉଁମାନଙ୍କୁ ସମାଜର କଲ୍ୟାଣ ନିମିତ୍ତ ବଧ କରିବା ଉଚିତ । ସେମାନଙ୍କର ମୃତ୍ୟୁ ଯେତେ କମ ଯନ୍ତ୍ରଣାମୟ ହୁଏ ତାହାହିଁ ଆମ୍ଭମାନଙ୍କର ଦେଖିବା ବିଷୟ । କିନ୍ତୁ ସେମାନଙ୍କ ମୃତ୍ୟୁ-ଯନ୍ତ୍ରଣାରେ ଆନନ୍ଦ ଅନୁଭବ କରିବା ଅଥବା ସେମାନଙ୍କ ମୃତ୍ୟୁକୁ କ୍ରୀଡ଼ାର ବିଷୟୀଭୂତ କରିବା ମନୁଷ୍ୟର କାର୍ଯ୍ୟ ନୁହେ, ତାହା ପିଶାଚର କାର୍ଯ୍ୟ-। ଏହି ସଭ୍ୟତାଭିମାନୀ ଯୁଗ ନାନା ବିଷୟରେ କି ବର୍ବର ଅବସ୍ଥାରେ ରହିଅଛି ।

 

ଜୀବଜନ୍ତୁମାନଙ୍କ ପ୍ରତି ଆମ୍ଭମାନଙ୍କ କର୍ତ୍ତବ୍ୟ କ’ଣ ? ଏକ କଥାରେ ତାହାର ଏହି ଉତ୍ତର ଦିଆ ଯାଇପାରେ ଯେ ଯଦି ଆମ୍ଭେମାନେ ଜୀବଜନ୍ତୁ ହୋଇଥାନ୍ତୁ, ଆମ୍ଭେମାନେ ମନୁଷ୍ୟମାନଙ୍କ ଠାରୁ ଯେପରି ବ୍ୟବହାର ଇଚ୍ଛା କରନ୍ତୁ, ସେହିପରି ବ୍ୟବହାର ସେମାନଙ୍କୁ ଦେବାହିଁ ଆମ୍ଭମାନଙ୍କର କର୍ତ୍ତବ୍ୟ । ଇତର ଜୀବଜାତି ସହିତ ଆମ୍ଭମାନଙ୍କର ଯେଉଁ ଘନିଷ୍ଠ ସମ୍ପର୍କ ଅଛି, ତାହା ସମାଜ ଯେତେ ଅଧିକ ହୃଦୟଙ୍ଗମ କରୁଥିବ, ଜୀବଜନ୍ତୁମାନଙ୍କ ପ୍ରତି ସହାନୁଭୂତି ସେତେ ଅଧିକ ବୃଦ୍ଧି ପାଉଥିବ, ସେଥି ସଙ୍ଗେ ସଙ୍ଗେ ଆମ୍ଭମାନଙ୍କର ବ୍ୟବହାର କ୍ରମଶଃ ଉନ୍ନତି ଆଡ଼କୁ ଅଗ୍ରସର ହେଉଥିବ । ଜଣେ ବିଜ୍ଞ ପଣ୍ଡିତ କହିଅଛନ୍ତି :—

 

“Far as custom has carried man from man, yet when at last in the ever-branching series the complete human being is produced, it knows at once its kinship with all the other forms. More, it knows its kinship with the animals. It sees that it is only habit, an illusion of difference, that divides, and it perceives after all that it is the same human being that flies in the air, and swims in the sea, or walks biped upon the land.”

 

ସମସ୍ତ ଜୀବଜଗତ୍‌ ଗୋଟିଏ ମହାନ୍‌ ତରୁ ଅଟେ, ମାନବଜାତି ତାହାର ଗୋଟିଏ ଶାଖାମାତ୍ର ଏବଂ ମାନବ ମଧ୍ୟରେ ଭିନ୍ନ ଭିନ୍ନ ବର୍ଣ୍ଣ ଏବଂ ସମ୍ପ୍ରଦାୟ ସେହି ଶାଖାର କେତେଗୁଡ଼ିଏ ପ୍ରଶାଖା ମାତ୍ର । ଯଦିଚ ଚିର ପ୍ରଚଳିତ ପ୍ରଥା ମାନବକୁ ମାନବଠାରୁ ଅନ୍ତର କରିଅଛି, ତଥାପି କ୍ରମବିକାଶ ନିୟମରେ ଅବଶେଷରେ ଯେତେବେଳେ ସେହି ପୂର୍ଣ୍ଣ ମାନବ ଜାତ ହୁଏ, ସେ ଅନ୍ୟାନ୍ୟ ବର୍ଣ୍ଣ ଓ ସମ୍ପ୍ରଦାୟ ସହିତ ତାହାର କୁଟୁମ୍ୱିତା ଅବିଳମ୍ୱେ ବୁଝିପାରେ । ସେ ପୁଣି ଜୀବଜନ୍ତୁମାନଙ୍କ ସହିତ ତାହାର କୁଟୁମ୍ୱିତା ବୁଝିପାରେ । ସେ ଦେଖେ ଯେ କେବଳ ଅଭ୍ୟାସ ଏବଂ ଭେଦଭ୍ରାନ୍ତି ମାନବକୁ ଜୀବଜନ୍ତୁଠାରୁ ବିଚ୍ଛିନ୍ନ କରିଅଛି, କିନ୍ତୁ ପ୍ରକୃତରେ ସେହି ଏକ ମାନବ ଆକାଶରେ ଉଡ୍ଡୀନ ହେଉଅଛି, ବାରିଧି-ବକ୍ଷରେ ସନ୍ତରଣ କରୁଅଛି ଅଥବା ଦ୍ୱିପଦ-ବିଶିଷ୍ଟ ହୋଇ ସ୍ଥଳ ଉପରେ ଭ୍ରମଣ କରୁଅଛି ।

 

* ‘ଉତ୍କଳ-ସାହିତ୍ୟ’ ୧୬ଶ ଭାଗ, ୧ମ, ୧୩୧୯ ବୈଶାଖ ସଂଖ୍ୟାରେ ପ୍ରକାଶିତ ।

☆☆☆

 

ଭାଗ୍ୟ*

 

ଏ ଜୀବନରେ ମନୁଷ୍ୟ ସୁଖୀ ହେବ କି ଦୁଃଖୀ ହେବ, ସୁନ୍ଦର ହେବ କି ଅସୁନ୍ଦର ହେବ, ଭାଗ୍ୟବାନ୍‌ ହେବ କି ଭାଗ୍ୟହୀନ ହେବ, ଅନେକଙ୍କର ବିଶ୍ୱାସ, ତାହା ବହୁ ପୂର୍ବରୁ ସ୍ଥିରୀକୃତ ହୋଇଅଛି । ଏହାକୁହିଁ ଆମ୍ଭେମାନେ ଭାଗ୍ୟ କହୁଁ । ସେକ୍ସପିୟର ତାଙ୍କର ‘Twelfth Night’ ରେ କହିଅଛନ୍ତି :—

 

“Fate, show thy force, ourselves we do not owe; What is decreed must be, and be this so.”

 

(ଭାଗ୍ୟ ! ତୁମ୍ଭର ଶକ୍ତି ଦେଖାଅ; ଆମ୍ଭେମାନେ ନିଜର ପ୍ରଭୁ ନୋହୁଁ ; ଯାହା ଭାଗ୍ୟରେ ଥିବ ତାହା ନିଶ୍ଚୟ ଘଟିବ ଏବଂ ସେହିରୂପ ଘଟୁ ।)

 

ଯୋଷେଫାଇନ ତାଙ୍କର ବାଲ୍ୟକାଳରେ ଦିନେ ସକାଳେ ବୁଲୁଁ ବୁଲୁଁ ଦେଖିଲେ ଯେ ଗୋଟିଏ ବୃଦ୍ଧା କେତେଗୁଡ଼ିଏ ବାଳିକାମାନଙ୍କୁ ସେମାନଙ୍କର ଭାଗ୍ୟ କହୁଅଛି । ସେ ଯେତେବେଳେ ସେହି ବୃଦ୍ଧାର ନିକଟବର୍ତ୍ତୀ ହେଲେ ବୃଦ୍ଧା ତାଙ୍କର ହାତ ଧରି ଚିତ୍କାର କରି ଉଠିଲା । ଯୋଷେଫାଇନ ଏପରି ଚାଞ୍ଚଲ୍ୟର କାରଣ ପଚାରିବାରୁ ସେ କହିଲା, ‘‘ତୁମ୍ଭର ଭବିଷ୍ୟତ୍‌ କହୁଅଛି ଶୁଣ । ତୁମ୍ଭେ ଶୀଘ୍ର ବିବାହ କରିବ, କିନ୍ତୁ ସୁଖୀ ହେବ ନାହିଁ । ତୁମ୍ଭେ ବିଧବା ହେବ ଏବଂ ପରେ—ପରେ ତୁମ୍ଭେ ଫ୍ରାନ୍ସର ରାଣୀ ହେବ । କେତେକ ବର୍ଷ ତୁମ୍ଭର ସୁଖରେ ଯିବ; କିନ୍ତୁ ଗୋଟାଏ ଚିତ୍କିତ୍ସାଳୟରେ ତୁମ୍ଭର ମୃତ୍ୟୁ ହେବ ।’’ ଯେଉଁମାନେ ଫ୍ରାନ୍‌ସର ସମ୍ରାଟ୍ ନେପୋଲିୟନଙ୍କ ଜୀବନୀ ପଢ଼ିଅଛନ୍ତି ସେମାନେ ଜାଣନ୍ତି ଯେ ଏହିସବୁ ଭବିଷ୍ୟଦ୍‌ବାଣୀ ଯୋଷେଫାଇନଙ୍କ ଜୀବନରେ ସଫଳ ହୋଇଥିଲା ।

 

ଆମ୍ଭମାନଙ୍କର ଏହି ଭାଗ୍ୟର ନିୟନ୍ତା କିଏ ? କେହି କେହି କହନ୍ତି ଭଗବାନ; ହିନ୍ଦୁମାନେ କହନ୍ତି ପୂର୍ବଜନ୍ମକୃତ କର୍ମ ଏବଂ ପାଶ୍ଚାତ୍ୟ ପଣ୍ଡିତମାନେ କହନ୍ତି ଜଗତର କାର୍ଯ୍ୟକାରଣର ଶୃଙ୍ଖଳ । ନେପୋଲିୟନ୍‌ ଜଗତର ସର୍ବଶ୍ରେଷ୍ଠ ବୀର ଓ ପଣ୍ଡିତ ଥିଲେ, ତଥାପି ତାହାଙ୍କୁ ସେଣ୍ଟ ହେଲେନାରେ ବନ୍ଦି ଅବସ୍ଥାରେ ପ୍ରାଣତ୍ୟାଗ କରିବାକୁ ହୋଇଥିଲା । ତାଙ୍କର ଏହି ଭାଗ୍ୟ-ବିପର୍ଯ୍ୟୟ ବିଷୟ ଆଲୋଚନା କରିବାକୁ ଯାଇ ତାଙ୍କର ଜୀବନୀ ଲେଖକ (Abbott) ଲେଖିଅଛନ୍ତି—

 

“Fortune, the name of that unknown combination of Infinite Power, was against him; and without her aid the highest combinations of the greatest genius are but bubbles in a troubled ocean.”

 

(ଅନନ୍ତ ଶକ୍ତିର ଅଜ୍ଞାତ ଆୟୋଜନର ନାମ ଭାଗ୍ୟ । ସେହି ଭାଗ୍ୟ ନେପୋଲିୟନଙ୍କର ପ୍ରତିକୂଳ ଥିଲା । ତାହାର ବିନା ସାହାଯ୍ୟରେ ସର୍ବଶ୍ରେଷ୍ଠ ପ୍ରତିଭାଶାଳୀ ବ୍ୟକ୍ତିଙ୍କର ସର୍ବୋଚ୍ଚ ଚେଷ୍ଟା ଅସ୍ଥିର ସମୁଦ୍ର-ବକ୍ଷରେ ଜଳବୁଦ୍‌ବୁଦ ପରି ଅତ୍ୟନ୍ତ ଅକିଞ୍ଚିତ୍‌କର ଅଟେ ।)

 

ହିନ୍ଦୁମାନେ କହନ୍ତି, ଭାଗ୍ୟ ଅନ୍ୟ କିଛି ନୁହେଁ, ତାହା ପୂର୍ବଜନ୍ମାର୍ଜିତ କର୍ମର ଫଳ । ଅତଏବ ସମସ୍ତେ କର୍ମ କର, ଇହ ଜନ୍ମରେ ଯଦି ତାହାର ଫଳ ନ ପାଇ ପାର, ପର ଜନ୍ମରେ ତାହା ପାଇବ । କର୍ମ ଏବଂ ଭାଗ୍ୟ ଦୁଇଗୋଟି ବିପରୀତ ବସ୍ତୁ ନୁହେ । ସେମାନଙ୍କ ମଧ୍ୟରେ କୌଣସି ବିରୋଧ ନାହିଁ । ଇହଜନ୍ମର ଭାଗ୍ୟ ପୂର୍ବଜନ୍ମକୃତ କର୍ମର ଫଳ । ଆତ୍ମା ଅଛି କି ନାହିଁ, ଥିଲେ ତାହାର ଜନ୍ମଜନ୍ମାନ୍ତର ଅଛି କି ନାହିଁ ଏବଂ ଜନ୍ମାନ୍ତର ଥିଲେ ମଧ୍ୟ ଏକ ଜନ୍ମର କର୍ମ ପରବର୍ତ୍ତୀ ଜନ୍ମର ଭାଗ୍ୟ ଉପରେ କୌଣସି ପ୍ରଭାବ ବିସ୍ତାର କରି ପାରେ କି ନାହିଁ—ଏ ସବୁ ସମସ୍ୟା  ସମାଧାନ କରି ଆମ୍ଭେମାନେ ହିନ୍ଦୁମାନଙ୍କର କର୍ମବାଦରେ ବିଶ୍ୱାସ କରି ନ ପାରୁଁ । ଏହି କର୍ମବାଦ ବୈଜ୍ଞାନିକ ଭିତ୍ତିରେ ସ୍ଥାପିତ ନ ହୋଇ ପୌରାଣିକ ଭିତ୍ତିରେ ସ୍ଥାପିତ । ଏହା ଆମ୍ଭମାନଙ୍କର  ଗ୍ରହଣଯୋଗ୍ୟ ନୁହେ ।

 

ପାଶ୍ଚାତ୍ୟ ପଣ୍ଡିତମାନେ କହନ୍ତି ଯେ ଜଗତର ଘଟଣାବଳୀ ଏପରି କାର୍ଯ୍ୟ-କାରଣର ଶୃଙ୍ଖଳରେ ବନ୍ଧା ଯେ ପ୍ରତ୍ୟେକ ପରବର୍ତ୍ତୀ ଘଟଣା ସମସ୍ତ ପୂର୍ବବର୍ତ୍ତୀ ଘଟଣାମାନଙ୍କଦ୍ୱାରା ନିୟମିତ-। ଏହା କାର୍ଯ୍ୟ-କାରଣ-ନିୟମର (Law of causation) ପ୍ରଭାବରେ ଯାହା ଘଟିବାର ଥିବ ତାହା ଘଟିବ, ତାହାର ଅନ୍ୟଥା ହେବ ନାହିଁ । ଜଗତର  ଅତୀତରେ ଏବଂ ବର୍ତ୍ତମାନରେ ଯେଉଁ ସବୁ କାରଣମାନ ବିଦ୍ୟମାନ୍, ତାହା ଯଦି ଆମ୍ଭେମାନେ ସମ୍ୟକ୍‌ରୂପେ ଉପଲବ୍ଧି କରୁଁ, ତାହାହେଲେ କାର୍ଯ୍ୟକାରଣ ଶୃଙ୍ଖଳ ଅନୁସରଣ କରି ଜଗତର ପ୍ରତ୍ୟେକ ଭାବୀ ଘଟଣା ସମ୍ୱନ୍ଧରେ ଭବିଷ୍ୟଦ୍‌ବାଣୀ କରି ପାରୁଁ । ଜ୍ୟୋତିର୍ବିଦ୍‌ମାନେ ଯେପରି ଗଣନାଦ୍ୱାରା ଚନ୍ଦ୍ରଗ୍ରହଣ, ସୂର୍ଯ୍ୟଗ୍ରହଣ ପ୍ରଭୃତିର କାଳ ପୂର୍ବରୁ ସ୍ଥିର କରନ୍ତି, ଆମ୍ଭେମାନେ ମଧ୍ୟ ଉପଯୁକ୍ତ ଉପାଦାନ ପାଇଲେ ବ୍ୟକ୍ତିଗତ ଏବଂ ସାମାଜିକ ଜୀବନର ସମସ୍ତ ଘଟଣାମାନ ପୂର୍ବରୁ ସ୍ଥିର କରିପାରୁଁ । କିଏ ମୂର୍ଖ କିଏ ବିଦ୍ୱାନ୍‌, କିଏ ଧନୀ କିଏ ବା ଦରିଦ୍ର ହେବ, ଫରାସୀ ରାଷ୍ଟ୍ର-ବିପ୍ଳବ କିମ୍ୱା ଇଉରୋପୀୟ ମହାସମର କେବେ ଆରମ୍ଭ ହୋଇ କେବେ ଶେଷ ହେବ ଇତ୍ୟାଦି ସମସ୍ତ ବିଷୟ ଆମ୍ଭେମାନେ ପୂର୍ବରୁ ସ୍ଥିର କରିପାରୁଁ-

 

ପ୍ରତ୍ୟେକ ବ୍ୟକ୍ତିର ଭାଗ୍ୟ ଦୁଇଗୋଟି କାରଣଦ୍ୱାରା ନିୟମିତ ହୁଏ; ପ୍ରଥମତଃ ସେ ଯେଉଁ ପ୍ରକୃତି ଘେନି ଜନ୍ମଗ୍ରହଣ କରେ; ଦ୍ୱିତୀୟତଃ ସେ ଯେଉଁ ପାର୍ଶ୍ୱବର୍ତ୍ତୀ ଘଟଣାବଳୀ ମଧ୍ୟରେ ଜୀବନ ଅତିବାହିତ କରେ । ଏ ଦୁଇଗୋଟି କାରଣ ମଧ୍ୟରୁ କୌଣସିଟି ତାହାର ନିଜର ଆୟତ୍ତାଧୀନ ନୁହେ । ପାର୍ଶ୍ୱବର୍ତ୍ତୀ ଘଟଣା ଉପରେ ତାହାର କୌଣସି ହସ୍ତ ନାହିଁ ଏବଂ ନିଜର ପ୍ରକୃତି ସେ ନିଜେ ଗଢ଼େ ନାହିଁ, ସେ ତାହା ପୂର୍ବପୁରୁଷମାନଙ୍କଠାରୁ ପାଇଥାଏ । ଅତଏବ ପ୍ରତ୍ୟେକ ବ୍ୟକ୍ତିର ଭାଗ୍ୟ ତାହାର ନିଜର ଆୟତ୍ତାଧୀନ ନୁହେ । ରାଜା ରାମମୋହନ ରାୟ ଜଣେ ମହାପୁରୁଷ ଥିଲେ । ତାହାର କାରଣ କ’ଣ ? ସେ ଅସାଧାରଣ ମେଧାଶକ୍ତି ଘେନି ଜନ୍ମଗ୍ରହଣ କରିଥିଲେ ଏବଂ ତାଙ୍କର ପାର୍ଶ୍ୱବର୍ତ୍ତୀ ଘଟଣାମାନ ତାଙ୍କର ପ୍ରତିଭାର ପୂର୍ଣ୍ଣବିକାଶର ଅନୁକୂଳ ଥିଲା । ସେ ଏପରି ମେଧାଶକ୍ତି କିପରି ପାଇଲେ ? ଅନ୍ୟାନ୍ୟ କାରଣ ମଧ୍ୟରୁ ଗୋଟିଏ କାରଣ, ସେ ବ୍ରାହ୍ମଣକୁଳରେ ଜନ୍ମଗ୍ରହଣ କରିଥିଲେ । ବ୍ରାହ୍ମଣଜାତି କିପରି ଏଭଳି ମେଧାଶକ୍ତି ପାଇଲେ ? ପୂର୍ବକାଳରେ କେବଳ ବ୍ରାହ୍ମଣମାନଙ୍କ ଉପରେ ଜ୍ଞନବିଜ୍ଞାନଚର୍ଚ୍ଚାର ଭାର ନ୍ୟସ୍ତ ଥିଲା । ଏପରି ଶ୍ରମବିଭାଗର କାରଣ କ’ଣ ? ଅନ୍ୟାନ୍ୟ ଐତିହାସିକ ଘଟଣାବଳୀ । ଅତଏବ ରାମମୋହନ ଯେଉଁ ବୃକ୍ଷର ଫଳ, ସେ ବୃକ୍ଷ ପୃଥିବୀର ଆଦ୍ୟରୁ ଶାଖା ପ୍ରଶାଖାକ୍ରମେ ବର୍ଦ୍ଧିତ ହୋଇ ଆସୁଅଛି । ଆମ୍ଭେମାନେ ସେହି ମହାବୃକ୍ଷର ବିକାଶର ନିୟମ ଯଦି ସମ୍ୟକ୍‌ ରୂପେ ଉପଲବ୍‌ଧି କରି ପାରନ୍ତୁ, ସେହି ବୃକ୍ଷ ଯେ ଏକକାଳରେ ରାମମୋହନରୂପ ଫଳ ପ୍ରସବ କରିବ, ତାହା ଆମ୍ଭେମାନେ ପୂର୍ବରୁ ସ୍ଥିର କରି ରଖି ଥାଆନ୍ତୁ । ରାମମୋହନ ଯେ ଯଶସ୍ୱୀ ହୋଇଥିଲେ ସେଥିପାଇଁ ସେ ନିଜେ ଦାୟୀ ନୁହନ୍ତି । ସେ ଯେଉଁ ଘଟଣାବଳୀ ପ୍ରଭାବରୁ ଉତ୍ପନ୍ନ ହୋଇଥିଲେ ସେହି ତାଙ୍କୁ ଯଶସ୍ୱୀ କରିଥିଲା ।

 

ଅନେକ କହନ୍ତି, ଫଳାଫଳ ଯଦି ଭାଗ୍ୟ ଉପରେ ନିର୍ଭର କରେ, ତେବେ ଚେଷ୍ଟାର ପ୍ରୟୋଜନ କ’ଣ ? ଆମ୍ଭେମାନେ ଯେଉଁ କାର୍ଯ୍ୟ-କାରଣ-ନିୟମର ଉଲ୍ଲେଖ କଲୁଁ, ସେହି ନିୟମରେ ଫଳପ୍ରାପ୍ତି ଯଦି ଚେଷ୍ଟା-ସାପେକ୍ଷ ହୁଏ, ବିନା ଚେଷ୍ଟାରେ ସେ ଫଳ ମିଳିବ କିପରି ? ଚେଷ୍ଟା ପୁଣି ଆମ୍ଭମାନଙ୍କ ଶକ୍ତି ଏବଂ ଇଚ୍ଛାର ସାପେକ୍ଷ । ମୋର ଯଦି ଚେଷ୍ଟା କରିବାର ଶକ୍ତି ନ ଥାଏ, ଅଥବା ଶକ୍ତି ଥାଇ ଯଦି ସେ ଶକ୍ତି ପ୍ରୟୋଗ କରିବାର ବାସନା ନ ଥାଏ, ତାହାହେଲେ ସେ ଚେଷ୍ଟା ସମ୍ଭବପର ହେବ ନାହିଁ । ପ୍ରତ୍ୟେକ ବ୍ୟକ୍ତିର ଶକ୍ତି ତାହାର ନିଜର ଇଚ୍ଛାଧୀନ ନୁହେ, ତାହା ପ୍ରକୃତିଦତ୍ତ । ପୁନଶ୍ଚ ଶକ୍ତି ପ୍ରୟୋଗ କରିବାର ଇଚ୍ଛା ବିଷୟରେ ମଧ୍ୟ ମନୁଷ୍ୟ ସ୍ୱାଧୀନ ନୁହେ । ମାନବ ଭିନ୍ନ ଭିନ୍ନ ପ୍ରକୃତି ଘେନି ଜନ୍ମଗ୍ରହଣ କରେ । ସେହି ପ୍ରକୃତି ଭିନ୍ନ ଭିନ୍ନ ଅବସ୍ଥାରେ ପଡ଼ିଲେ ଭିନ୍ନ ଭିନ୍ନ ବସ୍ତୁ ବାସନା କରେ । ଅତଏବ ତାହାର ବାସନା, ଇଚ୍ଛା ଓ ଆକାଂକ୍ଷା ତାହାର ପ୍ରକୃତିକୁ ଅନୁସରଣ କରେ । ଯେ ସ୍ଥଳେ ମାନବ ନିଜର ପ୍ରକୃତି ବିଷୟରେ ସ୍ୱାଧୀନ ନୁହେ, ତାହାର ଇଚ୍ଛା ମଧ୍ୟ ପରାଧୀନ ଅଟେ । ଅତଏବ ଫଳାଫଳ ଚେଷ୍ଟା ସାପେକ୍ଷ ହେଲେ ମଧ୍ୟ ଚେଷ୍ଟା ବିଷୟରେ ଆମ୍ଭେମାନେ ସ୍ଵାଧୀନ ନୋହୁଁ । ଯେଉଁ ଭାଗ୍ୟ ଆମ୍ଭମାନଙ୍କୁ ଫଳ ପ୍ରଦାନ କରିବ, ସେହି ଭାଗ୍ୟ ଫଳପ୍ରାପ୍ତିପାଇଁ ଆମ୍ଭମାନଙ୍କୁ ସଚେଷ୍ଟା କରାଇବ । ପ୍ରତ୍ୟେକ ଲୋକ ଭାଗ୍ୟ ହସ୍ତରେ ପୁତ୍ତଳିକାବତ୍‌ କ୍ରୀଡ଼ା କରୁଅଛନ୍ତି । ଭାଗ୍ୟ ଯେଉଁ ଆଡ଼କୁ ଘେନି ଯାଉଅଛି, ଆମ୍ଭମାନେ ସେ ଆଡ଼କୁ ଧାବିତ ହେଉଅଛୁଁ ।

 

ମାନବର ପାପ, ପୁଣ୍ୟ, ନିନ୍ଦା ଓ ଯଶପାଇଁ ପ୍ରକୃତରେ ମାନବ ନିଜେ ଦାୟୀ ନୁହେ । ଦାୟୀ ତାହାର ଭାଗ୍ୟ । ସେଥିପାଇଁ ଗୀତାକାର ମାନବର ପାପପୁଣ୍ୟପାଇଁ ମାନବକୁ ଦାୟୀ ନ କରି ତାହାର ଭାଗ୍ୟନିୟନ୍ତା ଭଗବାନଙ୍କୁ ଦାୟୀ କରି ଅଛନ୍ତି । ସେ କହି ଅଛନ୍ତି ଯେ ମାନବର ପାପପୁଣ୍ୟ ଈଶ୍ୱରଙ୍କ ପ୍ରେରଣା ଅଟେ ।

 

‘‘ଜାନାମି ଧର୍ମଂ ନ ଚ ମେ ପ୍ରବୃତ୍ତଃ

ଜାନାମ୍ୟଧର୍ମଂ ନ ଚ ମେ ନିବୃତ୍ତଃ ।

ତ୍ୱୟା ହୃଷୀକେଶ ହୃଦି ସ୍ଥିତେନ

ଯଥା ନିଯୁକ୍ତୋଽସ୍ମି ତଥା କରୋମି ।’’

 

(ମୁଁ ଧର୍ମ ଜାଣେ ଅଥଚ ସେପରି କାର୍ଯ୍ୟ କରିବାକୁ ମୋର ପ୍ରବୃତ୍ତି ହେଉ ନାହିଁ । ମୁଁ ଅଧର୍ମ ଜାଣେ ଅଥଚ ମୋର ସେଥିରୁ ନିବୃତ୍ତି ହେଉ ନାହିଁ । ହେ ଭଗବାନ୍‌ ତୁମ୍ଭେ ମୋର ହୃଦୟରେ ବର୍ତ୍ତମାନ ଥାଇ ମୋତେ ଯେପରି ଚଳାଉଅଛ ମୁଁ ସେହିପରି କରୁଅଛି ।)

 

ପାଶ୍ଚାତ୍ୟ ବିଜ୍ଞାନ ଭଗବାନଙ୍କ ଆସନରେ ପ୍ରକୃତିକୁ ଅଭିଷିକ୍ତ କରିଅଛି । ସେଥିପାଇଁ ପାଶ୍ଚାତ୍ୟ ପଣ୍ଡିତମାନେ ମାନବର ପାପ ପୂଣ୍ୟପାଇଁ ପ୍ରକୃତିକୁ ଦାୟୀ କରି ଅଛନ୍ତି । ପ୍ରକୃତିର ହସ୍ତରେ ଆମ୍ଭେମାନେ ପୁତ୍ତଳିକାବତ୍‌ କ୍ରୀଡ଼ା କରୁଅଛୁଁ । ବ୍ୟକ୍ତିର କାର୍ଯ୍ୟପାଇଁ ସମାଜ ତାହାକୁ ରାଜସିଂହାସନ ଦେଇପାରେ ଅଥବା ଫାଶିକାଷ୍ଠରେ ଝୁଲାଇ ପାରେ, କିନ୍ତୁ ତାହାର ପାପପୂଣ୍ୟପାଇଁ ସେ  ନିଜେ ଦାୟୀ ନୁହେ, ଦାୟୀ ବିଶ୍ୱପ୍ରକୃତି, ଦାୟୀ ତାହାର ଭାଗ୍ୟ ।

 

ପ୍ରକୃତିର ଘଟଣାବଳୀ ଯେପରି ଗଣନାଯୋଗ୍ୟ ଆମ୍ଭମାନଙ୍କର ପାପପୂଣ୍ୟ ମଧ୍ୟ ସେହିପରି ଗଣନାଦ୍ୱାରା ସ୍ଥିର କରା ଯାଇପାରେ । ବକ୍ଲ୍‍ (Buckle) ନାମକ ଜଣେ ପାଶ୍ଚାତ୍ୟ ପଣ୍ଡିତ ସମାଜର ଘଟଣାବଳୀ ସମ୍ୱନ୍ଧରେ ଭବିଷ୍ୟଦ୍‌ବାଣୀ କରୁଥିଲେ । ସେ ସ୍ଥିର କରିଥିଲେ ଯେ ଶସ୍ୟର ମୂଲ୍ୟ ସହିତ ବିବାହର ସଂଖ୍ୟା କମ ବେଶୀ ହୁଏ; ଲଣ୍ଡନ ଏବଂ ପାରିସ ନଗରୀରେ ଆତ୍ମହତ୍ୟାର ସଂଖ୍ୟା କଦାପି ପରିବର୍ତ୍ତିତ ହୁଏ ନାହିଁ; ସ୍ତ୍ରୀ ପୁରୁଷ ମଧ୍ୟରେ ଆତ୍ମହତ୍ୟାର ଅନୁପାତ ସବୁ ବର୍ଷ ସମାନ ଥାଏ । ନରହତ୍ୟାର ମୋଟ ସଂଖ୍ୟା କେବଳ ଯେ ସମାନ ଥାଏ ତାହା ନୁହେ; କୌଣସି ନିର୍ଦ୍ଦିଷ୍ଟ ଅସ୍ତ୍ରଦ୍ୱାରା ନରହତ୍ୟାର ସଂଖ୍ୟା ପ୍ରତିବର୍ଷ ସମାନ ଥାଏ । ମାନବ ଯଦି ଅବସ୍ଥାର ଅଧୀନ ନ ହୋଇ ସ୍ୱାଧୀନ ହୁଏ, ସେ କେତେ ବିବାହ, ଆତ୍ମହତ୍ୟା ଓ ନରହତ୍ୟା କରିବ ତାହା ଆମ୍ଭେମାନେ ପୂର୍ବରୁ କିପରି ସ୍ଥିର କରି ପାରିବୁଁ ? ବକ୍ଲ୍‍ କହି ଅଛନ୍ତି ମାନବ ପରାଧୀନ, ତାହାର କାର୍ଯ୍ୟାବଳୀ ଗଣନାଦ୍ୱାରା ନିର୍ଣ୍ଣୀତ ହୋଇପାରେ ।

 

ଆମ୍ଭମାନେ ଅକାରଣ ନିଜର ଦୁଷ୍କୃତିପାଇଁ ଅନୁତାପ ଏବଂ ସୁକୃତିପାଇଁ ଶ୍ଳାଘା ଅନୁଭବ କରୁଁ । ଯେତେବେଳେ କାର୍ଯ୍ୟ-କାରଣ ସମ୍ୱନ୍ଧରୂପ ଜଗତର ଗୂଢ଼ ରହସ୍ୟ ଅବଗତ ହେବୁଁ ସେତେବେଳେ ଏ ସବୁ ଭାବ ଆମ୍ଭମାନଙ୍କ ମନରୁ ଦୂରୀଭୂତ ହେବ । ସେତେବେଳେ ଶତ୍ରୁ ପ୍ରତି ହିଂସା କିମ୍ୱା ମିତ୍ର ପ୍ରତି କୃତଜ୍ଞତାର ଭାବ ଆମ୍ଭମାନଙ୍କ ହୃଦୟରୁ ଲିପ୍ତ ହେବ । ଯେଉଁ ଭାଗ୍ୟର ଅଧୀନ ହୋଇ ମିତ୍ର ଆମ୍ଭମାନଙ୍କ ସହିତ ମିତ୍ରତା କରୁଅଛି, ଶତ୍ରୁ ମଧ୍ୟ ତାହାରି ପ୍ରେରଣାରେ ଆମ୍ଭମାନଙ୍କ ସହିତ ଶତ୍ରୁତା କରୁଅଛି । ବାଳକ ମାଟିରେ ପଡ଼ିଯାଇ ମାଟିକୁ ପ୍ରହାର କରେ । ଆମ୍ଭେମାନେ ମଧ୍ୟ ସେହିପରି ଶତ୍ରୁ ମିତ୍ର ପ୍ରତି ଅକାରଣ କ୍ରୋଧ ଓ କୃତଜ୍ଞତା ପୋଷଣ କରୁଁ । ଯେଉଁ ନିୟମ ବଳରେ ସେମାନେ ଆମ୍ଭମାନଙ୍କର ଶତ୍ରୁ ମିତ୍ର ହୋଇ ଅଛନ୍ତି, ସେ ନିୟମ ପ୍ରତି ଆମ୍ଭେମାନେ ଉଦାସୀନ ରହୁଁ । ବସ୍ତୁର ଦୋଷ ଛାୟାରେ ଆରୋପିତ କରୁଁ । ଜ୍ଞାନୀ ଲୋକମାନେ ଭାଗ୍ୟସହିତ ବିବାଦ କରନ୍ତି ନାହିଁ । ସେଥିପାଇଁ ସମ୍ପଦରେ ଓ ବିପଦରେ, ସୁଖରେ ଏବଂ ଦୁଃଖରେ ସେମାନେ ଚିରଶାନ୍ତି ଭୋଗ କରନ୍ତି । ଯେତେବେଳେ ଆମ୍ଭେମାନେ ବୁଝୁଁ ଯେ ସାମାନ୍ୟ ତୃଣଠାରୁ ସର୍ବୋଚ୍ଚ ମାନବ ପର୍ଯ୍ୟନ୍ତ ଏକ ମହାନ୍‌ ଭାଗ୍ୟ-ଚକ୍ରରେ ଘୂର୍ଣ୍ଣିତ ହେଉ ଅଛନ୍ତି, ସେତେବେଳେ ନିଜର ତୁଚ୍ଛ ମାନ ଅଭିମାନ ପରିତ୍ୟାଗ କରି ଭାଗ୍ୟ ହସ୍ତରେ ଆମ୍ଭମାନଙ୍କର ଭୂତ, ବର୍ତ୍ତମାନ ଓ ଭବିଷ୍ୟତ୍‌, ଆମ୍ଭମାନଙ୍କର ସୁଖ ଓ ଦୁଃଖ, ହାସ୍ୟ ଓ କ୍ରନ୍ଦନ ସମସ୍ତ ସମର୍ପଣ କରି ଜଗତର ପ୍ରତ୍ୟେକ ବସ୍ତୁ ସହିତ ଗୋଟିଏ ମହାନ୍‌ ଐକ୍ୟ ଅନୁଭବ କରୁଁ ।

 

*‘ଉତ୍କଳ ସାହିତ୍ୟ’ର ୧୩୨୪ ଆଶ୍ୱିନ ସଂଖ୍ୟାରେ ପ୍ରକାଶିତ ।

☆☆☆

 

ଓଡ଼ିଆ କାହାଣୀ*

 

କାହାଣୀର କଳ୍ପନାଗୁଡ଼ି ଏପରି ଅସଙ୍ଗତ ଏବଂ ଅସ୍ୱଭାବିକ ଯେ ଅନେକେ ମନେ କରନ୍ତି ଯେ ବର୍ତ୍ତମାନ ଯୁଗରେ କାହାଣୀର କୌଣସି ଆବଶ୍ୟକତା ନାହିଁ । ସେ ଧାରଣା ଭୁଲ । ବାଳକ ବାଳିକାମାନଙ୍କର ଚିତ୍ତରଞ୍ଜନ ପାଇଁ ଏ ସବୁର ଆବଶ୍ୟକତା ଅଛି । ପୁନଶ୍ଚ, ମାନସିକ ବୃତ୍ତିଗୁଡ଼ିର କ୍ରଶବିକାଶ ବୁଝିବାକୁ ହେଲେ ଆମ୍ଭମାନଙ୍କୁ ପ୍ରାଚୀନ ମାନବର ଜ୍ଞାନ ଓ କଳ୍ପନା ବୁଝିବାକୁ ହୁଏ । କାହାଣୀଗୁଡ଼ି ପ୍ରଚୀନମାନଙ୍କର ଚିନ୍ତା, ଭାବ, ରୀତି, ନୀତି, ଆଚାର ଓ ବ୍ୟବହାରର ସାକ୍ଷ୍ୟ ଦିଅନ୍ତି । ସେଥିପାଇଁ ମନୋବିଜ୍ଞାନର ଉପାଦାନ ସ୍ୱରୂପ ସେ ସବୁର ଆବଶ୍ୟକତା ଅଛି । ନାନା କାରଣରୁ ଆମ୍ଭମାନଙ୍କର କାହାଣୀର ପ୍ରୟୋଜନ ଅଛି ।

 

ଭିନ୍ନ ଭିନ୍ନ ଦେଶର କାହାଣୀ ମଧ୍ୟରେ ଆମ୍ଭେମାନେ ଅନେକ ସୌସାଦୃଶ୍ୟ ଦେଖିବାକୁ ପାଉଁ । ସର୍ବକନିଷ୍ଠ ସନ୍ତାନ ଉପରେ ମନ୍ଦ ବ୍ୟବହାର କରା ହୁଏ; ସେହି ପୁଣି ସର୍ବଶେଷରେ ଜୟୀ ହୁଏ ଏବଂ ପିତୃ ଧନରେ ଅଧିକାରୀ ହୁଏ । ଯେଉଁ କନ୍ୟା ସହିତ ବିବାହ ସ୍ଥିର ହୋଇଥାଏ ତାହାରି ନାମରେ ଅନ୍ୟ କନ୍ୟାକୁ ବିବାହ ଦିଆଯାଏ । କୌଣସି ଯୁବକ ବୀର କୌଣସି କନ୍ୟାକୁ ହରଣ କରେ, ସେହି କନ୍ୟାର ଅସୁର ପିତା ତାହାର ପଶ୍ଚାଦ୍ଧାବନ କରେ, କିନ୍ତୁ ଯୁବକର ଚାତୁରୀରେ ସେ ପରାସ୍ତ ହୁଏ । କୌଣସି ଅମାନୁଷିକ ସ୍ୱାମୀ କିମ୍ୱା ସ୍ତ୍ରୀ କୌଣସି କାରଣରୁ ତାହାର ମାନବ ଦୋସରକୁ ଛାଡ଼ିବାକୁ ବାଧ୍ୟ ହୁଏ । କେତେଗୁଡ଼ି ନିଷିଦ୍ଧ ପ୍ରକୋଷ୍ଠ ଖୋଲା ହୋଇଅଛି ଏବଂ ତଦ୍ଦ୍ୱାରା ବିପଦର ସୂତ୍ରପାତ ହୋଇଅଛି । ଅନ୍ଧକାରମୟ ପାତଳପୁରୀକୁ ଅବତରଣ କରା ହୋଇଅଛି ଏବଂ ସେଠାରେ ଆହାର କରିବା ଦ୍ୱାରା ଲୋକେ ବିପନ୍ନ ହୋଇଛନ୍ତି । ସ୍ୱାମୀ ଓ ସ୍ତ୍ରୀ ପରସ୍ପର ସହିତ ସାକ୍ଷାତ୍‌ କରିବାକୁ କିମ୍ୱା ପରସ୍ପରର ନାମ ଧରିବାକୁ ନିଷିଦ୍ଧ ହୋଇଛନ୍ତି । ମୃତ ଲୋକର ଆତ୍ମାଗୁଡ଼ି ଜୀବଜନ୍ତୁର ଶରୀରରେ ପ୍ରବେଶ କରି ଅଛନ୍ତି । ମାନବ ଓ ପଶୁମାନେ ପରସ୍ପରର ସାହାଯ୍ୟ କରି ଅଛନ୍ତି । ଗୋଟାଏ ଜୀବ ଅନ୍ୟ ଜୀବରେ ରୂପାନ୍ତରିତ ହୋଇଅଛି । ମନୁଷ୍ୟ ଓ ପଶୁମାନେ ପରସ୍ପର ସହିତ ବିବାହ କରି ଅଛନ୍ତି । ନାରୀମାନେ ପଶୁ ସନ୍ତାନ ଜନ୍ମ କରିଅଛନ୍ତି ଏବଂ ପଶୁମାନେ ମାନବ ସନ୍ତାନ ଜନ୍ମ କରି ଅଛନ୍ତି । ନିର୍ଜୀବ ବସ୍ତୁଗୁଡ଼ି ମନ୍ତ୍ରଦ୍ୱାରା ବଶୀଭୂତ ହୋଇ ଅସାଧ୍ୟ-ସାଧନ କରି ଅଛନ୍ତି ଏବଂ ମନୁଷ୍ୟମାନଙ୍କ ପରି କଥା କହି ଅଛନ୍ତି ।

 

ଏ ସବୁ ସୌସାଦୃଶ୍ୟର କାରଣ କ’ଣ ? କେହି କେହି କହନ୍ତି, ଯେତେବେଳେ ଆର୍ଯ୍ୟମାନେ ମଧ୍ୟ ଆଶିୟାରେ ବାସ କରୁଥିଲେ, ସେମାନେ କେତେଗୁଡ଼ି ଆଦିମ କାହାଣୀ ରଚନା କରିଥିଲେ । ସେମାନେ ଯେତେବେଳେ ଭିନ୍ନ ଭିନ୍ନ ଭୂଖଣ୍ଡରେ ବ୍ୟାପ୍ତ ହେଲେ, ଏହି ଆଦିମ କାହାଣୀଗୁଡ଼ି ଦେଶକାଳ ଭେଦରେ ଭିନ୍ନ ଭିନ୍ନ ରୂପ ଧାରଣ କଲା । ଅନ୍ୟମାନେ କହନ୍ତି, ନିର୍ଭୀକ ସୌଦାଗରମାନେ ଏକ ଦେଶରୁ ଅନ୍ୟ ଦେଶକୁ ଗମନ କରନ୍ତି, ଏକ ଦେଶର ସ୍ତ୍ରୀ ପୁରୁଷ ଅନେକ ସମୟରେ ଅନ୍ୟ ଦେଶରେ ଦାସଦାସୀରୂପେ ବିକ୍ରିତ ହୁଅନ୍ତି । ସେମାନେ ଗୋଟାଏ ଦେଶର କାହାଣୀ ଅନ୍ୟ ଦେଶକୁ ନେଇ ଯାଇଅଛନ୍ତି । କୌଣସି କୌଣସି ପଣ୍ଡିତ ଏ ସବୁ ସୌସାଦୃଶ୍ୟର ଅନ୍ୟ କାରଣ ନିର୍ଦେଶ କରିଅଛନ୍ତି । ସେମାନେ କହନ୍ତି, ଜଡ଼ବସ୍ତୁ ପରି ମାନବର କଳ୍ପନା ମଧ୍ୟ ପ୍ରାକୃତିକ ନିୟମର ଅଧିନ ଅଟେ । ମାନସିକ ଅଭିବ୍ୟକ୍ତିର ସମାନ ସ୍ତରରେ ଉପନୀତ ହୋଇ ସମାନ ବାହ୍ୟାବସ୍ଥା ମଧ୍ୟରେ ଯଦି ଦୁଇ ବିଭିନ୍ନ ବ୍ୟକ୍ତି କଳ୍ପନା କରିବାକୁ ବସନ୍ତି ସେମାନଙ୍କ କଳ୍ପନାଫଳ ସମାନ ହେବ । ଜଣେ ଗ୍ରୀସର କବି ଓ ଜଣେ ଭାରତର କବି ସଭ୍ୟତାର ସମାନ ସୀମାରେ ଉପନୀତ ହୋଇ ଏକ ପ୍ରକାର ଦେଶକାଳ ମଧ୍ୟରେ ଅବସ୍ଥାନ କରି କଳ୍ପନା କରିବାକୁ ବସିଲେ ସେମାନଙ୍କ କଳ୍ପନା ମଧ୍ୟରେ ଆମ୍ଭେମାନେ ଅନେକ ସୌସାଦୃଶ୍ୟ ଦେଖିବାକୁ ପାଇବୁଁ । ହୋମାରଙ୍କ ଇଲିୟାଡ୍‌ ଓ ବାଲ୍ମୀକିଙ୍କ ରାମାୟଣ ମଧ୍ୟରେ ଯେଉଁମାନେ ସୌସାଦୃଶ୍ୟ ଦେଖି ବିସ୍ମିତ ହୁଅନ୍ତି ସେମାନେ ପୂର୍ବୋକ୍ତ କାରଣ ବିଷୟ ଚିନ୍ତା କରନ୍ତୁ । ଆମ୍ଭେମାନେ କୌଣସି ବିଶେଷ କାରଣର ପକ୍ଷପାତୀ ନୋହୁଁ । ଜଗତର ଇତିହାସରେ ପୂର୍ବୋକ୍ତ ସମସ୍ତ କାରଣଗୁଡ଼ି କାର୍ଯ୍ୟ କରିଅଛି ଏବଂ ଭିନ୍ନ ଭିନ୍ନ ଦେଶର ଧର୍ମ, କଳ୍ପନା ଓ ସାହିତ୍ୟ ମଧ୍ୟରେ ସୌସାଦୃଶ୍ୟ ସଙ୍ଘଟନ କରିଅଛି ।

 

କେହି କେହି କହନ୍ତି, ଉଡ଼ିଶ୍ୟାର ସମସ୍ତ କାହାଣୀ ଉଡ଼ିଶ୍ୟାରେ ରଚିତ ହୋଇଅଛି । ଉଡ଼ିଶ୍ୟା ଗିରି, ନଦୀ, ହ୍ରଦ, ବନ ଇତ୍ୟାଦିରେ ପରିପୂର୍ଣ୍ଣ । କାହାଣୀରେ ନଦୀ ଓ ହ୍ରଦବିହାରୀ ଜୀବମାନଙ୍କର ଏବଂ ବନରେ ବ୍ୟାଘ୍ର, ଭଲ୍ଲୁକ ପ୍ରଭୃତି ହିଂସ୍ର ଜନ୍ତୁମାନଙ୍କର ବର୍ଣ୍ଣନା ଅଛି । ଉଡ଼ିଶ୍ୟା ସମୁଦ୍ର ଉପକୂଳରେ ଅବସ୍ଥିତ ।  କାହାଣୀରେ ‘ନିର୍ଜନଦ୍ୱୀପ’, ‘ଗଣ୍ଡଭୈରବ ପକ୍ଷୀ’ ଇତ୍ୟାଦି ସମୁଦ୍ର-ସଂକ୍ରାନ୍ତ କଥାମାନ ବର୍ଣ୍ଣିତ ଅଛି । କିନ୍ତୁ ନଦୀ, ସମୁଦ୍ର, ହ୍ରଦ, ବନ—ଏ ସବୁ ତ ଉଡ଼ିଶ୍ୟାର ବିଶେଷ ସମ୍ପତ୍ତି ନୁହେଁ, ଏ ସବୁ ସମଗ୍ର ଭାରତର ସାଧାରଣ ସମ୍ପତ୍ତି । ଏଥିପାଇଁ ଆମ୍ଭେମାନେ ପୂର୍ବୋକ୍ତ ମତ ସମର୍ଥନ କରି ପାରିଲୁଁ ନାହିଁ । କେତେକ ଓଡ଼ିଆ କାହାଣୀ ଉଡ଼ିଶ୍ୟାର ନିଜସ୍ୱ ହୋଇପାରେ, ଅନ୍ୟ କେତେକ ଅନ୍ୟ ଦେଶରୁ ଆନୀତ ହୋଇପାରେ । କେଉଁ କାହାଣୀ ଅନ୍ତର୍ଜାତ କେଉଁଟା ବା ବହିର୍ଦେଶରୁ ଆନୀତ ତାହା ବର୍ତ୍ତମାନ ନିର୍ଣ୍ଣୟ କରିବାର ଉପାୟ ନାହିଁ ।

 

କାହାଣୀର ଚରିତ୍ର ମଧ୍ୟରେ ରଜା, ମନ୍ତ୍ରୀ, ସାଧବ ଓ କଟୁଆଳ ପ୍ରଧାନ । ସାଧବ ଅର୍ଥ ସୌଦାଗର । କଟୁଆଳ ଅର୍ଥ Police Superintendent—ପୁଲିସ ଅର୍ଥାତ୍‌ ଶାନ୍ତିରକ୍ଷକମାନଙ୍କର ଅଧ୍ୟକ୍ଷ । ରଜାପୁଅ ମନ୍ତ୍ରୀପୁଅ ମଧ୍ୟରେ ରଜାପୁଅ ବେଶ ଉଦାର, ମନ୍ତ୍ରୀପୁଅ ଅଧିକ ଚତୁର । ରଜାର ଯେପରି ମନ୍ତ୍ରୀ ସହାୟ, ରଜାପୁଅର ସେହିପରି ମନ୍ତ୍ରୀପୁଅ ସହାୟ । ଦୁଇ ଜଣଙ୍କ ମଧ୍ୟରେ ପ୍ରଗାଢ଼ ବନ୍ଧୁତା । ରଜାପୁଅ ବିଦେଶ ଗଲେ ମନ୍ତ୍ରୀପୁଅ ସଙ୍ଗେ ସଙ୍ଗେ ଯାଏ । ରଜାପୁଅ କଦାଚ ଗୁଣହୀନ ହୁଏ ନାହିଁ । ତାକୁ ବଣରେ ଛାଡ଼ି ଦେଇ ଆସିଲେ ମଧ୍ୟ ସେ ନିଜ ଗୁଣ ଏବଂ ଭାଗ୍ୟ ବଳରେ ରାଜଗାଦି ପାଏ ଏବଂ ରଜାର ଝିଅକୁ ବିଭା ହୁଏ । ସ୍ତ୍ରୀ ଲୋକଙ୍କର ଗୋଟିଏ ବିଶେଷ ଦୋଷ ଯେ ଥରେ ସେମାନଙ୍କର କୌତୂହଳ ଜାଗ୍ରତ ହେଲେ ଆଉ ତାହା ଦମନ କରିବା ସହଜ ନୁହେଁ । କଥିତ ଅଛି ଯେ ଜଗନ୍ନାଥ ଯେ ଅଙ୍ଗହୀନ ହେଲେ ତାହା କେବଳ ସ୍ତ୍ରୀ ଦୋଷରୁ । ତାଙ୍କର ନିର୍ମାଣ କାର୍ଯ୍ୟ ଶେଷ ହୋଇ ନାହିଁ, ଏଣେ ସ୍ତ୍ରୀ ଲୋକର ଆଉ ତର ସହିଲା ନାହିଁ; ରୁଦ୍ଧ ଘରର କବାଟ ଫିଟାଇବାକୁ ଜିଦ୍‌ କଲା । ତେଣୁ ଜଗନ୍ନାଥ ଅଙ୍ଗହୀନ ହେଲେ ।

ଦେବତାମାନଙ୍କ ମଧ୍ୟରେ ଶିବ ଓ ପାର୍ବତୀ ପ୍ରଧାନ । ନିଃଶବ୍ଦ ରାତ୍ରିରେ ମର୍ତ୍ତ୍ୟ ପ୍ରଦକ୍ଷିଣ କରିବା ସକାଶେ ଏମାନେ ସ୍ୱର୍ଗରୁ ଅବତରଣ କରନ୍ତି । କାହାରିକୁ ଦୁର୍ଦ୍ଦଶାପନ୍ନ ଦେଖିଲେ ସେମାନେ ତାହାର ସାହାଯ୍ୟ କରନ୍ତି । ଅସୁରମାନେ କିନ୍ତୁ ମାନବର ଚିରଶତ୍ରୁ । ସେମାନେ ବହୁଭୋଜୀ ଓ ମନୁଷ୍ୟଭୋଜୀ । ଅସ୍ତ୍ରକୁ ସେମାନଙ୍କର ବଡ଼ ଡର ।

ଜୀବଜନ୍ତୁମାନଙ୍କ ମଧ୍ୟରେ ହସ୍ତୀ ପ୍ରଧାନ । ରାଜ୍ୟ ଯେତେବେଳେ ରାଜହୀନ ହୁଏ ହସ୍ତୀ  ମୁଣ୍ଡରେ ପାଣିକଳଶ ରଖାଯାଏ । ସେ ସେହି ପାଣିକଳଶକୁ ଯାହା ମୁଣ୍ଡରେ ଢାଳି ଦିଏ ସେ ରାଜ୍ୟର ରଜା ହୁଏ । ଅଥବା ରାଜକନ୍ୟାର ବରପାତ୍ର ଆବଶ୍ୟକ । ହସ୍ତୀ ଯାହା ମୁଣ୍ଡରେ ପାଣିକଳଶ ଢାଳି ଦିଏ ସେ ସେହି ରାଜକନ୍ୟାକୁ ବିବାହ କରେ । ସୌଭାଗ୍ୟ ସହିତ ହସ୍ତୀର କିପରି ଗୋଟାଏ ସମ୍ପର୍କ ଅଛି । ପ୍ରାଚୀନ କାଳରେ ଏପରି କୌଣସି ପ୍ରଥା ଥିଲା, ନା ଏହା କେବଳ କବିକଳ୍ପନା ?

କାହାଣୀ ମଧ୍ୟରେ ଅଚେତନ ବସ୍ତୁଗୁଡ଼ି ମଧ୍ୟ ସଚେତନର କାର୍ଯ୍ୟ କରନ୍ତି । ମହାଜନ ପୁଅର ଆଦେଶରେ ରାତିକ ମଧ୍ୟରେ ମଣି ଗୋଟିଏ ଅତ୍ୟାଶ୍ଚର୍ଯ୍ୟ ପ୍ରାସାଦ ନିର୍ମାଣ କରି ପକାଇଲା-। ସେହି ମଣି ପୁଣି ଅନ୍ୟ ହସ୍ତକୁ ଯାଇ ମହାଜନ ପୁଅର ସର୍ବନାଶ କଲା ।

 

କାହାଣୀ ଆମ୍ଭମାନଙ୍କୁ ଅତୀତ ଯୁଗର ସମ୍ୱାଦ ଦିଏ । ସେ ଯୁଗରେ ଲୋକେ ଇହସର୍ବସ୍ୱବାଦୀ ନ ଥିଲେ । ସେମାନଙ୍କ ଜଗତ ଚାରି ଭାଗରେ ବିଭକ୍ତ ଥିଲା । ସର୍ବୋପରି ଦେବଲୋକ । ସେଠାରେ ଦେବତାମାନେ ବାସ କରନ୍ତି । ତାହା ତଳେ ପିତୃଲୋକ । ଏଠାରେ ପିତୃପୁରୁଷମାନେ ବାସ କରନ୍ତି । ଏମାନେ ମନୁଷ୍ୟମାନଙ୍କର ପ୍ରଥମ ଜନୟିତା ।  ମନୁଷ୍ୟମାନଙ୍କୁ ସେମାନେ ମାନସ ପ୍ରଭାବରୁ ଜନ୍ମ କରିଅଛନ୍ତି । ଆଶ୍ୱିନ କୃଷ୍ଣପକ୍ଷରେ ହିନ୍ଦୁମାନେ ଏମାନଙ୍କର ତର୍ପଣ କରନ୍ତି । ମନୁଷ୍ୟଜାତିର ଜନ୍ମ ବିଷୟରେ ବର୍ତ୍ତମାନର ବିଜ୍ଞାନ ଅନ୍ୟ ମତ ପୋଷଣ କରେ । ପିତୃଲୋକ ତଳେ ନରଲୋକ ଏବଂ ନରଲୋକ ତଳେ ନାଗଲୋକ । ନାଗଲୋକରେ ସର୍ପମାନେ ବାସ କରନ୍ତି । ଏହି ସର୍ପମାନେ ମନୁଷ୍ୟମାନଙ୍କ ପରି କଥା କହନ୍ତି ଏବଂ ସେମାନଙ୍କ ରୀତି, ନୀତି, ଆଚାର, ବ୍ୟବହାର ମନୁଷ୍ୟମାନଙ୍କ ପରି । ପ୍ରାଚୀନ ମାନବ ନିଜର ସ୍ୱରୂପରେ ଜଗତ କଳ୍ପନା କରୁଥିଲା । ଏହାକୁ ଇଂରାଜୀରେ anthroponnorphism ଅର୍ଥାତ୍‌ ମାନବତ୍ୱ-ସମାରୋପଣ-ରୀତି କୁହାଯାଏ । ଅନେକଙ୍କ ମତରେ ଭଗବାନ ମନୁଷ୍ୟ ସ୍ୱରୂପରେ ଗଠିତ ହୋଇ ଅଛନ୍ତି । ବିଜ୍ଞାନ ଆଦିମ ମାନବର ଏହି ଭ୍ରାନ୍ତିକୁ ଦୂର କରୁଅଛି ।

 

କାହାଣୀରେ ମନ୍ଦିର ଦେଉଳର ଏତେ କଥା ଶୁଣୁଁ, ମସ୍‌ଜିଦର କଥା ତ କିଛି ଶୁଣୁଁ ନା । ସେ କାଳରେ କି ମୁସଲମାନମାନେ ଉଡ଼ିଶ୍ୟା ପ୍ରବେଶ କରି ନ ଥିଲେ ? କାହାଣୀରେ ସାଧବ ପୁଅର ବୋଇତ ବାଣିଜ୍ୟ କଥା ଶୁଣା ଯାଏ । ପୁଣି କାର୍ତ୍ତିକପୂର୍ଣ୍ଣିମା ବାସୀ ଦିନ ଓଡ଼ିଆମାନେ ଶୋଲର କିମ୍ୱା କଦଳି ପଟୁଆର ଡଙ୍ଗାମାନ ତିଆରି କରି ନଦୀରେ ଭସାଇ ଦିଅନ୍ତି । କାହାଣୀଯୁଗରେ ଓଡ଼ିଆମାନେ ସମୁଦ୍ରଯାତ୍ରା କରୁଥିଲେ । ରଜାର ଝିଅ ଘୋଡ଼ାରେ ଚଢ଼ି ବିଦେଶ ଯାତ୍ରା କରୁଅଛି । ଅବରୋଧ ପ୍ରଥା କି ସେ କାଳରେ ଉଡ଼ିଶ୍ୟାରେ ପ୍ରବେଶ କରି ନ ଥିଲା ? ବିହାର ପ୍ରଦେଶରେ କାହାଣୀମାନଙ୍କରେ ଦସ୍ୟୁ ତସ୍କରର କଥା ସଚରାଚର ଶୁଣିବାକୁ ପାଉଁ । ଓଡ଼ିଆ କାହାଣୀମାନଙ୍କରେ ସେ ସବୁର କଥା କିବା ଯୁଦ୍ଧ ବିଗ୍ରହ କଥା ଶୁଣିବାକୁ ମିଳେ ନାହିଁ । କେଉଁ ଶାନ୍ତିମୟ ଯୁଗରେ ଓଡ଼ିଆ କାହାଣୀମାନ ରଚିତ ହୋଇଥିଲା ତାହା ବର୍ତ୍ତମାନ ସ୍ଥିର କରିବା ସମ୍ଭବପର ନୁହେଁ ।

 

ଉତ୍କଳର ଭାବ ରାଜ୍ୟରେ କାହାଣୀ କେଉଁ ସ୍ଥାନ ପାଇଅଛି ତାହା ଆମ୍ଭେମାନେ କବି ନନ୍ଦକିଶୋର ବଳଙ୍କ କବିତାରୁ ବୁଝି ପାରିବୁଁ ।

 

‘‘ସରଳା କୁମାରୀକୁଳ କହିଣ କାହାଣୀ

ହସି ଖେଳି ଦେଖାଇଲେ କି ମୋହନ ଠାଣି !

ସୁଖର ସେ ହାଟ ଏବେ ଭାଙ୍ଗି ଯାଇଅଛି,

କେଉଁଆଡ଼େ କିଏ କେବେ ଚାଲି ଯାଇଅଛି ।’’

 

* କଟକ ‘ଆଲୋଚନା ସଭାରେ’ ପଠିତ ।

☆☆☆

 

ନିଟ୍‌ଜେଙ୍କ ଦାର୍ଶନିକ ମତ*

 

ଫ୍ରେଡେରିକ୍‍ ନିଟ୍‌ଜେ ବର୍ତ୍ତମାନ କାଳର ଜଣେ ବିଖ୍ୟାତ ଦାର୍ଶନିକ । ସେ ଜାର୍ମାନୀ ଦେଶରେ ରୁକେନ ଗ୍ରାମରେ ୧୮୪୪ ଖ୍ରୀଷ୍ଟାବ୍ଦରେ ଜନ୍ମଗ୍ରହଣ କରି ସନ ୧୯୦୦ ମସିହା ଅଗଷ୍ଟ ମାସ ୨୫ ତାରିଖରେ ଉଇମାର ନଗରରେ ପ୍ରାଣତ୍ୟାଗ କଲେ । ନିଟ୍‌ଜେ ସାଧୁ, ସତ୍ୟପ୍ରିୟ ଏବଂ କୋମଳସ୍ୱଭାବ ଥିଲେ । ସତ୍ୟାନୁସନ୍ଧାନ ତାଙ୍କ ଜୀବନର ପ୍ରବଳତମ ଆକାଂକ୍ଷା ଥିଲା । ତାଙ୍କ ପିତା ଏବଂ ପ୍ରପିତାମହ ଧର୍ମଯାଜକ ଥିଲେ । ସେ ମଧ୍ୟ ବାଲ୍ୟକାଳରେ ଧର୍ମବିଶ୍ୱାସୀ ଥିଲେ, କିନ୍ତୁ ଯୌବନର ପ୍ରାରମ୍ଭରେ ତାଙ୍କର ଧର୍ମବିଶ୍ୱାସ ତାଙ୍କୁ ପରିତ୍ୟାଗ କରିଥିଲା । ପ୍ରଚଳିତ ନୀତିରେ ମଧ୍ୟ ତାଙ୍କର ବିଶ୍ୱାସ ରହିଲା ନାହିଁ । ସେ ନୀତି ଏବଂ ଧର୍ମରାଜ୍ୟରେ ମହାନ୍‌ ବିପ୍ଳବ ସଙ୍ଘଟିତ କରି ଯାଇଅଛନ୍ତି । ତାଙ୍କର ନୀତି ଅବଲମ୍ୱନ କରି ଇଉରୋପର କ୍ଷମତାଶାଳୀ ଜାତିମାନେ ମହା ସମରାଙ୍ଗନରେ ପ୍ରବିଷ୍ଟ ହୋଇଅଛନ୍ତି । ଜାର୍ମାନୀର ଏହି ଚାର୍ବାକଙ୍କ ମତ କାହାରି ଉପେକ୍ଷଣୀୟ ହୋଇ ନ ପାରେ ।

 

ମାନବ ଏବଂ ଜଗତ୍‌ ଏହି ଦୁଇଗୋଟି ବିଷୟ ଆଲୋଚନା କରି ନିଟ୍‌ଜେ ସ୍ଥିର କରିଅଛନ୍ତି ଯେ ମାନବ ମଧ୍ୟରେ ଆତ୍ମା ନାହିଁ କିମ୍ୱା ଜଗତ୍‌ ମଧ୍ୟରେ ପରମାତ୍ମା ନାହିଁ । ମାନବ ଜଡ଼ ପରମାଣୁର ସମଷ୍ଟି ମାତ୍ର । ଜଡ଼ ପରମାଣୁଗୁଡ଼ିକ ବିଶେଷ ଭାବରେ ସଂଯୁକ୍ତ ହୋଇ ଜ୍ଞାନ ଭାବ ଇଚ୍ଛା ରୂପ ମାନବର ଚୈତନ୍ୟକ୍ରିୟାଗୁଡ଼ିକ ସମ୍ପାଦନ କରୁଅଛନ୍ତି । ଏହି ଜଡ଼ପିଣ୍ଡ ଯେତେବେଳେ ମୃତ୍ୟୁର ଆଘାତରେ ଭାଙ୍ଗି ଯିବ, ସେତେବେଳେ ମାନବ-ଚୈତନ୍ୟ ଚିରକାଳପାଇଁ ଲୁପ୍ତ ହେବ । ଯେଉଁ ଅଲଙ୍ଘନୀୟ ନିୟମମାନ ପ୍ରକୃତି ମଧ୍ୟରେ କାର୍ଯ୍ୟ କରୁଅଛି, ତାହା ମାନବ ମଧ୍ୟରେ ସୁଦ୍ଧା କାର୍ଯ୍ୟ କରୁଅଛି । ସେହି ନିୟମଗୁଡ଼ିକର ହସ୍ତରୁ ମାନବର ମୁକ୍ତି ନାହିଁ । ସେହି ନିୟମଗୁଡ଼ିକର ପ୍ରଭାବରେ ମାନବ ହସେ, କାନ୍ଦେ, ପାପ କରେ, ପୁଣ୍ୟ କରେ, ଜନ୍ମଲାଭ କରେ, ପୁଣି ମୃତ୍ୟୁମୁଖରେ ପତିତ ହୁଏ । ମାନବ ଅନାୟତ୍ତ । ସେ ଭାଗ୍ୟର ଚକ୍ରରେ ସଦା ଘୂର୍ଣ୍ଣିତ ହେଉଅଛି । ଆମ୍ଭେମାନେ ଯାହାକୁ ସ୍ୱାଧୀନ ଇଚ୍ଛା କହୁଁ ତାହା ଗୋଟିଏ କଳ୍ପନା ମାତ୍ର । ପୂର୍ବକୃତ କାର୍ଯ୍ୟପାଇଁ ମାନବର ଅନୁତାପ କରିବା ଉଚିତ ନୁହେ, କାରଣ ସେ ସେଥିପାଇଁ ଦାୟୀ ନୁହେଁ ।

 

ନୀତି ସମ୍ୱନ୍ଧରେ ନିଟ୍‌ଜେ ଅଭିନବ ସତ୍ୟ ପ୍ରକାଶ କରି ଯାଇ ଅଛନ୍ତି । ନୀତି ଏକ ନୁହେ; ନୀତି ବହୁ । ଯେପରି ଦେଶକାଳର ପରିବର୍ତ୍ତନରେ ଈଶ୍ୱରଙ୍କ ସ୍ୱରୂପ ପରିବର୍ତ୍ତିତ ହେଉଅଛି ସେହିପରି ନୀତି ମଧ୍ୟ ପରିବର୍ତ୍ତିତ ହେଉଅଛି । ଆଜି ଯାହା ଭଲ, କାଲି ତାହା ମନ୍ଦ ହୋଇପାରେମୋଠାରେ ଯାହା ମନ୍ଦ, ଅନ୍ୟଠାରେ ତାହା ଭଲ ହୋଇପାରେ । ପୂର୍ବ କାଳରେ ବିବାହ ଗୋଟାଏ ଅପରାଧ ମଧ୍ୟରେ ଗଣ୍ୟ ହେଉଥିଲା, କାରଣ ସେ କାଳରେ ସମସ୍ତ ସ୍ତ୍ରୀ ସମାଜର ସମସ୍ତ ପୁରୁଷଙ୍କର ସାଧାରଣ ବିଷୟରୂପେ ପରିଗଣିତ ହେଉଥିଲା । ସେଥିପାଇଁ କୌଣସି ପୁରୁଷ ଯଦି ବିବାହଦ୍ୱାରା କୌଣସି ନିଦ୍ଦିଷ୍ଟ ସ୍ତ୍ରୀ ଉପରେ ବିଶେଷ ଅଧିକାର ସ୍ଥାପନ କରିବାକୁ ପ୍ରୟାସୀ ହେଉଥିଲା, ତାହାର ସେହି ଅପରାଧ ପାଇଁ ତାହାକୁ ଅର୍ଥଦଣ୍ଡ ଦେବାକୁ ହେଉଥିଲା । ବର୍ତ୍ତମାନ କାଳର ନୀତି ତାହାର ବିପରୀତ ଅଟେ । ଯଦି କେହି ପୁରୁଷ ବିବାହ ନ କରି କୌଣସି ସ୍ତ୍ରୀ ସହିତ ମିଳିତ ହୁଏ, ସେ ଅପରାଧୀ ମଧ୍ୟରେ ଗଣ୍ୟ ହୁଏ । ଅକାରଣ ପରରାଜ୍ୟ ଲୁଣ୍ଠନ କରିବା କିମ୍ୱା ତାହା ଅପହରଣ କରିବା ବର୍ତ୍ତମାନ ଯୁଗରେ ଅତ୍ୟନ୍ତ ଦୋଷାବହ ଅଟେ, କିନ୍ତୁ ପୂର୍ବକାଳରେ ତାହା ଗୋଟିଏ ଗୌରବର ବିଷୟ ଥିଲା । ଆମ୍ଭେମାନେ ଦିଲୀପଙ୍କର ଦିଗ୍‌ବିଜୟ ସମ୍ୱନ୍ଧରେ କବିଙ୍କର ଉଚ୍ଛ୍ୱାସପୂର୍ଣ୍ଣ ଗୀତି ଶ୍ରବଣ କରିଅଛୁଁ । ଏହିପରି ନାନା ବିଷୟରେ ନୀତି ପରିବର୍ତ୍ତିତ ହୋଇ ଯାଉଅଛି ।

 

ନିଟ୍‌ଜେ ଜଗତର ଦୁଇ ପ୍ରକାର ବିଶେଷ ନୀତିର ଆଲୋଚନା କରି ଯାଇଅଛନ୍ତି—ପ୍ରଭୁ-ନୀତି (master-morality) ଏବଂ ଦାସ-ନୀତି (slave-morality) । ପ୍ରଭୁମାନେ ଯାହାକୁ ଭଲ କହନ୍ତି, ଦାସମାନେ ତାହାକୁ ମନ୍ଦ କହନ୍ତି; ଦାସମାନେ ଯାହାକୁ ଭଲ କହନ୍ତି, ପ୍ରଭୁମାନେ ତାହାକୁ ମନ୍ଦ କହନ୍ତି । ସଭ୍ୟତାର ଉଦୟକାଳରେ ଜଗତର ଭିନ୍ନ ଭିନ୍ନ ଅଂଶରେ ବଳିଷ୍ଠ ଓ ଚତୁର ଲୋକମାନେ ଦୁର୍ବଳ ଏବଂ ମୁର୍ଖ ଲୋକମାନଙ୍କୁ ପରାଜିତ କରି ସେମାନଙ୍କ ଉପରେ ଆଧିପତ୍ୟ ସ୍ଥାପନ କରିବାକୁ ଲାଗିଲେ । ଏହି ପରାକ୍ରମୀ ଲୋକମାନଙ୍କର ବଂଶଧରମାନେ ଭିନ୍ନ ଭିନ୍ନ ଦେଶରେ ରାଜା, ଲର୍ଡ, ନୋବଲ, କାଉଣ୍ଟ ଇତ୍ୟାଦି ନାମରେ ଅଭିହିତ ହୋଇଅଛନ୍ତି । ଏହି ଶକ୍ତିଶାଳୀ ଲୋକମାନେ ସାଧାରଣ ଲୋକଙ୍କର ଭୀତିର କାରଣ ହୋଇଥିଲେ । ସେମାନଙ୍କୁ ବଶୀଭୂତ କରିବାପାଇଁ ଏମାନେ ସେମାନଙ୍କ ଉପରେ ବିଶେଷ ଅତ୍ୟାଚାର କରୁଥିଲେ । ଏହି ଅତ୍ୟାଚାରଗୁଡ଼ିକୁ ପ୍ରଭୁମାନେ ଗୌରବର ବିଷୟ ମନେ କଲେହେଁ ଦାସମାନେ ତାକୁ ଘୃଣା-ଚକ୍ଷୁରେ ଦେଖୁଥିଲେ । ବାଜ ପକ୍ଷୀ ଯଦି ମେଷ-ଶାବକକୁ ଘେନି ପଳାୟନ କରେ, ମେଷ-ଶାବକ ତାହା ଦୋଷାବହ ମନେ କରି ପାରେ, କିନ୍ତୁ ବାଜ ପକ୍ଷୀ ନିଜର କାର୍ଯ୍ୟକୁ ଶ୍ଳାଘାର ବିଷୟ ମନେ କରିବ ନାହିଁ କି ? ଏହିରୂପେ ଜଗତର ଦୁଇ ବିପରୀତ ନୀତିର ପ୍ରଚଳନ ହେଲା । ଦୁର୍ବଳ ଉପରେ ଅତ୍ୟାଚାର, ପରସ୍ୱ-ଲୁଣ୍ଠନ, କ୍ରୋଧ, ହିଂସା ଇତ୍ୟାଦିକୁ ପ୍ରଭୁଜାତି ଶ୍ଳାଘାର ବିଷୟ ମନେ କରୁଥିଲେ; କିନ୍ତୁ ଦାସଜାତି ତାହା ଗର୍ହିତ ମଣୁଥିଲେ । କାରଣ ଏହିସବୁ କର୍ମଦ୍ୱାରା ପ୍ରଭୁମାନଙ୍କର କ୍ଷମତା ବର୍ଦ୍ଧିତ ହେଉଥିଲା, କିନ୍ତୁ ଦାସମାନଙ୍କର ବିନାଶ-ସାଧନ ହେଉଥିଲା । ପକ୍ଷାନ୍ତରେ ସ୍ନେହ, ମାୟା, ଦୟା, ସହାନୁଭୂତି ଇତ୍ୟାଦିକୁ ଦାସମାନେ ପୂଣ୍ୟ ମନେ କରୁଥିଲେ; କିନ୍ତୁ ପ୍ରଭୁମାନେ ସେ ସବୁକୁ ଦୋଷ ଓ ଦୁର୍ବଳତା ଭାବୁଥିଲେ, କାରଣ ତଦ୍ଦ୍ୱାରା ସେମାନଙ୍କର ଶକ୍ତିର ବିକାଶ ନ ହୋଇ ଅପଚୟ ହେଉଥିଲା । ଆଜିକାଲି ଜର୍ମାନୀ ସର୍ବିୟା, ବେଲ୍‌ଜିୟମ ପ୍ରଭୃତି ଦେଶ ଉପରେ ଭୀଷଣ ଅତ୍ୟାଚାର କରୁଅଛି ଏବଂ ଏପରି କରିବା ଆବଶ୍ୟକ ମଧ୍ୟ ମନେ କରୁଅଛି, କାରଣ ବିଜିତ ଦେଶ ସବୁକୁ ବଶୀଭୂତ କରିବା ଏବଂ ନିଜ କ୍ଷମତା ବୃଦ୍ଧି କରିବାର ଅନ୍ୟ ଉପାୟ ନାହିଁ । ଏହିରୂପେ ନୀତିର ଦୁଇଗୋଟି ମାନଦଣ୍ଡ ଅଛି । ଏକ ମାନଦଣ୍ଡ ଅନୁସାରେ ଯାହା ଅଧିକ ସଂଖ୍ୟକ ବ୍ୟକ୍ତିଙ୍କର ହିତକର ତାହାହିଁ ନ୍ୟାୟ, ଯାହା ସେମାନଙ୍କର ଅନିଷ୍ଟକର ତାହା ଅନ୍ୟାୟ । ଅନ୍ୟ ମାନଦଣ୍ଡ ଅନୁସାରେ ଯାହା ଅତ୍ୟଳ୍ପ ସଂଖ୍ୟକ ବଳିଷ୍ଠ ବ୍ୟକ୍ତିଙ୍କର କ୍ଷମତାବୃଦ୍ଧିର ସହାୟତାହାହିଁ ନ୍ୟାୟ, ଯାହା ସେହି କ୍ଷମତାବୃଦ୍ଧିର ଅନ୍ତରାୟ ତାହା ଅନ୍ୟାୟ । ନିଟ୍‌ଜେ ପ୍ରଭୁ-ନୀତିର ପକ୍ଷପାତୀ ଥିଲେ । ତାଙ୍କ ମତରେ ଅଧିକାଂଶ ବ୍ୟକ୍ତି ବିନାଶପ୍ରାପ୍ତ ହେଉନ୍ତୁ କିମ୍ୱା ଦାସତ୍ୱ-ଶୃଙ୍ଖଳରେ ଆବଦ୍ଧ ହୋଇ ଦୁଃଖ ଭୋଗ କରନ୍ତୁ ସେଥିରେ କ୍ଷତି ନାହିଁ; କିନ୍ତୁ ତଦ୍ଦ୍ୱାରା ଯଦି ଅତ୍ୟଳ୍ପସଂଖ୍ୟକ ବ୍ୟକ୍ତି ଶକ୍ତି, ସୌନ୍ଦର୍ଯ୍ୟ, ସଭ୍ୟତା ଏବଂ ଉନ୍ନତିର ଅତ୍ୟୁଚ୍ଚ ଶିଖରରେ ଆରୋହଣ କରନ୍ତି, ତାହାହେଲେ ତଦ୍ଦ୍ୱାରା ଜଗତର ମଙ୍ଗଳ ସମ୍ପାଦିତ ହେବ । ଇଉରୋପର ଅତି ଅଳ୍ପସଂଖ୍ୟକ ସ୍ୱାଧୀନ ସଭ୍ୟ ଜାତି ପୃଥିବୀର ଅସଂଖ୍ୟ ପରପଦାନତ ଅସଭ୍ୟ ଜାତିର ମସ୍ତକରେ ଦଣ୍ଡାୟମାନ ହୋଇ ସଭ୍ୟତା ଏବଂ ଉନ୍ନତିର ସର୍ବୋଚ୍ଚ ଶିଖରକୁ ଆରୋହଣ କରୁଅଛନ୍ତି । ନିଟ୍‌ଜେ ଆଶା କରନ୍ତି, ଏହି ଉନ୍ନତି ଜାତିମାନେ ପ୍ରଭୁ-ନୀତି ଅବଲମ୍ୱନ କରି ଏକକାଳରେ ଗୋଟାଏ ମହୋନ୍ନତ ମାନବ-ଜାତି (superman) ସୃଷ୍ଟି କରିବେ । ବର୍ତ୍ତମାନର ମାନବ-ଜାତି ପଶୁମାନଙ୍କଠାରୁ ଯେପରି ଶ୍ରେଷ୍ଠ, ସେହି ଭାବୀ ମାନବ-ଜାତି ବର୍ତ୍ତମାନର ମାନବ-ଜାତିଠାରୁ ସେହିପରି ଶ୍ରେଷ୍ଠ ହେବେ । ସେହି ମହାମାନବଜାତିକୁ ସୃଷ୍ଟି କରିବାପାଇଁ ଜଗତକୁ ନାନା ଦୁଃଖପୂର୍ଣ୍ଣ ବିନାଶ-କ୍ଷେତ୍ର ମଧ୍ୟ ଦେଇ ଅଗ୍ରସର ହେବାକୁ ହେବ । ନିଟ୍‌ଜେ ସମରର ପକ୍ଷପାତୀ ଥିଲେ, କାରଣ ଏତଦ୍ଦ୍ୱାରା ଦୁର୍ବଳ, ଅସୁନ୍ଦର, ମୂର୍ଖ ଏବଂ ଅସଭ୍ୟ ଜାତିମାନେ ବିନଷ୍ଟ ହୋଇ ପ୍ରବଳ, ସୁନ୍ଦର, କୌଶଳୀ ଏବଂ ସଭ୍ୟ ଜାତିମାନେ ଜଗତକୁ ପ୍ଳାବିତ କରନ୍ତି । ଜଗତ ଜ୍ଞାନ, ଶକ୍ତି ଏବଂ ସୌନ୍ଦର୍ଯ୍ୟ ଆଡ଼କୁ ଧାବିତ ହେଉଅଛି । କିନ୍ତୁ ସେହି ଶକ୍ତିର ପଥ ବଡ଼ କଣ୍ଟକମୟ । ଲକ୍ଷ ଲକ୍ଷ, କୋଟି କୋଟି ଲୋକଙ୍କର ହାହାକାର ମଧ୍ୟରେ ସେହି ନୂତନ ଜଗତ୍‌ ପ୍ରସୂତ ହେଉଅଛି । ଅସଭ୍ୟ ଜାତିମାନେ ଜନ୍ମ-ନିୟନ୍ତ୍ରଣ କରି ଅଥବା ବ୍ରହ୍ମଚର୍ଯ୍ୟ ଅବଲମ୍ୱନ କରି ନିଜର ଅସ୍ତିତ୍ୱ ଲୋପ କରି ପାରନ୍ତି, କିନ୍ତୁ ସେ ବୁଦ୍ଧି ସେମାନଙ୍କୁ ଦିଶୁ ନାହିଁ ।

 

ମାନବଜାତିର ଉନ୍ନତିପାଇଁ ବିବାହର ସଂସ୍କାର ଆବଶ୍ୟକ । ଯେଉଁମାନେ ବିବାହ କରିବେ ସେମାନେ ବିବାହର ଉପଯୁକ୍ତ କି ନା ତାହା ଅଗ୍ରେ ଦେଖିବା ଆବଶ୍ୟକ । ଯଦି କେହି ଚିରରୁଗ୍ଣ କିମ୍ୱା ମହାବ୍ୟାଧିଗ୍ରସ୍ତ ଥାଏ ତାହାର ବିବାହ କରିବା ଉଚିତ ନୁହେ । ଯେଉଁମାନେ ବିବାହ କରିବେ ସେମାନଙ୍କ ପାଖ‌ରୁ ବିବାହ ପୂର୍ବରୁ ସ୍ୱାସ୍ଥ୍ୟ ସମ୍ୱନ୍ଧରେ ପ୍ରଶଂସାପାତ୍ର (medical certificate) ଆଦାୟ କରିବା ଆବଶ୍ୟକ । ନିଟ୍‌ଜେ ପରୀକ୍ଷାର୍ଥ ଅସ୍ଥାୟୀ ବିବାହର (Trial marriage) ପକ୍ଷପାତୀ ଥିଲେ । ଯେଉଁମାନେ ଉପଯୁକ୍ତ ପାତ୍ର-ପାତ୍ରୀରେ ସଂଯୁକ୍ତ ହୋଇ ନ ଥିବେ, ସେମାନେ ଏହି ପରୀକ୍ଷା କାଳ ମଧ୍ୟରେ ବିବାହ ଭାଙ୍ଗି ଦେଇ ପାରନ୍ତି । ବିବାହ ଯଦି ସୁଖକର ଏବଂ ଶାନ୍ତିମୟ ହୁଏ, ତାହା ପରେ ଚିରସ୍ଥାୟୀ କରା ଯାଇପାରେ ।

 

ଧର୍ମ ସମ୍ୱନ୍ଧରେ ନିଟ୍‌ଜେଙ୍କ ମତବାଦ ଦୃଷ୍ଟିଗୋଚର କରୁଁ । ଧର୍ମ ସମ୍ୱନ୍ଧରେ ଦୁଇଗୋଟି ପ୍ରଶ୍ନ ଉତ୍ଥାପିତ ହୋଇପାରେ । ପ୍ରଥମ—ଧର୍ମ ସତ୍ୟ କି ନା; ଦ୍ୱିତୀୟ—ଧର୍ମର କୌଣସି ଆବଶ୍ୟକତା ଅଛି କି ନା ? ପ୍ରଥମ ପ୍ରଶ୍ନର ଉତ୍ତରରେ ନିଟ୍‌ଜେ କହି ଅଛନ୍ତି ଯେ, ଜଗତର ସମସ୍ତ ଧର୍ମ ପବିତ୍ର ମିଥ୍ୟା କଥା ମାତ୍ର । ଈଶ୍ୱର ନାହାନ୍ତି, ପରକାଳ ନାହିଁ । ଧର୍ମତତ୍ତ୍ୱବିତ୍‌ମାନେ ପ୍ରକୃତିର କାର୍ଯ୍ୟପରମ୍ପରା ଏବଂ ମାନବର ଇତିହାସ ଆଲୋଚନା କରି ଦେଖାଇବାକୁ ଚେଷ୍ଟା କରନ୍ତି ଯେ, ଜଗତ୍‌ ମଧ୍ୟରେ ଗୋଟାଏ ମହାନ୍‌ ମଙ୍ଗଳମୟ ଅଭିପ୍ରାୟ କାର୍ଯ୍ୟ କରୁଅଛି । ଏହି ଅଭିପ୍ରାୟ ଜଗତକୁ ଅପୂର୍ଣ୍ଣତାରୁ ପୂର୍ଣ୍ଣତା ଆଡ଼କୁ ଘେନି ଯାଉଅଛି; ଦୁଃଖ ଶୋକଦ୍ୱାରା ମାନବକୁ ଶୁଦ୍ଧ କରି ମୁକ୍ତି ଆଡ଼କୁ ଘେନି ଯାଉଅଛି; ସମସ୍ତ ଅମଙ୍ଗଳ ଶେଷରେ ଗୋଟାଏ ପରମ-ମଙ୍ଗଳମୟ ରାଜ୍ୟ ଅଛି; ଜଗତର ସମସ୍ତ ଅମଙ୍ଗଳ, ସମସ୍ତ ପାପ-ତାପ ଆମ୍ଭମାନଙ୍କୁ ଗୋଟାଏ ଭାବୀ ମଙ୍ଗଳମୟ ରାଜ୍ୟ ଆଡ଼କୁ ଘେନି ଯାଉଅଛି । ନିଟ୍‌ଜେ ଏହି ସବୁ ଅସାର କାଳ୍ପନିକ ମତ ଅବିଶ୍ୱାସ କରୁଥିଲେ । କେତେ ସହସ୍ର ବର୍ଷ ହେଲା ଈଶ୍ୱରଙ୍କ ସମ୍ୱନ୍ଧରେ ସନ୍ଦେହ ମାନବ-ମନକୁ ଆନ୍ଦୋଳିତ କରୁଅଛି । ଈଶ୍ୱର ତ ଦୟାଳୁ, ସେ ଦୟାପରବଶ ହୋଇ ଆମ୍ଭମାନଙ୍କର ସନ୍ଦେହ କାହିଁକି ମୋଚନ କରୁ ନାହାନ୍ତି ? ସେ କିପାଇଁ ଏତେ କାଳ ନିଜକୁ ଲୁକ୍କାୟିତ ରଖି ଜଗତକୁ ରହସ୍ୟମୟ କରି ରଖିଅଛନ୍ତି-?

 

ଧର୍ମର ଆବଶ୍ୟକତା ସମ୍ୱନ୍ଧରେ ନିଟ୍‌ଜେ କହିଅଛନ୍ତି ଯେ, ଶାସିତ ସମ୍ପ୍ରଦାୟକୁ ଶାସନରେ ରଖିବାପାଇଁ ଧର୍ମ ଗୋଟାଏ ପ୍ରଧାନ ଉପାୟ । ଶାସିତ ସମ୍ପ୍ରଦାୟ ଯଦି ବୁଝନ୍ତି ଯେ ସେମାନଙ୍କର ପ୍ରଭୁମାନେ ଈଶ୍ୱରପ୍ରେରିତ, ସେମାନଙ୍କ ଶାସନାଧୀନରେ ରହିବା ଈଶ୍ୱରଙ୍କ ଅଭିପ୍ରେତ, ସେମାନଙ୍କ ବିରୁଦ୍ଧରେ ବିଦ୍ରୋହ କଲେ ଈଶ୍ୱର ଅସନ୍ତୁଷ୍ଟ ହେବେ, ତାହାହେଲେ ପ୍ରଭୁମାନଙ୍କର ଶାସନ କାର୍ଯ୍ୟ ଅତି ସହଜରେ ସମ୍ପାଦିତ ହୁଏ । ପୁନଶ୍ଚ ଯେଉଁମାନେ ଏ ଜୀବନରେ ଦୁଃଖୀ, ହତଭାଗ୍ୟ ଏବଂ ବିନାଶୋନ୍ମୁଖ ସେମାନେ ପରକାଳରେ ସୁଖର ଆଶା ପାଇଲେ ଇହଜୀବନର ଦୁଃଖରାଶି କେତେକ ପରିମାଣରେ ସହ୍ୟ କରିବାକୁ ସମର୍ଥ ହେବେ । ମାର୍କ୍‌ସ୍‌ କହିଅଛନ୍ତି, “Religion is the opium of the people” (ଅଫିମ ଯେପରି ମାନବର ଶାରୀରିକ ବେଦନା ନାଶକରେ ଧର୍ମ ସେହିପରି ମାନବ ମନରେ ଆଶାର ମଲମ୍‌ ଦେଇ ତାହାର ଦୁଃଖ ଦୂର କରେ)

 

ନିଟ୍‌ଜେ ଖ୍ରୀଷ୍ଟଧର୍ମର ବିଶେଷ ବିରୋଧୀ ଥିଲେ । ଖ୍ରୀଷ୍ଟଧର୍ମ ତ୍ୟାଗର ଧର୍ମ, ସନ୍ନ୍ୟାସର ଧର୍ମ । ତ୍ୟାଗ ଓ ଆତ୍ମବଳି ମାନବର ଉନ୍ନତି ପକ୍ଷରେ ବିଶେଷ ଅନ୍ତରାୟ ଅଟେ । ଆମ୍ଭେମାନେ ଯଦି ଜଗତରେ ଶକ୍ତିଶାଳୀ ଓ ଉନ୍ନତିଶୀଳ ହେବାକୁ ଚାହୁଁ, ତାହାହେଲେ ଆମ୍ଭମାନଙ୍କର ପ୍ରକୃତିଦତ୍ତ ପ୍ରବୃତ୍ତିଗୁଡ଼ିକର  ତୃପ୍ତି ସାଧନ କରିବାକୁ ହେବ । ଦୟା, ମାୟା ପ୍ରଭୃତି ଦାସ-ନୀତି ପ୍ରଚାର କରି ଖ୍ରୀଷ୍ଟଧର୍ମ ଜଗତର ବିଶେଷ ଅନିଷ୍ଟ ସାଧନ କରିଅଛି । ଜଗତରେ ଯେଉଁମାନେ ଦୁଃଖୀ, ଦରିଦ୍ର, ବ୍ୟାଧିଗ୍ରସ୍ତ, କୁତ୍ସିତ ଓ କଦାକାର ସେମାନେ ପ୍ରଭୁ-ନୀତିଦ୍ୱାରା ବିନଷ୍ଟ ହେଲେ ଜଗତର ଅଶେଷ ମଙ୍ଗଳ ସାଧିତ ହେବ । କିନ୍ତୁ ଖ୍ରୀଷ୍ଟଧର୍ମ ଏହିସବୁ ହତଭାଗ୍ୟମାନଙ୍କୁ ସ୍ୱର୍ଗରାଜ୍ୟର ଅଧିକାରୀ କରି ସେମାନଙ୍କ ବିନାଶପଥରେ ବିଘ୍ନ ଉପସ୍ଥିତ କରିଅଛି । ବୀରଭୋଗ୍ୟା ବସୁନ୍ଧରା ବୀରଦ୍ୱାରା ପ୍ଳାବିତ ହେଉ ଏହାହିଁ ନିଟ୍‌ଜେଙ୍କ ଚିରନ୍ତନ କାମନା । ପୁନଶ୍ଚ, ପୌରୋହିତ୍ୟର ପ୍ରାଧାନ୍ୟ ଓ ପୌରୋହିତ୍ୟର ଅତ୍ୟାଚାର ସୂତ୍ରପାତ କରି ଖ୍ରୀଷ୍ଟଧର୍ମ ଜଗତର ବିଶେଷ ଅମଙ୍ଗଳ ସାଧନ କରିଅଛି । ଖ୍ରୀଷ୍ଟଧର୍ମ ବିଜ୍ଞାନର ମହାଶତ୍ରୁ ହୋଇ ମଧ୍ୟ ବିଜ୍ଞାନର ଅଗ୍ରଗତିରେ ବାଧା ଦେଇ ପାରି ନାହିଁ । ବର୍ତ୍ତମାନ କାଳରେ ଇଉରୋପରେ ଏପରି ସହସ୍ର ସହସ୍ର ବୈଜ୍ଞାନିକ ଏବଂ ଦାର୍ଶନିକ ଉତ୍ପନ୍ନ ହୋଇଅଛନ୍ତି, ଯେଉଁମାନଙ୍କର ଧର୍ମରେ ଲେଶ ମାତ୍ର ଆସ୍ଥା ନାହିଁ ଏବଂ ଯେଉଁମାନେ ଧର୍ମଭାବକୁ ଅବଜ୍ଞାର ଚକ୍ଷୁରେ ଦେଖନ୍ତି । ଆଶାକରୁଁ, ଏହିମାନେ ଏକ କାଳରେ ଇଉରୋପରେ ପୌରୋହିତ୍ୟ-ଶାସନ ନଷ୍ଟ କରି  ଦେବେ ।

 

*‘ଉତ୍କଳ ସାହିତ୍ୟ’ର ୧୩୨୪ ମାଘ ସଂଖ୍ୟାରେ ପ୍ରକାଶିତ ।

☆☆☆

 

Unknown

ବ୍ରାହ୍ମ ସମାଜ*

 

* ତା ୧୪ । ୩ । ୧୯୩୪ ରେ ‘ଉତ୍କଳ-ସାହିତ୍ୟ-ସମାଜ’ରେ ପଠିତ

 

ବ୍ରାହ୍ମ ସମାଜର ଇତିହାସ—

 

ବର୍ତ୍ତମାନ ଯୁଗରେ ରାମମୋହନ ଏକେଶ୍ୱରପୂଜାର ପ୍ରତିଷ୍ଠାତା; କିନ୍ତୁ ତାଙ୍କର ଚାରିଶତବର୍ଷ ପୂର୍ବେ ପଞ୍ଜାବରେ ନାନକ ଏକେଶ୍ୱରବାଦ ପ୍ରଚାର କରିଥିଲେ । ଆଜିକୁ ପ୍ରାୟ ଚାରି ସହସ୍ର ବର୍ଷ ପୂର୍ବେ ବୈଦିକ ଯୁଗରେ ମଧ୍ୟ ଭାରତରେ ଏକେଶ୍ୱର-ବିଶ୍ୱାସର ଆଭାଷ ମିଳେ । ରାମମୋହନଙ୍କ ବାଲ୍ୟକାଳରେ ବହୁଦେବବାଦ ଏବଂ ପୌତ୍ତଳିକତା ପ୍ରବଳ ଥିଲା । ଜାତିଭେଦ, ଅବରୋଧ-ପ୍ରଥା, ବାଲ୍ୟବିବାହ, ବହୁ-ବିବାହ ସମାଜରେ ପ୍ରଚଳିତ ଥିଲା । ତାଙ୍କର ପିତା ଜଣେ ବିଷ୍ଣୁଭକ୍ତ ଥିଲେ ଏବଂ ସେ ପ୍ରତିଦିନ ପ୍ରାତଃକାଳରେ ଭାଗବତ ପୁରାଣରୁ ଏକ ଅଧ୍ୟାୟ ପାଠ କରୁଥିଲେ । ଏପରି ସମୟରେ ଆରବୀ ପଢ଼ିବାପାଇଁ ତାଙ୍କର ପିତା ତାଙ୍କୁ ପାଟନା ପଠାଇଲେ । ସେଠାରେ ସେ କୋରାନ ପଢ଼ି ବହୁଦେବବାଦ ଏବଂ ପୌତ୍ତଳିକତାରେ ବିଶ୍ୱାସ ହରାଇଲେ । ପରେ ବେଦାନ୍ତ ପଢ଼ି ତାଙ୍କର ଏକେଶ୍ୱର-ବିଶ୍ୱାସ ଦୃଢ଼ୀଭୂତ ହେଲା  । ସେ ପ୍ରଥମେ କେତେକ ଇଂରାଜଙ୍କ ସାହାଯ୍ୟରେ କଲିକତାରେ ଗୋଟିଏ ୟୁନିଟେରିଆନ (Unitarian) ସମାଜ ପ୍ରତିଷ୍ଠିତ କଲେ । ଗୋଟିଏ ଘର ଭଡ଼ା ନିଆଗଲା ଏବଂ ସେଠାରେ ଇଂରାଜୀରେ ଉପାସନା ଚଳିବାକୁ ଲାଗିଲା । ଆଦମ ସାହେବ ଏହି ଏକେଶ୍ୱରବାଦୀ ସମାଜର ଆଚାର୍ଯ୍ୟ ହୋଇଥିଲେ । ଅତି ଅଳ୍ପ ଲୋକ ସେ ଉପାସନାରେ ଯୋଗ ଦେଉଥିଲେ । ଇଂରେଜୀ ଉପାସନା ପ୍ରତି ଲୋକମାନଙ୍କର ଅନାସ୍ଥା ଦେଖି ରାମମୋହନ ଅନ୍ୟ ଗୋଟିଏ ଘର ଭଡ଼ା ନେଇ ବଙ୍ଗଳାରେ ଉପାସନା କାର୍ଯ୍ୟ ଚଳାଇବାକୁ ଲାଗିଲେ । ଏହିରୂପେ ଭାରତରେ ବ୍ରାହ୍ମ ସମାଜର ଉତ୍ପତ୍ତି ହେଲେ । ୨୩ ଜାନୁୟାରୀ (୧୧ ମାଘ) ୧୮୩୦ ଖ୍ରୀଷ୍ଟାବ୍ଦରେ ଏହି ସମାଜ ସ୍ଥାୟୀ ଭାବରେ ପ୍ରତିଷ୍ଠିତ ହେଲା । ଏହି ଦିନକୁ ସ୍ମରଣ କରି ବ୍ରାହ୍ମ ସମାଜରେ ପ୍ରତିବର୍ଷ ମାଘୋତ୍ସବ ଅନୁଷ୍ଠିତ ହୁଏ । ଏହି ବର୍ଷ ରାମମୋହନ ବିଲାତଯାତ୍ରା କଲେ ଏବଂ ତିନିବର୍ଷ ପରେ ବ୍ରିଷ୍ଟଲ ନଗରରେ ତାଙ୍କର ମୃତ୍ୟୁ ହେଲା ।

 

ତାଙ୍କର ମୃତ୍ୟୁପରେ ଦ୍ୱାରକାନାଥ ପ୍ରଭୃତି ତାଙ୍କର ବନ୍ଧୁମାନେ ବ୍ରାହ୍ମ ସମାଜର ଭାର ନେଲେ । ପରେ ଦ୍ୱାରକାନାଥଙ୍କ ପୁତ୍ର ମହର୍ଷି ଦେବେନ୍ଦ୍ରନାଥ ଠାକୁର ଉକ୍ତ ସମାଜରେ ଯୋଗ ଦେଲେ । ସେ ସମୟରେ ଉପାସନା ସମୟରେ ବେଦ ଓ ଉପନିଷତ୍‌ ପାଠ ହେଉଥିଲା ଏବଂ ବ୍ରାହ୍ମ ଧର୍ମ ବେଦାନ୍ତ ଧର୍ମ ଉପରେ ପ୍ରତିଷ୍ଠିତ ଥିଲା । ମହର୍ଷିଙ୍କ ସମୟରେ ବ୍ରାହ୍ମ ସମାଜର ସଭ୍ୟସଂଖ୍ୟା ପ୍ରାୟ ୭୦୦ ହୋଇଥିଲା । ଅନେକେ ଆପତ୍ତି କଲେ ଯେ ବେଦ ଯେ ସ୍ଥଳେ ସମ୍ପୂର୍ଣ୍ଣରୂପେ ପରୀକ୍ଷା କରା ହୋଇ ନାହିଁ, ତାହାକୁ ବ୍ରାହ୍ମ ଧର୍ମର ଭିତ୍ତି କରିବା ଉଚିତ ନୁହେଁ । ଏହି ଆପତ୍ତି ଦୂର କରିବା ପାଇଁ ଚାରିଜଣ ବ୍ରାହ୍ମଣ ଚାରି ବେଦ ପାଠ କରି ତାହାର ନକଲ ଆଣିବା ପାଇଁ କାଶୀ ପ୍ରେରିତ ହେଲେ । କଲିକତା ବ୍ରାହ୍ମ ସମାଜ ଯେତେବେଳେ ସେ ବେଦସବୁ ହସ୍ତଗତ କଲେ, ସେତେବେଳେ ଅଧିକାଂଶଙ୍କ ମତରେ ସ୍ଥିର ହେଲା ଯେ, ବେଦ ନାନା ଭ୍ରାନ୍ତିରେ ପୂର୍ଣ୍ଣ, ବେଦ କିମ୍ୱା ବେଦାନ୍ତ ଅଭ୍ରାନ୍ତ ମନେ କରିବାର କୌଣସି କାରଣ ନାହିଁ ଏବଂ ଭବିଷ୍ୟତରେ ବ୍ରାହ୍ମ ଧର୍ମ ବେଦାନ୍ତମୂଳକ ନ ହୋଇ ପ୍ରକୃତିର ଆଲୋଚନା ଏବଂ ଅନ୍ତର୍ଦୃଷ୍ଟି ଉପରେ ପ୍ରତିଷ୍ଠିତ ହେବ । ପ୍ରାୟ ୧୮୫୦ ଖ୍ରୀଷ୍ଟାବ୍ଦରେ ଏହି ସ୍ମରଣୀୟ ଘଟଣା ଘଟିଥିଲା । କୌଣସି ଧର୍ମ୍ମଶାସ୍ତ୍ରକୁ ଅଭ୍ରାନ୍ତ ମନେ ନ କରି କେବଳ ବିଚାର ଉପରେ ବ୍ରାହ୍ମ ଧର୍ମ୍ମ ପ୍ରତିଷ୍ଠିତ ହେଲା ।

 

ରାମମୋହନଙ୍କ ପରି କେଶବଚନ୍ଦ୍ର ମଧ୍ୟ ଏକ ବିଷ୍ଣୁଭକ୍ତ ହିନ୍ଦୁ ପରିବାରରେ ଜନ୍ମଗ୍ରହଣ କରିଥିଲେ । ସେ ବାଲ୍ୟକାଳରେ ଦେବଦେବୀ ପ୍ରତିମା ପୂଜା କରୁଥିଲେ । ଇଂରାଜୀ ଶିକ୍ଷା ପାଇ ସେ ହିନ୍ଦୁ ଧର୍ମ୍ମରେ ବିଶ୍ୱାସ ହରାଇ ବସିଲେ । ଏହି ସମୟରେ ଦେବେନ୍ଦ୍ରନାଥଙ୍କ ସହିତ ତାଙ୍କର ସାକ୍ଷାତ୍‌ ହେଲା । ଦେବେନ୍ଦ୍ରନାଥଙ୍କ ଠାରୁ ସେ ବ୍ରାହ୍ମଧର୍ମ ଗ୍ରହଣ କଲେ । ଦୁଇ ଜଣ ମିଳି ବ୍ରହ୍ମୋପାସନା ଚଳାଉଥିଲେ । ଧର୍ମ ବିଷୟରେ କେଶବଚନ୍ଦ୍ର ଦେବେନ୍ଦ୍ରନାଥଙ୍କ ଦକ୍ଷିଣ ହସ୍ତ ଥିଲେ । କିନ୍ତୁ ପରେ ସେମାନଙ୍କ ମଧ୍ୟରେ ମତଭେଦ ହେଲା । କେଶବଚନ୍ଦ୍ର ଜାତିଭେଦର ବିରୋଧୀ ଏବଂ ସ୍ତ୍ରୀ ସ୍ୱାଧୀନତାର ପକ୍ଷପାତୀ ଥଲେ । ସେ ବିଧବା-ବିବାହ, ଭିନ୍ନ ଭିନ୍ନ ଜାତି ମଧ୍ୟରେ ବିବାହ ସମର୍ଥନ କରୁଥିଲେ; କିନ୍ତୁ ମହର୍ଷି ଜଣେ  ଶାନ୍ତଶିଷ୍ଟ ବ୍ରହ୍ମୋପାସକ ଥିଲେ । ସେ ସାମାଜିକ ବିପ୍ଳବଗୁଡ଼ିକୁ ଭୟ କରୁଥିଲେ । ମନେ କରୁଥିଲେ ଯେ, ତଦ୍ଦ୍ୱାରା ଧର୍ମ ଭାବର ହାନି ହେବ । ସମାଜରେ ଉପାସନା ନେଇ ବିବାଦ ଲାଗିଲା । ମହର୍ଷି ଉପବୀତଧାରୀ ବ୍ରାହ୍ମଣଦ୍ୱାରା ଉପାସନା କାର୍ଯ୍ୟ ଚଳାଉଥିଲେ । କେଶବ ବ୍ରାହ୍ମ ସମାଜରେ ବ୍ରାହ୍ମଣକୁ ଆଚାର୍ଯ୍ୟ ପଦ ଦେବାକୁ ରାଜି ନ ଥିଲେ-। ସେ ଯେ ଜାତିଭେଦର ବିରୋଧୀ । ମହର୍ଷି ଯେତେବେଳେ କେଶବଙ୍କ ମତ ଗ୍ରହଣ ନ କଲେ, କେଶବ ଅନ୍ୟ ଗୋଟିଏ ଦଳ ଗଠନ କଲେ । ୧୮୬୬ ଖ୍ରୀଷ୍ଟାବ୍ଦ ନଭେମ୍ୱର ୧୧ ତାରିଖରେ ବ୍ରାହ୍ମ ସମାଜରେ ଗୋଟିଏ ନୂତନ ଦଳର ସୃଷ୍ଟି ହେଲା । ପରେ ଏ ଦଳର ନାମ ନବବିଧାନ ଦିଆଗଲା-। ମହର୍ଷିଙ୍କ ଦଳ ଆଦି ବ୍ରାହ୍ମ ସମାଜ ନାମରେ ପରିଚିତ ହେଲା ।

 

କେଶବ ମହର୍ଷିଙ୍କ ପ୍ରଭାବରୁ ମୁକ୍ତ ହୋଇ ସମାଜ-ସଂସ୍କାର କାର୍ଯ୍ୟରେ ନିଯୁକ୍ତ ହେଲେ । ତାଙ୍କର ବାଗ୍ମିତାରେ ମୁଗ୍‌ଧ ହୋଇ ଅନେକ ଶିକ୍ଷିତ ବ୍ୟକ୍ତି ବ୍ରାହ୍ମଧର୍ମ ଗ୍ରହଣ କଲେ । ସେ ସୁଦୂର ବୋମ୍ୱାଇ, ମାନ୍ଦ୍ରାଜରେ ବ୍ରାହ୍ମ ସମାଜର ଶାଖା ସ୍ଥାପନ କଲେ । ପୌତ୍ତଳିକତାବର୍ଜିତ ବିବାହଗୁଡ଼ି ଯେପରି ଆଇନସଙ୍ଗତ ହୁଏ, ସେଥିପାଇଁ ସରକାରଙ୍କୁ ଅନୁରୋଧ କରି ସେ ଗୋଟିଏ ବିବାହଆଇନ ବିଧିବଦ୍ଧ କରାଇଥିଲେ । କିଛିକାଳ ପରେ ଦେଖାଗଲା ଯେ କେଶବଚନ୍ଦ୍ର ନିଜେ ଏହି ଆଇନର ନିୟମମାନ ଭଙ୍ଗ କରି ନିଜର କନ୍ୟାକୁ ଅପ୍ରାପ୍ତ-ବୟସ୍କ କୁଚବେହାରର ହିନ୍ଦୁ ମହାରାଜାଙ୍କ ସହିତ ବିବାହ ଦେବାକୁ ଇଚ୍ଛୁକ । ତାଙ୍କର ସମଧର୍ମୀମାନେ ଏଥିରେ ପ୍ରତିବାଦ କରିଥିଲେ । କିନ୍ତୁ କେଶବ ସେମାନଙ୍କର ଆପତ୍ତି ଶୁଣିଲେ ନାହିଁ । ତାଙ୍କର ଇଚ୍ଛାରେ ହେଉ ଅଥବା ଅନିଚ୍ଛାରେ ହେଉ ପୌତ୍ତଳିକ ମତରେ ନୂତନ ବିବାହ-ଆଇନର ବିଧି ଲଙ୍ଘନ କରି ସେ ବିବାହ-କାର୍ଯ୍ୟ ସମ୍ପନ୍ନ କଲେ । ଅନ୍ୟ ବ୍ରାହ୍ମମାନେ ସଭା  କରି ତାଙ୍କୁ ଆଚାର୍ଯ୍ୟ ପଦରୁ ବରଖାସ୍ତ କଲେ । ସେମାନେ ବ୍ରାହ୍ମ ମନ୍ଦିର ଦଖଲ କରି ନ ପାରି ଅନ୍ୟ ଗୋଟିଏ ଦଳ ସୃଷ୍ଟି କଲେ । ଏହିରୂପେ ୧୮୭୮ ଖ୍ରୀଷ୍ଟାବ୍ଦ ମେ ମାସ ୧୫ ତାରିଖରେ ଆନନ୍ଦମୋହନ ବସୁଙ୍କ ସଭାପତିତ୍ୱରେ ସାଧାରଣ ବ୍ରାହ୍ମ ସମାଜ ନାମରେ ଗୋଟିଏ ନୂତନ ଦଳର ସୃଷ୍ଟି ହେଲା । ୫୦ ବର୍ଷ ମଧ୍ୟରେ ବ୍ରାହ୍ମ ସମାଜ ଆଦି, ନବବିଧାନ ଓ ସାଧାରଣ—ଏହି ତିନି ଦଳରେ ବିଭକ୍ତ ହୋଇଗଲା ।

 

ବ୍ରାହ୍ମଧର୍ମ—

 

ଧର୍ମ ବିଷୟରେ ଏହି ତିନି ଦଳଙ୍କ ମତ ସ୍ଥୂଳତଃ ଏକପ୍ରକାର । ଏହି ମତର କେତେଗୁଡ଼ିଏ ଦଫା ଏହିପରି :—

 

୧ । ଈଶ୍ୱର ଜ୍ଞାନମୟ, ପ୍ରେମମୟ ଓ ପୂଣ୍ୟମୟ ।

 

୨ । ସେ କଦାପି ଅବତାରରୂପେ ଜନ୍ମଗ୍ରହଣ କରନ୍ତି ନାହିଁ ।

 

୩ । ଈଶ୍ୱର ଆମ୍ଭମାନଙ୍କର ପ୍ରାର୍ଥନା ଶୁଣନ୍ତି ଓ ତାହାର ଉତ୍ତର ଦିଅନ୍ତି ।

 

୪ । କେବଳ ଆଧ୍ୟାତ୍ମିକ ଭାବରେ ଈଶ୍ୱରଙ୍କର ପୂଜା କରିବା ଉଚିତ । ଜାତିନିର୍ବିଶେଷରେ ସମସ୍ତ ମାନବର ଈଶ୍ୱରଙ୍କ ପୂଜା କରିବାର ଅଧିକାର ଅଛି ।

 

୫ । ଅନୁତାପ ଏବଂ ପାପମୁକ୍ତିହିଁ ମୁକ୍ତିର କେବଳ ମାତ୍ର ଉପାୟ ।

 

୬ । ଅନ୍ତର୍ଦୃଷ୍ଟି ଏବଂ ପ୍ରକୃତିର ଆଲୋଚନା ଧର୍ମଜ୍ଞାନର ମାର୍ଗ । କୌଣସି ଧର୍ମ-ପୁସ୍ତକ ଅଭ୍ରାନ୍ତ ନୁହେଁ ।

 

୭ । ଆତ୍ମା ଅବିନାଶୀ ଏବଂ ତାହାର ଉନ୍ନତି ଅନନ୍ତକାଳବ୍ୟାପୀ ।

 

ବ୍ରାହ୍ମଧର୍ମର ଭିତ୍ତି—

 

ଉପର୍ଯ୍ୟୁକ୍ତ ୬ଷ୍ଠ ଦଫାରେ ଧର୍ମ-ଜ୍ଞାନର ମାର୍ଗ ନିର୍ଦ୍ଦିଷ୍ଟ ହୋଇଅଛି । ବେଦ, ବାଇବଲ୍‌, କୋରାନ୍‌ ପ୍ରଭୃତି କୌଣସି ଧର୍ମ-ପୁସ୍ତକ ଅଭ୍ରାନ୍ତ ନୁହେଁ । ଆମ୍ଭମାନଙ୍କୁ ଅନ୍ତର୍ଦୃଷ୍ଟି ଓ ପ୍ରକୃତିର ଆଲୋଚନା ଉପରେ ନିର୍ଭର କରିବାକୁ ହେବ । ଅନ୍ତର୍ଦୃଷ୍ଟି (Intuition) କ’ଣ ? କେହି କେହି କହନ୍ତି, ଅନ୍ତର୍ଦୃଷ୍ଟି ବ୍ରାହ୍ମମାନଙ୍କୁ ସର୍ବଜ୍ଞ କରିଅଛି । ଏହାଦ୍ୱାରା ସେମାନେ ଭଗବାନ ହୋଇଯାଇଅଛନ୍ତି । ପ୍ରକୃତ ପକ୍ଷରେ ଧର୍ମ ବିଷୟରେ ଆମ୍ଭମାନଙ୍କର କୌଣସି ଅନ୍ତର୍ଦୃଷ୍ଟି ବା ପ୍ରତ୍ୟକ୍ଷଜ୍ଞାନ ନାହିଁ । ଏ ବିଷୟରେ ସମସ୍ତ ଜ୍ଞାନ ଅନୁମାନମୂଳକ । କେତେକ ପାଶ୍ଚ୍ୟତ୍ୟ ଦାର୍ଶନିକ ଏହି ଜ୍ଞାନମାର୍ଗ ସୃଷ୍ଟି କରିଅଛନ୍ତି । ଧର୍ମ ବିଷୟରେ ଆମ୍ଭମାନଙ୍କର ଯଦି ପ୍ରତ୍ୟକ୍ଷଜ୍ଞାନ ଥାଆନ୍ତା, ତାହାହେଲେ ଏତେ ମତଦ୍ୱୈଧ ହୁଅନ୍ତା ନାହିଁ । ମୁଁ ଯଦି ପ୍ରତ୍ୟକ୍ଷ ଭାବରେ ଗୋଟାଏ କଦଳି ଗଛ ଦେଖେଁ, ସେହି ଭାବରେ ଅନ୍ୟ ସହସ୍ର ଲୋକ ୫୦ ଟା ଗଛ ଦେଖିବେ ନାହିଁ । ଧର୍ମ-ଜଗତରେ କ’ଣ ଦେଖୁଁ ? ବ୍ରାହ୍ମମାନେ ଏକ ଈଶ୍ୱର ଦେଖନ୍ତି । ଜୋରୁଅଷ୍ଟ୍ରିଆନମାନେ ଦୁଇ—ଅହୁରାମଜ୍‌ଦା ଏବଂ ଅଙ୍ଗ୍ର ମୈନ୍ୟୁ; ଖ୍ରୀଷ୍ଟିୟାନମାନେ ତିନି—ପିତା-ଈଶ୍ୱର, ପୁତ୍ର-ଈଶ୍ୱର ଏବଂ ପବିତ୍ରାତ୍ମା; ହିନ୍ଦୁମାନେ ୩୩ କୋଟି । କେଉଁମାନଙ୍କ ଅନ୍ତର୍ଦୃଷ୍ଟି ଠିକ୍‌ ? ଆଜିକାଲି ବିଲାତରୁ ଅନେକ ଝୁଟା ମାଲ ଆମଦାନି ହେଉଛି  । ଅର୍ନ୍ତଦୃଷ୍ଟି ସେଥିମଧ୍ୟରୁ ଗୋଟାଏ ।

 

ବ୍ରାହ୍ମମାନଙ୍କ ମତରେ ପ୍ରକୃତିର ଆଲୋଚନା ଧର୍ମର ଦ୍ୱିତୀୟ ଜ୍ଞାନମାର୍ଗ । ଦେଖୁଁ, ପ୍ରକୃତିର ଯାବତୀୟ ଘଟଣା ମୂଳରେ ଶକ୍ତି ନିହିତ ଅଛି । ଏହିପରି ଦୃଶ୍ୟମାନ ଶକ୍ତିଗୁଡ଼ି ମୂଳ ଶକ୍ତିର ରୂପାନ୍ତର ମାତ୍ର । କିନ୍ତୁ ମୂଳ ଶକ୍ତିର ସ୍ୱରୂପ କ’ଣ—ତାହା ଏକ କି ବହୁ, ତାହା ଅଚେତନ କି ଚୈତନ୍ୟମୟ, ପ୍ରେମମୟ କି ନିଷ୍ଠୁରତାରେ ପୂର୍ଣ୍ଣ, ତାହା ବିଜ୍ଞାନ ଏପର୍ଯ୍ୟନ୍ତ ଆବିଷ୍କାର କରି ନାହିଁ । ଜଗତର ଯାବତୀୟ ଅମଙ୍ଗଳର ସୃଷ୍ଟିକର୍ତ୍ତା ଯେ ଜଣେ ସର୍ବଶକ୍ତିମାନ୍‌ ପରମମଙ୍ଗଳମୟ ଭଗବାନ, ତାହା କିପରି ବିଶ୍ୱାସ କରିବୁଁ ? ଏହା କି ସମ୍ଭବ ଯେ ଜଣେ ପରମଦାୟାଳୁ ସର୍ବଶକ୍ତିମାନ୍‌ ଈଶ୍ୱର ଗତ ମହାଯୁଦ୍ଧ ସମୟରେ ଇଉରୋପର ରଣକ୍ଷେତ୍ରରେ ଦଣ୍ଡାୟମାନ ହୋଇ ଦୀର୍ଘ ଚାରିବର୍ଷ କାଳ ମହା ନରମେଧ ଯଜ୍ଞ, ମହା ରକ୍ତପାତ, ଭୀଷଣ ହାହାକାର ଦୃଷ୍ଟିଗୋଚର କରୁଥିଲେ; ଅଥଚ ଥରେ ସୁଦ୍ଧା କହିଲେ ନାହିଁ—କ୍ଷାନ୍ତ ହୁଅ, ଯଥେଷ୍ଟ ହୋଇଛି । ଆମ୍ଭେମାନେ ପୌତ୍ତଳିକତା ବର୍ଜନ କରି ସଭ୍ୟତାର ଅଭିମାନ କରୁଁ । କିନ୍ତୁ ଜଣେ ନୀରବ, ନିର୍ବାକ୍‌, ଜଗତର ଘଟଣାବଳୀରେ ସମ୍ପୂର୍ଣ୍ଣରୂପେ ଉଦାସୀନ ଭଗବାନର ଉପାସନା ଏବଂ ପ୍ରତିମା-ପୂଜା ମଧ୍ୟରେ କି ବିଶେଷ କୌଣସି ପ୍ରଭେଦ ଅଛି-?

 

ଭଗବାନ କିପରି ଜଗତ୍‌ ସୃଷ୍ଟି କଲେ, ଏହାହିଁ ପୂର୍ବ କାଳର ଲୋକେ ଆଲୋଚନା କରୁଥିଲେ; କିନ୍ତୁ ବର୍ତ୍ତମାନ ଯୁଗର ପ୍ରଧାନ ଚିନ୍ତାର ବିଷୟ ଭଗବାନ କିପରି ସୃଷ୍ଟି ହେଲେ । ଜଣେ ଜାର୍ମାନ ପଣ୍ଡିତ (Feuerbach)୧୮୪୬ ଖ୍ରୀଷ୍ଟାବ୍ଦରେ କହିଥିଲେ, “The greatest discovery of the modern age is not that God created man in his own image, but man created God in his (man’s), own image.” ଭଗବାନ ମନୁଷ୍ୟକୁ ସୃଷ୍ଟି କରି ନାହାନ୍ତି, ମନୁଷ୍ୟ ଭଗବାନଙ୍କୁ ସୃଷ୍ଟି କରିଅଛି—ଏହାହିଁ ବର୍ତ୍ତମାନ ଯୁଗର ସର୍ବଶ୍ରେଷ୍ଠ ଆବିଷ୍କାର । ସମାଜତତ୍ତ୍ୱବିତ୍‌ମାନେ ଦେଖାଇଅଛନ୍ତି ଯେ, ଧର୍ମ ଏହି ବିଜ୍ଞାନ-ଯୁଗର ଆବିଷ୍କାର ନୁହେ—ତାହା ଆଦିମ ଯୁଗର ଅଜ୍ଞତାର ନିଦର୍ଶନ । ଯେତେବେଳେ ପ୍ରାଚୀନ ମାନବ ପ୍ରାକୃତିକ ଘଟନାବଳୀରେ ପ୍ରାକୃତିକ ଶକ୍ତିର କାର୍ଯ୍ୟ ଖୋଜି ପାଇ ନ ଥିଲା, ସେତେବେଳେ ତାହାର କଳ୍ପନା ଦେବ ଓ ଦାନବ ଦୁଇ ବସ୍ତୁ ସୃଜନ କରିଥିଲା । ଜଳ ବାଷ୍ପୀଭୂତ ହୋଇ ଆକାଶକୁ ଉଡ଼ି ଯାଇ ଘନୀଭୂତ ହୋଇ ମେଘ ଓ ବୃଷ୍ଟିର ସୃଷ୍ଟି କରେ, ତାହା ସେମାନେ ଜାଣି ନ ଥିଲେ । ସେତେବେଳେ ବୃଷ୍ଟିପାଇଁ ଇନ୍ଦ୍ର ଓ ଐରାବତର ଆବଶ୍ୟକତା ହେଉଥିଲା । ରୋଗବୀଜାଣୁ (bacilli) ଯେ ବସନ୍ତ, ବିସୂଚିକା ଓ ଅନ୍ୟାନ୍ୟ ମହାମାରୀର ନିଦାନ ତାହା ସେମାନେ ଜାଣି ନ ଥିଲେ । ସେଥିପାଇଁ ସେମାନେ ରୋଗମୁକ୍ତ ହେବା ପାଇଁ ମା ମଙ୍ଗଳା, ମା ଶୀତଳାର ଶରଣାପନ୍ନ ହେଉଥିଲେ । ଟୀକା ନେବାର ଆବଶ୍ୟକତା ସେମାନେ ବୁଝି ନ ଥିଲେ । ଆମ୍ଭେମାନେ ପାଣ୍ଡିତ୍ୟର ଅଭିମାନ କରି ୩୩ କୋଟି ଦେବତାଙ୍କୁ ଏକରେ ପରିଣତ କରିଅଛୁଁ । କିନ୍ତୁ ଏହି ଅନାଦି, ଅନନ୍ତ, ସର୍ବଜ୍ଞ, ସର୍ବବ୍ୟାପୀ ବ୍ରହ୍ମଙ୍କ ରକ୍ତ ଯଦି ଅଣୁବୀକ୍ଷଣ ସାହାଯ୍ୟରେ ପରୀକ୍ଷା କରୁଁ, ଦେଖିବୁଁ, ତାହା କଳ୍ପନା, କଳ୍ପନା ଛଡ଼ା ଅନ୍ୟ କିଛି ନୁହେ ।

 

ଈଶ୍ୱର ଓ ପରକାଳ—

 

ବ୍ରାହ୍ମମାନେ କହନ୍ତି ଏବଂ ବ୍ରାହ୍ମ ଧର୍ମର ଜଣେ ପ୍ରଧାନ ପୃଷ୍ଠପୋଷକ * ଆମ୍ଭମାନଙ୍କୁ ଏହି କଥା ଦୁଇଦିନ ହେଲା ଶୁଣାଇ ଆସୁଅଛନ୍ତି ଯେ  ବ୍ରାହ୍ମ ଧର୍ମ ସହିତ ଅନ୍ୟ ଧର୍ମକୁ ତୁଳନା କରାଯାଇ ନ ପାରେ; କାରଣ ଅନ୍ୟାନ୍ୟ ଧର୍ମରେ ସତ୍ୟ ଓ ମିଥ୍ୟା ଦୁଇ ଜଡ଼ିତ ଅଛି; କିନ୍ତୁ ବ୍ରାହ୍ମ ଧର୍ମ ସବୁ ଧର୍ମରୁ ଅସତ୍ୟ ଅଂଶ ବାଦ୍‌ ଦେଇ କେବଳ ସତ୍ୟ ଅଂଶଗୁଡ଼ିକ ଘେନି ଗୋଟିଏ ନୂତନ ବିଧାନ ସୃଷ୍ଟି କରିଅଛି ।

 

*କୋକାନାଡ଼ା କଲେଜର ଅବସରପ୍ରାପ୍ତ ଅଧ୍ୟକ୍ଷ ଡାକ୍ତର ଭି. ରାମକୃଷ୍ଣ ରାଓ ପି ଏଇଚ୍‌. ଡି.

 

ଭକ୍ତ କବି ଟେନିସନ୍‌ ଏକ ସ୍ଥାନରେ (In Memoriam) କହିଅଛନ୍ତି—

 

Our little systems have their day,

They have their day and cease to be

They are but broken lights of thee,

And thou, O Lord, art more than they.

 

(ଆମ୍ଭମାନଙ୍କର କ୍ଷୁଦ୍ର ଧର୍ମ-ବିଧାନଗୁଡ଼ି ଜଗତରେ କିଛି କାଳ ପାଇଁ ସେମାନଙ୍କ ପ୍ରଭାବ ବିସ୍ତାର କରି ଲୋପ ପାଉଅଛନ୍ତି । ସେହି ବିଧାନଗୁଡ଼ି ତୁମ୍ଭର ପୂର୍ଣ୍ଣ ସ୍ୱରୂପର ଆଂଶିକ ସୂଚନା ମାତ୍ର-। ହେ ପ୍ରଭୁ, ତୁମ୍ଭେ ସେଗୁଡ଼ିଠାରୁ ଢେର୍‌ ବଡ଼ ।) ବ୍ରାହ୍ମମାନେ କହନ୍ତି, ଈଶ୍ୱରଙ୍କ ପୂର୍ଣ୍ଣ ସ୍ୱରୂପ କେବଳ ବ୍ରାହ୍ମ ଧର୍ମରେ ପ୍ରକାଶିତ ହୋଇଅଛି ଅନ୍ୟ ସବୁ ଧର୍ମ ଈଶ୍ୱର-ସ୍ୱରୂପର ଆଂଶିକ ସୂଚନା ମାତ୍ର-

 

କେଉଁ ସତ୍ୟଗୁଡ଼ି ବ୍ରାହ୍ମମାନେ ଅନ୍ୟାନ୍ୟ ଧର୍ମ ମଧ୍ୟରୁ ସଙ୍କଳନ କରିଅଛନ୍ତି ? ଦେବତାରେ ବିଶ୍ୱାସ ? ପ୍ରାଚୀନ ଧର୍ମମାନଙ୍କରେ ଦେବପୂଜାଠାରୁ ଦାନବପୂଜା ଅଧିକ ଦୃଷ୍ଟି ଗୋଚର ହୁଏ । ଯଦି କହୁଁ ସମସ୍ତ ଆଧୁନିକ ଧର୍ମମାନଙ୍କରେ ଦେବପୂଜା ବର୍ତ୍ତମାନ ଅଧିକ, ଧର୍ମଗୁଡ଼ିର ଏହି ସାଧାରଣ ଉପକରଣ ସତ୍ୟ କି ନା, ତାହା ଆମ୍ଭମାନଙ୍କର ଭାବିବା ଉଚିତ । ଆଦିମ ମାନବ ପ୍ରାକୃତିକ ଘଟନାବଳୀର ପ୍ରକୃତ କାରଣ ଖୋଜି ପାଇ ନ ଥିଲା । ସେଥିପାଇଁ ସେ ନିଜ ସ୍ୱରୂପରେ ଦେବ ଓ ଦାନବ ସୃଷ୍ଟି କରିଥିଲା । ବର୍ତ୍ତମାନ ଯୁଗର ଲୋକେ ଉଦ୍ଦେଶ୍ୟ ସାଧନ ପାଇଁ ପ୍ରାକୃତିକ ଶକ୍ତିର ସାହାଯ୍ୟ ନେଉଅଛନ୍ତି । ପ୍ରାଚୀନମାନେ ଅଭାବରେ ପଡ଼ିଲେ ଦେବ ଓ ଦାନବର ତୁଷ୍ଟି ସାଧନ କରୁଥିଲେ । ବହୁଦେବବାଦ ମଧ୍ୟରେ ଯେଉଁ ଭ୍ରାନ୍ତି ନିହିତ ଥିଲା, ଏକେଶ୍ୱରବାଦ ମଧ୍ୟରେ ସୁଦ୍ଧା ସେହି ଭ୍ରାନ୍ତି ନିହିତ ଅଛି । ଆମ୍ଭେମାନେ ବହୁକୁ କମାଇ ଏକରେ ଉପନୀତ ହୋଇଅଛୁଁ; କିନ୍ତୁ ଦେବ-ବିଶ୍ୱାସ ଆମ୍ଭମାନଙ୍କୁ ଛାଡ଼ି ନାହିଁ । ମାନବର ଅଜ୍ଞତାରୁ ଦେବତାର ସୃଷ୍ଟି ହୋଇଅଛି । ବିଜ୍ଞାନର ପ୍ରଖର କିରଣରେ ଯେତେବେଳେ ସେ ଅଜ୍ଞତା ଦୂର ହେବ, ମାନବ ଆଉ ଦେବତାର ଆବଶ୍ୟକତା ଅନୁଭବ କରିବ ନାହିଁ ।

 

ଧର୍ମ ଯେ ଗୋଟାଏ ପ୍ରକାଣ୍ଡ ମିଥ୍ୟା କଥା, ତାହା କି କେବଳ ବିଂଶ ଶତାଦ୍ଦୀରେ ଆବିଷ୍କୃତ ହୋଇଅଛି ? ତାହା ଅନେକ ପୂର୍ବରୁ ଲୋକେ ଜାଣିଥିଲେ । ବହୁକାଳ ପୂର୍ବେ ଚର୍ବାକ୍‌, ଏପିକୁରସ୍‌ ପ୍ରଭୃତି ମନୀଷୀମାନେ ଲୋକମାନଙ୍କୁ ସତର୍କ କରି ଦେଇଥିଲେ । ଧର୍ମ ଯଦି ଚାଲି ଯାଇଥାନ୍ତା, ଧର୍ମର ଭୋପାମାନଙ୍କର ସେଥିରେ ସ୍ୱାର୍ଥହାନି ହୋଇଥାନ୍ତା । ସେଥିପାଇଁ ସେମାନେ ଇଚ୍ଛା କରି ମାନବର ଏହି ଅଜ୍ଞତା ଓ କୁସଂସ୍କାରକୁ ଚିରସ୍ଥାୟୀ କରିଅଛନ୍ତି । ଗରିବ କାଙ୍ଗାଳ ନ ଖାଇ ଧର୍ମସେବା କରୁଅଛନ୍ତି । ଏଣେ ସାଧୁମାନଙ୍କର ବଡ଼ ବଡ଼ ମଠ ତିଆରି ହେଉଛି, ପୋପଙ୍କର ପ୍ରସାଦ ଗଗନ ଭେଦ କରୁଛି, ଗୁରୁଜୀମାନଙ୍କର କେତେ ଆଶ୍ରମ ନିର୍ମିତ ହେଉଛି । ନିଜର ସ୍ୱାର୍ଥ ପାଇଁ ଏହି ଚତୁର ଭୋପାମାନେ ଅଜ୍ଞ ମାନବକୁ ପରକାଳର ଲୋଭ ଦେଖାଇ ତାହାର ଇହକାଳ ନଷ୍ଟ କରୁଅଛନ୍ତି । ‘‘ବୁଦ୍ଧିର୍ଯସ୍ୟ ବଳଂ ତସ୍ୟ” । ଏହି ଧର୍ମ-ବକମାନଙ୍କର ଚକ୍ରାନ୍ତରେ ପଡ଼ି ମାନବ ଯେ କେତେ ଦୁଃଖ ଯନ୍ତ୍ରଣା ସହ୍ୟ କରି ଆସିଅଛି ଏବଂ ଭବିଷ୍ୟତରେ ମଧ୍ୟ କରିବ, ତାହାର କିଏ ସୀମା ନିର୍ଦ୍ଦେଶ କରିପାରେ ?

 

ଆମ୍ଭେମାନେ କହୁଁ ଦେବ-ବିଶ୍ୱାସ ଅଳୀକ ଅଟେ । ଜଡ଼ବିଜ୍ଞାନ କି ମନୋବିଜ୍ଞାନ, ସାହିତ୍ୟ କି ଦର୍ଶନ କେହି କେବେ କି ଦେବତା ଆବିଷ୍କାର କରିଅଛି ? ନିଉଟନ କି ଆଇନ୍‌ଷ୍ଟାଇନ୍‌ କେହି କେବେ କି ଦେବତାଙ୍କର ସାକ୍ଷାତ୍‌କାର ପାଇଅଛନ୍ତି ? ଯେତେବେଳେ ଲାପ୍ଳେସ୍‌ ତାଙ୍କର ଭୁବନବିଖ୍ୟାତ ଗ୍ରନ୍ଥ ନେପୋଲିୟନଙ୍କୁ ଉପହାର ପ୍ରଦାନ କଲେ, ସେତେବେଳେ ନେପୋଲିୟନ୍‌ ତାଙ୍କୁ ପଚାରିଲେ, ‘‘ତୁମ୍ଭ ବିଜ୍ଞାନ-ବ୍ୟବସ୍ଥାରେ ଈଶ୍ୱରଙ୍କର କି କୌଣସି ସ୍ଥାନ ଅଛି ?’’ ସେତେବେଳେ ସେହି ସତ୍ୟନିଷ୍ଠ ମହାପଣ୍ଡିତ ଉତ୍ତର କଲେ—‘‘I have no need for such a hypothesis.” (ମୋର ସେପରି କଳ୍ପନାର ଆବଶ୍ୟକତା ହୋଇ ନାହିଁ ।)

 

ବିଜ୍ଞାନ ପ୍ରକୃତିର କାର୍ଯ୍ୟ ଦେଖି ତାହାର କାରଣର ସ୍ୱରୂପ ନିର୍ଣ୍ଣୟ କରେ । ଏହି କାର୍ଯ୍ୟଗୁଡ଼ି ମଧ୍ୟରେ ଆମ୍ଭେମାନେ କି କୌଣସି ଦେବତାର ନିଦର୍ଶନ ପାଉଁ ? ସେ ଦିନ ବିହାରର ଭୂକମ୍ଫରେ ଶତ ସହସ୍ର ଅଟ୍ଟାଳିକା ଚୂର୍ଣ୍ଣବିଚୂର୍ଣ୍ଣ ହୋଇଗଲା—ଶତ ସହସ୍ର ମହାପ୍ରାଣୀ ଯମାଳୟକୁ ଗଲେ । କୌଣସି କୌଣସି ସ୍ଥାନରେ ଦୁଷ୍ଟ ଲୋକମାନେ ବାସ କରୁଥିଲେ, କୌଣସି କୌଣସି ସ୍ଥାନରେ ସଜ୍ଜନମାନେ ବାସ କରୁଥିଲେ । ଭୂମିକମ୍ଫ କି କେବଳ ଦୁଷ୍ଟମାନଙ୍କୁ ବିନାଶ କରିଛି ଏବଂ ସଜ୍ଜନମାନଙ୍କୁ ରକ୍ଷା କରିଛି ? ପ୍ରକୃତି ଫଳାଫଳ ଶୁଭାଶୁଭ ବିଚାର କରେ ନାହିଁ । ତାହା ଯାନ୍ତ୍ରିକ ଭାବରେ (mechanically) କାର୍ଯ୍ୟ କରେ । ପ୍ରକୃତି ଯଦି ଦେବତାଙ୍କର ହସ୍ତଚାଳିତ ଯନ୍ତ୍ର-ବିଶେଷ ହୁଏ, ତାହାହେଲେ ଆମ୍ଭେମାନେ ଅନୁମାନ କରିବାକୁ ବାଧ୍ୟ ଯେ, ଦେବତା ଶୁଭାଶୁଭ ଫଳାଫଳ ବିଚାର କରନ୍ତି ନାହିଁ । ସେ ଯାନ୍ତ୍ରିକ ଭାବରେ କାର୍ଯ୍ୟ କରିଯାଆନ୍ତି । ଏପରି ଦେବତାର ପୂଜାରେ କି ପ୍ରୟୋଜନ ? ବର୍ତ୍ତମାନ ଯୁଗ ବିଜ୍ଞାନର ପରୀକ୍ଷାଗାରରେ ପ୍ରକୃତିର ଶକ୍ତିଗୁଡ଼ିକୁ ଶୃଙ୍ଖଳିତ କରିଛି, ସେଗୁଡ଼ିକୁ ନିଜର ପ୍ରୟୋଜନ ସିଦ୍ଧିର ଉପାୟ କରିଛି । ଅତୀତ ଯୁଗ ଅଜ୍ଞତାବଶତଃ ଯାହାକୁ ପୂଜା କରି ଆସୁଥିଲା, ବର୍ତ୍ତମାନ ଯୁଗ ବିଜ୍ଞାନ-ବଳରେ ତାହାକୁ ନିଜର ଗୋଲାମ କରିଛି ।

 

ଅନ୍ୟ କେଉଁ ସତ୍ୟ ବ୍ରାହ୍ମ ଧର୍ମ ଅନ୍ୟାନ୍ୟ ଧର୍ମମଧ୍ୟରୁ ଗ୍ରହଣ କରିଛି ? ପରକାଳ ? ସ୍ୱର୍ଗ ଓ ନରକ ? ଅନ୍ୟାନ୍ୟ ଧର୍ମ ସ୍ୱର୍ଗକୁ ସମସ୍ତ ଇନ୍ଦ୍ରିୟସୁଖ, ସମସ୍ତ ଇନ୍ଦ୍ରିୟ-ବିଳାସର ଲୀଳାଭୂମି ବୋଲି ଚିତ୍ରିତ କରିଅଛନ୍ତି । ସେଠାରେ ଶିକାର କରିବା ପାଇଁ ବନ୍ୟ ଜନ୍ତୁର ଅଭାବ ନାହିଁ, ସେଠାରେ ଦଧି ଏବଂ ଶର୍କରା ପ୍ରଚୁର ପରିମାଣରେ ମିଳେ, ସେଠାରେ ସୁରା ଓ ରୂପବତୀ ନାରୀର ଅଭାବ ନାହିଁ । ବ୍ରାହ୍ମଧର୍ମ କହେ—ଏ ସବୁ ମିଥ୍ୟା । କେଶବଚନ୍ଦ୍ର କହିଅଛନ୍ତି—ଈଶ୍ୱର-ସଙ୍ଗହିଁ ମାନବର ଏକମାତ୍ର ସ୍ୱର୍ଗ । ସେ ସ୍ୱର୍ଗ ମନୁଷ୍ୟ ଇହକାଳରେ ଲାଭ କରିପାରେ, ପରକାଳରେ ମଧ୍ୟ ଲାଭ କରିପାରେ । ଯେଉଁମାନେ ଈଶ୍ୱର ମାନନ୍ତି ନାହିଁ, ଯେଉଁମାନେ ଅବିଶ୍ୱାସୀ, ନାସ୍ତିକ, ବ୍ରାହ୍ମ ମତରେ ସେମାନଙ୍କର ଦଶା କ’ଣ ହେବ ? ସେମାନେ ତ ସ୍ୱର୍ଗଗାମୀ ହେବେ ନାହିଁ । ସେମାନେ କ’ଣ ନରକ ଭୋଗ କରିବେ ନା ସ୍ୱର୍ଗ ନରକର କୌଣସି ମଧ୍ୟବର୍ତ୍ତୀ ଅବସ୍ଥା ପ୍ରାପ୍ତ ହେବେ ? ବ୍ରାହ୍ମ ଧର୍ମରେ ଏପରି କୌଣସି ମଧ୍ୟବର୍ତ୍ତୀ ଅବସ୍ଥାର ବ୍ୟବସ୍ଥା ନାହିଁ । ଅତଏବ ଆମ୍ଭେମାନେ ଅନୁମାନ କଲୁଁ ଯେ, ବ୍ରାହ୍ମ ମତରେ ନାସ୍ତିକମାନେ ନରକଗାମୀ ହେବେ ।

 

ଅନ୍ୟାନ୍ୟ ଧର୍ମରେ ମଧ୍ୟ ନାସ୍ତିକମାନଙ୍କ ପାଇଁ ଭୀଷଣ ନରକଦଣ୍ଡର ବ୍ୟବସ୍ଥା ଅଛି । ଈଶ୍ୱର ଅନ୍ୟ ସମସ୍ତ ପାପ କ୍ଷମା କରିପାରନ୍ତି; କିନ୍ତୁ ତାଙ୍କ ଅସ୍ତିତ୍ୱରେ ଯେ ଅବିଶ୍ୱାସ କରେ ତାକୁ ସେ କ୍ଷମା କରି ନ ପାରନ୍ତି । ଏପରି ବିଧାନର କାରଣ ଜଣେ ପାଶ୍ଚାତ୍ୟ ପଣ୍ଡିତ (Westermarck) ଉତ୍ତମରୂପେ ଦର୍ଶାଇଅଛନ୍ତି । ସେ କହିଅଛନ୍ତି ଯେ, ଲୋକର ଯେଉଁ ବିଷୟରେ ତ୍ରୁଟି ନାହିଁ ସେ ବିଷୟରେ ଅନ୍ୟ କେହି ଲୋକ ଯଦି ମିଥ୍ୟାରେ ତ୍ରୁଟି ଦେଖାଏ, ନିର୍ଦୋଷ ବ୍ୟକ୍ତିର ସେଥିରେ କୌଣସି ରାଗ ହୁଏ ନାହିଁ । କିନ୍ତୁ ଯେ ଯେଉଁ ବିଷୟରେ ପ୍ରକୃତରୂପେ ଦୋଷୀ, ଅନ୍ୟ କେହି ଲୋକ, ଯଦି ତାହା ପ୍ରକାଶ କରିଦିଏ, ଦୋଷୀ ତାହାପ୍ରତି ଭୀଷଣ ରାଗାନ୍ୱିତ ହୁଏ । ଈଶ୍ୱରଙ୍କ ସମସ୍ତ ତ୍ରୁଟି ତାଙ୍କ ଅସ୍ତିତ୍ୱ ଘେନି । ସେ ବିଷୟ କେହି ଯଦି ପ୍ରକାଶ କରିଦିଏ, ଈଶ୍ୱର ତାହା ଉପରେ ଅଗ୍ନି-ଶର୍ମା ହୋଇପଡ଼ନ୍ତି ଏବଂ ତାହାପାଇଁ ଭୀଷଣ ଦଣ୍ଡର ବ୍ୟବସ୍ଥା କରନ୍ତି ।

 

ବ୍ରାହ୍ମମାନେ କହନ୍ତି, ସେମାନଙ୍କ ଈଶ୍ୱର ପରମ ଦୟାଳୁ । ଖ୍ରୀଷ୍ଟୀୟାନମାନଙ୍କର ଈଶ୍ୱର ପାପୀମାନଙ୍କ ପାଇଁ ଅନନ୍ତ-ନରକର ବିଧାନ କରିଅଛନ୍ତି । କିନ୍ତୁ ବ୍ରାହ୍ମ ଈଶ୍ୱର କିଛି କାଳ ସକାଶେ ପାପୀମାନଙ୍କୁ ଅନୁତାପାନଳରେ ଦଗ୍‌ଧ କରି ପରେ ସେମାନଙ୍କ ପାଇଁ ମୁକ୍ତି ଓ ସ୍ୱର୍ଗର ବ୍ୟବସ୍ଥା କରନ୍ତି । ଅନ୍ୟ ଧର୍ମରେ ନରକ ଶାରୀରିକ ଯନ୍ତ୍ରଣାରେ ପୂର୍ଣ୍ଣ । ସେଠାରେ ଅଗ୍ନି ଧୁ ଧୁ ହୋଇ ଜଳୁଅଛି, ବିଷ୍ଠାରେ ପାପୀମାନେ ସନ୍ତରଣ କରୁଅଛନ୍ତି । ବ୍ରାହ୍ମ ଧର୍ମ କହେ ସେ ସବୁ ମିଥ୍ୟା । ନରକରେ କୌଣସି ଶାରୀରିକ ଯନ୍ତ୍ରଣା ନାହିଁ । ସେଠାରେ କେବଳ ଭୀଷଣ ମାନସିକ ଯନ୍ତ୍ରଣା ବିଦ୍ୟମାନ ଅଛି । ମାନସିକ ଯନ୍ତ୍ରଣା କି ଶାରୀରିକ ଯନ୍ତ୍ରଣା ଠାରୁ କମ୍‌ କଷ୍ଟକର ? ଅନେକେ ଯେ ଏ ଯନ୍ତ୍ରଣାରେ ପାଗଳ ହୋଇଯାଆନ୍ତି । ବ୍ରାହ୍ମ ନରକ କି ଭୀଷଣ, କି ମାରାତ୍ମକ !

 

ନିଶ୍ୱାସ-ପ୍ରଶ୍ୱାସ ପରି ଜୀବନ, ଜ୍ଞାନ, ମନ ଓ ଆତ୍ମା ଏସବୁ ଆମ୍ଭମାନଙ୍କର ଶାରୀରିକ ଯନ୍ତ୍ରଗୁଡ଼ିର କ୍ରିୟା ମାତ୍ର । ମୃତ୍ୟୁର ଆଘାତରେ ଯେତେବେଳେ ସେହି ଯନ୍ତ୍ରଗୁଡ଼ି ବିନଷ୍ଟ ହୁଏ, ସେତେବେଳେ ସେମାନଙ୍କର କ୍ରିୟା ମଧ୍ୟ ସଙ୍ଗେ ସଙ୍ଗେ ବିନଷ୍ଟ ହୁଏ । ଶରୀର ଯିବ, ଅଥବ ତାହାର କିୟାଗୁଡ଼ି ବର୍ତ୍ତମାନ ଥିବ—ଏହା ଅସମ୍ଭବ କଥା । ଶୁଣୁଁ, ପ୍ରେତାତ୍ମାମାନେ ଆମ୍ଭମାନଙ୍କ ଆହ୍ୱାନ ଶୁଣନ୍ତି, ତାହାର ଉତ୍ତର ଦିଅନ୍ତି ଏବଂ କେବେ କେବେ ଦୃଷ୍ଟିଗୋଚର ହୁଅନ୍ତି । ସେମାନଙ୍କୁ ପରକାଳ ବିଷୟ ପଚରାଗଲେ ସେମାନେ ଏପରି ପରସ୍ପର-ବିରୋଧୀ ଉତ୍ତର ଦିଅନ୍ତି ଯେ ତଦ୍ଦ୍ୱାରା ପରକାଳ ବରଂ ଅପ୍ରମାଣିତ ହୁଏ । ଭସ୍ମୀଭୂତସ୍ୟ ଦେହସ୍ୟ  ପୁନରାଗମନଂ କୃତଃ ?

 

ଆଉ କି ସାର ସତ୍ୟ ବ୍ରାହ୍ମ ଧର୍ମ ଅନ୍ୟ ଧର୍ମମାନଙ୍କଠାରୁ ଗ୍ରହଣ କରିଅଛି ? ବ୍ରାହ୍ମମାନେ କି ସେମାନଙ୍କର ପରକାଳ, ସ୍ୱର୍ଗ ଓ  ନରକର କୌଣସି ପ୍ରମାଣ ପାଇଅଛନ୍ତି ? ନା ସେମାନଙ୍କର ଅନ୍ତର୍ଦୃଷ୍ଟି ଏସବୁର ସାକ୍ଷ୍ୟ ଦେଉଅଛି ? ହିନ୍ଦୁ ଅନ୍ତର୍ଦୃଷ୍ଟି ଆମ୍ଭେମାନେ ଗ୍ରହଣ ନ କରି ବ୍ରାହ୍ମ ଅନ୍ତର୍ଦୃଷ୍ଟି କାହିଁକି ଗ୍ରହଣ କରିବୁଁ ? ଯଦି ସବୁ ଧର୍ମ ପରି ବ୍ରାହ୍ମ ଧର୍ମ ମଧ୍ୟ କଳ୍ପନା-ପ୍ରସୂତ, ସେମାନଙ୍କର ଉନ୍ନତତର ଧର୍ମ-ବିଶ୍ୱାସ (‘‘Larger Faith’’) ଘେନି ଅହଙ୍କାର କରିବାର କୌଣସି କାରଣ ନାହିଁ ।

 

ବହୁ କାଳ ପୂର୍ବେ ଗଲିଭାର ଲିଲିପୁଟ ଯାତ୍ରା କରିଥିଲେ । ସେଠାରେ ସେ ଦେଖିଲେ ଯେ ଲୋକମାନେ ୪ ଇଞ୍ଚଠାରୁ ୬ ଇଞ୍ଚ ପର୍ଯ୍ୟନ୍ତ ଲମ୍ବା । ପ୍ରତି ବର୍ଷ ସେମାନଙ୍କ ମଧ୍ୟରେ ଉଚ୍ଚତା ନେଇ ପ୍ରତିଯୋଗିତା ହୁଏ । ସେଠାରେ ଯଦି କେହି ଲୋକ ଅନ୍ୟ ଲୋକମାନଙ୍କ ଠାରୁ ସୂତାଏ ମଧ୍ୟ ଅଧିକ ଲମ୍ବା ହୁଏ, ସେ ସେ ବର୍ଷର ସ୍ୱର୍ଣ୍ଣପଦକ ପାଏ । ସେତେବେଳେ ତାହାର ଅହଙ୍କାରର ସୀମା ରହେ ନାହିଁ । ଆମ୍ଭମାନଙ୍କର ବ୍ରାହ୍ମ ସମାଜର ବାଳଖିଲ୍ୟ ଋଷିମାନେ ଯେତେବେଳେ ସେମାନଙ୍କର ଅଦ୍ୱୈତବାଦ ଘେନି ଅହଙ୍କାର କରନ୍ତି, ସେତେବେଳେ ମୋହର ସେହି ଲିଲିପୁଟର କାହାଣୀ ମନେ ପଡ଼େ । ଯଦି ଧର୍ମ ଭ୍ରାନ୍ତିମୂଳକ ହୁଏ, ସେ ଭ୍ରାନ୍ତି ଦ୍ୱୈତବିଶିଷ୍ଟ କି ଅଦ୍ୱୈତବିଶିଷ୍ଟ, ସାକାର-ଯୁକ୍ତ କି ନିରାକାର-ଯୁକ୍ତ, ଅବତାରବାଦରେ ପୂର୍ଣ୍ଣ କି ନିରବତାର ବାଦୀ, ତାହା ଘେନି ଅହଙ୍କାର କରିବା ଯୁକ୍ତିସଙ୍ଗତ ନୁହେଁ । କଳ୍ପନା ଅନନ୍ତ-ଗୁଣିତ ହେଲେ ମଧ୍ୟ ତାହା କଳ୍ପନା ରହିଯାଏ । ତାହା କଦାପି ସତ୍ୟରେ ପରିଣତ ହୁଏ ନାହିଁ ।

 

ପ୍ରାର୍ଥନା ଓ ଆଦେଶ—

 

ବ୍ରାହ୍ମ ଧର୍ମର ଭିତ୍ତି ଓ ବିଶ୍ୱାସଗୁଡ଼ି ଆଲୋଚନା କଲୁଁ । ଉକ୍ତ ଧର୍ମର ତୃତୀୟ ଦଫା କହେ–ଭଗବାନ ଆମ୍ଭମାନଙ୍କର ପ୍ରାର୍ଥନା ଶୁଣନ୍ତି ଓ ତାହାର ଉତ୍ତର ଦିଅନ୍ତି । କେଶବଚନ୍ଦ୍ର ପ୍ରାର୍ଥନାକୁ ବ୍ରାହ୍ମ ଧର୍ମରେ ପ୍ରଥମ ସ୍ଥାନ ଦାନ କରିଅଛନ୍ତି । ସେ କହିଅଛନ୍ତି, ‘‘Prayer is the very pedestal on which Brahmaism rests; it is a Brahma's only hope, his only guide in the world.’’ (ପ୍ରାର୍ଥନା ବ୍ରାହ୍ମ ଧର୍ମର ଭିତ୍ତି, ବ୍ରାହ୍ମର ଏକମାତ୍ର ଆଶା ଏବଂ ସଂସାରରେ ଏକମାତ୍ର ପଥ-ପଦର୍ଶକ ।) ସେ କହିଅଛନ୍ତି ଯେ ପ୍ରାର୍ଥନାଦ୍ୱାରା କୌଣସି ବାହ୍ୟିକ ବସ୍ତୁ ଲାଭ ନ ହୋଇପାରେ, କିନ୍ତୁ ତଦ୍ଦ୍ୱାରା ମନୁଷ୍ୟର ଅନ୍ତର ପରିବର୍ତ୍ତିତ ହୁଏ-। ମନୋବିଜ୍ଞାନର ନିୟମରେ ଆମ୍ଭମାନଙ୍କର ଇଚ୍ଛା ଆମ୍ଭମାନଙ୍କ ପ୍ରବୃତ୍ତି ଉପରେ କାର୍ଯ୍ୟ କରେ-। ମୁଁ ଯଦି ସବୁ ସମୟରେ ଇଚ୍ଛା କରେଁ ଯେ ମୁଁ ନିଷ୍ଠୁର ହେବି, ମୋହର ଅନ୍ତର ମୋର ଇଚ୍ଛାନୁରୂପ ପରିବର୍ତ୍ତିତ ହେବ । ମୁଁ ସେତେବେଳେ କହିପାରିବି ନାହିଁ ଯେ ଭଗବାନ ମୋର ପ୍ରାର୍ଥନା ଶୁଣି ମୋତେ ନିଷ୍ଠୁର କରିଦେଲେ । କେଶବଚନ୍ଦ୍ର ଯେଉଁ ଆଧ୍ୟାତ୍ମିକ ମଙ୍ଗଳ କଥା କହିଅଛନ୍ତି, ତାହା ଏହି ନିୟମରେ ଘଟେ । ଅନେକ ସମୟରେ ଲୋକେ ପରସ୍ପର-ବିରୋଧୀ ପ୍ରାର୍ଥନାରେ ନିଯୁକ୍ତ ହୋଇ ତାହାର ଫଳ ପାଇଅଛନ୍ତି । ଇଂରାଜମାନେ ଜାର୍ମାନମାନଙ୍କ ସହିତ ଲଢ଼ାଇ କରିବାର ସ୍ପୃହା ଏବଂ ଉଦ୍ୟମ ଲୋଡ଼ିଅଛନ୍ତି । ଜାର୍ମାନମାନେ ଇଂରାଜମାନଙ୍କୁ ବିନାଶ କରିବା ପ୍ରତିଜ୍ଞା କାମନା କରିଅଛନ୍ତି-। ଯେ ଯାହା କାମନା କରିଅଛି, ମନୋବିଜ୍ଞାନର ନିୟମରେ ସେ ତାହା ପାଇଅଛି । ଆମ୍ଭମାନଙ୍କ କାମନା ସତ୍‌ ହେଉ ବା ଅସତ୍‌ ହେଉ, ପ୍ରାକୃତିକ ନିୟମରେ ତାହା ଫଳବତୀ ହେବ ।

 

ବାହ୍ୟିକ ବସ୍ତୁ ଉପରେ ଏ ନିୟମର ପ୍ରଭାବ ନାହିଁ । ସେଥିପାଇଁ ସେଠାରେ ପ୍ରାର୍ଥନା ନିଷ୍ଫଳ ଅଟେ । ୧୭୫୫ ଖ୍ରୀଷ୍ଟାବ୍ଦ ପହିଲା ନଭେମ୍ବର ଅଲ୍‌ ସେଣ୍ଟ୍‌ସ୍‌ ଡେ (All Saints Day) ପର୍ବର ଦିନ । ଉକ୍ତ ଦିବସରେ ପର୍ଟୁଗାଲର ରାଜଧାନୀ ଲିସ୍‌ବନ୍‌ ନଗରରେ ଖ୍ରୀଷ୍ଟୀୟାନମାନେ ଗିର୍ଜାରେ ଏକତ୍ରିତ ହୋଇ ପ୍ରାର୍ଥନାରେ ନିଯୁକ୍ତ ଥିଲେ, ହଠାତ୍‌ ଭୂମିକମ୍ପରେ ଗିର୍ଜାଘର ଭକ୍ତ ଏବଂ ଉପାସକମାନଙ୍କ ଉପରେ ଭାଙ୍ଗି ପଡ଼ିଲା । ୩୦ ହଜାର ଲୋକ ପ୍ରାଣ ହରାଇଲେ । ସେମାନେ ତ ସେମାନଙ୍କର ଐହିକ ଓ ପାରତ୍ରିକ କଲ୍ୟାଣ ପାଇଁ ପ୍ରାର୍ଥନା କରୁଥିବେ । ଭଗବାନ ଯଦି ସେଠାରେ ଉପସ୍ଥିତ ଥିଲେ, ସେ ସେ ସବୁ ତ ଶୁଣିଥିବେ । ସେହି ପ୍ରାର୍ଥନାର ଉତ୍ତରରେ ସେ କି ତାଙ୍କର ଭକ୍ତମାନଙ୍କୁ ଯମାଳୟକୁ ପଠାଇଲେ ? Tyndal କହିଅଛନ୍ତି ଯେ, ପ୍ରାର୍ଥନାର କୌଣସି ଫଳ ଅଛି କି ନା ତାହା ପରୀକ୍ଷା କରି ଦେଖା ଯାଇପାରେ । ଗୋଟିଏ ଚିକିତ୍ସାଳୟରେ ଦୁଇ ଗୋଟି ରୋଗୀ ପାଇଁ ଆରୋଗ୍ୟର ଭିନ୍ନ ଭିନ୍ନ ବନ୍ଦୋବସ୍ତ କରାଯାଉ । ଜଣକୁ ଔଷଧାଦିଦ୍ୱାରା ଚିକିତ୍ସା କରାଯାଉ ଏବଂ ଅନ୍ୟ ଜଣକ ପାଇଁ କେବଳ ପ୍ରାର୍ଥନାର ଆୟୋଜନ କରାଯାଉ । କିଏ ଆଗେ ଆରୋଗ୍ୟ ଲାଭ କରିବ ଦେଖାଯିବ । ଆପଣମାନେ ନିଜ ନିଜ ଘରେ ଏ ପରୀକ୍ଷା କରିପାରନ୍ତି ।

 

ଦ୍ୱିତୀୟ ପ୍ରଶ୍ନ—ପ୍ରାର୍ଥନା କଲେ ଭଗବାନଙ୍କ ଠାରୁ କୌଣସି ଆଦେଶ ମିଳେ କି ନାହିଁ । କେଶବ କହିଅଛନ୍ତି, ସେ ସର୍ବଦା ଭଗବାନଙ୍କଠାରୁ ଆଦେଶ ପାଉଥିଲେ । କୁଚବିଚାର ବିବାହ ପାଇଁ ଯେତେବେଳେ ତାଙ୍କର ବନ୍ଧୁମାନେ ତାଙ୍କୁ ଧରପଗଡ଼ କଲେ, ସେତେବେଳେ ସେ କହିଥିଲେ ଯେ, ଭଗବାନଙ୍କ ଆଦେଶରେ ସେ ସେ କାର୍ଯ୍ୟ କରୁଅଛନ୍ତି । ଆଇନ ଅଦାଲତରେ ଏପରି କୈଫିୟତ୍‌ ଗ୍ରାହ୍ୟ ହୁଏ କି ନାହିଁ ମୁଁ ଜାଣେ ନା । ମସ୍ତିଷ୍କ ଯେତେବେଳେ ଅତ୍ୟଧିକ ଉତ୍ତେଜିତ ହୁଏ, ସେତେବେଳେ ଲୋକ ନିଜର ଚିନ୍ତା ଓ କାର୍ଯ୍ୟଗୁଡ଼ିକୁ ଅନ୍ୟର ଚିନ୍ତା ଓ କାର୍ଯ୍ୟ ଭାବେ । ସୁମେନଙ୍କ ମସ୍ତିଷ୍କ ଯେତେବେଳେ ବିକୃତ ହେଲା, ସେ ଭାବିଲେ ଯେ, ପରୀମାନେ ତାଙ୍କୁ ସଙ୍ଗୀତ ଶୁଣାଉଅଛନ୍ତି । ସେ ଦିନ ଭରି ସେମାନଙ୍କ ସଙ୍ଗୀତ ଲିପିବଦ୍ଧ କରିବା ପାଇଁ ଟେବୁଲ ପାଖରେ କାଗଜ ପେନ୍‌ସିଲ ନେଇ ଅପେକ୍ଷା କରି ବସି ରହୁଥିଲେ । ସେ ବୁଝିପାରୁ ନ ଥିଲେ ଯେ, ସେ ସଙ୍ଗୀତଗୁଡ଼ି ତାଙ୍କର ନିଜର ମସ୍ତିଷ୍କରୁ ବାହାରୁଅଛି । * ଭଗବାନଙ୍କ ଆଦେଶ ଏହି ଶ୍ରେଣୀର ବିକାର-। ଏ ବିକାର ଧର୍ମର ପ୍ରତିଷ୍ଠାତାମାନଙ୍କଠାରେ ବିଶେଷରୂପେ ଦୃଷ୍ଟିଗୋଚର ହୁଏ-। ଅତ୍ୟଧିକ ପ୍ରାର୍ଥନା, ଧ୍ୟାନ, ଧାରଣା ଦ୍ୱାରା ମସ୍ତିଷ୍କ ଅବଶ ହେଲେ ଲୋକ ଏହି ପ୍ରକାର ନୂତନ ନୂତନ ଅନୁଭୂତିମାନ ଉପଲବ୍ଧି କରେ ଏବଂ ଭାବେ ସେ ସବୁ ଦେବ-ପ୍ରେରିତ । ଅନେକ ଅସାଧାରଣ ଅନୁଭୂତିର ପ୍ରାକୃତିକ କାରଣ ଏ ପର୍ଯ୍ୟନ୍ତ ଦୃଷ୍ଟିଗୋଚର ହୋଇ ନାହିଁ; କିନ୍ତୁ ବିଜ୍ଞାନ ବିଶ୍ୱାସ କରେ ଯେ ଜଗତର ସମସ୍ତ ଘଟନାବଳୀର ପ୍ରାକୃତିକ କାରଣ ବିଦ୍ୟମାନ ଅଛି, ମାନବ ଅଜ୍ଞତାବଶତଃ ଅଲୌକିକ କାରଣର ଆଶ୍ରୟ ନେଉଅଛି ।

 

*Ernst Kretschmer—The psychology of Men of Genius (Translated by R B. Cattell)—P 167

 

କେଶବାନୁଭୂତ ଅନ୍ୟ ଗୋଟିଏ ଆଦେଶର ଦୃଷ୍ଟାନ୍ତ ଦିଏଁ । କେଶବ ଦେଖୁଥିଲେ ଯେ ଇଂରାଜୀ ଶିକ୍ଷା ଓ ସଭ୍ୟତାର ଫଳରେ ବ୍ରାହ୍ମ ସମାଜର ଉଦୟ ହୋଇଅଛି ଏବଂ ଇଂରେଜ ସରକାରର ସାହାଯ୍ୟ ନେଇ ବ୍ରାହ୍ମ ସମାଜ ଉନ୍ନତ ଏବଂ ବଳିଷ୍ଠ ହୋଇଅଛି । ଯଦି ବ୍ରାହ୍ମ ସମାଜ ଦେବ-ଦତ୍ତ ହୁଏ, ଭାରତରେ ଇଂରାଜ-ପ୍ରଭୁତ୍ୱ ମଧ୍ୟ ଦେବତାଙ୍କ ଦାନ । ଏହି ବିଶ୍ୱାସର ବଶବର୍ତ୍ତୀ ହୋଇ ସେ ଥରେ ମନେ କଲେ ଯେ, ଭଗବାନ ତାଙ୍କଠାକୁ ଗୋଟିଏ ଘୋଷଣାପତ୍ର ପଠାଇଅଛନ୍ତି-। ସେ ଘୋଷଣା ଏହିପରି :—

 

‘‘ଗୋଟାଏ ଜାତିକୁ ଉଦ୍ଧାର କରିବା ପାଇଁ ମୁଁ ଯେ ବିଶେଷ ଆୟୋଜନ କରେଁ, ତାହା ସମସ୍ତ ଜାତିକୁ ଦେଖାଇବା ପାଇଁ ମୁଁ ଭାରତକୁ ନିର୍ବାଚିତ କରିଅଛି । ବ୍ରିଟିଶ ସରକାର ମୋର ସରକାର; ବ୍ରାହ୍ମ ଧର୍ମ ମୋର ଧର୍ମ । ଭାରତବାସୀଙ୍କୁ ଶାସନ କରିବା ପାଇଁ, ସେମାନଙ୍କୁ ଶିକ୍ଷା ଏବଂ ସୌଭାଗ୍ୟ ଦେବା ପାଇଁ, ସେମାନଙ୍କ ସ୍ୱାସ୍ଥ୍ୟ ଏବଂ ସମ୍ପତ୍ତି ରକ୍ଷା କରିବା ପାଇଁ ମୋର ଝିଅ ରାଣୀ ଭିକ୍‌ଟୋରିଆଙ୍କୁ ମୁଁ ନିଯୁକ୍ତ କରିଅଛି । ତୁମ୍ଭେମାନେ ତାଙ୍କୁ ଭକ୍ତି କର; କାରଣ ସେ ମୋଠାରୁ ତାଙ୍କର ଅଧିକାର ପାଇଅଛନ୍ତି । ସେ ଯେପରି ଅବାଧରେ ମୋର ଉଦ୍ଦେଶ୍ୟମାନ ସାଧନ କରିପାରିବେ ଏବଂ ଭାରତକୁ ବୈଷୟିକ ଓ ରାଜନୈତିକ ସୌଭାଗ୍ୟ ଦେବେ, ତୁମ୍ଭେମାନେ ତାହାର ଉପାୟ କର । ମୋର କର୍ମଚାରୀ ଏବଂ ପ୍ରତିନିଧି ଭାବରେ ତାଙ୍କୁ ପ୍ରେମ କର, ସମ୍ମାନ କର ଏବଂ ତାଙ୍କର ସହାୟତା କର ।’’

 

ଏ ଘୋଷଣା କେଶବ କି ଏକା ପାଇଥିଲେ, ନା ସେ ସମୟରେ ଭାରତରେ ଅନ୍ୟ କେହି ପାଇଥିଲେ ? ବ୍ରାହ୍ମ ଧର୍ମ ଭଗବାନଙ୍କ ଧର୍ମ ! ହିନ୍ଦୁ ଧର୍ମ କାହାର ? ବ୍ରିଟିଶ ସରକାର ଭଗବାନଙ୍କ ସରକାର ! ଯେତେବେଳେ ସେ ସରକାର ଆମେରିକାରେ ପରାଜିତ ହୋଇଥିଲେ, ସେତେବେଳେ କି ଭଗବାନ ହାରି ଯାଇଥିଲେ ? ଏ ସମ୍ବନ୍ଧରେ ଅଧିକ ଟୀକା ନିଷ୍ପ୍ରୟୋଜନ । ଭଗବାନଙ୍କ ଆଦେଶ ଭଗବାନଙ୍କର ନୁହେ, ଭଗବାନଗ୍ରସ୍ତ ବିକୃତମସ୍ତିଷ୍କ ମାନବର ।

 

ଜଣେ ବଙ୍ଗୀୟ ଲେଖକ ମାଘୋତ୍ସବ ଦେଖି ତାଙ୍କ ମନରେ ଯେଉଁ ଚିନ୍ତାର ଉଦୟ ହୋଇଥିଲା ତାହା ଏହିରୂପେ ଲିପିବଦ୍ଧ କରି ଯାଇଅଛନ୍ତି—

 

‘‘ଦେଖିଲି, ଆଚାର୍ଯ୍ୟ ମହାଶୟ ଆଖି ବୁଜି ବସିଅଛନ୍ତି, ତଳେ ସତରଞ୍ଜି ଓ ବେଞ୍ଚ ଉପରେ ଅନ୍ୟାନ୍ୟ ଭକ୍ତମାନେ ସେହିପରି ଅବସ୍ଥାରେ ଉପବିଷ୍ଟ । ଲୋକ-ସମାଗମରେ, ଗାନ-ବାଜଣାରେ ଘରଟି ଝଙ୍କାରିତ ହେଉଅଛି । ଏହି ଯେ ଲୋକମାନେ ଆଖି ବୁଜି ବସିଅଛନ୍ତି, ସେମାନଙ୍କ ମଧ୍ୟରୁ କେହି କି ଭଗବାନଙ୍କୁ ଲାଭ କରିଛି ବା ତାଙ୍କର ସନ୍ଧାନ ପାଇଛି ? କୌଣସି ଲକ୍ଷଣ ତ ଦେଖୁ ନାହିଁ । ଯେଉଁମାନେ ଭଗବାନ-ଭକ୍ତ, ସେମାନେ ଯେଉଁ ଚରିତ୍ରର ଲୋକ, ମୁଁ ମଧ୍ୟ ସେହିପରି । ଭଗବାନ ଲାଭ କରିଅଛି ଏପରି ଲୋକ ମୁଁ ଏପର୍ଯ୍ୟନ୍ତ ଦେଖି ନାହିଁ । ତେବେ ଭୂତ ଧରିଲେ ମନୁଷ୍ୟ ଯେପରି ଯାହା ତାହା ବକେ, ସେହିପରି ଥରେ ଥରେ କୌଣସି କୌଣସି ଲୋକଙ୍କୁ ଭଗବାନ ଧରେ ଏବଂ ସେତେବେଳେ ସେମାନେ ଯାହା ତାହା ବକିବାକୁ ଆରମ୍ଭ କରନ୍ତି-। ଅନ୍ୟ ଲୋକେ ମନେ କରନ୍ତି ଯେ, ସେମାନଙ୍କର ଭଗବାନଙ୍କ ସହିତ ଆଳାପ ଚାଲିଛି-। ଭୂତଗ୍ରସ୍ତ ଓ ଭଗବାନଗ୍ରସ୍ତ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ । ଭଗବାନ ! ବିକୃତ-ମସ୍ତିଷ୍କହିଁ ତାଙ୍କର ଏକମାତ୍ର ନିବାସ—ତ୍ରିଭୁବନରେ ଅନ୍ୟ କୌଣସିଠାରେ ସେ ନାହାନ୍ତି ।’’ *

 

* ବୀରେନ୍ଦ୍ରକୁମାର ଦତ୍ତଙ୍କ ‘ଯୁଗ-ମାନବ’—ପୃ ୨୪୬

 

ରାମମୋହନଙ୍କ ଭ୍ରାନ୍ତି—

 

ଆମ୍ଭେମାନେ ଏପର୍ଯ୍ୟନ୍ତ ବ୍ରାହ୍ମ ସମାଜର ଇତିହାସର ପ୍ରଥମ ଅର୍ଦ୍ଧ-ଶତାବ୍ଦୀ ଆଲୋଚନା କଲୁଁ । ସାଧାରଣ ବ୍ରାହ୍ମସମାଜ-ଗଠନ ପରେ ବ୍ରାହ୍ମ ସମାଜର ବକ୍ଷରେ ଆଉ ଗୋଟିଏ ଅର୍ଦ୍ଧ ଶତାବ୍ଦୀ ଭାସି ଯାଇଅଛି । ଇତି ମଧ୍ୟରେ ସେପରି କିଛି ସ୍ମରଣୀୟ ଘଟନା ଘଟି ନାହିଁ । ବର୍ତ୍ତମାନ ବ୍ରାହ୍ମ ସମାଜର ବଡ଼ ବଡ଼ ନେତାମାନେ ମୃତ । ଦେବେନ୍ଦ୍ରନାଥ, କେଶବଚନ୍ଦ୍ର, ଶିବନାଥ, ପ୍ରତାପଚନ୍ଦ୍ର—ସମସ୍ତେ ଚାଲି ଯାଇଅଛନ୍ତି । ଯେଉଁ ବ୍ରାହ୍ମ ଧର୍ମ ପ୍ରଥମ ୫୦ ବର୍ଷରେ ଏତେ ପରିବର୍ତ୍ତନ ମଧ୍ୟରେ ଅଗ୍ରସର ହୋଇଥିଲା, ତାହା ଆଉ ପରିବର୍ତ୍ତିତ ହେଉ ନାହିଁ । ତାହା କେତେକଟା ନିର୍ଜୀବ, ନିସ୍ପନ୍ଦ ଭାବ ଧାରଣ କରିଅଛି । ଏ ଧର୍ମ କେବଳ ଶିକ୍ଷିତ ସମ୍ପ୍ରଦାୟ ମଧ୍ୟରେ ଆବଦ୍ଧ । ଜନସାଧାରଣ ତାହା ଗ୍ରହଣ କରି ନାହିଁ । ଯେଉଁ ଧର୍ମମଧ୍ୟରେ ଦର୍ଶନର ପ୍ରାଚୁର୍ଯ୍ୟ ଅଛି, ସେ ଧର୍ମରେ ମାନବର କଳ୍ପନା କ୍ରୀଡ଼ା କରିପାରେ ନାହିଁ, ତାହା ସାଧାରଣ ଲୋକେ ଗ୍ରହଣ କରିପାରନ୍ତି ନାହିଁ । ୧୯୩୧ ଖ୍ରୀଷ୍ଟାବ୍ଦରେ ଭାରତର ବ୍ରାହ୍ମ ସଂଖ୍ୟ ୫୩୭୮ ହୋଇଅଛି ଅର୍ଥାତ୍‌ ଭାରତର ପ୍ରତି ୬୫୦୦୦ ଲୋକ ମଧ୍ୟରେ ଜଣେ ମାତ୍ର ବ୍ରାହ୍ମ !

 

ବ୍ରାହ୍ମ ସମାଜର ପ୍ରତିଷ୍ଠାତା ଓ ନେତାମାନେ ବଡ଼ ଭୁଲ୍‌ କଲେ । ଯେତେବେଳେ ଇଉରୋପୀୟ ସଭ୍ୟତାର ବନ୍ୟା ଭାରତରେ ପଶିବାକୁ ଆରମ୍ଭ କଲା, ଖ୍ରୀଷ୍ଟୀୟ ଧର୍ମ ପ୍ରଚାରକମାନେ ପୌତ୍ତଳିକତା ଓ ଜାତିଭେଦ ବିରୁଦ୍ଧରେ ସମର ଘୋଷଣା କଲେ, ସେତେବେଳେ ଶିକ୍ଷିତ ଯୁବକମାନେ ସମସ୍ତ ଧର୍ମରେ ବିଶ୍ୱାସ ହରାଇ ବସିଲେ । ବ୍ରାହ୍ମ ଧର୍ମର ଜଣେ ବଡ଼ ପଣ୍ଡା ପ୍ରତାପଚନ୍ଦ୍ର ମଜୁମଦାର କେଶବଚନ୍ଦ୍ରଙ୍କ ବାଲ୍ୟକାଳ ବର୍ଣ୍ଣନା କରୁଁ କରୁଁ ଲେଖିଅଛନ୍ତି ଯେ, ନବ୍ୟ ଶିକ୍ଷିତ ଯୁବକମାନେ ଏକାବେଳେ ଧର୍ମହୀନ ହୋଇ ପଡ଼ିଥିଲେ । *

 

*Philosophers of the Sceptical and Agnostic school, scientific opponents of religion and morality, the apostles of Utilitarianism, the materialistic professors of nescience and so called Positivism overspread the land with their teachings. In every shape, in books, magazines, newspapers, through men who filled public posts, and some of whom even occupied chairs in our colleges, these teachings found their way among young men. The ancient scriptures of the country, the famous records of the spiritual experiences of the great men of numerous. Hindu sects, had long since been discredited.

 

The whole religious literature of ancient India presented an endless void. Our young reformers studied Payne's ‘Age of Reason to get fresh ideas on the subject of religion.

 

for one man who came to embrace Christianity or joined the Brahma Samaj, ten expressed their wholesale defiance of all religion.

 

(P. C. Mrzumdar’s Life of K. C. Sen-p. 5)

 

ସେମାନଙ୍କ ମଧ୍ୟରୁ ଜଣେ ଯଦି ବ୍ରାହ୍ମ କି ଖ୍ରୀଷ୍ଟ ଧର୍ମ ଗ୍ରହଣ କରୁଥିଲେ, ଦଶଜଣ ସମସ୍ତ ଧର୍ମ ଅମାନ୍ୟ କରୁଥିଲେ । ସେ ସମୟରେ ସମସ୍ତ ସାହିତ୍ୟ ଓ ଶିକ୍ଷା ଧର୍ମବିରୋଧୀ ଥିଲା । ଭାରତ ଆକାଶରେ ଯଦି ଏପରି ବିପ୍ଳବର ସୂତ୍ରପାତ ହୋଇଥିଲା, କେହି ଯଦି ଧର୍ମ ବସ୍ତୁ ମାଗୁ ନ ଥିଲେ, ସେମାନଙ୍କୁ ଜୋର କରି ସେ ବସ୍ତୁ ଦେବାର କି ଆବଶ୍ୟକତା ଥିଲା ?

 

ଏହି ଶିକ୍ଷିତ ସମ୍ପ୍ରଦାୟ ଧର୍ମର ଆରବ୍ୟ ଉପନ୍ୟାସ ଚାହିଁ ନାହାନ୍ତି, ସେମାନେ ଚାହିଁଥିଲେ ସତ୍ୟର ନୀରବ ଉପାସନା । ପରକାଳର ଆଶାରେ ଇହକାଳକୁ ନଷ୍ଟ କରିବାକୁ ସେମାନେ ଚାହିଁ ନାହାନ୍ତି । ଶ୍ମଶାନ-ବୈରାଗ୍ୟ ସେମାନଙ୍କର ଲୋଡ଼ା ନ ଥିଲା । ଇନ୍ଦ୍ରିୟ ଓ ଆତ୍ମା—ଜୀବନର ସମସ୍ତ ଅଙ୍ଗଗୁଡ଼ିର ପୂର୍ଣ୍ଣ ବିକାଶ ସେମାନେ ଚାହୁଁଥଲେ । ବେଦରୁ ପ୍ରଚାରିତ ଅସାର ଧର୍ମୋପଦେଶର ସାହାଯ୍ୟ ନେଇ ସେମାନେ ନିଜ ନିଜର ଚରିତ୍ର ଗଠନ କରିବାକୁ ଚାହିଁ ନ ଥିଲେ-। ସେମାନେ ଚାହିଁଥିଲେ ସର୍ବପ୍ରକାର ଉନ୍ନତିର ବୈଜ୍ଞାନିକ ପନ୍ଥା । ଜୀବନର କାର୍ଯ୍ୟ ସମାପ୍ତ କରି ଯେତେବେଳେ ମୃତ୍ୟୁଶଯ୍ୟାରେ ଶାୟିତ ହେଉଥିଲେ, ସେମାନେ ସାନ୍ତ୍ୱନା ପାଇଁ ଭୌତିକ କଳ୍ପନାର ଆଶ୍ରୟ ଲୋଡ଼ୁ ନ ଥିଲେ । ସେମାନେ ଚାହୁଁଥିଲେ ସ୍ତ୍ରୀ, ପୁତ୍ର, ବନ୍ଧୁ, ବାନ୍ଧବଙ୍କର ସ୍ନେହ ଓ ସହାନୁଭୂତି ।

 

ଭାରତର ଭାବୀ ଆଶା ଓ ସମ୍ପଦ ଏହି ଶିକ୍ଷିତ ସମ୍ପ୍ରଦାୟର ଆଶା ଓ ଆକାଙ୍‌କ୍ଷା କି ରାମମୋହନ ପୂରଣ କରିଅଛନ୍ତି ? ସେହି ମହାମାନବର ଶତବାର୍ଷିକୀ ଆମ୍ଭେମାନେ ଅତି ଆଡ଼ମ୍ବର ସହିତ ସମାଧାନ କରିଅଛୁଁ । କିନ୍ତୁ ଚିନ୍ତାଶୀଳ ବ୍ୟକ୍ତିମାନେ ବୁଝୁଥିବେ ଯେ, ରାମମୋହନ ଏ ଯୁଗର ମିତ୍ର ନୁହନ୍ତି । ବିଜ୍ଞାନର ପଥ ଛାଡ଼ି ଅନ୍ଧ-ବିଶ୍ୱାସର ପଥ ଅବଲମ୍ବନ କରିବାଦ୍ୱାରା ଯଦି କୌଣସି ଜାତିର କିଛି କ୍ଷତି ହୋଇଥାଏ, ସେ କ୍ଷତି ପାଇଁ ଧର୍ମର ପ୍ରତିଷ୍ଠାତାମାନେ ଦାୟୀ । ଯେତେବେଳେ ଦେଶମଧ୍ୟରେ ସତ୍ୟ ଓ ମୁକ୍ତିର ବାସନା ଜାଗ୍ରତ ହୋଇଥିଲା, ସେତେବେଳେ ରାମମୋହନ ଶିକ୍ଷିତ ସମ୍ପ୍ରଦାୟଙ୍କ ଉପରେ ଭୂତର ବୋଝ ଲଦି ଦେଇଗଲେ । ଏ ବୋଝ ଆମ୍ଭେମାନେ ଏକ ଶତ ବର୍ଷ ବହି ଆସିଅଛୁଁ । ଆଉ କେତେ ଶତ ବର୍ଷ ବହିବୁଁ, ତାହା କିଏ କହିପାରେ ?

 

ଭାବୀ ବ୍ରାହ୍ମ ସମାଜ—

 

ଆଦିମ ମାନବର ଭ୍ରାନ୍ତିରୁ ଧର୍ମ ବସ୍ତୁ ଉତ୍ପନ୍ନ ହୋଇଅଛି । ରାମମୋହନଙ୍କ ଭ୍ରାନ୍ତିରୁ ବ୍ରାହ୍ମ ସମାଜ ଜନ୍ମଗ୍ରହଣ କରିଅଛି । ଏ ସବୁ ଭ୍ରାନ୍ତି କେବେ ଦୂର ହେବ ?

 

ଜଗତରେ ଧର୍ମର ରଜନୀ ଶେଷ ହୋଇ ଆସୁଅଛି । ସୋଭିୟେଟ ରଶିୟାରେ ଧର୍ମ ଏକ ପ୍ରକାର ଲୁପ୍ତ ହୋଇଅଛି । ବାଲ୍‌ଟିକ ସାଗରଠାରୁ ଆରମ୍ଭ କରି ପ୍ରଶାନ୍ତ ମହାସାଗର ପର୍ଯ୍ୟନ୍ତ, ଆର୍କଟିକ ସାଗରଠାରୁ ଆରମ୍ଭ କରି କକେସସ୍‌ ପର୍ବତ ପର୍ଯ୍ୟନ୍ତ ଏହି ବିଶାଳ ଭୂଖଣ୍ଡରେ ଆଉ ଧର୍ମର ଘଣ୍ଟା ବାଜୁ ନାହିଁ । ସେ ଦିନ ମସ୍କୋରୁ ଖବର ଆସିଅଛି ଯେ, ରଶିୟାରେ କେତେକ ଲୋକ ଖ୍ରୀଷ୍ଟ ଧର୍ମ ପୁନରୁତ୍ଥାନର ଚେଷ୍ଟା କରୁଅଛନ୍ତି; କିନ୍ତୁ ସେମାନଙ୍କର ଚେଷ୍ଟା ଯେପରି ନିଷ୍ଫଳ ହୁଏ ତାହାର ଉପାୟ କରା ହେଉଛି । ଇଉରୋପ ଓ ଉତ୍ତର ଆମେରିକାରେ ଧର୍ମ ଗିର୍ଜାମଧ୍ୟରେ ଆବଦ୍ଧ ଅଛି । ଗୋଟାଏ ଗାଲରେ ଚାପୁଡ଼ା ମାରିଲେ ଶତ୍ରୁକୁ ଅନ୍ୟ ଗାଲ ଦେଖାଇଦେବା—ଯୀଶୁ ଖ୍ରୀଷ୍ଟଙ୍କ ଏହି ଉଦାର ନୀତି ଖୁବ୍‍ ଉତ୍ସାହର ସହିତ ଘୋଷିତ ହେଉଛି; କିନ୍ତୁ ପ୍ରତ୍ୟେକ ଖ୍ରୀଷ୍ଟୀୟାନ ଦେଶ ଅନ୍ୟ ଦେଶମାନଙ୍କୁ କରଗତ କରିବା ପାଇଁ ମାରଣ ଅସ୍ତ୍ର ଉପର୍ଯ୍ୟୁପରି ବଢ଼ାଉଅଛି । ନିରସ୍ତ୍ରୀକରଣ ସଭା ନିଷ୍ଫଳ ହୋଇଅଛି, ରକ୍ତଗଙ୍ଗା ବହିଅଛି ଏବଂ ଭବିଷ୍ୟତରେ ମଧ୍ୟ ବହିବ । ପରକାଳର ମଙ୍ଗଳପାଇଁ ଇହକାଳର ସୁଖ ଓ ଆଧିପତ୍ୟ କେହି ଛାଡ଼ୁ ନାହିଁ । ପ୍ରକୃତ ଧର୍ମ ଯଦି କେଉଁଠାରେ ଥାଏ, ତାହା ଆଫ୍ରିକାର ଅନ୍ଧକାର ଗୁହାରେ ଖୋଜିଲେ ମିଳିପାରେ । ନରବଳି ଓ ପଶୁବଳିର ତାଣ୍ଡବନୃତ୍ୟ ସେଠାରେ ଚଳୁଅଛି । ଭାରତରେ ଧର୍ମାନୁଷ୍ଠାନର ବିରାମ ନାହିଁ । କିନ୍ତୁ ଶିକ୍ଷିତ ଲୋକମାନଙ୍କ ପକ୍ଷରେ ସେ ସବୁରେ ବିଶ୍ୱାସ କରିବା ଦୁରୂହ ହୋଇ ପଡ଼ିଛି । ଅଜ୍ଞେୟତାବାଦ ବ୍ରାହ୍ମ ସମାଜ ମଧ୍ୟରେ କ୍ରମଶଃ ଅଗ୍ରସର ହେଉଅଛି । ମାନ୍ଧାତା ଅମଳର ବ୍ରାହ୍ମମାନେ ପୂର୍ବପରି ଉପାସନାରେ ବସି ସେମାନଙ୍କର କଳ୍ପନା ସହିତ ହାସ୍ୟ, କ୍ରନ୍ଦନ, ଚିତ୍କାର, ବାକ୍ୟବ୍ୟୟ, ନୃତ୍ୟ ଓ ସଙ୍ଗୀତ ଚଳାଉଅଛନ୍ତି; କିନ୍ତୁ ଯେଉଁମାନେ ଉନ୍ନତ ଓ ଆଲୋକ ପ୍ରାପ୍ତ ସେମାନେ ଏସବୁର ଧାର ଧାରନ୍ତି ନାହିଁ । ସେମାନେ ଜୀବନକୁ ମଧୁମୟ କରିବାକୁ ଚାହାନ୍ତି । ଅଯଥା ଶକ୍ତିର ଅପଚୟ ସେମାନେ ପସନ୍ଦ କରନ୍ତି ନାହିଁ ।

 

ବ୍ରାହ୍ମ ସମାଜ ଏତେ କାଳ ସ୍ୱାଧୀନତାର ସଂଗ୍ରାମ କରି ଆସିଅଛି । ରାମମୋହନ କଳାପାହାଡ଼ ପରି ପୌତ୍ତଳିକତା ଓ ବହୁ ଦେବବାଦ ଭାଙ୍ଗି ଦେଇଗଲେ । ସେଥିପାଇଁ ତାଙ୍କୁ ଅନେକ ନିର୍ଯାତନା ସହିବାକୁ ହୋଇଥିଲା । ଦେବେନ୍ଦ୍ରନାଥ ପ୍ରଚାର କରିଗଲେ ଯେ, କୌଣସି ଧର୍ମଶାସ୍ତ୍ର ଅଭ୍ରାନ୍ତ ନୁହେ । ଜାତିଭେଦ, ବାଲ୍ୟ-ବିବାହ, ବହୁ-ବିବାହ, ବିଧବାମାନଙ୍କ ପୁନର୍ବାର ବିବାହନିଷେଧ ଏହିସବୁ ସାମାଜିକ ଦୁର୍ନୀତି ଓ ଅତ୍ୟାଚାର ହାତରୁ କେଶବଚନ୍ଦ୍ର ଆମ୍ଭମାନଙ୍କୁ ରକ୍ଷା କରିଅଛନ୍ତି । ଶିବନାଥ ଧର୍ମ ବିଷୟରେ ବ୍ୟକ୍ତିବିଶେଷର ପ୍ରଭୁତ୍ୱ ଖଣ୍ଡନ କରି ଯାଇଅଛନ୍ତି । ଏହି ଶିକ୍ଷିତ, ସ୍ୱାଧୀନତା-ପ୍ରୟାସୀ ବ୍ରାହ୍ମ ସମାଜର ବଂଶଧରମାନେ କି ଚିରକାଳ ନୀରବରେ ଧର୍ମର ଅତ୍ୟାଚାର ସହ୍ୟ କରିବେ ?

 

ଦେବେନ୍ଦ୍ର ନାଥ ସମାଜ-ସଂସ୍କାରକୁ ବଡ଼ ଭୟ କରୁଥିଲେ । କାରଣ ଏହିସବୁ ସଂସ୍କାର ମୂଳରେ ସ୍ୱାଧୀନତାର ଭାବ ନିହିତ ଅଛି । ସ୍ୱାଧୀନତାର ଭାବ ଯେତେବେଳେ ମାନବ ମନରେ ଜାଗ୍ରତ ହୁଏ, ସେ ନିଜକୁ ପ୍ରାଚୀନ କୁସଂସ୍କାର ହାତରେ ବଳି ଦେବାକୁ ନାରାଜ ହୁଏ । ଯେତେବେଳେ ମତଭେଦବଶତଃ କେଶବଚନ୍ଦ୍ର ମହର୍ଷିଙ୍କୁ ତ୍ୟାଗ କରି ଚାଲିଗଲେ, ସେତେବେଳେ ମହର୍ଷି ଭବିଷ୍ୟଦ୍‌ବାଣୀ କରିଥିଲେ ଯେ, ଏହି ସମାଜ-ସଂସ୍କାର କାର୍ଯ୍ୟ ଅବଶେଷରେ ସମସ୍ତ ଭକ୍ତି ଉପାସନା ମୂଳରେ କୁଠାରାଘାତ କରିବ । ମହର୍ଷିଙ୍କ ବାଣୀ ଆଜି ସଫଳ ହେବାକୁ ବସିଅଛି । ଆଜିକାଲି କେତେଟା ଲୋକ ଧର୍ମ ପାଇଁ ବ୍ରାହ୍ମ ସମାଜରେ ଯୋଗ ଦେଉଅଛନ୍ତି ? ସାମାଜିକ ଅତ୍ୟାଚାରରୁ ମୁକ୍ତି ପାଇବା ପାଇଁ ସେମାନେ ବ୍ରାହ୍ମ ସମାଜର ଆଶ୍ରୟ ନେଉଅଛନ୍ତି । କିନ୍ତୁ ବ୍ରାହ୍ମ ସମାଜ ବ୍ରାହ୍ମ-ଧର୍ମ-ବିହୀନ ନୁହେଁ । ସେଥିପାଇଁ ବାଧ୍ୟ ହୋଇ ସେମାନଙ୍କୁ ବ୍ରାହ୍ମ ଧର୍ମ ଗ୍ରହଣ କରିବାକୁ ପଡ଼ୁଅଛି । ପୁଷ୍ପ ସହିତ ପୁଷ୍ପର କଣ୍ଟକ ମଧ୍ୟ ସେମାନଙ୍କୁ ନେବାକୁ ପଡ଼ୁଅଛି ।

 

ବ୍ରାହ୍ମ ସମାଜ ମଧ୍ୟରେ ଅନେକେ ଧର୍ମର ଭଣ୍ଡାମୀ ବେଶ୍‌ ହୃଦୟଙ୍ଗମ କରିଅଛନ୍ତି । ସେମାନଙ୍କ ମଧ୍ୟରେ ମୁକ୍ତିର ବାସନା ଜାଗ୍ରତ ହୋଇଅଛି । ଲୋକଲଜ୍ଜାବଶତଃ ସେମାନେ ନିଜର ମତ ପ୍ରକାଶ କରି ପାରୁ ନାହାନ୍ତି । ସାମାଜିକ ଅନୁଷ୍ଠାନରେ ଧର୍ମର ସଂଯୋଗ ସେମାନେ ଅନାବଶ୍ୟକ  ଏବଂ କ୍ଷତିକର ମନେ କରୁଅଛନ୍ତି । ଜନ୍ମ ଓ ମୃତ୍ୟୁ ବିଷୟରେ ଧର୍ମର ସାହାଯ୍ୟ ନ ନେଲେ ମଧ୍ୟ କେହି କୌଣସି ଅଧିକାରରୁ ବଞ୍ଚିତ ହେବେ ନାହିଁ । ବିବାହ ବିଷୟରେ ଆଇନସଙ୍ଗତ ଅଧିକାର ପାଇବାକୁ ହେଲେ ପୂର୍ବେ ଆମ୍ଭମାନଙ୍କୁ ଧର୍ମାନୁଷ୍ଠାନର ସାହାଯ୍ୟ ନେବାକୁ ପଡ଼ୁଥିଲା । ବର୍ତ୍ତମାନ ସେପରି ସାହାଯ୍ୟର ଆବଶ୍ୟକତା ନାହିଁ । କେଶବଚନ୍ଦ୍ର ବ୍ରାହ୍ମ ବିବାହଗୁଡ଼ିକୁ ଆଇନ-ସଙ୍ଗତ କରିବାପାଇଁ ସରକାରଙ୍କଠାରୁ ଗୋଟାଏ ବିଧାନ ମାଗିଥିଲେ । ସାର ହେନ୍‌ରି ମେନ୍‌ ସେତେବେଳେ ଭାରତ ସରକାରର Law Member ଥିଲେ । ସେ କହିଲେ,‘‘ବ୍ରାହ୍ମ ଧର୍ମ ଓ ବ୍ରାହ୍ମ ସମାଜ, ପରିବର୍ତ୍ତନଶୀଳ, କିଏ ବ୍ରାହ୍ମ କିଏ ଅବ୍ରାହ୍ମ ବୁଝିବା କଠିନ । ଅତଏବ ବ୍ରାହ୍ମ ଅବ୍ରାହ୍ମ ପାଇଁ ଗୋଟିଏ ସାଧାରଣ ବିବାହ ଆଇନ ରଚନା କରାଯାଉ ।’’ ତାଙ୍କରି ପ୍ରସ୍ତାବ ଅନୁସାରେ Civil Marriage Act (Act III of 1872) ରଚିତ ହୋଇଅଛି । ଏହି ଆଇନ ଭାରତର ଧର୍ମ-ବିଧାନ-ଗୁଡ଼ିର ମୂଳରେ କୁଠାରାଘାତ କରିଅଛି । ବର୍ତ୍ତମାନ ଆଇନଘଟିତ ଅଧିକାର ଲାଭ ସକାଶେ ଧର୍ମାନୁଷ୍ଠାନର କୌଣସି ପ୍ରୟୋଜନୀୟତା ନାହିଁ । କେଶବଚନ୍ଦ୍ର ମାଗିଥିଲେ କ’ଣ, ମିଳିଲା କ’ଣ ?

 

ବ୍ରାହ୍ମ ଧର୍ମ କ’ଣ ଲୋପ ପାଇବ ? ଯଦି ଆବାଳବୃଦ୍ଧବନିତା ସତ୍ୟ ଓ ବିଚାର ମାର୍ଗ ଅନୁସରଣ କରନ୍ତେ, ଆମ୍ଭେମାନେ ଭବିଷ୍ୟଦ୍‌ବାଣୀ କରିପାରନ୍ତୁ ଯେ, ଏକ ବର୍ଷ ମଧ୍ୟରେ ବ୍ରାହ୍ମ ଧର୍ମ ଲୋପ ପାଇବ । ଗାନ୍ଧି ରାଜନୀତି କ୍ଷେତ୍ରରେ ଏହିପରି ଗୋଟାଏ ଭବିଷ୍ୟଦ୍‌ବାଣୀ କରିଥିଲେ । ଆମ୍ଭମାନଙ୍କ ମତରେ ବ୍ରାହ୍ମ ଧର୍ମ ଉଠିଯିବ ନାହିଁ । ଲୋକେ କ’ଣ ହଠାତ୍‌ ଏଡ଼େ ସତ୍ୟପ୍ରିୟ ହୋଇ ପଡ଼ିବେ ଯେ, ସତ୍ୟର ଅନୁରୋଧରେ ସେମାନେ ସେମାନଙ୍କର ପୁରୁଣା କୋଥଳି ଫୋପାଡ଼ି ଦେବେ ? ସାଧାରଣ ମନୁଷ୍ୟର ତ ସେ ସ୍ୱଭାବ ନୁହେଁ । ‘‘ମୋତେ ଯେତେ ମାଠିବୁ ମାଠ, ମୁଁ ସେହି ଦରପୋଡ଼ା କାଠ ।’’ ବ୍ରାହ୍ମ ମନ୍ଦିର ଉଠିଯିବ ନାହିଁ, ପ୍ରତି ରବିବାର ସେଠାରେ ଘଣ୍ଟା ବାଜୁଥିବ ଏବଂ ବର୍ଷରେ ଅନ୍ତତଃ ଥରେ ତାହା ପତ୍ରପୁଷ୍ପରେ ସଜ୍ଜିତ ହେଉଥିବ । ଅନ୍ୟାନ୍ୟ ଧର୍ମ ମଧ୍ୟ ଉଠିଯିବ ନାହିଁ । ପାଶ୍ଚାତ୍ୟ ଦେଶରେ ମିଲ୍‌, ହିଉମ୍‌, ସ୍ପେନ୍‌ସାର, ବାଇରନ୍‌, ଶେଲି, ଭଲ୍ଟେୟାର ପ୍ରଭୃତି କେତେ ମହାରଥୀ ସଦଳବଳରେ ଧର୍ମର ଦୁର୍ଗ ଆକ୍ରମଣ କରିଅଛନ୍ତି । ଭାରତରେ ଚାର୍ବାକ ଧର୍ମ ବିରୁଦ୍ଧରେ ସମର ଘୋଷଣା କରିଥିଲେ । କିନ୍ତୁ ଧର୍ମ ତ ଯାଇ ନାହିଁ । ବର୍ତ୍ତମାନ ଯୁଗରେ ମଧ୍ୟ ଗିର୍ଜା ଓ ମନ୍ଦିର ନିର୍ମାଣ ପାଇଁ କୋଟି କୋଟି ଟଙ୍କା ବ୍ୟୟିତ ହେଉଅଛି ଏବଂ ଧର୍ମର ଭୋପାମାନେ ସର୍ବସାଧାରଣଙ୍କ ଅର୍ଥରେ ପୁଷ୍ଟ ହୋଇ ସେମାନଙ୍କୁ ଦାରିଦ୍ର୍ୟ-ବ୍ରତ ଓ ଶ୍ମଶାନ-ବୈରାଗ୍ୟ ଶିଖାଉଅଛନ୍ତି ।

 

ଭାବୀ ବ୍ରାହ୍ମ ସମାଜର ସ୍ୱରୂପ କ’ଣ ହେବ ? ଏପର୍ଯ୍ୟନ୍ତ ଏହା ଏକେଶ୍ୱରବାଦୀ ସମାଜ ବୋଲି ଜଗତରେ ପରିଚିତ । ଏହାର ପ୍ରତିଷ୍ଠାତା ଓ ନେତାମାନଙ୍କର ଅନ୍ୟାନ୍ୟ ବିଷୟରେ ମତଭେଦ ଥିଲେ ମଧ୍ୟ ଏକେଶ୍ୱରବାଦ ସମ୍ବନ୍ଧରେ ମତଭେଦ ହୋଇ ନାହିଁ । ଏହି ଅବସ୍ଥା କି ଚିରକାଳ ବର୍ତ୍ତମାନ ଥିବ ? ବିଜ୍ଞାନର ଆଲୋକରେ ଲୋକେ ବର୍ତ୍ତମାନ ଦେଖୁଅଛନ୍ତି ଯେ, ଧର୍ମ ଗୋଟିଏ ଭ୍ରାନ୍ତି । ଏ ଭ୍ରାନ୍ତି ଦୂର କରିବାକୁ ହେବ । ଯେଉଁମାନଙ୍କର ଏ ଭ୍ରାନ୍ତିରେ ବିଶ୍ୱାସ ନାହିଁ, ସେମାନଙ୍କୁ ବ୍ରାହ୍ମସମାଜ ତ୍ୟାଗ କରିବାକୁ ହେବ; ନତୁବା ବ୍ରାହ୍ମ ସମାଜର ମୂଳନୀତି ପରିବର୍ତ୍ତିତ କରି ସେମାନଙ୍କୁ ମଧ୍ୟ ସେ ସମାଜରେ ସ୍ଥାନ ଦାନ କରିବାକୁ ହେବ । ସମାଜ-ସଂସ୍କାରକୁ ଯଦି ବ୍ରାହ୍ମ ସମାଜର ମୂଳନୀତି କରାଯାଏ ଅଜ୍ଞେୟତାବାଦୀ ଓ ଇହସର୍ବସ୍ୱବାଦୀ ଏ ସମାଜରେ ସ୍ଥାନ ପାଇପାରନ୍ତି । ବ୍ରାହ୍ମ ସମାଜ ପରିବର୍ତ୍ତନଶୀଳ । ସମୟର ଉପଯୋଗୀ ହେବାକୁ ହେଲେ, ତାହାକୁ ନୂତନ ପରିବର୍ତ୍ତନ ଗ୍ରହଣ କରିବାକୁ ହେବ । ସମାଜ ମଧ୍ୟରେ ଇହସର୍ବସ୍ୱବାଦୀଙ୍କ ଦଳ ଯେପରି ବଢ଼ୁଅଛି, ଆଶା କରାଯାଏ ଅଦୂର ଭବିଷ୍ୟତରେ ବ୍ରାହ୍ମ ସମାଜ ଚାରି ଦଳରେ ବିଭକ୍ତ ହୋଇଯିବ—ଆଦି, ନବ-ବିଧାନ, ସାଧାରଣ ଏବଂ ଇହସର୍ବସ୍ୱବାଦୀ ।

 

ଆଜି ଏହି ଯୁଗ-ସନ୍ଧି ସମୟରେ—ଏହି ଶୁଭ ମୁହୂର୍ତ୍ତରେ ଆମ୍ଭମାନଙ୍କୁ ଆମ୍ଭମାନଙ୍କ କର୍ତ୍ତବ୍ୟ ନିର୍ଦ୍ଧାରଣ କରିବାକୁ ହେବ । ବ୍ରାହ୍ମମାନେ ଦେବତାଙ୍କ ପଦତଳେ ଅନେକ କାନ୍ଦଣା କାନ୍ଦି ଆସିଅଛନ୍ତି । ଆଜି ସେ କାନ୍ଦଣାର ବିରାମ ହେଉ । ସେମାନେ ଏଣିକି ବିଜ୍ଞାନର ଉପାସନା କରନ୍ତୁ-। ତ୍ୟାଗ-ଧର୍ମ ସେମାନେ ତ୍ୟାଗ କରନ୍ତୁ । କାର୍ଯ୍ୟରେ ସେମାନେ ତାହା ଅନେକ କାଳରୁ ତ୍ୟାଗ କରିଅଛନ୍ତି; କିନ୍ତୁ ସେମାନଙ୍କ ବାକ୍ୟ ଓ କାର୍ଯ୍ୟ ମଧ୍ୟରେ ସାମଞ୍ଜସ୍ୟ ନାହିଁ । ନିଜର ଜରାଜୀର୍ଣ୍ଣ ଧର୍ମକୁ ଟେକି ରଖିବାପାଇଁ ସେମାନେ ବିଜ୍ଞାନ ଓ ଦର୍ଶନର କୂଟ ତର୍କର ସାହାଯ୍ୟ ନେଉଅଛନ୍ତି-। ସେମାନେ ଦର୍ଶନ ଓ ବିଜ୍ଞାନର ଅପବ୍ୟବହାର କରୁଅଛନ୍ତି । ସତ୍ୟନିଷ୍ଠା ସେମାନଙ୍କ ମଧ୍ୟରୁ ଚାଲି ଯାଇଅଛି ।

 

ଜଣେ ବଙ୍ଗୀୟ ଲେଖକ ନବଯୁଗର ନବ ଆଦର୍ଶ ଏହିରୂପେ ଚିତ୍ରିତ କରିଅଛନ୍ତି—

 

‘‘ଆଜିକାର ମନୁଷ୍ୟ ପାରଲୌକିକ ଜୀବନର ଆଶାରେ ଆଉ ଐହଲୌକିକ ଜୀବନକୁ ବଞ୍ଚିତ ବିଡ଼ମ୍ବିତ କରିବ ନାହିଁ । ନବ ସଭ୍ୟତା ହେବ ଏହି ଜୀବନର ଶୋଭା ସମ୍ପଦରେ ପରିପୂର୍ଣ୍ଣ । ଏହି ଜୀବନକୁ ମାନବ ସୁନ୍ଦର କରିବ, ଭଲ କରି ଏହି ଜୀବନକୁ ଉପଭୋଗ କରିବ । ଉପବାସରେ କ୍ଷୁଣ୍ଣ କରିବାକୁ ମାନବ ଜୀବନ ପାଇ ନାହିଁ । ନବ ସଭ୍ୟତାର ସାଧନାହିଁ ହେବ ଜୀବନକୁ ପରିପୂର୍ଣ୍ଣ କରି ଆସ୍ୱାଦନ ।’’

 

Morrison Swift କହିଅଛନ୍ତି—

 

‘‘Man will not give religion two thousand or twenty centuries more to try itself and waste human time. Its time is up, its probation is ended; its own record ends it.’’

 

—ମାନବର ସମୟ ନଷ୍ଟ କରି ପରୀକ୍ଷିତ ହେବା ପାଇଁ ମାନବ ଧର୍ମକୁ ଆଉ ଦୁଇ-ଦଶ କି ଦୁଇ-ସହସ୍ର ଶତାବ୍ଦୀ ସମୟ ଦେବ ନାହିଁ । ତାହାର ସମୟ ଅତୀତ ହୋଇଅଛି, ତାହାର ପରୀକ୍ଷା କାଳ ଶେଷ ହୋଇଅଛି, ତାହାର ନିଜର ଅତୀତ ଇତିହାସ ତାହାକୁ ଶେଷ କରିଅଛି ।

☆☆☆

 

ବସନ୍ତ-ଗାଥା*

 

*(‘ଉତ୍କଳ ସାହିତ୍ୟ’ ୨୩ଶ ଭାଗ ୧୦ ମ ସଂଖ୍ୟା ମାଘ ୧୩୨୭ ସାଲରେ ପ୍ରକାଶିତ ଓ ‘ଉତ୍କଳ ସାହିତ୍ୟ ସମାଜ’ରେ ପଠିତ ।)

 

ମିଲ୍‌ଟନ, ସେକ୍ସପିୟର, ଦାନ୍ତେ ପ୍ରଭୃତି ପାଶ୍ଚାତ୍ୟ କବିମାନେ ଚତୁର୍ଦଶପଦୀ କବିତାଦ୍ୱାରା ସେମାନଙ୍କ ହୃଦୟର ଗଭୀରତମ ଭାବଗୁଡ଼ିକ ପ୍ରକାଶ କରି ଯାଇ ଅଛନ୍ତି । ସେମାନଙ୍କ ଅନୁକରଣରେ ମଧୁସୂଦନ ବସନ୍ତ-ଗାଥାରେ ଚତୁର୍ଦଶପଦୀ କବିତା ରଚନା କରି ଅଛନ୍ତି-। ଏହି କ୍ଷୁଦ୍ର ଦର୍ପଣରେ ମଧୁସୂଦନଙ୍କ ହୃଦୟ ଯେପରି ପ୍ରତିବିମ୍ବିତ ହୋଇଅଛି, ସେପରି ତାଙ୍କର ଅନ୍ୟ କୌଣସି ଗ୍ରନ୍ଥରେ ହୋଇ ନାହିଁ । ମଧୁସୂଦନ ଏହି ଉତ୍କଳଖଣ୍ଡରେ ନିଜର ପ୍ରତିଭା ଏବଂ ଚରିତ୍ର ଗୁଣରେ ପ୍ରଭୂତ ପ୍ରଭାବ ବିସ୍ତାର କରିଥିଲେ । ଅନେକେ ତାଙ୍କର ଜୀବନୀ ଆଲୋଚନା କରିଅଛନ୍ତି ଏବଂ ଭବିଷ୍ୟତରେ ମଧ୍ୟ କରିବେ । ସେ ଆମ୍ଭମାନଙ୍କୁ ଯେଉଁ ଧର୍ମ ଏବଂ ନୀତିର ଆଦର୍ଶ ଦେଇ ଯାଇଅଛନ୍ତି ଏବଂ ବସନ୍ତ-ଗାଥାରେ ଯାହା ଅତି ଉତ୍ତମରୂପେ ପ୍ରକାଶ ପାଇଅଛି, ଆଜି ତାହାହିଁ ବିଶେଷ ଭାବରେ ଆଲୋଚନା କରିବୁଁ ।

 

ଗ୍ରନ୍ଥର ଆଦ୍ୟରେ କବି ଲେଖିଅଛନ୍ତି ଯେ ଗ୍ରନ୍ଥର ଅନ୍ତର୍ଗତ ଅଧିକାଂଶ କବିତାଗୁଡ଼ିକ ବସନ୍ତ କାଳରେ ରଚିତ ହୋଇଅଛି ବୋଲି ଏ ଗ୍ରନ୍ଥର ନାମ ବସନ୍ତ-ଗାଥା ରଖାଗଲା । ଏହି ନାମ ନାନା କାରଣରୁ ସାର୍ଥକ ହୋଇଅଛି । ଏହି କବିତାଗୁଚ୍ଛ ମଧ୍ୟରେ ଆମ୍ଭେମାନେ ବସନ୍ତର ନିର୍ମଳ ସୌନ୍ଦର୍ଯ୍ୟ, ପ୍ରଫୁଲ୍ଲତା ଏବଂ ମାଧୁରୀ ଦୃଷ୍ଟି ଗୋଚର କରୁଁ ।

 

ବସନ୍ତ-ଗାଥାରେ କବି ଯେଉଁ ଧର୍ମମତ ପ୍ରଚାର କରି ଯାଇ ଅଛନ୍ତି ତାହାହିଁ ପ୍ରଥମ ଆଲୋଚନା କରିବୁଁ । ସମସ୍ତେ ଜାଣନ୍ତି ଯେ ସେ ଅତ୍ୟନ୍ତ ଧର୍ମନିଷ୍ଠ ଥିଲେ ଏବଂ ନିଜ ଜୀବନରେ ଧର୍ମକୁ ପ୍ରଥମ ସ୍ଥାନ ଦେଇଥିଲେ । ବ୍ରାହ୍ମ ଧର୍ମ ଏବଂ ବ୍ରାହ୍ମ ସମାଜ ତାଙ୍କଠାରେ ବିଶେଷ ଋଣୀ । ସେ ଉତ୍କଳରେ ବ୍ରାହ୍ମଧର୍ମକୁ ସ୍ଥାୟୀ କରିବାପାଇଁ ଯେପରି ଜୀବନବ୍ୟାପୀ ଚେଷ୍ଟା କରି ଯାଇଅଛନ୍ତି ଏପରି ଚେଷ୍ଟା କେହି କରି ନାହିଁ । ତାଙ୍କର ଧର୍ମମତ କ’ଣ ?

 

ଆତ୍ମାକୁ ଜଡ଼ବାଦୀମାନେ ଯେପରି ଚକ୍ଷୁରେ ଦେଖନ୍ତି, କବି ସେପରି ଭାବରେ ଦେଖି ନାହାନ୍ତି । ଜଡ଼ବାଦୀମାନଙ୍କ ମତରେ ଆତ୍ମା ଜଡ଼-ପରମାଣୁର ବିଶେଷ ସଂଯୋଗରେ ଉତ୍ପନ୍ନ ହୋଇଅଛି । ମୃତ୍ୟୁର ଆଘାତରେ ଯେତେବେଳେ ସେହି ସଂଯୋଗ ବିନିଷ୍ଟ ହେବ, ସେତେବେଳେ ଆତ୍ମାର ବିନାଶ ହେବ । କିନ୍ତୁ କବି ଅତି ଦୃଢ଼ଭାବରେ ପ୍ରଚାର କରିଅଛନ୍ତି ଯେ ଆତ୍ମା ଜଡ଼ର ସନ୍ତାନ ନୁହେଁ, ତାହା ପରମାତ୍ମାଙ୍କ ଶିଶୁ । ଯେ ଅନାଦି ଅନନ୍ତ ଭଗବାନଙ୍କଠାରୁ ଜନ୍ମଗ୍ରହଣ କରିଅଛି, ତାକୁ ମାରିବ କିଏ ? ସେ ଅମର, ସେ ସ୍ୱର୍ଗରାଜ୍ୟର ଅଧିକାରୀ ।

 

‘‘ହେ ମର୍ତ୍ତ୍ୟ ପ୍ରବାସୀ ନର, ଅମୃତ-ପ୍ରୟାସୀ,

ଅମୃତ-ସନ୍ତାନ ତୁମ୍ଭେ ସ୍ୱରଗର ଯାତ୍ରୀ ।’’

 

ମର୍ତ୍ତ୍ୟଲୋକ ମାନବର ଅସ୍ଥାୟୀ ପ୍ରବାସ-କ୍ଷେତ୍ର ମାତ୍ର, ତାହାର ଶାଶ୍ୱତ ଗୃହ ସ୍ୱର୍ଗରେ । ସେ ଅମୃତମୟଙ୍କ ସନ୍ତାନ, ସେ ଅନନ୍ତ ସ୍ୱର୍ଗ ଅଭିମୁଖରେ ଯାତ୍ରା କରୁଅଛି । କବି ତାଙ୍କର ଭାବୀ ସୌଭାଗ୍ୟ ବିଷୟ ଭାବି ଆତ୍ମବିସ୍ମୃତ ହୋଇଅଛନ୍ତି । ଆଧି, ବ୍ୟାଧି, ଜରା, ମରଣ ତାଙ୍କ ଚିତ୍ତର ପ୍ରଫୁଲ୍ଲତା ନଷ୍ଟ କରି ପାରି ନାହିଁ ।

 

‘‘ଗର୍ଜି ତର୍ଜି ଆସୁ ଜରା ଘୋରା ବ୍ୟାଘ୍ରୀ ପରି,

ତା କ୍ରୂର ନଖରାଘାତେ ଯାଉ ଦେହ ଜିରି ।

ବିକଟ ଭ୍ରୂକୁଟି କରି ଆସୁ ଆଧି ବ୍ୟାଧି,

ଯେତେ ସାଧିବାର ସେତେ ଯାଉ ଦାଉ ସାଧି ।

ଅନନ୍ତ ଅଭୟ ପ୍ରଭୋ ଦେଇଛ ଅନ୍ତରେ,

ଅନନ୍ତ ଜୀବନ-ଧାରା ଢାଳି ମହାଦରେ ।’’

 

କବି ‘‘ଅନନ୍ତ ଜୀବନ-ଧାରାର’’ ଆସ୍ୱାଦନ ପାଇ ସମସ୍ତ ଦୁଃଖ ଶୋକ ଭୁଲି ଯାଇଥିଲେ-

 

ମାନବ ଜାତିର ଜୀବିତାଶା ଏବଂ ସୁଖାଶା କଦାପି ପରିତୃପ୍ତ ହେବାର ନୁହେ । ସେମାନେ ଏ ଜୀବନରେ ଯଥାସମ୍ଭବ ଦୀର୍ଘାୟୁ ଏବଂ ସୁଖ ସମ୍ଭୋଗ କରି ମଧ୍ୟ ପରଲୋକରେ ଜୀବିତ ଏବଂ ସୁଖୀ ହେବାର ଅଭିଳାଷ କରନ୍ତି । ସେମାନେ ଏ ଜୀବନରେ ଯେପରି ବସ୍ତୁ ପ୍ରତ୍ୟକ୍ଷ ଏବଂ ଯେପରି ସୁଖ ସମ୍ଭୋଗ କରିଥାନ୍ତି ପରଲୋକରେ ସେହିପରି ବିଦ୍ୟମାନ ବୋଲି କଳ୍ପନା କରିଥାନ୍ତି । ଉଷ୍ଣ ଦେଶବାସୀ ଆରବୀୟମାନେ ଭାବନ୍ତି ଯେ ପରଲୋକ ବହୁ-ବିସ୍ତୃତ ବୃକ୍ଷଛାୟା, ସୁରାମୟୀ ସ୍ରୋତସ୍ୱତୀ, ପରମ-ପବିତ୍ର ରୂପବତୀ ରମଣୀମାନଙ୍କଦ୍ୱାରା ପରିପୂର୍ଣ୍ଣ । ନରଓୟେ ଏବଂ ସୁଇଡେନର ଆଦିମ ନିବାସୀମାନେ ଅତ୍ୟନ୍ତ ରଣପ୍ରିୟ ଥିଲେ ଏବଂ ସଂଗ୍ରାମକୁ ଜୀବନର ସର୍ବାପେକ୍ଷା ସୁଖକର ବ୍ୟାପାର ଭାବୁଥିଲେ । ସେମାନେ ଯେ ପରଲୋକରେ ଅହରହ ସଂଗ୍ରାମ-ସୁଖରେ ଅଭିଷିକ୍ତ ରହିବେ ଏହି ପ୍ରତ୍ୟାଶାରେ ସେମାନେ ଜୀବନଯାତ୍ରା ନିର୍ବାହ କରୁଥିଲେ । ବେଦରୁ ଜଣାଯାଏ ଯେ ବୈଦିକ ଯୁଗର ହିନ୍ଦୁମାନେ ପରଲୋକକୁ ପରମ ଇନ୍ଦ୍ରିୟସୁଖର ଆସ୍ପଦ ବୋଲି କଳ୍ପନା କରୁଥିଲେ । ଅଥର୍ବ ବେଦରେ ଏକ ସ୍ଥାନରେ ଲିଖିତ ଅଛି ଯେ ଧାର୍ମିକମାନଙ୍କପାଇଁ ପରଲୋକରେ ଘୃତ, ମଧୁ, ସୁରା, ଦୁଗ୍‌ଧ ଏବଂ ଦଧିର ସରୋବର ପୂର୍ଣ୍ଣ ରହିଅଛି ।

 

‘‘ଘୃତହ୍ରଦା ମଧୁକୁଲାଃ ସୁରୋଦକାଃ

କ୍ଷୀରେଣ ପୁର୍ଣ୍ଣା ଉଦକେନ ଦଧ୍ନା ।’’

 

ପରକାଳ-ବିଶ୍ୱାସ ପ୍ରକୃତରେ କି କବିଙ୍କ ଜୀବନରେ ଶାନ୍ତି ବର୍ଷଣ କରିଥିଲେ ? ସେ ହିନ୍ଦୁଧର୍ମ ପରିତ୍ୟାଗ କରିଥିଲେ । ଦେହବିଶିଷ୍ଟ ଜନ୍ମାନ୍ତରରେ ବିଶ୍ୱାସ କରିବାର ତାଙ୍କର ଉପାୟ ନ ଥିଲା । ଯଦି ସେ ସେପରି ବିଶ୍ୱାସ ହୃଦୟରେ ପୋଷଣ କରି ପାରୁଥାନ୍ତେ, ଜାଣନ୍ତୁ ଯେ ପରକାଳରେ ତାଙ୍କପାଇଁ ଯେ ବିପୁଳ ସୌଭାଗ୍ୟ ରହିଅଛି, ସେ ଯେ ଇହଜନ୍ମର ପୁଣ୍ୟଫଳରେ ପରଜନ୍ମରେ ରାଜା କିମ୍ବା ଦେବତା ହେବେ ଏହି ସୁଖର ଆଶାରେ ସେ ଇହଜନ୍ମର ସମସ୍ତ ଦୁଃଖରାଶି ଭୁଲି ଯାଇଥିଲେ । କିନ୍ତୁ ସେ ଅନ୍ୟାନ୍ୟ ବ୍ରାହ୍ମଙ୍କ ପରି ଦେହ-ବିଯୁକ୍ତ ପରକାଳରେ ବିଶ୍ୱାସ କରୁଥିଲେ । ‘‘ବିରାଜିଲା ପରଲୋକ ଅଦେହ-ଗୌରବେ ।’’ ଆତ୍ମା ତାଙ୍କ ମତରେ କେବଳ ବାରେ ମାତ୍ର ଦେହ ଧାରଣ କରେ । ମୃତ୍ୟୁର ଦ୍ୱାରଦେଶରେ ଯେତେବେଳେ ସେ ଦେହ ସେ ତ୍ୟାଗ କରେ, ଆଉ ଦେହ ସେ ଗ୍ରହଣ କରେ ନାହିଁ ! ଆତ୍ମାର ଏହି ଦେହ-ବିଯୁକ୍ତ ଅବସ୍ଥା କି ବଡ଼ ସୁଖମୟ ଅବସ୍ଥା ? ଯେଉଁଠାରେ ଦେହ ନାହିଁ ସେଠାରେ କ୍ଷୁଧା, ପିପାସା, ଗନ୍ଧ, ରସ, ଆଲୋକ, ଅନ୍ଧକାର, ଶବ୍ଦ, ସଙ୍ଗୀତ କିଛି ନାହିଁ; ସେଠାରେ ବାସନା ନାହିଁ, କିମ୍ବା ବାସନା-ତୃପ୍ତି-ଜନିତ ଆନନ୍ଦ ମଧ୍ୟ ନାହିଁ । ଏପରି ନିରାନନ୍ଦମୟ ମହାଶୂନ୍ୟ ଅନନ୍ତ ଜୀବନର ଆଶାରେ କବି କି ପୁଲକିତ ହୋଇଥିଲେ ?

 

କବି ସାକାର-ଉପାସନା ଛାଡ଼ି ଅନନ୍ତ ନିରାକାରଙ୍କ ଉପାସନା କରୁଥିଲେ । ସେ ନାନା ସ୍ଥାନରେ ତାଙ୍କର ଅନନ୍ତବିଶ୍ୱାସ, ଅନନ୍ତଭକ୍ତିର ପରିଚୟ ଦେଇ ଯାଇଅଛନ୍ତି ।

 

‘‘ମୋ ଅନ୍ତର ଅନନ୍ତର ନାଦେ ନାଦମୟ ।’’

(ଶଙ୍ଖଧ୍ୱନି)

 

‘‘ଅନନ୍ତେ ଜୀବନ-ସ୍ଫୂର୍ତ୍ତି ଅନନ୍ତେ ଅଭୟ,

ମର୍ତ୍ତ୍ୟ ପ୍ରବାସରେ ଗାଅ ଅମୃତର ଜୟ ।’’

(ଶଙ୍ଖଧ୍ୱନି)

 

‘‘ନିରାଶାର କଥା ଛି ଛି କହିବି କେମନ୍ତେ,

ଅନ୍ତରରେ ଅନୁଭବି ଅନନ୍ତ-ବସନ୍ତେ ?’’

(ଜରା-ଆକ୍ରମଣେ)

 

‘‘ହୁଅ ହେ ଅନନ୍ତଭକ୍ତ ଅନନ୍ତ-ବିଶ୍ୱାସୀ ।’’

(ନବ-ବର୍ଷ)

 

‘‘ସତ୍ୟରୂପ ସେ ଅନନ୍ତ ନାଶି ମୋହଧ୍ୱାନ୍ତ

ଅନ୍ତରେ ଅନ୍ତରତମ ଛନ୍ତି ମୂଳାଧାର ।’’

(ପରମ-ପ୍ରମାଣ)

 

ଅନନ୍ତର ଜ୍ଞାନ ଆମ୍ଭମାନଙ୍କ ମଧ୍ୟରେ ଅଛି କି ନାହିଁ ଏ ବିଷୟରେ ଅନେକ ଆନ୍ଦୋଳନ ଆଲୋଚନା ହୋଇ ଯାଇଅଛି । ଜଗତରେ କେତେଗୁଡ଼ିଏ ବିଷୟ ଅଛି ଯହିଁରେ ଆମ୍ଭେମାନେ କୌଣସି ସୀମାରେଖା ଟାଣି ପାରୁ ନାହିଁ; ଯଥା ଦେଶ, କାଳ ଏବଂ ସଂଖ୍ୟା । ଏ ସବୁ ବିଷୟରେ ଯଦି କୌଣସି ସୀମାରେଖା ଟାଣୁଁ, ଦେଖୁଁ ସୀମାର ବାହାରେ ମଧ୍ୟ ଦେଶ, କାଳ ଏବଂ ସଂଖ୍ୟା ବର୍ତ୍ତମାନ ଅଛି । ସେଥିପାଇଁ କହୁଁ ଏ ସବୁର ସୀମା ନାହିଁ, ଏ ସବୁ ଅନନ୍ତ ଅସୀମ । କିନ୍ତୁ ଅନ୍ୟ କେତେଗୁଡ଼ିଏ ବିଷୟ ଅଛି ଯହିଁରେ ସୀମାରେଖା ଟାଣିବା ଅସମ୍ଭବ କିମ୍ବା ଅସ୍ୱାଭାବିକ ନୁହେଁ; ଯଥା–ଜଡ଼ଜଗତ୍‌, ଜ୍ଞାନ, ପ୍ରେମ, ପୁଣ୍ୟ । ଏ ସବୁ ବସ୍ତୁ ଯେ କୌଣସି କୌଣସି ସ୍ଥଳରେ ଅସୀମ ଏବଂ ଅନନ୍ତ ତାହା ଆମ୍ଭେମାନେ କହି ନ ପାରୁଁ; କାରଣ, ଏ ସବୁ ବସ୍ତୁର ଜ୍ଞାନ ଆମ୍ଭେମାନେ ଯେତେ ଅଧିକ ଜାଣୁ ପଛକେ ସେ ଜ୍ଞାନ ଚିରକାଳ ସସୀମ ଏବଂ ସୀମାବିଶିଷ୍ଟ ରହିଥିବ । ମାନବର ଏହି ସସୀମ ଜ୍ଞାନର ପରପାରରେ ବସ୍ତୁର ସୀମା ଅଛି କି ନାହିଁ, ତାହା ମାନବ କହି ନ ପାରେ-। ସସୀମର ମଞ୍ଚରେ ଦଣ୍ଡାୟମାନ ହୋଇ ମାନବ ଅସୀମକୁ ଅସୀମ କହି ନ ପାରେ । ଅନନ୍ତର ଅନନ୍ତ ସ୍ୱରୂପ ଜାଣିବାକୁ ହେଲେ ଆମ୍ଭମାନଙ୍କର ଅନନ୍ତ ହେବା ଆବଶ୍ୟକ । କବି ଯେତେବେଳେ ଜ୍ଞାନମୟ ପ୍ରେମମୟ ଏବଂ ପୁଣ୍ୟମୟ ଅନନ୍ତର କଥା କହୁଅଛନ୍ତି, ସେତେବେଳେ ବୁଝିବୁଁ ଯେ କବି ତାଙ୍କର ଜ୍ଞାନର କଥା ନ କହି ବିଶ୍ୱାସର କଥା କହୁଅଛନ୍ତି । ଯେଉଁ ବିଶ୍ୱାସ ଜ୍ଞାନକୁ ଆଶ୍ରୟ ନ କରି ଶୂନ୍ୟରେ ଝୁଲୁଥାଏ, ତାହା ଅଳୀକ ଏବଂ ଅସାର, ତାହାଦ୍ୱାରା ମାନବର କୌଣସି ହିତ ସାଧିତ ହୁଏ ନାହିଁ ।

 

ବସନ୍ତ-ଗାଥାରେ କବିଙ୍କ ଜ୍ଞାନ ଏବଂ ବିଶ୍ୱାସ ମଧ୍ୟରେ ସଂଗ୍ରାମ ଚାଲିଅଛି । ତାଙ୍କର ଜ୍ଞାନ କହୁଅଛି ମାନବ-ବୁଦ୍ଧି ଅନନ୍ତଙ୍କୁ ଜାଣିପାରେ ନାହିଁ ।

 

‘‘ହେ ପଣ୍ଡିତ, କ୍ଷୁଦ୍ର ତବ ବୁଦ୍ଧି-ମାନଦଣ୍ଡେ

ବିଚାରୁଛ ମାପିବ ହେ ଅନନ୍ତ ଅପାରେ,

ଦାରୁରେ ଦହିବ ଦାରୁ-ଦହନ ଅନଳେ,

ନୁହେ କି ଏ ବାତୁଳର ନିର୍ବୋଧ-ଭାବନା ?’’

 

କବିଙ୍କର ଏହି ଉକ୍ତି ସହିତ ଜଣେ ପାଶ୍ଚାତ୍ୟ ପଣ୍ଡିତଙ୍କ (G. H. Lewes) ଉକ୍ତି ତୁଳନା କରିପାରୁଁ—

 

All philosophy is an arch wherethrough Gleams that untravelled world, whose margin fades on Forever and forever as we move.

 

ଅର୍ଥାତ୍‌ ବିଶ୍ୱକାରଣର ଜ୍ଞାନାନୁସନ୍ଧାନ ବିଷୟରେ ଯେ ଯେତେ ଅଗ୍ରସର ହେବାକୁ ଚେଷ୍ଟା କରୁ ପଛକେ ତଦୀୟ ସ୍ୱରୂପ ତାହାଠାରୁ ସେତେ ଅଧିକ ଦୂରକୁ ଚାଲି ଯାଉଥାଏ । କିନ୍ତୁ କବିଙ୍କ ବିଶ୍ୱାସ କହୁଅଛି, ଅନନ୍ତ ତ ଖୁବ୍‌ ନିକଟରେ, ସେ ଯେ ହୃଦୟର ଅନ୍ତରତମ ପ୍ରଦେଶରେ ବର୍ତ୍ତମାନ ।

 

‘‘ଅନ୍ତରେ ଅନ୍ତରତମ ଛନ୍ତି ମୂଳାଧାର ।’’

 

ଜ୍ଞାନ-ବିରହିତ ବିଶ୍ୱାସର କି କୌଣସି ମୂଲ୍ୟ ଅଛି ? ଆମ୍ଭେମାନେ କବିଙ୍କ ମଧ୍ୟରେ ପ୍ରାଚୀନ ଏବଂ ବର୍ତ୍ତମାନର ସଂଗ୍ରାମ ଦୃଷ୍ଟିଗୋଚର କରୁଁ । ପ୍ରାଚୀନ ଯୁଗ ଧର୍ମକୁ ବିଶ୍ୱାସଭିତ୍ତିରେ ସ୍ଥାପିତ କରିଥିଲା, କିନ୍ତୁ ବର୍ତ୍ତମାନ ଯୁଗ ତାହାକୁ ବିଜ୍ଞାନର ଆଲୋକରେ ପରୀକ୍ଷା କରୁଅଛି । ଜ୍ଞାନ ଏବଂ ବିଶ୍ୱାସ, ଧର୍ମ ଏବଂ ବିଜ୍ଞାନ, ପ୍ରାଚୀନ ଏବଂ ବର୍ତ୍ତମାନ କେବଳ ଯେ କବିଙ୍କ ହୃଦୟରେ ସଂଗ୍ରାମ କରୁଅଛନ୍ତି ତାହା ନୁହେ । ଏସବୁ ବର୍ତ୍ତମାନ-ଯୁଗ-ପ୍ରବର୍ତ୍ତକ ବ୍ରାହ୍ମଧର୍ମ ଏବଂ ବ୍ରାହ୍ମ ସମାଜର ଆଦିଗୁରୁ ରାମମୋହନଙ୍କ ମଧ୍ୟରେ ସୁଦ୍ଧା ସଂଗ୍ରାମ କରୁଥିଲେ ।

 

କବି ଅତି ଯତ୍ନର ସହିତ ଧର୍ମ-ବିଜ୍ଞାନ ଆଲୋଚନା କରିଥିଲେ । ସେ ତାଙ୍କର ବିସ୍ତୃତ ଆଲୋଚନା ଏବଂ ଗଭୀର ଗବେଷଣାର ଫଳ ଆମ୍ଭମାନଙ୍କୁ ଦେଇ ଯାଇ ଅଛନ୍ତି । ତାହା ଏହି, ଈଶ୍ୱରଙ୍କ ସମ୍ବନ୍ଧରେ କୌଣସି ପ୍ରମାଣ ନାହିଁ । ତେବେ କ’ଣ ଈଶ୍ୱର-ଜ୍ଞାନ ଏବଂ ଈଶ୍ୱର-ବିଶ୍ୱାସ ଅସିଦ୍ଧ ? କବି କହୁଛନ୍ତି ନା । ଯେଉଁ ବସ୍ତୁ ସାହାଯ୍ୟରେ ଅନ୍ୟ ସମସ୍ତ ବସ୍ତୁ ପ୍ରମାଣ କରାଯାଏ, ଯାହା ଉପରେ ଅନ୍ୟ ସମସ୍ତ ପ୍ରମାଣ ନିର୍ଭର କରୁଅଛି, ତାକୁ ପ୍ରମାଣ କରିବୁଁ କିପରି ?

 

‘‘ପରମ ପ୍ରମାଣ ଯେହୁ ସର୍ବ ପ୍ରମାଣର,

ନିଜର ପ୍ରମାଣ ନିଜେ ନାହିଁ ତଦିତର ।’’

 

ଈଶ୍ୱର ସମସ୍ତ ପ୍ରମାଣର ଚରମ ପ୍ରମାଣ । କଥାଟା ସ୍ପଷ୍ଟ ବୁଝା ଗଲା ନାହିଁ । ଆମ୍ଭମାନଙ୍କୁ ପ୍ରମାଣ କରିବାକୁ ହେଲେ ଅବଶେଷରେ କେତେଗୁଡ଼ିଏ ବସ୍ତୁ ସ୍ୱୀକାର କରିବାକୁ ହୁଏ-। ଯଦି ଏ ସବୁ ସ୍ୱୀକାର ନ କରୁଁ, ପ୍ରମାଣ ପଦେ ମାତ୍ର ଅଗ୍ରସର ହୋଇ ନ ପାରେ । ଈଶ୍ୱର କ’ଣ ଏହି ସ୍ୱୀକୃତିମାନଙ୍କ ମଧ୍ୟରୁ ଗୋଟାଏ ? ଆମ୍ଭମାନଙ୍କୁ ସ୍ୱୀକାର କରିବାକୁ ହୁଏ ଯେ ଇନ୍ଦ୍ରିୟ ଯାହା ସାକ୍ଷ୍ୟ ଦିଏ ତାହା ସତ୍ୟ । ଈଶ୍ୱର କ’ଣ ଗୋଟାଏ ଇନ୍ଦ୍ରିୟ-ଗୋଚର ବସ୍ତୁ ? କବି କହି ଅଛନ୍ତି–ସେ ଅତୀନ୍ଦ୍ରିୟ, ଅଦୃଶ୍ୟ ।

 

‘‘ନାଶି ଦୃଶ୍ୟ ଅଦୃଶ୍ୟର ମହା ବ୍ୟବଧାନେ ।’’

 

ଆମ୍ଭମାନଙ୍କୁ ସ୍ୱୀକାର କରିବାକୁ ହୁଏ ଯେ ସ୍ୱତଃସିଦ୍ଧଗୁଡ଼ିକ ସତ୍ୟ । ଜ୍ୟାମିତିର ସମସ୍ତ ପ୍ରମାଣଗୁଡ଼ିକ କେତେଗୋଟି ସ୍ୱତଃସିଦ୍ଧ ଉପରେ ପ୍ରତିଷ୍ଠିତ । ଏହି ସ୍ୱତଃସିଦ୍ଧଗୁଡ଼ିକ ପ୍ରମାଣର ଅଯୋଗ୍ୟ । କିନ୍ତୁ ତାହା ସର୍ବ ପ୍ରମାଣର ଭିତ୍ତିଭୂମି । ଈଶ୍ୱର କ’ଣ ଗୋଟାଏ ସ୍ୱତଃସିଦ୍ଧ ? ସ୍ୱତଃସିଦ୍ଧର ଗୋଟାଏ ବିଶେଷ ଲକ୍ଷଣ ଏହି ଯେ ତାହା ସର୍ବବାଦିସମ୍ମତ । ସେ ସମ୍ବନ୍ଧରେ କୌଣସି ମତଦ୍ୱୈଧ ନାହିଁ । କିନ୍ତୁ ଈଶ୍ୱରଙ୍କ ସମ୍ବନ୍ଧରେ ବିଶେଷ ମତଦ୍ୱୈଧ ଦୃଷ୍ଟିଗୋଚର ହୁଏ । ବ୍ରାହ୍ମ ଈଶ୍ୱର ଏବଂ ଖ୍ରୀଷ୍ଟିୟାନ ଈଶ୍ୱର ଏକ ନୁହନ୍ତି । ବେଦାନ୍ତର ଈଶ୍ୱର ବାଇବେଲର ଈଶ୍ୱରଠାରୁ ପୃଥକ୍‌ । ଅତଏବ ଈଶ୍ୱର ସ୍ୱତଃସିଦ୍ଧ ନୁହନ୍ତି । ଈଶ୍ୱର ଈନ୍ଦ୍ରିୟ-ଗୋଚର ବସ୍ତୁ ନୁହନ୍ତି; ସେ ସ୍ୱତଃସିଦ୍ଧ ନୁହନ୍ତି । କବି କହୁଅଛନ୍ତି ତାଙ୍କର କୌଣସି ପ୍ରମାଣ ନାହିଁ । ‘‘ନିଜର ପ୍ରମାଣ ନିଜେ ନାହିଁ ତଦିତର ।’’ ଅତଏବ ଆମ୍ଭେମାନେ ଏହି ସିଦ୍ଧାନ୍ତରେ ଉପନୀତ ହେଲୁଁ ଯେ ସେ ସତ୍ୟ ନୁହନ୍ତି, ସେ କଳ୍ପନା ଏବଂ କବି ‘ସତ୍ୟ ଶିବ ସୁନ୍ଦର’ଙ୍କୁ ପୂଜା କରିବାକୁ ଯାଇ ସତ୍ୟକୁ ଛାଡ଼ି କଳ୍ପନାର ଆଶ୍ରୟ ଗ୍ରହଣ କରିଅଛନ୍ତି ।

 

ସେ ଅନ୍ୟତ୍ର ଋଷିବଚନ ଉଦ୍ଧାର କରି କହିଅଛନ୍ତି ଯେ ଯେ କହୁନାହିଁ ଯେ ସେ ଅଛନ୍ତି ସେ ତାଙ୍କୁ କିପରି ଉପଲବ୍ଧି କରିବ ? ‘‘ଅସ୍ତୀତି ବ୍ରୁବତୋଽନ୍ୟତ୍ର କଥଂ ତଦୁପଲଭ୍ୟତେ ।’’ ଅର୍ଥାତ୍‌ କୌଣସି ମତର ସତ୍ୟତା ଉପଲବ୍ଧି କରିବାକୁ ହେଲେ ତାହା ଯେ ସତ୍ୟ ଏଟା ଅଗ୍ରେ ଆମ୍ଭମାନଙ୍କୁ ସ୍ୱୀକାର କରିବାକୁ ହେବ । ଏପରି କଥା ବିଭିନ୍ନ ଧର୍ମାବଲମ୍ବୀମାନେ କହି ପାରନ୍ତି । ତାହାହେଲେ ଆମ୍ଭମାନଙ୍କୁ ଆସ୍ତିକ ନାସ୍ତିକ, ବହୁଦେବବାଦୀ ଏକେଶ୍ୱରବାଦୀ, ସାକାରଭକ୍ତ ନିରାକାରଭକ୍ତ, ଶୈବ ଶାକ୍ତ ସମସ୍ତଙ୍କ ଧର୍ମମତ ସ୍ୱୀକାର କରିବାକୁ ହୁଏ ।

 

ଈଶ୍ୱରଙ୍କ ସ୍ୱରୂପ ସମ୍ବନ୍ଧରେ କବିଙ୍କ ଧାରଣା ବ୍ରାହ୍ମଧର୍ମର ଅନୁରୂପ । ସେ କେବଳ ସତ୍ୟ ଶିବ ସୁନ୍ଦର ନୁହନ୍ତି, ସେ ପରମ ଦୟାଳୁ । ଖ୍ରୀଷ୍ଟିୟାନ ଈଶ୍ୱର ବଡ଼ କଠୋର ବଡ଼ ନିର୍ମମ । ଆଦିମ ପିତାମାତାଙ୍କ ସାମାନ୍ୟ ଦୋଷ ଦେଖି ସେମାନଙ୍କ ପାଇଁ ଏବଂ ସେମାନଙ୍କ ବଂଶଧରମାନଙ୍କ ପାଇଁ ଅନନ୍ତ ନରକ ବିଧାନ କଲେ । କିନ୍ତୁ ବ୍ରାହ୍ମ ଈଶ୍ୱର, ବିଶେଷତଃ ମଧୁସୂଦନଙ୍କ ଈଶ୍ୱର ଅତିମାତ୍ର ଦୟାଳୁ ! ମାନବ ଯେତେ ପାପ କରୁ ପଛକେ ଈଶ୍ୱର ତାହା କ୍ଷମା କରିବେ । ଈଶ୍ୱର ତାପାଇଁ ଅନନ୍ତ ସ୍ୱର୍ଗ ବିଧାନ କରିଅଛନ୍ତି । କ୍ଷମାସାଗର ଈଶ୍ୱର କବିଙ୍କୁ କହୁଅଛନ୍ତି—

 

‘‘ମାନବର ମାନଦଣ୍ଡେ କଳିବୁ କି ଜୀବ,

ଚରମ ସୀମାନ୍ତ ମୋର ପ୍ରେମ କରୁଣାର ?

ନିଃଶବ୍ଦ ମୋ କ୍ଷମା-ସିନ୍ଧୁ-ଜଳେ ବୁଡ଼ି ଯିବ

ଫିଙ୍ଗି ଦେଲେ ମେରୁ ସମ ତୋର ପାପ-ଭାର ।’’

 

ପର୍ବତ-ପ୍ରମାଣ ପାପର ଯଦି କୌଣସି ଦଣ୍ଡ ନ ଥାଏ, ତାହା ମଧ୍ୟ ଯଦି ଈଶ୍ୱର କ୍ଷମା କରନ୍ତି, ଜଗତର ଘୋର ଅନିଷ୍ଟକାରୀ ମହାପାପୀମାନଙ୍କର ଆଉ ଭୟର କାରଣ କିଛି ରହିବ ନାହିଁ-। ଏପରି ମତ ସୁନୀତିର ସହାୟ ହୋଇ ନ ପାରେ ।

 

ଆଦି ବିଶ୍ୱ-କାରଣ ଯେ ଅଜ୍ଞାତ ଏବଂ ଅଜ୍ଞେୟ । ତାଙ୍କୁ ଦୟା, ମାୟା, କ୍ଷମା ପ୍ରଭୃତି ମାନବ-ଧର୍ମରେ ଭୂଷିତ କରିବା ଯେ କି ବିଷମ ଭ୍ରାନ୍ତି ତାହା ବଙ୍ଗର ପ୍ରସିଦ୍ଧ ସାହିତ୍ୟକ ଅକ୍ଷୟକୁମାର ଦତ୍ତ ସୁସ୍ପଷ୍ଟରୂପେ ଦେଖାଇଅଛନ୍ତି । ସେ ଲେଖିଅଛନ୍ତି, ‘‘ମନୁଷ୍ୟମାନେ କେଉଁ ଆଦିମ କାଳରୁ ନିଜ ନିଜର ଉପାସ୍ୟ ଦେବତାଙ୍କୁ ଏହିପରି ମାନବ ଧର୍ମାକ୍ରାନ୍ତ ଜ୍ଞାନ କରି ଆସୁଅଛନ୍ତି, ଅଦ୍ୟାବଧି ଏହିପରି କରୁଅଛନ୍ତି ଏବଂ ହୁଏ ତ ଚିରକାଳ ଏହିପରି କରୁଥିବେ । ଯେଉଁ ସମସ୍ତ ଜ୍ଞାନାଭିମାନୀ ଇଦାନୀନ୍ତନ ବ୍ୟକ୍ତିମାନେ ଅପରିଜ୍ଞାତ ବିଶ୍ୱକାରଣର କାମ କ୍ରୋଧାଦି ନିକୃଷ୍ଟ ପ୍ରକୃତିର ଅସ୍ତିତ୍ୱ ଆଉ ସ୍ୱୀକାର କରନ୍ତି ନାହିଁ, ସେମାନେ ମଧ୍ୟ ମାନବ-ମନର ସ୍ନେହ, ମାୟା, କ୍ଷମା, ପ୍ରଣୟ ପ୍ରଭୃତି କେତେଗୁଡ଼ିଏ ଉତ୍କୃଷ୍ଟ ଧର୍ମ ଅନନ୍ତଗୁଣିତ କରି ଈଶ୍ୱର-ସ୍ୱରୂପରେ ସମାରୋପଣ କରନ୍ତି । ଏହିପରି ମାନବତ୍ୱ-ସମାରୋପଣ-ରୀତି (anthropomorphism) ସେମାନଙ୍କର ଏପରି ଅସ୍ଥିଗତ ହୋଇଯାଇଅଛି ଯେ ବିଚାର-ଧାରରେ ବିଖଣ୍ଡିତ ହେଲେ ସୁଦ୍ଧା ସେମାନେ ତାହାର ବିମୋହିନୀ ମାୟା ପରିତ୍ୟାଗ କରି ପାରନ୍ତି ନାହିଁ ।’’ (ଭାରତବର୍ଷୀୟ ଉପାସକ-ସମ୍ପ୍ରଦାୟ ୧ମ ଖଣ୍ଡ ୭୬ ପୃଷ୍ଠା) ଜଣେ ପାଶ୍ଚାତ୍ୟ ପଣ୍ଡିତ କହିଅଛନ୍ତି ‘‘Truly does man create God in his own image’’ ପ୍ରକୃତରେ ମାନବ ନିଜର ସ୍ୱରୂପରେ ଈଶ୍ୱର-ସ୍ୱରୂପ ସୃଜନ କରେ ।

 

କବି ଜଣେ ମଙ୍ଗଳବାଦୀ (optimist) ଥିଲେ । ମଙ୍ଗଳମୟଙ୍କ ବିଶ୍ୱରେ ଅମଙ୍ଗଳ କାହୁଁ ଆସିବ ? ସେ ନବବର୍ଷ ମୁଖରେ ଆମ୍ଭମାନଙ୍କ ‘‘ବିଶ୍ୱମଙ୍ଗଳର ଗୀତି’’ ଶୁଣାଇଅଛନ୍ତି—

 

‘‘ସତ୍ୟ ଶିବ ସୁନ୍ଦରର ଧ୍ରୁବ ଶୁଭ୍ରାଲୋକ

ଲୋକେ ଲୋକେ ପ୍ରାଣେ ପ୍ରାଣେ ନିତ୍ୟ ବିରାଜିତ,

ବିନାଶି ନିରାଶା ଦୁଃଖ ପାପ ତାପ ଶୋକ

ମଙ୍ଗଳ-ଆଶ୍ୱାସେ ବିଶ୍ୱ କରଇ ପ୍ଳାବିତ ।’’

 

ସତ୍ୟ ଶିବ ସୁନ୍ଦର କେଉଁ ମଙ୍ଗଳ ଆଶ୍ୱାସରେ ବିଶ୍ୱକୁ ପ୍ଳାବିତ କରୁଅଛନ୍ତି, ସେ ମଙ୍ଗଳ ଇହ-ଲୋକରେ କି ପରଲୋକରେ, ବ୍ୟକ୍ତିଗତ ଜୀବନରେ କି ଜାତିଗତ ଜୀବନରେ, ବର୍ତ୍ତମାନରେ କି ସୁଦୂର ଭବିଷ୍ୟତରେ କବି ତାହା ସ୍ପଷ୍ଟରୂପେ ବ୍ୟକ୍ତ କରିନାହାନ୍ତି । ଆମ୍ଭେମାନେ ଏହି ମହାସମରର ମହାଦୁଃଖ ଏବଂ ପାପରାଶି ଦୃଷ୍ଟିଗୋଚର କରିଅଛୁଁ । ସେଥିରୁ କ’ଣ ଅନୁମାନ କରାଯାଏ ଯେ ଜଗତ ଗୋଟାଏ ମହାମଙ୍ଗଳ ଆଡ଼କୁ ଅଗ୍ରସର ହେଉଅଛି ? କବି ତାଙ୍କର ବିଶ୍ୱାସର କଥା କହିଅଛନ୍ତି, ଅତ୍ୟଧିକ ସମାଲୋଚନାଦ୍ୱାରା ଆଉ ତାହାର ମର୍ଯ୍ୟାଦା ନଷ୍ଟ କରିବୁଁ ନାହିଁ ।

 

ମଧୁସୂଦନଙ୍କ ଧର୍ମଜୀବନ ଏବଂ ଧର୍ମମତ ଆଲୋଚନା କଲେ ବେଶ ସ୍ପଷ୍ଟ ବୁଝାଯାଏ ଯେ ସେ ତାଙ୍କର ବିଶ୍ୱାସକୁ ଜ୍ଞାନର ବହୁଦୂରରେ ରଖିଥିଲେ । ସେ ବିଚାରମାର୍ଗ ପରିତ୍ୟାଗ କରି ଅନ୍ଧ-ବିଶ୍ୱାସ ଏବଂ ଅନ୍ଧ-ଭକ୍ତିର ଆଶ୍ରୟ ଗ୍ରହଣ କରିଥିଲେ ।

 

‘‘ହେ ଚତୁର ସୁଧୀ, ଛାଡ଼ି ବିଚାର-ଚାତୁରୀ

ଭୁଞ୍ଜ ମହାନନ୍ଦେ ମହା ବିଶ୍ୱାସ-ମାଧୁରୀ ।’’

 

ଯାବତୀୟ ବିଚାର ମାର୍ଗ ତାଙ୍କ ମତରେ ଗୋଟାଏ ମହା ଚାତୁରୀ ମାତ୍ର ଏବଂ ସବୁଠାରୁ ମହାନ ଏବଂ ମଧୁମୟ ବସ୍ତୁବିଶ୍ୱାସ । ସେ ଯେତେବେଳେ ସାକାର ଉପାସନା ଛାଡ଼ି ନିରାକାର ଉପାସନା ଧରିଲେ, ସେତେବେଳେ ସେ କେଉଁ ମାର୍ଗ ଅବଲମ୍ବନ କରିଥିଲେ ? ବିଚାର ଚକ୍ଷୁରେ ଦୁଇ ମଧ୍ୟରେ ପ୍ରଭେଦ ଥାଇପାରେ, କିନ୍ତୁ ବିଶ୍ୱାସ ଚକ୍ଷୁରେ ତ ଦୁଇ ସମାନ ।

 

ମଧୁସୂଦନ ଅସାଧ୍ୟ-ସାଧନରେ ବ୍ରତୀ ହୋଇଥିଲେ । ସେ ବାଲୁକା-ଭୂମି ଉପରେ ଗୋଟାଏ ପ୍ରକାଣ୍ଡ ବିଶ୍ୱାସ-ସୌଧ ନିର୍ମାଣ କରିଥିଲେ । ତାଙ୍କର ବୋଧହୁଏ ବିଶ୍ୱାସ ଥିଲା ଯେ କୌଣସି ପ୍ରକାରେ ଯଦି ଜ୍ଞାନର ବନ୍ୟା ରୁଦ୍ଧ କରାଯାଏ, ତାଙ୍କର ଏହି ବିଶ୍ୱାସ-ସୌଧ ଚିରସ୍ଥାୟୀ ହୋଇଯିବ । କିନ୍ତୁ ଇତିହାସ ପ୍ରତି ତାଙ୍କର ଦୃଷ୍ଟି ନ ଥିଲା । ଅତୀତର ରାଜ୍ୟରେ ଜ୍ଞାନର ସ୍ରୋତ ଯେ କି ପ୍ରଳୟ କାଣ୍ଡ ଉପସ୍ଥିତ କରିଅଛି, କେତେ କେତେ ବିଶ୍ୱାସ-ସୌଧ, ବିଶ୍ୱାସ-ପ୍ରାଚୀର, ବିଶ୍ୱାସ-ସ୍ତମ୍ଭ ଭାଙ୍ଗି ଚୂର୍ଣ୍ଣ ବିଚୂର୍ଣ୍ଣ କରି ଦେଇଅଛି, ତାହା ସେ ଦେଖି ସୁଦ୍ଧା ଦେଖି ନ ଥିଲେ । ସମସ୍ତେ ଜାଣନ୍ତି ଯେ ତାଙ୍କର ନିଜର ବିଶ୍ୱାସ-ସ୍ତମ୍ଭ ଅଚଳ ଓ ଅଟଳ ଥିଲା; କାରଣ ଜ୍ଞାନ ଏବଂ ସତ୍ୟର ବନ୍ୟା ସେ ସ୍ତମ୍ଭର ପାଦଦେଶ କଦାପି ସ୍ପର୍ଶ କରି ପାରି ନ ଥିଲା । ଜ୍ଞାନର ସ୍ରୋତ ଆସିଅଛି ଏବଂ ଆସୁଅଛି; ଚତୁର୍ଦିଗ ପ୍ଲାବିତ କରି ଆସୁଅଛି । ମଧୁସୂଦନଙ୍କ ଅଟ୍ଟାଳିକା ।

 

ସାଧାରଣଙ୍କ ଚକ୍ଷୁରେ କବିଙ୍କ ଜୀବନ ଶୁଦ୍ଧ ଏବଂ ନିଷ୍କଳଙ୍କ ଥିଲା । କିନ୍ତୁ ସେ ନିଜର ଅତୀତ ଜୀବନ ବିଷୟ ଭାବି ଆତ୍ମ-ଗ୍ଳାନିରେ ଦଗ୍ଧ ହୋଇଥିଲେ ।

 

‘‘ମଳିନ ଆବିଳ ସବୁ ଅତୀତ ଜଗତେ ।’’

 

ସେ ନିଜର ମଳିନତାପାଇଁ ଜଗତ୍‌କର୍ତ୍ତାଙ୍କୁ ଦାୟୀ କରି ନ ଥିଲେ । ତାଙ୍କର ଧାରଣା ଯେ ତାଙ୍କ ଜୀବନରେ ଯାହା ଶୁଦ୍ଧ ଯାହା ସ୍ପୃହଣୀୟ, ସେ ସବୁ ଈଶ୍ୱରଙ୍କ ଦାନ, କିନ୍ତୁ ଯାହା ମଳିନ ଏବଂ ଅପବିତ୍ର ସେ ସବୁ ଆତ୍ମକୃତ ଅପରାଧର ଫଳ ।

 

‘‘ସ୍ୱଚ୍ଛ ପ୍ରେମ-ମନ୍ଦାକିନୀ ବହାଇଛି ଆଣି

ସଦା ତୋ ଜୀବନେ ଯେହ୍ନେ ସ୍ୱରଗ ଭୁବନେ,

ତୁ ତହିଁ କଳୁଷ ମିଶାଇଛୁ ଜାଣି ଜାଣି ।’’

 

କବି ତାଙ୍କର ସ୍ୱାଭାବିକ ମହତ୍ତ୍ୱଗୁଣରୁ ଜଗତ୍‌-କର୍ତ୍ତାଙ୍କୁ ଦୋଷମୁକ୍ତ କରିଅଛନ୍ତି । କିନ୍ତୁ ବିଜ୍ଞାନ ଏପରି ମହତ୍ତ୍ୱର ପୋଷକତା କରେ ନାହିଁ । ବିଜ୍ଞାନ ଚକ୍ଷୁରେ ପଶୁ, ପକ୍ଷୀ, ମାନବ, ଦେବତା ଜଗତର ଯାବତୀୟ ଚରାଚର ବସ୍ତୁମାନଙ୍କ ମଧ୍ୟରେ ଯାହା ଭଲ ଏବଂ ଯାହା ମନ୍ଦ, ଉଭୟ ଏକ ଆଦିକାରଣ ରୂପ ମହାପ୍ରସ୍ରବଣରୁ ପ୍ରବାହିତ ହୋଇ ଆସୁଅଛି । ଆମ୍ଭମାନଙ୍କର ହ୍ରାସ୍ୟ, କ୍ରନ୍ଦନ, ସୁଖ, ଦୁଃଖ, ପାପ, ପୁଣ୍ୟ, ଜନ୍ମ, ମୃତ୍ୟୁ ସେହି ଅଜ୍ଞାତ ଅଜ୍ଞେୟ ରାଜ୍ୟରୁ ଭାସି ଆସୁଅଛି । ଆମ୍ଭମାନଙ୍କର ଯାହା କିଛି ସେ ସବୁ ପ୍ରକୃତରେ ଆମ୍ଭମାନଙ୍କର ନୁହେ, ସେ ସବୁ ବିଶ୍ୱର । ସେହି ବିଶ୍ୱ-ଶକ୍ତିର ଚକ୍ଷୁ ନାହିଁ, ଇନ୍ଦ୍ରିୟ ନାହିଁ, ମନ ନାହିଁ । ସୁନ୍ଦର ଅସୁନ୍ଦର, ପାପ ପୁଣ୍ୟ, ସୃଷ୍ଟି ପ୍ରଳୟ, ବିଚ୍ଛେଦ ମିଳନ ତାହାଠାରେ ସବୁ ସମାନ । ସେ ମାନବସୃଷ୍ଟି ଈଶ୍ୱର ପରି ପ୍ରାର୍ଥନା କିମ୍ବା ସ୍ତବ-ସ୍ତୁତି ଲୋଡ଼େ ନାହିଁ । ଏଥିପାଇଁ କବି ସେଲି କହିଅଛନ୍ତି—

 

‘Unlike the god of human error, thou

Requires no prayers or praises’.

 

ବସନ୍ତ-ଗାଥାରେ ଆମ୍ଭେମାନେ କବିଙ୍କ ପ୍ରେମ-ସରସ ହୃଦୟର ପରିଚୟ ପାଉଁ । ତାଙ୍କର ଦାମ୍ପତ୍ୟ ପ୍ରେମ, ବନ୍ଧୁ ବାତ୍ସଲ୍ୟ ଏବଂ ସ୍ୱଦେଶ-ପ୍ରେମର ସେ ଯଥେଷ୍ଟ ନିଦର୍ଶନ ରଖି ଯାଇଅଛନ୍ତି । ଯଦିଚ ସେ ଜଣେ ପ୍ରେମିକ ଥିଲେ, ବିକୃତ ପ୍ରେମର ସେ କଦାପି ପକ୍ଷପାତୀ ନ ଥିଲେ-

 

‘‘ପୋଡ଼ି ଯାଉ ଜଗତର ବାସନା ବିକାର,

ଶୁଦ୍ଧ ପ୍ରେମ-ହେମ ବିଶ୍ୱେ ଜାଗୁ ଅନିବାର ।’’

 

ତାଙ୍କର ଜଣେ ମୃତ ବନ୍ଧୁଙ୍କୁ ଲକ୍ଷ୍ୟ କରି ସେ କହୁଅଛନ୍ତି—

 

‘‘ଏକାନ୍ତେ ଚରଣ ତଳେ ସୁଖେ ବସିବାର

କାହିଁ ଗଲା ମୋର ସେହି ପୁଣ୍ୟ ଅଧିକାର ?’’

 

ଏପରି କୋମଳ ଏବଂ ଏପରି ମିଷ୍ଟ କଥା କେହି କହି ନାହଁ । ତାଙ୍କର ବିଶ୍ୱଜନୀନ ସ୍ନେହ ଏବଂ ସହାନୁଭୂତି ପାପିକୁ ମଧ୍ୟ ସ୍ପର୍ଶ କରିଥିଲା । ପୁଣ୍ୟର ଉଚ୍ଚ ଶିଖରରେ ଦଣ୍ଡାୟମାନ ହୋଇ ସେ ପତିତା ରମଣୀ ପ୍ରତି ସମବେଦନା ପ୍ରକାଶ କରୁଅଛନ୍ତି—

 

‘‘କେ ଚାହିଁବ ଚାହୁଁ ତୋତେ ଗର୍ବ ଅବଜ୍ଞାରେ,

କିନ୍ତୁ ଲୋ ଭଗିନି, ମୁହିଁ ତୋ ଦୁଃଖେ କାତର ।

ଆହତ ମୋ ପ୍ରାଣ ତୋର ମର୍ମ-ହାହାକାରେ

କାନ୍ଦଇ ବିକଳେ ମୋର ବ୍ୟଥିତ ଅନ୍ତର ।’’

 

ନରକର କୀଟ ବୋଲି ସମାଜ ଯାହାକୁ ପରିତ୍ୟାଗ କରିଅଛି, ତାହା ଦୁଃଖରେ ଦୁଃଖୀ ହେବା, ତାହାପାଇଁ କ୍ରନ୍ଦନ କରିବା କେବଳ ମଧୁସୂଦନଙ୍କ ପକ୍ଷରେ ସମ୍ଭବପର ଥିଲା । ସେ ଜୀବଦ୍ଦଶାରେ ଯେ ଶତ ସହସ୍ର ଲୋକଙ୍କୁ ଆକର୍ଷଣ କରିଥିଲେ, ଶତ ସହସ୍ର ଲୋକ ଯେ ତାଙ୍କର ଭକ୍ତ ହୋଇଥିଲେ, ସେ ତାଙ୍କର ଧର୍ମମତ କିମ୍ବା ଧର୍ମ-ବିଶ୍ୱାସ ଦ୍ୱାରା ନୁହେଁ । ସେପରି ମତ ଅନେକେ ପ୍ରଚାର କରି ଯାଇଅଛନ୍ତି ଏବଂ ଭବିଷ୍ୟତରେ ମଧ୍ୟ କରିବେ । ତାଙ୍କର ପ୍ରେମ ଜଗତକୁ ବାନ୍ଧିଥିଲା । ସେ ସମସ୍ତଙ୍କ ଦୁଃଖ ଗୁହାରୀ ଶୁଣୁଥିଲେ ଏବଂ କାହାରି ଦୁଃଖର କଥା ଶୁଣିଲେ ସେ ବାଳକ ପରି କ୍ରନ୍ଦନ କରୁଥିଲେ ।

ଯେଉଁମାନଙ୍କ ପ୍ରତି କବିଙ୍କର ଭକ୍ତି ଏବଂ ଶ୍ରଦ୍ଧା ଥିଲା, କବି ବସନ୍ତ-ଗାଥାରେ ସେମାନଙ୍କ କୀର୍ତ୍ତି ଗାନ କରିଅଛନ୍ତି । ‘‘କର୍ମ-ଯୁଗେ କର୍ମ-ଯୋଗୀ’’ ଗୌରୀଶଙ୍କର, ‘‘ଲଳିତ-କବିତା-ଶିଳ୍ପୀ ରସଜ୍ଞ ପଣ୍ଡିତ’’ ରାଧାନାଥ, ‘‘ଉତ୍ସାହ-ଅନଳେ ଦୀପ୍ତ’’ ପ୍ୟାରୀମୋହନ କବିଙ୍କ ଦ୍ୱାରା ପ୍ରଶଂସିତ ଏବଂ ସମ୍ମାନିତ ହୋଇଅଛନ୍ତି ।

କବି ଜଣେ ସ୍ୱଦେଶ-ପ୍ରେମିକ ଥିଲେ । ସେ ଉତ୍କଳର ଏବଂ ଭାରତର ମଙ୍ଗଳ କାମନା କରୁଥିଲେ । ସେ ଅତି ମର୍ମସ୍ପର୍ଶୀ ଭାଷାରେ ଭାରତର ମଙ୍ଗଳ କାମନା କରି ଯାଇଅଛନ୍ତି ।

‘‘ଆସିଛି ଯଦି ସେ ଦିନ ତୋ ପୂଜାରେ ପୂତ,

ଆସ ମା ଭାରତି ବୀଣା-ପାଣି ଭୂଭାରତେ;

ସେ ବୀଣା ଟଙ୍କାରେ ଜାଗୁ ଭାରତର ସୁତ,

ଦୀକ୍ଷିତ କର ମା ତାକୁ ମହା-ସତ୍ୟ-ବ୍ରତେ ।

ଜାଗୁ ମହାବୀର ତୋର ଗମ୍ଭୀର ଆହ୍ୱାନେ,

ମହାପୁରୁଷର ମହାଜୟ-ଶଙ୍ଖନାଦ

ବାଜୁ ମା ଗମ୍ଭୀରେ ପୁଣି ଭାରତ-ବିମାନେ,

ଅପସରୁ ଭାରତର ସକଳ ପ୍ରମାଦ ।

ସ୍ୱର୍ଗୀୟ ଜୀବନ-ସ୍ରୋତ ବହୁ ଏ ଭାରତେ,

ପୁଣ୍ୟ ଅଭିଷେକ-ଧାରା ପଡ଼ୁ ତା ଲଲାଟେ,

ଉଭା ହେଉ ସେ ପୁଲକେ ବିପୁଳ ଜଗତେ

ଶୁଣି ତବ ଅଭିନବ ମହାବେଦ-ପାଠେ ।’’

 

ପୁଣ୍ୟର ଆଦର୍ଶ ଲୋଡ଼ିବାକୁ ଯାଇ କବି ତ୍ୟାଗ-ଧର୍ମର ଆଶ୍ରୟ ଗ୍ରହଣ କରିଥିଲା । ଦୁଇ ସହସ୍ର ବର୍ଷ ପୂର୍ବେ ଯୀଶୁ ଏହି ଧର୍ମ ଶିଖାଇଥିଲେ । ଭାରତରେ ବୁଦ୍ଧ, ଚୈତନ୍ୟ, ଶଙ୍କରାଚାର୍ଯ୍ୟ, ରାମକୃଷ୍ଣ ପ୍ରଭୃତି ଏହି ଧର୍ମ ଶିଖାଇଅଛନ୍ତି । ସେମାନଙ୍କ ମତରେ ଆମ୍ଭମାନଙ୍କ ସ୍ୱାଭାବିକ କାମନା ବାସନା ସବୁ ପାପପୂର୍ଣ୍ଣ । ‘‘ପାପୋଽହଂ ପାପକର୍ମାହଂ ପାପାତ୍ମା ପାପସମ୍ଭବଃ ।’’ ଅତଏବ ଏହି କାମନା ବାସନା ସବୁ ତ୍ୟାଗ କରିବାକୁ ହେବ । ସେଥିରେ ଯଦି ଦୁଃଖ ହୁଏ ଆମ୍ଭମାନଙ୍କୁ ସେହି ଦୁଃଖ ବରଣ କରିବାକୁ ହେବ । ଦୁଃଖ ଆମ୍ଭମାନଙ୍କର ଅଙ୍ଗର ଭୂଷଣ ହେବ । ଯେଉଁ ଲୋକ ଧନୀ, ସୁଖୀ ଏବଂ ଭାଗ୍ୟବାନ, ସେ ପୁଣ୍ୟର ଅଧିକାରୀ ନୁହେ । ଯେ ଦରିଦ୍ର, ଦୁଃଖୀ ଏବଂ ଭାଗ୍ୟହୀନ ସେହି ପୁଣ୍ୟର ଅଧିକାରୀ । ‘‘Blessed are they who mourn, for they shall be comforted.’’ କବି ମଧ୍ୟ ଏହି ତ୍ୟାଗ-ଧର୍ମରେ ଦୀକ୍ଷିତ ହୋଇଥିଲେ । ସେ କହିଅଛନ୍ତି, ଯେଉଁ ଲୋକର ଜୀବନରେ କୌଣସି ମହାମୂଲ୍ୟ ବସ୍ତୁ ହଜିନାହିଁ, ସେ ଅତି ଦୀନ ଏବଂ କୃପାପାତ୍ର ଏବଂ ଯେଉଁ ଲୋକ ତାହାର ମହାମୂଲ୍ୟ ବସ୍ତୁ ହରାଇ ଶୋକରେ ଦଗ୍ଧ ହେଉଅଛି, ‘‘ସେହି ଏକା ଏ ଜଗତେ ମହାଧନେ ଧନୀ ।’’

 

‘‘ହଜି ନାହିଁ ଯାର କେଭେ କିଛିହିଁ ରତନ,

ଏ ମର୍ତ୍ତ୍ୟ ସଂସାରେ ସେହି ଦୀନ ଅକିଞ୍ଚନ ।’’

 

ତ୍ୟାଗଧର୍ମ ଆମ୍ଭମାନଙ୍କୁ ବିନାଶ ଆଡ଼କୁ ଘେନିଯାଏ । ଅଭାବରେ ଯେ ସ୍ୱଭାବ ନଷ୍ଟ ହୁଏ, ଏହା ଚିର ପ୍ରଚଳିତ ପ୍ରବାଦ । ଆମ୍ଭେମାନେ ଆମ୍ଭମାନଙ୍କର ବାସନାଗୁଡ଼ିକୁ ବିନାଶ କରିପାରୁଁ ନାହିଁ । ଯେତେକାଳ ଏ ଦେହରେ ଜାବନ ଥିବ, ସେତେକାଳ ବାସନା ଥିବ । ବାସନାକୁ ସମ୍ପୂର୍ଣ୍ଣରୂପେ ବିନାଶ କରିବାକୁ ହେଲେ ଆମ୍ଭମାନଙ୍କୁ ଆତ୍ମହତ୍ୟା କରିବାକୁ ହୁଏ । ଏଥିପାଇଁ ପାଶ୍ଚାତ୍ୟ ଜଗତରେ ମିଲ, ସ୍ପେନ୍‌ସାର ପ୍ରଭୃତି ମହାରଥିମାନେ ତ୍ୟାଗ ଏବଂ ବିନାଶର ଧର୍ମ ପରିବର୍ତ୍ତରେ ବିକାଶର ଧର୍ମ ଶିଖାଇଅଛନ୍ତି । ସେମାନେ କହିଅଛନ୍ତି, ଅର୍ଥ, ସୁଖ, ସ୍ୱାସ୍ଥ୍ୟ ପ୍ରଭୃତି ଜୀବନର ବିକାଶ ପକ୍ଷରେ ଯାହା ଯାହା ଆବଶ୍ୟକ, ସେ ସବୁ ସଂଗ୍ରହ କର, ବର୍ଦ୍ଧନ କର । ଅକାରଣ ନିଜକୁ କଷ୍ଟ ଦିଅ ନାହିଁ । ‘‘ମାତ୍ମାନ’ ଅବସାଦୟେତ୍‌ ।’’ କବି ମଧ୍ୟ ଅନ୍ୟାନ୍ୟ ଲୋକଙ୍କ ପରି ଗୃହୀ ଥିଲେ, ସେ ମଧ୍ୟ ଅର୍ଥ ଲୋଡ଼ୁଥିଲେ, ଏ ଜୀବନର ସୁଖ ସ୍ୱାଚ୍ଛନ୍ଦ୍ୟ ପ୍ରତି ତାଙ୍କର ମଧ୍ୟ ଦୃଷ୍ଟି ଥିଲା । ଆମ୍ଭେମାନେ କାୟମନୋବାକ୍ୟରେ କାମନା କରୁଁ ଯେ ତ୍ୟାଗ ଏବଂ ବିନାଶର ଧର୍ମ ଚିରକାଳ ଧର୍ମୋପଦେଶର ଗଣ୍ଡି ମଧ୍ୟରେ ଆବଦ୍ଧ ଥାଉ, କାର୍ଯ୍ୟ କ୍ଷେତ୍ରରେ କଦାପି ପ୍ରବେଶ ନ କରୁ ଏବଂ ବିକାଶର ଧର୍ମ ଚିରକାଳ ଜୟଯୁକ୍ତ ହେଉ ।

 

ବସନ୍ତ-ଗାଥାର ଧର୍ମମତ ଏବଂ ନୈତିକ ଆଦର୍ଶ ଆଲୋଚନା କଲୁଁ । ସେଥିର କବିତ୍ୱ ସମ୍ବନ୍ଧରେ କିଛି ନ କହିଲେ ପ୍ରବନ୍ଧ ଅସମ୍ପୂର୍ଣ୍ଣ ରହିବ । ବସନ୍ତ ଗାଥାର ଭାଷା ଓଜସ୍ୱିନୀ ଏବଂ ଭାବ ଗମ୍ଭୀର । ସୌନ୍ଦର୍ଯ୍ୟ ଏବଂ ପବିତ୍ରତା ଦୁଇର ସଂମିଶ୍ରଣରେ କବିତା ଗୁଡ଼ି ଅପୂର୍ବଶ୍ରୀ ଧାରଣ କରିଅଛି-। ସୌନ୍ଦର୍ଯ୍ୟ ଉପଭୋଗର ବସ୍ତୁ, ପ୍ରକାଶର ବସ୍ତୁ ନୁହେ । ଅତଏବ ସେ ସମ୍ବନ୍ଧରେ ମୁଁ ଆଉ ବିଶେଷ କ’ଣ କହିବି ? କବି ଯେଉଁ ମତଗୁଡ଼ିକ ପ୍ରଚାର କରିବା ତାଙ୍କ ଜୀବନର ମହାବ୍ରତ କରିଥିଲେ, ଭବିଷ୍ୟଦ୍‌ବଂଶ ତାହା ଗ୍ରହଣ ନ କରିପାରେ, ତାହା ଭୁଲି ଯାଇପାରେ; କିନ୍ତୁ ମଧୁସୂଦନ ସାହିତ୍ୟ ଉଦ୍ୟାନରେ ଯେଉଁ ମଧୁଚକ୍ର ରଚନା କରି ଯାଇଅଛନ୍ତି, ସେଥିର ମଧୁ ସେ ଚିରକାଳ ପାନ କରୁଥିବ-

 

କେହି ମନେ କରି ପାରନ୍ତି ଯେ ଭକ୍ତକବି ମଧୁସୂଦନ କେବଳ ଭକ୍ତି ବର୍ଣ୍ଣନାରେ ସିଦ୍ଧହସ୍ତ-। ପ୍ରାକୃତିକ ସୌନ୍ଦର୍ଯ୍ୟ ବର୍ଣ୍ଣନାରେ ମଧ୍ୟ ସେ ଅସାଧାରଣ କୃତିତ୍ୱ ଦେଖାଇଅଛନ୍ତି । ନିମ୍ନଲିଖିତ ପଂକ୍ତିଗୁଡ଼ି ଦେଖନ୍ତୁ :—

 

‘‘ଦେଖିଲି ମୁଁ ଆକାଶରେ ରାକା-ଶଶଧର

ବିମଳ କୌମୁଦୀ-ସୁଧା ଢାଳୁଛି ନୀରବେ ।

ନିମ୍ନେ ବିସ୍ତାରିତ ମହା ସୈକତ ପ୍ରାନ୍ତର,

ସ୍ନାତ ପୁଣ୍ୟ ଜ୍ୟୋତ୍ସ୍ନାମୟ ନିଶୀଥ-ଅର୍ଣ୍ଣବେ ।

ଭ୍ରମୁ ଭ୍ରମୁ ସେ ପ୍ରାନ୍ତରେ ଦେଖିଲି ତଟିନୀ

ଲୀଳାମୟୀ ବହେ ଶୁଭ୍ର ସୈକତ ଶୟନେ,

ତାରକା-ହୀରକ-ଚୂର୍ଣ୍ଣ-ଶେଯେ ମନ୍ଦାକିନୀ

ବିଳସଇ ଆହା ଯଥା ଶାରଦ ଗଗନେ ।

ସେ ତଟିନୀ ତଟେ ବସି ଦେଖିଲି ନୟନେ

କୌମୁଦୀ କମଳ ବନେ ଉଭା ଶୋଭାରାଣୀ

ପାରିଜାତ ବରମାଲ୍ୟ ଅମୃତ ଯୌବନେ

ଅର୍ପୁଛନ୍ତ ବିଶ୍ୱକଣ୍ଠେ ମହାପ୍ରେମେ ଆଣି ।

ବିଶ୍ୱ-ବିମୋହିନୀଙ୍କର ସେ ବିଶ୍ୱମୋହନ,

ଅମୃତ ଲାବଣ୍ୟ ନୀରେ ହେଲି ନିମଗନ ।’’

☆☆☆

 

Unknown

ବିବାହର ଇତିହାସ*

 

ନରନାରୀଙ୍କ ମିଳନ ସମ୍ବନ୍ଧରେ ପରବର୍ତ୍ତୀ କାଳରେ ଯେଉଁ ସବୁ ବିଧି ବିଧାନ ଓ ନିଷେଧ-ପଦ୍ଧତି ଜଗତକୁ ପ୍ଳାବିତ କରିଅଛି ମାନବର ଆଦିମ ଅବସ୍ଥାରେ ସେ ସବୁର ସମ୍ପୂର୍ଣ୍ଣ ଅଭାବ ଥିଲା । ନରନାରୀଙ୍କର ମିଳନ ଓ ବିୟୋଗ ସମ୍ପୂର୍ଣ୍ଣରୂପେ ସେମାନଙ୍କର ଇଚ୍ଛାଧୀନ ଥିଲା । ବିବାହ ରୂପ ବସ୍ତୁ ସେମାନଙ୍କ ମଧ୍ୟରେ ନ ଥିଲା । ଏହି ବିବାହଶୂନ୍ୟ ଅବସ୍ଥାରୁ କିରୂପେ ବିବାହ ଉତ୍ପନ୍ନ ହେଲା ଏବଂ ଭିନ୍ନ ଭିନ୍ନ ଦେଶରେ ଏହା କିରୂପେ ଭିନ୍ନ ଭିନ୍ନ ଆକାର ଧାରଣ କଲା ତାହା ବର୍ତ୍ତମାନ ଆମ୍ଭମାନଙ୍କର ଆଲୋଚ୍ୟ ।

 

ଏହି ଅନିର୍ଦ୍ଦିଷ୍ଟ ଓ ଅସ୍ଥାୟୀ ମିଳନ ମଧ୍ୟରେ ସ୍ତ୍ରୀ ପୁରୁଷଙ୍କର ପୂର୍ଣ୍ଣ ସ୍ୱାଧୀନତା ବର୍ତ୍ତମାନ ଥିଲା । ଯେଉଁମାନେ ସ୍ୱାଧୀନ ପ୍ରୀତି (Free love)ର ପକ୍ଷପାତୀ ସେମାନେ ଏହାକୁ ଆଦର୍ଶ ଯୁଗ ମନେ କରନ୍ତି । ସେମାନଙ୍କ ମତରେ ଆମ୍ଭମାନଙ୍କ ପ୍ରୀତିର ପୂର୍ଣ୍ଣ ବିକାଶ ପାଇଁ ତାହାକୁ ସର୍ବଦା ସମ୍ପୂର୍ଣ୍ଣରୂପେ ଉନ୍ମୁକ୍ତ ରଖିବା ଆବଶ୍ୟକ । ସାମାଜିକ ନିୟମଦ୍ୱାରା ସେ ପ୍ରୀତିକୁ କୌଣସି ନିର୍ଦ୍ଦିଷ୍ଟ ପୁରୁଷ କିମ୍ବା କୌଣସି ନିର୍ଦ୍ଦିଷ୍ଟ ସ୍ତ୍ରୀରେ ଚିରଜୀବନ ଆବଦ୍ଧ ରଖିବା ଉଚିତ ନୁହେ । ତେବେ କିପାଇଁ ଆମ୍ଭେମାନେ ଏହି ପ୍ରାଚୀନ ସ୍ୱାଧୀନତା ହରାଇ ବିବାହ ରୂପ କଠୋର ଶୃଙ୍ଖଳ ପରିଧାନ କଲୁଁ ?

 

ସମାଜର ଆଦ୍ୟରୁ ଯଦି ସ୍ତ୍ରୀ ପୁରୁଷ ଉଭୟେ ସମାନ ରୂପେ ସ୍ୱାଧୀନ ଥାନ୍ତେ ହୁଏତ ଜଗତରେ ନରନାରୀଙ୍କର ସ୍ଥାୟୀ ମିଳନ କୌଣସି କାଳେ ସମ୍ଭବପର ହୁଅନ୍ତା ନାହିଁ । କିନ୍ତୁ ଆଦିମ ସମାଜରେ ଯେତେବେଳେ ନ୍ୟାୟ, ନୀତି, ପୁଣ୍ୟ ଓ ଅଧିକାରର ଭାବ ପରିସ୍ଫୁଟ ହୋଇ ନାହିଁ ସେତେବେଳେ ଶାରୀରିକ ଶକ୍ତି ରାଜତ୍ୱ କରୁଥିଲା । ପୁରୁଷମାନେ ବଳବତ୍ତର ଥିବାଯୋଗୁଁ ନାରୀ ଜାତି ଉପରେ ରାଜତ୍ୱ କରୁଥିଲେ ।

 

ସେ କାଳରେ ନାରୀ ଜାତିର ଅବସ୍ଥା ବଡ଼ ଶୋଚନୀୟ ଥିଲା । ପୁରୁଷମାନଙ୍କର ସ୍ତ୍ରୀ ଆବଶ୍ୟକ ହେଲେ ସେମାନେ ନାରୀମାନଙ୍କୁ ବଳପୂର୍ବକ ଅପହରଣ କରୁଥିଲେ । ଅଷ୍ଟ୍ରେଲିଆ ଦେଶରେ କାହାରି ସ୍ତ୍ରୀ ଆବଶ୍ୟକ ହେଲେ ସେ ଲୁଚି ଲୁଚି ବୁଲୁଥାଏ ଏବଂ କୌଣସି ସ୍ତ୍ରୀକୁ ଏକାକିନୀ ପାଇଲେ ଯଷ୍ଟିର ଆଘାତରେ ତାହାକୁ ଅଜ୍ଞାନ କରି ପକାଏ । ପରେ ତାହାର କେଶ ଧରି ତାକୁ ଟାଣି ଗୋଟିଏ ନିକଟବର୍ତ୍ତୀ ଜଙ୍ଗଲକୁ ଘେନିଯାଏ । ସେ ନାରୀ ସଂଜ୍ଞା ଲାଭ କଲେ ତାହାକୁ ନିଜ ଘରକୁ ଘେନିଯାଏ । ଅଧିକ ପ୍ରହାର ଭୟରେ ସେ ନାରୀ ମଧ୍ୟ ସେଥିରେ ବାଧା ଦିଏ ନାହିଁ । କାରିବ ଜାତି ଯୁଦ୍ଧରେ ବାଳିକା ବନ୍ଦିନୀ ପାଇଲେ ତାହାକୁ ପଶୁପରି ପୋଷି ରଖନ୍ତି । ବିବାହ କରି ନାରୀର ଦୁଃଖ ଶେଷ ହୁଏ ନାହିଁ । ତାହାର ଅସଭ୍ୟ ସ୍ୱାମୀ ଯଦି ତାହା ଉପରେ ଅସନ୍ତୁଷ୍ଟ ହୁଏ, ତାହାକୁ ଯେ କେବଳ ପ୍ରହାର କରେ ଏପରି ନୁହେ, ପୁଣି ବର୍ଚ୍ଛାଦ୍ୱାରା ତାହାର ଅଙ୍ଗପ୍ରତ୍ୟଙ୍ଗ ବିଦ୍ଧ କରେ । ନାରୀକୁ ସଂସାରର ସମସ୍ତ ନୀଚ କର୍ମ କରିବାକୁ ହୁଏ, ବୋଝ ବହିବାକୁ ହୁଏ ଅଥଚ ସେ ପେଟ ପୁରାଇ ଖାଇବାକୁ ପାଏ ନାହିଁ ।

 

ନାରୀକୁ ଅପହରଣ କରିବାଦ୍ୱାରା ସମାଜ ମଧ୍ୟରେ ଅନେକ ଯୁଦ୍ଧ ବିବାଦ ଉପସ୍ଥିତ ହୁଏ, କାରଣ ଅପହରଣ ଯଦି ଅଧିକାରର ମୂଳ ହୁଏ ଆଜି ଜଣେ ଯାହା ଅପହରଣ କରିଅଛି କାଲି ଅନ୍ୟ ଜଣେ ତାହାଠାରୁ ସେହି ବସ୍ତୁ ପୁଣି ଅପହରଣ କରି ପାରେ । ନାରୀପାଇଁ ବିବାଦ ଅସଭ୍ୟ ସମାଜରେ ଚିରକାଳ ଲାଗିଥାଏ । ସେଥିପାଇଁ ପରବର୍ତ୍ତୀ କାଳରେ ନାରୀକୁ ଅପହରଣ ନ କରି ତାହାର ଅଭିଭାବକଠାରୁ ତାହାକୁ କ୍ରୟ କରି ନେଉଥିଲେ । କ୍ରୟ ଦିବସଠାରୁ ନାରୀ ଉପରେ ପୁରୁଷର ସମ୍ପୂର୍ଣ୍ଣ ଅଧିକାର ଜାତ ହେଉଥିଲା । ଜଣେ କାଫିରୀ କହିବାର ଶୁଣା ଯାଇଅଛି ଯେ ନାରୀ ପୁରୁଷର ବଳଦ ଅଟେ । ପୁରୁଷ ତାକୁ କ୍ରୟ କରିଅଛି, ଅତଏବ ସେ ପୁରୁଷର ଦାସତ୍ୱ କରିବାକୁ ବାଧ୍ୟ । ଯଦି ଜଣେ କାଫିରୀ ତାହାର ସ୍ତ୍ରୀକୁ ହତ୍ୟା କରେ, ସେ ଆତ୍ମସମର୍ଥନରେ ଏତିକି ମାତ୍ର କହେ, ‘‘ସେ ମୋର, ମୁଁ ତାକୁ ଚିରକାଳ ପାଇଁ କ୍ରୟ କରିଅଛି ।’’

 

କେବଳ ଶାରୀରିକ ମିଳନ ସକାଶେ ଯେ ପୁରୁଷମାନେ ନାରୀମାନଙ୍କୁ କ୍ରୟ ବା ଅପହରଣ କରୁଥିଲେ ଏପରି ନୁହେ । ପୁରୁଷମାନଙ୍କର ସୁଖ ସ୍ୱାଚ୍ଛନ୍ଦ୍ୟ ପାଇଁ ଦାସୀର ପ୍ରୟୋଜନ ହୋଇ ପଡ଼େ । ସେମାନେ ଧରି ଆଣି ଅଥବା କିଣି ଆଣି ନାରୀମାନଙ୍କୁ ନିଜର ଦାସତ୍ୱରେ ନିଯୁକ୍ତ କରୁଥିଲେ । ଆଦିମ ସମାଜରେ ସ୍ତ୍ରୀମାନେ ସମାଜର ଦାସୀ ଶ୍ରେଣୀଭୁକ୍ତ ଥିଲେ । ସ୍ତ୍ରୀମାନେ ଯେଉଁ ସବୁ କାର୍ଯ୍ୟ କରିବାକୁ ଅକ୍ଷମ ସେତିକି ଛାଡ଼ି ଅନ୍ୟ ସବୁ କାର୍ଯ୍ୟ ପୁରୁଷମାନେ ନାରୀମାନଙ୍କ ଦ୍ୱାରା କରାଇ ନେଉଥିଲେ । ତାସମାନୀୟ ଜାତି ମଧ୍ୟରେ ପୁରୁଷମାନେ କେବଳ ଶିକାର କରନ୍ତି, କିନ୍ତୁ ସ୍ତ୍ରୀମାନେ ସନ୍ତାନ ସନ୍ତତିର ସେବା କରନ୍ତି, ଗଛରେ ଚଢ଼ି ଫଳ ତୋଳନ୍ତି, ଚେର ମୂଳ ଖୋଳି ଆଣନ୍ତି ଓ ମାଛ ଧରନ୍ତି । ଅଷ୍ଟ୍ରେଲିଆ ଓ ଆଣ୍ଡାମାନ ଦେଶରେ ସ୍ତ୍ରୀ ପୁରୁଷଙ୍କର କର୍ମବିଭାଗ ଉକ୍ତରୂପ ଅଟେ । ଏସ୍କୁଇମୋ ଜାତି ମଧ୍ୟରେ ପୁରୁଷମାନେ କେବଳ ଶିକାର କରନ୍ତି, କିନ୍ତୁ ସ୍ତ୍ରୀମାନେ ତମ୍ବୁ ଓ ଗୃହ ନିର୍ମାଣ କରନ୍ତି; ପଥର ବହୁଁ ବହୁଁ ସ୍ତ୍ରୀମାନଙ୍କର ପିଠି ଭାଙ୍ଗି ପଡ଼ିଲେ ମଧ୍ୟ ପୁରୁଷମାନେ କେବଳ ଅନାଇଥାନ୍ତି, ସେମାନଙ୍କ ସାହାଯ୍ୟ ପାଇଁ ଲେଶମାତ୍ର ଚେଷ୍ଟା କରନ୍ତି ନାହିଁ । ବ୍ରାଜିଲ ଦେଶରେ ଯେତେବେଳେ ଗୃହ ପରିବର୍ତ୍ତନ କରନ୍ତି, ପୁରୁଷମାନେ କେବଳ ଖଡ୍‍ଗ ଧରି ନୂତନ ଗୃହକୁ ଯାନ୍ତି, ଘରର ଅନ୍ୟାନ୍ୟ ସମସ୍ତ ବସ୍ତୁ ସ୍ତ୍ରୀମାନେ ବଳଦ ପରି ବହି ନେଇ ଯାନ୍ତି ।

 

ଦାସୀ କ୍ରୟରୁ ବିବାହର ଉତ୍ପତ୍ତି–ଏ ବିଷୟରେ ସମାଜତତ୍ତ୍ୱବିତ୍‌ ପ୍ରଧାନ ପ୍ରଧାନ ପଣ୍ଡିତମାନେ ଏକମତ ଅଟନ୍ତି । ଏହି ଦାସୀକ୍ରୟ-ପ୍ରଥା ସ୍ତ୍ରୀପୁରୁଷଙ୍କ ମିଳନ ମଧ୍ୟରେ ସ୍ଥାୟିତ୍ୱ ସମ୍ପାଦନ କରିଅଛି । ଯେ ପର୍ଯ୍ୟନ୍ତ ନର ନାରୀଙ୍କ ମିଳନ ସମ୍ପୂର୍ଣ୍ଣରୂପେ ସ୍ୱାଧୀନ ଥିଲା, ସେ ପର୍ଯ୍ୟନ୍ତ ସେ ମିଳନ ମଧ୍ୟରେ ସ୍ଥାୟିତ୍ୱ ଆସି ନାହିଁ—ସେମାନେ ଇଚ୍ଛାନୁସାରେ ପରସ୍ପର ସହିତ ମିଳିତ ହେଉଥିଲେ ଏବଂ ଇଚ୍ଛାନୁସାରେ ପରସ୍ପରଠାରୁ ବିଯୁକ୍ତ ହେଉଥିଲେ । କିନ୍ତୁ ଯେତେବେଳେ ପୁରୁଷମାନେ ନାରୀମାନଙ୍କୁ ଅପହରଣ ଅଥବା କ୍ରୟ କଲେ, ସେତେବେଳେ ନାରୀର ସ୍ୱାଧୀନତା ଚିରକାଳପାଇଁ ଲୋପ ପାଇଲା; ସେମାନେ ଗାଈ ବଳଦ ପରି ପୁରୁଷମାନଙ୍କର ସମ୍ପତ୍ତିବିଶେଷ ହୋଇ ପଡ଼ିଲେ, ପୁରୁଷମାନଙ୍କୁ ଛାଡ଼ି ଯିବାର ଆଉ ସେମାନଙ୍କର ଅଧିକାର ରହିଲା ନାହିଁ, ସେମାନେ ଚିରକାଳ ପୁରୁଷର କ୍ରୀତଦାସୀ ହୋଇ ରହିଲେ; ଯଦି କଦାପି ସେମାନେ ଛାଡ଼ି ଯାଉଥିଲେ, ପୁରୁଷମାନଙ୍କର କୋପବହ୍ନି ସେମାନଙ୍କୁ ସହ୍ୟ କରିବାକୁ ହେଉଥିଲା । ଏହିରୂପେ ସ୍ତ୍ରୀପୁରୁଷଙ୍କ ମିଳନରେ ଯେତେବେଳେ ଦାସୀ-ପ୍ରଭୁର ସମ୍ପର୍କ ଓ ବାଧ୍ୟ ବାଧକତାର ସମ୍ପର୍କ ଆସି ପଡ଼ିଲା, ସେ ମିଳନ ପୂର୍ବ ପରି ଅସ୍ଥାୟୀ ନ ହୋଇ ଅଧିକକାଳ ସ୍ଥାୟୀ ଏବଂ ଶେଷରେ ଅଚ୍ଛେଦ୍ୟ ହୋଇ ପଡ଼ିଲା । ନାରୀର ଦାସତ୍ୱରୁ ଏହି ‘‘ଅଚ୍ଛେଦ୍ୟ ବନ୍ଧନ’’ ଉତ୍ପନ୍ନ ହୋଇଅଛି ।

 

ପରବର୍ତ୍ତୀ ଯୁଗରେ ପୁରୁଷମାନେ ମଧ୍ୟ ସେମାନଙ୍କର ଯୌନସ୍ୱାଧୀନତା ହରାଇ ବସିଲେ । ନିଜର ସ୍ତ୍ରୀ ଛଡ଼ା ଅନ୍ୟ ସ୍ତ୍ରୀ ସହିତ ସମ୍ପର୍କ କଲେ ସେମାନଙ୍କୁ ସହଧର୍ମିଣୀର ଈର୍ଷାବହ୍ନି ସହ୍ୟ କରିବାକୁ ପଡ଼ୁଥିଲା । ଏହିରୂପେ ବିବାହ-ଦାସତ୍ୱରେ ସ୍ତ୍ରୀପୁରୁଷ ଉଭୟେ ଜଡ଼ିତ ହୋଇ ପଡ଼ିଲେ । ଏ ଦାସତ୍ୱ ବହୁ କାଳ ପୃଥିବୀରେ ରାଜତ୍ୱ କରିଅଛି ।

 

ବିବାହ ନାନା ଦେଶରେ ନାନା ଆକାର ଧାରଣ କରଅଛି । କେଉଁଠାରେ ଗୋଟିଏ ସ୍ତ୍ରୀ ସହିତ ଅନେକଗୁଡ଼ିଏ ପୁରୁଷ ଯୁକ୍ତ ଅଛନ୍ତି—ବହୁପତି ବିବାହ, ଅଥବା ଏକ ପୁରୁଷ ସହିତ ଅନେକଗୁଡ଼ିଏ ସ୍ତ୍ରୀ ଯୁକ୍ତ ଅଛନ୍ତି—ବହୁପତ୍ନୀ ବିବାହ, ଅଥବା ଏକ ପୁରୁଷ ସହିତ କେବଳ ଗୋଟିଏ ସ୍ତ୍ରୀ ଯୁକ୍ତ ଅଛି—ଏକ-ବିବାହ ।

 

ବହୁପତି ବିବାହ—

 

ପୃଥିବୀର ନାନା ସ୍ଥାନରେ ବହୁପତି ପ୍ରଥା ପ୍ରଚଳନ ଅଛି । ଦ୍ରୌପଦୀଙ୍କର ପଞ୍ଚ ସ୍ୱାମୀ କଥା ପଢ଼ିଲେ ମନେ ହୁଏ ପ୍ରାଚୀନ ଭାରତରେ ବହୁପତି ପ୍ରଥା ପ୍ରଚଳିତ ଥିଲା । ତୋଡ଼ା ଜାତି ମଧ୍ୟରେ ବହୁପତି ସହିତ ବହୁପତ୍ନୀ ପ୍ରଥା ଜଡ଼ିତ ଅଛି । ଯଦି ଗୋଟିଏ ପରିବାରରେ ଚାରି ପାଞ୍ଚ ଭାଇ ଥାନ୍ତି, ବଡ଼ ଭାଇ ଯେତେବେଳେ ବୟସ୍କ ହୋଇ ବିବାହ କରେ ତାହାର ସ୍ତ୍ରୀ ଅନ୍ୟାନ୍ୟ ଭାଇଙ୍କର ମଧ୍ୟ ସ୍ତ୍ରୀ ହୁଏ ଏବଂ ସେମାନେ ବଡ଼ ହେଲେ ସେମାନଙ୍କ ସହିତ ମଧ୍ୟ ସହବାସ କରେ । ପୁଣି ଯଦି ସେହି ସ୍ତ୍ରୀର ଅନ୍ୟାନ୍ୟ ସାନ ଭଉଣୀ ଥାନ୍ତି, ସେମାନେ ବଡ଼ ହେଲେ ସେମାନଙ୍କର ବଡ଼ ଭଉଣୀର ସ୍ୱାମୀକୁ ସ୍ୱାମୀରୂପେ ବରଣ କରନ୍ତି ।

 

ଅନେକ ସମୟରେ ଗୋଟିଏ ବିଶେଷ କାରଣରୁ ସ୍ତ୍ରୀର ବହୁପତି ହୋଇଥାଏ । ପ୍ରାଚୀନ କାଳରେ ସ୍ତ୍ରୀକୁ ପୁରୁଷର ବିଷୟ ସମ୍ପତ୍ତି ମନେ କରୁଥିଲେ । ସେ ସମ୍ପତ୍ତି ଉତ୍ତରାଧିକାର ସୂତ୍ରେ ନାନା ହସ୍ତକୁ ଯାଇପାରେ । ନବଜିଲାଣ୍ଡରେ ପିତା ଅନ୍ତେ ପୁତ୍ରମାନେ ପିତାର ସ୍ତ୍ରୀମାନଙ୍କୁ ସ୍ତ୍ରୀ ସ୍ୱରୁପ ଲାଭ କରନ୍ତି । ମିସିମି ଜାତି ମଧ୍ୟରେ ସେହି ପ୍ରଥା । ଡାହାମି ଦେଶରେ ରାଜାଙ୍କ ମୃତ୍ୟ ପରେ ତାଙ୍କର ଜ୍ୟେଷ୍ଠ ପୁତ୍ର ନିଜର ଗର୍ଭଧାରିଣୀ ଛଡ଼ା ପିତାଙ୍କର ଅନ୍ୟାନ୍ୟ ସ୍ତ୍ରୀମାନଙ୍କୁ ନିଜର ସ୍ତ୍ରୀରୂପେ ଲାଭ କରେ । ମେପୁଚେସ୍‌ ଜାତି ମଧ୍ୟରେ ସ୍ୱାମୀ ମଲେ ବିଧବା ସ୍ୱାଧୀନ ହୁଏ, କିନ୍ତୁ ମୃତ ସ୍ୱାମୀର ଅନ୍ୟ ସ୍ତ୍ରୀ ଗର୍ଭରୁ ଜାତ ଯଦି ବୟସ୍କ ପୁତ୍ର ସନ୍ତାନ ଥାନ୍ତି, ତାହାହେଲେ ପିତାର ଅନ୍ୟାନ୍ୟ ବିଷୟ ସହିତ ପୁତ୍ରମାନେ ସେହି ସ୍ତ୍ରୀକୁ ମଧ୍ୟ ଲାଭ କରନ୍ତି ଏବଂ ସେହି ସ୍ତ୍ରୀ ସେମାନଙ୍କର ସାଧାରଣ ସ୍ତ୍ରୀରୂପେ ପରିଗଣିତ ହୁଏ । ଲାତକ ଜାତି ମଧ୍ୟରେ ବଡ଼ ଭାଇ ମଲେ ତାହାର ବିଷୟ ସମ୍ପତ୍ତି ସାନ ଭାଇ ପାଏ । ତାହାର ସ୍ତ୍ରୀ ସେହି ଦିନଠାରୁ ସାନ ଭାଇର ସ୍ତ୍ରୀ ହୁଏ; ସେଥିପାଇଁ କୌଣସି ବିବାହର ଆବଶ୍ୟକତା ହୁଏ ନାହିଁ ।

 

ତିବ୍ବତ ଦେଶର ବହୁପତି ପ୍ରଥା ଆଲୋଚନା କରି ଉଇଲସନ୍‌ ସାହେବ କହି ଅଛନ୍ତି ଯେ ତିବ୍ବତ ଦେଶପାଇଁ ଅନ୍ୟ କୌଣସି ପ୍ରକାର ବିବାହ ଅନୁପଯୋଗୀ ଅଟେ । ତିବ୍ବତ ଦେଶରେ ଅନେକ ସ୍ତ୍ରୀ ସନ୍ନ୍ୟାସିନୀ ଶ୍ରେଣୀରେ ଯୋଗ ଦିଅନ୍ତି । ଅତଏବ ବିବାହପାଇଁ ସ୍ତ୍ରୀ ସଂଖ୍ୟା କମ ଏବଂ ପୁରୁଷ ସଂଖ୍ୟା ବେଶି । ଯଦି ଗୋଟିଏ ସ୍ତ୍ରୀ ବହୁପତି ଗ୍ରହଣ ନ କରେ, ତାହାହେଲେ ଅନେକ ପୁରୁଷଙ୍କୁ ଅବିବାହିତ ରହିବାକୁ ହୁଏ । ତିବ୍ବତ ନିତାନ୍ତ ପାର୍ବତ୍ୟ ଓ ଅନୁର୍ବର ଦେଶ ଅଟେ । ସେଥିପାଇଁ ଖାଦ୍ୟର ଅଭାବ ଅଧିକ । ଯଦି ସେ ଦେଶରେ କୌଣସି ପ୍ରକାରେ ଜନସଂଖ୍ୟା ରୋଧ କରା ନ ହୁଏ, ଦୁର୍ଭିକ୍ଷ ଓ ଯୁଦ୍ଧ-ବିଗ୍ରହ ଅବଶ୍ୟମ୍ଭାବୀ ହୋଇ ପଡ଼ିବ । ବହୁପତି ପ୍ରଥାଦ୍ୱାରା ଅନେକ ପୁରୁଷଙ୍କୁ ଅତି ଅଳ୍ପ ସଂଖ୍ୟକ ସ୍ତ୍ରୀ ଲୋକଙ୍କ ଗର୍ଭରେ ସନ୍ତାନ ଉତ୍ପାଦନ କରିବାକୁ ହୁଏ । ସେଥିପାଇଁ ଜନସଂଖ୍ୟା ପ୍ରଚୁର ପରିମାଣରେ ବଢ଼ିବାକୁ ଅବସର  ନାପାଏହିଁ । ଖାଦ୍ୟର ଅଭାବ ହେତୁରୁ ସେ ଦେଶରେ ଗୋଟିଏ ପରିବାରକୁ ରକ୍ଷା କରିବାପାଇଁ ଏକାଧିକ ପୁରୁଷର ଚେଷ୍ଟା ଆବଶ୍ୟକ ହୋଇ ପଡ଼େ । ପରିବାର ମଧ୍ୟରୁ କୌଣସି ସ୍ୱାମୀ ଦୂର ଦେଶକୁ ଗଲେ ଅନ୍ୟ ସ୍ୱାମୀମାନେ ଗୃହ ରକ୍ଷା କରନ୍ତି । ସ୍ୱାମୀମାନଙ୍କ ମଧ୍ୟରେ ଈର୍ଷା ବିବାଦ ସାଧାରଣତଃ ଦୃଷ୍ଟିଗୋଚର ହୁଏ ନାହିଁ । ଯଦି ସନ୍ତାନ ସନ୍ତତିପାଇଁ କଦାପି ବିବାଦ ହୁଏ, ପୁରୁଷମାନଙ୍କ ଆକୃତି ସହିତ ସନ୍ତାନର ଆକୃତି ମିଳାଇ ତାହାର ପିତା ନିରୂପିତ ହୁଏ, ଅଥବା ମାତାର ବାକ୍ୟ ଅନୁଯାୟୀ ପିତା ସାବ୍ୟସ୍ତ ହୁଏ ।

 

ବହୁପତ୍ନୀ ବିବାହ—

 

ବହୁପତ୍ନୀ ପ୍ରଥା ଜଗତର ନାନା ଦେଶରେ ପ୍ରଚଳିତ ଅଛି । ଏସିୟା, ଆଫ୍ରିକା, ଆମେରିକା ଓ ଅଷ୍ଟ୍ରେଲିୟା ମହାଦେଶମାନଙ୍କରେ ଏ ପ୍ରଥା ପ୍ରଚଳିତ ଥିବାର ଦେଖାଯାଏ । ଯଦିଚ ବହୁପତ୍ନୀ ସମ୍ବନ୍ଧରେ ଅନେକ ଦେଶରେ କୌଣସି ନିଷେଧ-ବିଧି ନାହିଁ, ତଥାପି ଅଭାବ ଓ ଦାରିଦ୍ର୍ୟ ବଶତଃ ଅନେକେ ବହୁପତ୍ନୀ ଗ୍ରହଣ କରି ପାରନ୍ତି ନାହିଁ । ସେଥିପାଇଁ ସେ ଦେଶମାନଙ୍କରେ ଦେଖାଯାଏ ଯେ, ସାଧାରଣ ଲୋକେ ଏକ ପତ୍ନୀରେ ସନ୍ତୁଷ୍ଟ ଥାନ୍ତି, କିନ୍ତୁ ଧନୀ ଲୋକେ ବହୁ ପତ୍ନୀ ଗ୍ରହଣ କରନ୍ତି । ଆମ୍ଭମାନଙ୍କ ଦେଶରେ ରାଜାମାନେ ବହୁପତ୍ନୀ ଗ୍ରହଣ କରନ୍ତି, କିନ୍ତୁ ମଧ୍ୟବିତ୍ତ ଓ ନିମ୍ନଶ୍ରେଣୀର ଲୋକେ ଏକ ପତ୍ନୀରେ ସନ୍ତୁଷ୍ଟ ଥାନ୍ତି । ଉତ୍କଳର ଜଣେ ରାଜାଙ୍କର ତିନି ଶତ ପତ୍ନୀ ଥିଲେ । ପ୍ରାଚୀନ ମେକ୍ସିକୋ ଜାତିରେ ସାଧାରଣ ଲୋକଙ୍କର ଏକ ପତ୍ନୀ ଥିଲେ ମଧ୍ୟ ରାଜାମାନଙ୍କର ସମୟ ସମୟରେ ଆଠ ଶତ ପର୍ଯ୍ୟନ୍ତ ପତ୍ନୀ ଥାନ୍ତି ।

 

ବଙ୍ଗଦେଶର କୁଳୀନମାନଙ୍କର ବହୁ ପତ୍ନୀ ଥାଏ । ଜଣେ କୁଳୀନ ଷାଠିଏ ଏବଂ ଅନ୍ୟ ଜଣେ ଏକଶତ ପତ୍ନୀ ବିବାହ କରିବାର ଶୁଣାଅଛି । ସେମାନଙ୍କର ଖଣ୍ଡେ ଖଣ୍ଡେ ଖାତା ଥାଏ; ସେ ଖାତାରେ ସେମାନେ ଶ୍ୱଶୁରମାନଙ୍କର ନାମ ଓ ଠିକଣା ଲେଖି ରଖିଥାନ୍ତି । ଶୀତକାଳ ଆରମ୍ଭରେ ସେମାନେ ସେମାନଙ୍କ ସ୍ତ୍ରୀମାନଙ୍କ ପାଖକୁ ଯାନ୍ତି ଏବଂ ପ୍ରତ୍ୟେକ ସ୍ତ୍ରୀ ପାଖରୁ କିଛି କିଛି ଅର୍ଥ ସଂଗ୍ରହ କରି ଗ୍ରୀଷ୍ମକାଳ ପୂର୍ବରୁ ଘରକୁ ଫେରି ଆସନ୍ତି ।

 

ଯେଉଁ ଦେଶରେ ବହୁପତ୍ନୀ ପ୍ରଥା ପ୍ରଚଳିତ, ସେ ଦେଶରେ କେବଳ ଯେ ପୁରୁଷମାନେ ବହୁପତ୍ନୀର ପକ୍ଷପାତୀ ଏପରି ନୁହେଁ; ସମୟ ସମୟରେ ସ୍ତ୍ରୀମାନେ ମଧ୍ୟ ଉକ୍ତ ପ୍ରଥାର ପକ୍ଷପାତୀ ଥିବାର ଦେଖାଯାଏ । ଆଫ୍ରିକାର ଜଣେ ଭଦ୍ରମହିଳା ଶୁଣି ଆଶ୍ଚର୍ଯ୍ୟାନ୍ୱିତ ହେଲେ ଯେ ଇଂଲଣ୍ଡରେ ପୁରୁଷମାନେ କେବଳ ଗୋଟିଏ ସ୍ତ୍ରୀ ବିବାହ କରନ୍ତି । ତାଙ୍କ ମତରେ ପ୍ରତ୍ୟେକ ସମ୍ଭ୍ରାନ୍ତ ଲୋକର ନିଜର ଐଶ୍ୱର୍ଯ୍ୟର ପରିଚୟ ସକାଶେ ବହୁ ପତ୍ନୀ ରଖିବା ଆବଶ୍ୟକ ।

 

ବିବାହ ବ୍ୟାପାରରେ ନରନାରୀ ପରସ୍ପର ଉପରେ ଏକାୟତ୍ତ ଅଧିକାର ଚାହାନ୍ତି । ବହୁପତି ଓ ବହୁପତ୍ନୀ ପ୍ରଥାରେ ପରସ୍ପର ଉପରେ ସେମାନଙ୍କର ଅଧିକାର କମିଯାଏ । ବହୁପତିରେ ସ୍ତ୍ରୀ ଉପରେ ସ୍ୱାମୀର ଅଧିକାର ଯେପରି ଅତି କମ, ବହୁପତ୍ନୀ ପ୍ରଥାରେ ସ୍ୱାମୀ ଉପରେ ସ୍ତ୍ରୀର ଅଧିକାର ସେହିପରି କମ । ସେଥିପାଇଁ ଉଭୟ ପ୍ରଥାରେ ଅସନ୍ତୋଷର କାରଣ ବର୍ତ୍ତମାନ । ଏଥିପାଇଁ ସମାଜ ଏ ଦୁଇ ପ୍ରଥା ଛାଡ଼ି ଏକବିବାହ ଦିଗକୁ ଅଗ୍ରସର ହେଉଅଛି । ବହୁପତି ପ୍ରଥାରେ ସନ୍ତାନର ମାତା ବୁଝାଯାଏ କିନ୍ତୁ ପିତା ଜାଣିବା ଦୁଷ୍କର । ବହୁପତ୍ନୀ ପ୍ରଥାରେ ପିତାମାତା ଉଭୟ ସ୍ପଷ୍ଟ ଜଣାଯାନ୍ତି । ଶେଷୋକ୍ତ ପ୍ରଥାରେ ସନ୍ତାନ ମାତାର ଯେପରି ସ୍ନେହ ପାଏ ପିତାର ମଧ୍ୟ ତଦ୍ରୂପ ସ୍ନେହ ପାଏ । ଏଥିପାଇଁ ସମାଜ ବହୁପତିଠାରୁ ବହୁପତ୍ନୀ ପ୍ରଥାକୁ ଉନ୍ନତତର ମନେ କରିଅଛି ଏବଂ ଏକ ବିବାହକୁ ସବୁଠାରୁ ଉତ୍କୃଷ୍ଟ ଭାବିଅଛି । କିନ୍ତୁ ବିବାହର ଯେ ମୁଖ୍ୟ ଉଦ୍ଦେଶ୍ୟ—ଯୌନ-କ୍ଷୁଧା ତୃପ୍ତି ତାହା ସମାଜ ଭୁଲି ଯାଉଅଛି । ଏକ ବିବାହରେ ଏ କ୍ଷୁଧାର ସମ୍ୟକ୍‌ ତୃପ୍ତି ସାଧିତ ହୋଇ ନ ପାରେ । ବହୁପତିରେ ଯେପରି ନାରୀର ବହୁପତ୍ନୀରେ ସେହିପରି ପୁରୁଷର ଯୌନକ୍ଷୁଧା ଅଧିକ ତୃପ୍ତିଲାଭ କରିପାରେ । କିନ୍ତୁ କୌଣସି ବିବାହ ପ୍ରଥାରେ ଏ କ୍ଷୁଧାର ପୂର୍ଣ୍ଣ ତୃପ୍ତି ଅସମ୍ଭବ । ସେଥିପାଇଁ ବର୍ତ୍ତମାନ ଜଗତରେ ବିବାହ ବିଦ୍ରୋହ ଉପସ୍ଥିତ ହୋଇଅଛି ।

 

ଚିରସ୍ଥାୟୀ ଏକ ବିବାହ—

 

ବର୍ତ୍ତମାନ ସଭ୍ୟ ଜଗତରେ ଏକ ବିବାହ ପ୍ରଥା ପ୍ରଚଳିତ ହୋଇଅଛି ଏବଂ ସେହି ବିବାହ ଚିରସ୍ଥାୟୀ ଆକାର ଧାରଣ କରିଅଛି । ନରନାରୀଙ୍କର ଚିରସ୍ଥାୟୀ ମିଳନ ସପକ୍ଷରେ ସମାଜତତ୍ତ୍ୱବିତ୍‌ମାନେ ଯାହା କହନ୍ତି ତାହା ଆମ୍ଭମାନଙ୍କର ଜାଣିବା ଆବଶ୍ୟକ । ସେମାନେ କହନ୍ତି, ଯେଉଁ ଜୀବ ଯେତେ ଉନ୍ନତ ତାହାକୁ ସେତେ ଅଧିକ କାଳ ଶୈଶବ ଅବସ୍ଥାରେ କଟାଇବାକୁ ହୁଏ । ଗୋରୁଠାରୁ ବାନର ଅଧିକ ଉନ୍ନତ, ସେଥିପାଇଁ ବାନର ସନ୍ତାନକୁ ଗୋ ସନ୍ତାନଠାରୁ ଅଧିକ ଦିନ ଶୈଶବାବସ୍ଥାରେ ରହିବାକୁ ହୁଏ । ମାନବ ବାନରଠାରୁ ଆହୁରି ଉନ୍ନତ, ସେଥିପାଇଁ ମାନବ ସନ୍ତାନକୁ ବାନର ସନ୍ତାନଠାରୁ ଅଧିକ ଦିନ ଶୈଶବାବସ୍ଥାରେ ରହିବାକୁ ହୁଏ । ଇତର ଜୀବଜନ୍ତୁଠାରୁ ମାନବର ଅଭାବ ଅଧିକ । ଜୀବଜନ୍ତୁମାନେ ଲତା-ପତ୍ର-ଫଳ-ମୂଳରେ ଜୀବନ ଧାରଣ କରି ପାରନ୍ତି, କିନ୍ତୁ ମାନବର ପକ୍ୱ ଅନ୍ନ ଆବଶ୍ୟକ । ଇତର ପ୍ରାଣୀମାନଙ୍କର ବସ୍ତ୍ରର ଆବଶ୍ୟକତା ଥାଏ ନାହିଁ, କିନ୍ତୁ ମାନବର ବସ୍ତ୍ର ନ ହେଲେ ଚଳେ ନାହିଁ । ମାନବର ଉପଯୁକ୍ତ ଗୃହ ଆବଶ୍ୟକ । ମାନବ ସନ୍ତାନକୁ ଆତ୍ମରକ୍ଷାର ଉପଯୋଗୀ କରିବାପାଇଁ ବହୁକାଳବ୍ୟାପୀ ଯତ୍ନ ଓ ପରିଶ୍ରମ ଆବଶ୍ୟକ । କିନ୍ତୁ ମାନବ ରମଣୀ ଦୁର୍ବଳ । ସେ ଏକା ଏହି ଗୁରୁଭାର ବହନ କରିବାକୁ ଅସମର୍ଥ । ଏ ବିଷୟରେ ତାହାର ପୁରୁଷର ସହାୟତା ଆବଶ୍ୟକ । ପ୍ରାଚୀନ କାଳରେ ଯେତେବେଳେ ସ୍ତ୍ରୀ ପୁରୁଷ ମଧ୍ୟରେ କୌଣସି ସ୍ଥାୟୀ ସମ୍ପର୍କ ନ ଥିଲା, ସେତେବେଳେ କେବଳ ନାରୀ ପକ୍ଷରେ ସନ୍ତାନର ସମସ୍ତ ଭାର ବହନ କରିବା ବଡ଼ ଦୁଷ୍କର ହେଉଥିଲା । ସେଥିପାଇଁ ଶୈଶବାବସ୍ଥାରେ ଅନେକ ମାନବ ସନ୍ତାନର ମୃତ୍ୟୁ ହେଉଥିଲା ଏବଂ ଅସହାୟ ମାତା ତାହାର ସନ୍ତାନ ପ୍ରତି ସମସ୍ତ କର୍ତ୍ତବ୍ୟ ସମ୍ପାଦନ କରି ପାରୁ ନ ଥିଲା; ଫଳରେ ଅସଭ୍ୟ ସମାଜର ରକ୍ଷା ଅନିଶ୍ଚିତ ଏବଂ ଉନ୍ନତି ନିତାନ୍ତ ପରିମିତ ଥିଲା । ଇତର ଜୀବଜନ୍ତୁମାନଙ୍କର ଅଭାବ ଅତି କମ, ଏକା ମାତା ସନ୍ତାନର ସମସ୍ତ ଭାର ନେବାକୁ ସମର୍ଥ । ସେଥିପାଇଁ ସେମାନଙ୍କ ମଧ୍ୟରେ ସ୍ତ୍ରୀ ପୁରୁଷର ସ୍ଥାୟୀ ମିଳନର ଆବଶ୍ୟକତା ନାହିଁ । କିନ୍ତୁ ମାନବର ଅଭାବ ଅଧିକ ଏବଂ ମାନବ ରମଣୀ ଦୁର୍ବଳ । ସନ୍ତାନର ଲାଳନ ପାଳନ ଓ ଶିକ୍ଷୋନ୍ନତି ସକାଶେ ସ୍ତ୍ରୀ ପୁରୁଷର ସମବେତ ଚେଷ୍ଟା ଆବଶ୍ୟକ । ଏଥିପାଇଁ ମାନବ ସମାଜ ସ୍ତ୍ରୀ ପୁରୁଷଙ୍କୁ ଅଚ୍ଛେଦ୍ୟ ବନ୍ଧନରେ ବାନ୍ଧି ବିବାହ ରୂପ ପ୍ରଥା ସୃଜନ କରିଅଛି ।

 

ଆମ୍ଭେମାନେ ଦେଖିଅଛୁଁ ସନ୍ତାନର ମଙ୍ଗଳ ପାଇଁ ବିବାହ ପ୍ରଥା ସୃଜନ ହୋଇ ନାହିଁ । ନାରୀ ଉପରେ ପୁରୁଷର ଏକାଧିପତ୍ୟ ବିସ୍ତାର କରିବାପାଇଁ ଏ ପ୍ରଥା ସୃଷ୍ଟ ହୋଇଅଛି । ସନ୍ତାନମାନେ ଏତଦ୍ଦ୍ୱାରା ପିତାମାତା ଉଭୟଙ୍କର ସାହାଯ୍ୟ ପାଇ କେତେକ ପରିମାଣରେ ଲାଭବାନ୍‌ ହୋଇ ଅଛନ୍ତି ସତ୍ୟ, କିନ୍ତୁ ଅନ୍ୟ ହିସାବରେ ସେମାନେ ମଧ୍ୟ କ୍ଷତିଗ୍ରସ୍ତ ହୋଇଅଛନ୍ତି । ବିବାହଦ୍ୱାରା ନାରୀ ତାହାର ନିଜର ଶରୀର ଉପରେ ଅଧିକାର ହରାଇ ଅଛି ଏବଂ ବାଧ୍ୟ ହୋଇ ତାକୁ ଘନ ଘନ ସନ୍ତାନ ପ୍ରସବ କରିବାକୁ ହେଉଅଛି । ସନ୍ତାନ ଯଦି ଗୋଟିଏ ହୁଏ ସେ ପିତାମାତାଙ୍କର ଅଧିକ ଯତ୍ନ ପାଏ । ସନ୍ତାନ ଅଧିକ ହେଲେ ଦାରିଦ୍ର୍ୟ ବୃଦ୍ଧି ହୁଏ ଏବଂ ସେମାନେ ପିତାମାତାଙ୍କର ଉପଯୁକ୍ତ ଯତ୍ନ ପାଇ ପାରନ୍ତି ନାହିଁ । ବିବାହଦ୍ୱାରା ଜନସଂଖ୍ୟା ଅତ୍ୟଧିକ ବୃଦ୍ଧି ପାଇଅଛି ଏବଂ ସେଥିପାଇଁ ଜଗତରେ ଦୁର୍ଭିକ୍ଷ, ମହାମାରୀ, ଯୁଦ୍ଧ ଏବଂ ବିବାଦ ଅଧିକ ପରିମାଣରେ ଦୃଷ୍ଟିଗୋଚର ହେଉଅଛି । ବିବାହ ପ୍ରଥା ଉଠିଗଲେ ସ୍ତ୍ରୀ ପୁରୁଷମାନେ ଯୌନ ସ୍ୱାଧୀନତା ଲାଭ କରିବେ, ଜନସଂଖ୍ୟା କମିଯିବ ଏବଂ ଜନସଂଖ୍ୟା ସହିତ ଅନେକ ଦୁଃଖ ଜଞ୍ଜାଳ ଲୋପ ପାଇବ ।

 

ନାରୀମାନେ ଯଦି ପୁରୁଷର ସାହାଯ୍ୟ କାମନା କରନ୍ତି ଅସ୍ଥାୟୀ ମିଳନରେ ମଧ୍ୟ ସେମାନେ ସେହି ସାହାଯ୍ୟ ପାଇ ପାରନ୍ତି । ସ୍ତ୍ରୀ ପୁରୁଷଙ୍କ ମଧ୍ୟରେ ଏପରି ଚୁକ୍ତି ଥାଇ ପାରେ ଯେ ମିଳନ କାଳରେ ସେମାନଙ୍କର ଯେଉଁ ସନ୍ତାନ ସନ୍ତତି ହେବ ବିଚ୍ଛେଦ ସମୟରେ ସେମାନଙ୍କର ଭାର କୌଣସି ଗୋଟାଏ ପକ୍ଷ—ବିଶେଷତଃ ଯେଉଁ ପକ୍ଷ ଅଧିକ ଉପାର୍ଜ୍ଜନ କରେ—ବହନ କରିବ । ସ୍ତ୍ରୀ ପୁରୁଷ ମିଳିତ ରହିଲେ ଯେ ସନ୍ତାନମାନେ ଅଧିକ ଯତ୍ନ ଓ ଅଧିକ ସାହାଯ୍ୟ ପାଇବେ ତାହା ସବୁ ସମୟରେ ଠିକ ନୁହେ । ଏପରି ଅନେକ ସ୍ତ୍ରୀ ଅଛନ୍ତି ଯେଉଁମାନେ ସେମାନଙ୍କର ସନ୍ତାନମାନଙ୍କୁ ଦଶଜଣ ପୁରୁଷର ସାହାଯ୍ୟ ଦେଇ ପାରନ୍ତି ଏବଂ ଏପରି ଅନେକ ପୁରୁଷ ଅଛନ୍ତି ଯେଉଁମାନେ ନାରୀମାନଙ୍କଠାରୁ ମାତାର କାର୍ଯ୍ୟ ଅଧିକ ଉତ୍ତମରୂପେ ସମ୍ପାଦନ କରି ପାରନ୍ତି । ସ୍ତ୍ରୀ ପୁରୁଷଙ୍କୁ  ସେମାନଙ୍କର ଇଚ୍ଛାର ବିରୁଦ୍ଧରେ ବାନ୍ଧି ରଖିବାର କୌଣସି ପ୍ରୟୋଜନ ନାହିଁ । ଏହା ଗୋଟାଏ କୁସଂସ୍କାର ଏବଂ ଭୀଷଣ ସାମାଜିକ ଅତ୍ୟାଚାର ଅଟେ । ଆଶା କରୁଁ ଭବିଷ୍ୟତରେ ଅଚ୍ଛେଦ୍ୟ ବନ୍ଧନ ଛିନ୍ନ ହେବ ଏବଂ ନରନାରୀ ଯୌନ ସ୍ୱାଧୀନତା ଲାଭ କରିବେ । ପୂର୍ଣ୍ଣ ଯୌନ ସ୍ୱାଧୀନତା ଲାଭ କରିବାକୁ ହେଲେ ଆମ୍ଭମାନଙ୍କୁ ମାତୃ-ପ୍ରଧାନ ଜାତିର ରୀତି-ନୀତି ଅବଲମ୍ବନ କରିବାକୁ ହେବ ।

☆☆☆

 

ବିବାହ

 

‘‘ହାତେ ସୂତୋ ବେଁଧେ କଭୁ ପ୍ରେମ ବାଁଧା ଯାୟ ?

ବନ୍ଧନ ଦେଖିଲେ ପ୍ରେମ ଅମନି ପଲାୟ ।

ସ୍ୱାଧୀନ ମକରକେତୁ, ସ୍ୱାଧୀନ ପ୍ରଣୟ,

ନା ବୁଝେ ଅବୋଧ ଲୋକ ଚାହେ ପରିଣୟ ।’’

 

ଦାରୁଇନ୍‌ ଦେଖାଇ ଅଛନ୍ତି ଯେ କ୍ରମବିକାଶ-ନିୟମରେ ମାନବ ଇତର ଜୀବଜନ୍ତୁଠାରୁ ଉତ୍ପନ୍ନ ହୋଇଅଛି । ବର୍ତ୍ତମାନର ବିଜ୍ଞାନ ଏହି ମତ ସମର୍ଥନ କରୁଅଛି । ମାନବତ୍ୱର ଉଦୟ ସଙ୍ଗେ ସଙ୍ଗେ ସମାଜ ମଧ୍ୟରେ କେତେଗୁଡ଼ି ଭାବ ଓ ବିଶ୍ୱାସର ଉଦୟ ହୋଇଅଛି । ସେ ସବୁ ଯେ ନ୍ୟାୟ ଓ ଯୁକ୍ତି-ସଙ୍ଗତ ତାହା ଆମ୍ଭେମାନେ କହି ପାରୁଁ ନା । ଆହାର କରିବା ମାନବ ପକ୍ଷରେ ଯେପରି ସ୍ୱାଭାବିକ ଯୌନ-ସଂସର୍ଗ ମଧ୍ୟ ସେହିପରି ସ୍ୱାଭାବିକ । କିନ୍ତୁ ମାନବ ଏହି ଶେଷୋକ୍ତ ପ୍ରବୃତ୍ତିକୁ ଅତି ନୀଚ ସ୍ଥାନ ଦାନ କରିଅଛି ।

 

୧। ଯୌନ ସଂସର୍ଗରେ କି କୌଣସି ପାପ ଅଛି ?

 

ଧର୍ମର ପଣ୍ଡାମାନେ ଆମ୍ଭମାନଙ୍କୁ ଚିରକାଳ କହି ଆସୁଅଛନ୍ତି ଯେ ମାନବ ପକ୍ଷରେ ଯୌନ-ସଂସର୍ଗ ପାପ-ଜନକ, କିନ୍ତୁ ବିବାହଦ୍ୱାରା ଶୁଦ୍ଧ ହେଲେ ତାହାର ଦୋଷ କମିଯାଏ । ମୃତ୍ୟୁର ଆକ୍ରମଣରେ ଜନସଂଖ୍ୟା ନିତ୍ୟ କମି ଯାଉଅଛି । ସେ କ୍ଷତି ପୂରଣ ହେବ କିପରି ? ସେଥିପାଇଁ ନରନାରୀଙ୍କର ମିଳନର ଆବଶ୍ୟକତା ଧର୍ମଗୁରୁମାନେ ବୁଝିଥିଲେ । ଗୃହୀମାନଙ୍କ ପାଇଁ ସେମାନେ ବିବାହର ବ୍ୟବସ୍ଥା କରିଥିଲେ, କିନ୍ତୁ ପୁରୋହିତ, ଧର୍ମଗୁରୁ, ସନ୍ନ୍ୟାସୀ ଓ ସନ୍ନ୍ୟାସିନୀମାନଙ୍କ ପକ୍ଷରେ ଏ କାର୍ଯ୍ୟ ଅନ୍ୟାୟ ଓ ଅସଙ୍ଗତ ବୋଲି ବିବେଚନା କରୁଥିଲେ । ଯୀଶୁଖ୍ରୀଷ୍ଟଙ୍କ ମାତା ପୁରୁଷ ସହିତ ସଂସର୍ଗ ନ କରି ମଧ୍ୟ ଯୀଶୁଙ୍କୁ ଜନ୍ମ କରିଥିଲେ । ରୋମାନ୍‌ କେଥଲିକ୍‌ ଖ୍ରୀଷ୍ଟ ସମ୍ପ୍ରଦାୟ ମଧ୍ୟରେ ପୁରୋହିତମାନଙ୍କୁ ବିବାହ କରିବାକୁ ନିଷେଧ କରାଗଲା । ଯେଉଁମାନେ ପୌରୋହିତ୍ୟ ଗ୍ରହଣ କରିବା ପୂର୍ବରୁ ବିବାହ କରିଥିଲେ ସେମାନଙ୍କୁ ନିଜ ସ୍ତ୍ରୀ ସହିତ ସଂସର୍ଗ କରିବାକୁ ନିଷେଧ କରାଗଲା । ଏହି ନିୟମ ପାଳନ କରିବା ଉଦ୍ଦେଶ୍ୟରେ ଜଣେ ପାଦରୀ ୪୦ ବର୍ଷ କାଳ ନିଜ ସ୍ତ୍ରୀ ସହିତ ସଂସର୍ଗ କରି ନ ଥିଲେ । ଶେଷରେ ଯେତେବେଳେ ତାଙ୍କର ମୃତ୍ୟୁକାଳ ଉପସ୍ଥିତ ହେଲା, ତାଙ୍କର ସ୍ତ୍ରୀ ତାଙ୍କୁ ଦେଖିବାକୁ ଆସିଲେ । ସେତେବେଳେ ସେହି ମୁମୂର୍ଷୁ ସାଧୁ ଚିତ୍କାର କରି କହିଲେ, ‘‘Woman, begone; take away the straw; there is fire yet (ନାରୀ, ଚାଲିଯାଅ, କୁଟା ଦୂର କର, ଏ ପର୍ଯ୍ୟନ୍ତ ନିଆଁ ରହିଛି ।)’’

 

ଏହି ବୈରାଗ୍ୟ-ନୀତି ସମାଜର ଯଥେଷ୍ଟ ଅନିଷ୍ଟ କରିଅଛି ଓ କରୁଅଛି । ବିବାହ କରିବାକୁ ନିଷିଦ୍ଧ ହେବା ଦିନଠାରୁ ପୁରୋହିତମାନେ ମଠର ସନ୍ନ୍ୟାସିନୀମାନଙ୍କ ସହିତ ସଂସର୍ଗ କରିବାକୁ ଲାଗିଲେ । ଅନେକ ସମୟରେ ନିଜର ମାତା ଓ ଭଗ୍ନୀମାନଙ୍କ ସଙ୍ଗରେ ସଂସର୍ଗ କଲେ । ସେମାନଙ୍କର ଜାରଜ ସନ୍ତାନ ଦିନକୁ ଦିନ ବଢ଼ିବାକୁ ଲାଗିଲା ଏବଂ ସଙ୍ଗେ ସଙ୍ଗେ ଭ୍ରୁଣହତ୍ୟା ଓ ଶିଶୁହତ୍ୟା ମଧ୍ୟ ଚାଲିଲା । *

 

*Lecky ତାଙ୍କର History of European Morals (Voll II 351) ରେ ଲେଖିଅଛନ୍ତି :—‘‘The writings of the middle ages are full of accounts of nunneries that were like brothels, of the vast multitude of infanticides within their walls, and of that inveterate prevalence of incest among the clergy, which rendered it necessary again and again to issue the most stringent enactments that priests should not be permitted to live with their mothers or sisters.’’

 

ଇଉରୋପର କଥା ଛାଡ଼ି ଦେଉଁ । ଭାରତବର୍ଷର ମଠ ଓ ମନ୍ଦିରମାନଙ୍କର ମହନ୍ତ, ମାତା, ସେବାଦାସୀ ଓ ସନ୍ନ୍ୟାସିନୀମାନଙ୍କ ମଧ୍ୟରେ କ’ଣ ହେଉଛି ? ଓଡ଼ିଶାର ମାହାରୀ ସମ୍ପ୍ରଦାୟ କ’ଣ କରୁଛି ? ମାନବର ଗୋଟାଏ ପ୍ରବଳ ପ୍ରବୃତ୍ତିକୁ ଏପରି ବଳପୂର୍ବକ ଅବରୁଦ୍ଧ କଲେ ପରିଣାମ ବିଷମୟ ହୋଇ ପଡ଼େ ।

 

ଏହି ବୈରାଗ୍ୟ-ନୀତି କେବଳ ଯେ କେତେକ ସ୍ଥଳରେ ବିବାହ ନିଷିଦ୍ଧ କରିଅଛି ଏତିକି ନୁହେଁ । ଏହା ବିବାହବ୍ୟାପାରରେ ମଧ୍ୟ ନାନା ବିଧିନିଷେଧ ସୃଷ୍ଟି କରି ନରନାରୀଙ୍କର ଯୌନ-ଜୀବନକୁ ବିଷମୟ କରିଅଛି । ଇଉରୋପରେ ବହୁବିବାହ ନିଷିଦ୍ଧ ହୋଇ ଅଛି । ଅନେକ ପୁରୁଷ ବିବାହ କରି ଅଛନ୍ତି, କିନ୍ତୁ ସେମାନଙ୍କର ସ୍ତ୍ରୀ ରୁଗ୍‌ଣ ଅଥବା କଳହପ୍ରିୟ । ସେମାନେ ଯଦି ଅନ୍ୟ ଗୋଟିଏ ବିବାହ କରି ପାରନ୍ତେ ସେମାନଙ୍କର ଯୌନ-କ୍ଷୁଧା ମିଟନ୍ତା । ସେମାନଙ୍କର ଦେଶର ଆଇନ ସେମାନଙ୍କୁ ତାହା କରିବାକୁ ଦେଉ ନାହିଁ । ସେମାନଙ୍କ ଦେଶରେ, ବିଶେଷତଃ ମହାସମର ପରେ, ସ୍ତ୍ରୀ-ସଂଖ୍ୟା ପୁରୁଷ-ସଂଖ୍ୟାଠାରୁ ଅନେକ ବେଶି ହୋଇଅଛି । ପୁରୁଷମାନେ କେବଳ ଜଣକୁ ବିବାହ କରି ପାରନ୍ତି । ସେଥିପାଇଁ ସେ ଦେଶରେ ଅନେକ ସ୍ତ୍ରୀ ଲୋକଙ୍କୁ ଅବିବାହିତ ରହିବାକୁ ହେଉଅଛି । ଯେଉଁ ସ୍ତ୍ରୀଲୋକମାନଙ୍କର ବିବାହ ଏକମାତ୍ର ପେଶା ସେମାନେ ସ୍ୱାମୀ ଅଭାବରେ କ’ଣ କରୁଛନ୍ତି ? ଅନେକଙ୍କୁ ବେଶ୍ୟାବୃତ୍ତି ଅବଲମ୍ବନ କରିବାକୁ ହେଉଛି । ବହୁ ବିବାହ କିପାଇଁ ନିଷିଦ୍ଧ ହୋଇଅଛି ? କେହି କହିବେ ଜଣକର ଯଦି ଅଧିକ ସ୍ତ୍ରୀ ଥାଏ, ସେହି ସ୍ତ୍ରୀମାନଙ୍କ ମଧ୍ୟରେ କଳହ ବିବାଦର ବିଶେଷ ସମ୍ଭାବନା ରହିଅଛି । ଆଫ୍ରିକାରେ ବହୁବିବାହ ଅଛି, କିନ୍ତୁ ସେଠାରେ ତ ସ୍ତ୍ରୀମାନଙ୍କ ମଧ୍ୟରେ ବିବାଦ ବିସମ୍ବାଦ ଦେଖାଯାଏ ନାହିଁ । ଯଦିବା ଈର୍ଷାବଶତଃ ସ୍ତ୍ରୀମାନେ କଳହ କରନ୍ତି ସେଥିପାଇଁ କି ବହୁବିବାଦ ଉଠିଯିବା ଉଚିତ ? ଯେଉଁ ପିତାମାତାଙ୍କର ଅନେକ ପୁତ୍ର, ସଚରାଚର ଦେଖାଯାଏ ସେ ପରିବାରରେ ଶାନ୍ତି ଥାଏ ନାହିଁ । ପୁଅମାନଙ୍କ ମଧ୍ୟରେ ନାନା କାରଣରୁ ବିବାଦ ବିସମ୍ବାଦ ଲାଗିଥାଏ । ଅନେକ ସମୟରେ ମାଲି ମୋକଦ୍ଦମା ଏବଂ ନରହତ୍ୟା ମଧ୍ୟ ହୋଇଥାଏ । ଏଥିପାଇଁ କି ବହୁପୁତ୍ର ଆଇନଦ୍ୱାରା ନିଷିଦ୍ଧ ହେବା ଉଚିତ ? ଏହି ବହୁବିବାହ ନିଷେଧ ମଧ୍ୟରେ ଅନ୍ୟ କାରଣ ନିହିତ ଅଛି । ଧର୍ମର ପଣ୍ଡାମାନେ ଚିରକାଳ କହି ଆସିଛନ୍ତି ଯେ ନାରନାରୀଙ୍କ ମଧ୍ୟରେ ଯୌନ-ସଂସର୍ଗ ପାପ-ଜନକ ଅଟେ । ଅତଏବ ଏହା ଯେତେଦୂର ସଂକ୍ଷିପ୍ତ ହୋଇ ପାରେ ସେତେ ଭଲ । ବହୁବିବାହକୁ ସେମାନେ ଦୋଷଜନକ ମନେ କରନ୍ତି, କାରଣ ପୁରୁଷ ଏତଦ୍ଦ୍ୱାରା ତାହାର ଯୌନ-କ୍ଷୁଧା ଭଲ ରୂପେ ମିଟାଇ ପାରେ । କେହି ଯଦି ଖିଚୁଡ଼ି ପଲାଉ ଖାଇ ତାହାର କ୍ଷୁଧା-ଶାନ୍ତି କରେ ଏହି ପ୍ରବଳ ଧାର୍ମିକମାନେ ତାହାକୁ ପାପିଷ୍ଠ ମନେ କରି ପାରନ୍ତି । ଏହି ସବୁ କାରଣରୁ ଇଉରୋପରେ ବହୁବିବାହ ନିଷିଦ୍ଧ ହୋଇଅଛି । ଇଉରୋପର ଅନୁକରଣରେ ଈଶ୍ୱରଚନ୍ଦ୍ର ବିଦ୍ୟାସାଗର ପ୍ରଭୃତି ଭାରତରେ ମଧ୍ୟ ବହୁବିବାହ ବିତାଡ଼ିତ କରିବାକୁ ଚେଷ୍ଟା କରି ଅଛନ୍ତି । ବହୁବିବାହଠାରୁ ଏକବିବାହ ଭଲ ଏହା ମଧ୍ୟରେ କୌଣସି ଯୁକ୍ତିସଙ୍ଗତ ହେତୁ ନାହିଁ ।

 

ଜଗତର ଅଧିକାଂଶ ସ୍ତ୍ରୀଲୋକ ବିବାହକୁ ଏକମାତ୍ର ପେଶା କରି ଅଛନ୍ତି । ସେମାନେ ସେମାନଙ୍କର ଯୋନି ବିକ୍ରୟ କରି ନିଜର ଜୀବିକା ନିର୍ବାହ କରୁ ଅଛନ୍ତି । ଜଗତର ଅଧିକାଂଶ ପୁରୁଷ ଗୋଟାଏ ଗୋଟାଏ ନାରୀକୁ କିଣାଦାସୀ କରି ତାହା ଉପରେ ଏକାଧିପତ୍ୟ ବିସ୍ଥାର କରିବାକୁ ଚାହାନ୍ତି । ବିବାହବିଧି ଏମାନଙ୍କର ଆକାଙ୍‌କ୍ଷା ପୂରଣ କରିଅଛି । କିନ୍ତୁ ଜଗତରେ ଏପରି ଅନେକ ମହାମନା ନରନାରୀ ଅଛନ୍ତି ଯେଉଁମାନେ ଚିର ଜୀବନ ସକାଶେ ନିଜକୁ କାହାରିଠାରେ ବିକ୍ରୟ କରିବାକୁ ଚାହାନ୍ତି ନାହିଁ । ସେମାନେ କି ଯୌନ ବ୍ୟାପାରରେ ଚିରକାଳ ଉପବାସୀ ରହିବେ-? ନାରୀ ଯଦି ନିଜର ଭରଣପୋଷଣ କିମ୍ବା ନିଜର ସନ୍ତାନସନ୍ତତିଙ୍କର ଭରଣପୋଷଣ ପାଇଁ ପୁରୁଷବିଶେଷକୁ ଦାୟୀ ନ କରି ସେହି ପୁରୁଷ ସହିତ ସଂସର୍ଗ କରେ ସେ କି ସେଥିପାଇଁ ପତିତା ହେବ ? ବିବାହ-ମନ୍ତ୍ରଦ୍ୱାରା ଶୁଦ୍ଧ ନ ହେଲେ ଯୌନ-ସଂସର୍ଗ କି ସବୁ ସମୟରେ ପାପ-ଜନକ-? ସମାଜରେ ଏପରି ଅନେକ ଲୋକ ଅଛନ୍ତି ଯେଉଁମାନେ ବିବାହର ଦାୟିତ୍ୱ ନେବାକୁ ଅକ୍ଷମ ଅଥବା ବିବାହ କରିବା ନୀତି-ବିରୁଦ୍ଧ ମନେ କରନ୍ତି । ସମାଜ କି ତାହାର ବୈରାଗ୍ୟ-ନୀତିଦ୍ୱାରା ସେମାନଙ୍କର ଯୌନ-ସଂସର୍ଗ ନିଷିଦ୍ଧ କରି ଦେବ, ସେହି ଉଚ୍ଚମନା ନର ନାରୀଙ୍କର ବଂଶ ଲୋପ କରି ଦେବ ? ଏମାନେ ଉପାୟାନ୍ତର ନ ଦେଖି ଅନେକ ସମୟରେ ବେଶ୍ୟାସଂସର୍ଗ କରୁ ଅଛନ୍ତି ଏବଂ ତଦ୍ଦ୍ୱାରା ନିଜକୁ ଓ ସମାଜକୁ ବ୍ୟାଧିଗ୍ରସ୍ତ କରୁ ଅଛନ୍ତି ।

 

୨। ପୂର୍ବ କାଳରେ ଲୋକେ ବିବାହ କରୁ ନ ଥିଲେ—

 

ଅନେକଙ୍କର ଧାରଣା ଯେ ସୃଷ୍ଟିର ଆରମ୍ଭରୁ ମାନବଜାତି ମଧ୍ୟରେ ବିବାହପ୍ରଥା ଚଳି ଆସୁଅଛି । ସେ ଧାରଣା ଭୁଲ । ଆଧୁନିକ ବିଜ୍ଞାନ ମତରେ ମାନବ ଜାତି ଅନ୍ୟ ଗୋଟିଏ ଜୀବ ଜାତିଠାରୁ ଉତ୍ପନ୍ନ ହୋଇଅଛି । ପୃଥିବୀର ଅନ୍ୟ କୌଣସି ଜୀବଜାତି ମଧ୍ୟରେ ବିବାହ ପ୍ରଥା ନାହିଁ । ଏଥିରୁ ଆମ୍ଭେମାନେ ଅନୁମାନ କରି ପାରୁଁ ଯେ ଆଦିମ ମାନବ ମଧ୍ୟରେ ବିବାହ ପ୍ରଥା ନ ଥିଲା । ମହାଭାରତ ଆଦି ପର୍ବରେ ପାଣ୍ଡୁ କୁନ୍ତୀଙ୍କୁ କହିଛନ୍ତି—‘‘ହେ ବରାନନେ, ହେ ଚାରୁହାସିନି, ପୂର୍ବ କାଳରେ ମହିଳାମାନେ ଅନାବୃତା ଥିଲେ । ସେମାନେ ଇଚ୍ଛାନୁରୂପ ଗମନ ଓ ବିହାର କରି ପାରୁଥିଲେ । ସେମାନଙ୍କୁ କାହାରି ଅଧୀନତାରେ କାଳକ୍ଷେପ କରିବାକୁ ହେଉ ନ ଥିଲା । କୌମାରାବଧି ଏକ ପୁରୁଷରୁ ଅନ୍ୟ ପୁରୁଷରେ ଆସକ୍ତ ହେଲେ ମଧ୍ୟ ସେମାନଙ୍କର ଅଧର୍ମ ହେଉ ନ ଥିଲା । ଫଳତଃ ସେ କାଳରେ ଏପରି ବ୍ୟବହାର ଧର୍ମ ବୋଲି ପ୍ରଚଳିତ ହେଉଥିଲା । ତପଃସ୍ୱାଧ୍ୟାୟସମ୍ପନ୍ନ ମହର୍ଷିମାନେ ଏହି ପ୍ରାମାଣିକ ଧର୍ମର ପ୍ରଶଂସା କରିଅଛନ୍ତି । ଉତ୍ତରକୁରୁରେ ଅଦ୍ୟାପି ଏହି ଧର୍ମ ପ୍ରଚଳିତ ରହିଅଛି ।’’

 

ପାଶ୍ଚାତ୍ୟ ପଣ୍ଡିତମାନେ କହୁଛନ୍ତି ଯେ ସଭ୍ୟତାର ଆରମ୍ଭରେ ସମାଜ ମାତୃପ୍ରଧାନ ଥିଲା, ଅର୍ଥାତ୍‌ ପରିବାର ମଧରେ ମାତା କର୍ତ୍ତ୍ରୀ ଥିଲେ; ପିତା କିଏ ସନ୍ତାନମାନେ ଜାଣୁ ନ ଥିଲେ । ‘‘ମାଆ ଜାଣେ ବାପ, ମନ ଜାଣେ ପାପ ।’’ ବର୍ତ୍ତମାନର ସଭ୍ୟ ଜାତିମାନେ ପିତୃପ୍ରଧାନ, ଅର୍ଥାତ୍‌ ପିତା ପରିବାରର କର୍ତ୍ତା । ମାତୃପ୍ରଧାନ (matriarchal) ଜାତି ମଧ୍ୟରେ ବିବାହପ୍ରଥା ନାହିଁ । ପରେ ଯେତେବେଳେ ପୁରୁଷମାନେ ଗୋଟାଏ ଗୋଟାଏ ନାରୀ ଉପରେ କର୍ତ୍ତା ହେଲେ ସେତେବେଳେ ସମାଜ ପିତୃପ୍ରଧାନ (patriarchal) ହେଲା । *

 

*The researches of Bachofen, Mc Lennan, Morgan and others opened up an entirely new field of speculation. It was shown that the lower we go in the scale of civilization the more prevalent we find a type of organization which is in many ways the opposite of patriarchal, putting the mother for many purposes into the father's position. Amongst civilized nations which have passed out of this stage we find indubitable traces of their having gone through it at an early period. These observations led to the setting up of a matriarchal as opposed to the patriarchal theory, and to the belief that in the dim red dawn of man there was a golden age of woman, which later on passed into the iron age of male despotism. (L T. Hobhouse—Morals in Evolution—p. 159)

 

ଦକ୍ଷିଣ ଭାରତରେ ନାୟାରମାନଙ୍କ ମଧ୍ୟରେ ବିବାହପ୍ରଥା ନାହିଁ । ସେଠାକାର ରମଣୀମାନେ ଇଚ୍ଛାନୁଯାୟୀ ଏକାଧିକ ପୁରୁଷ ସହିତ ସଂସର୍ଗ କରନ୍ତି । ସେମାନେ ଆଜୀବନ ସେମାନଙ୍କ ମାତୃଗୃହରେ ବାସ କରନ୍ତି, ବିବାହ ନ କରି ମଧ୍ୟ ସମ୍ଭୋଗ-ସୁଖ ଭୋଗ କରନ୍ତି ଏବଂ ସନ୍ତାନସନ୍ତତିର ମାତା ହୁଅନ୍ତି । ଆମ୍ଭମାନଙ୍କ ଦେଶରେ ସମ୍ପତ୍ତିର ଅଧିକାରୀ ପିତା ଏବଂ ପିତାର ଅନ୍ତେ ସମ୍ପତ୍ତି ପୁତ୍ରମାନେ ପାଆନ୍ତି । କିନ୍ତୁ ମାଲାବାର ପ୍ରଦେଶରେ ମାତା ସମସ୍ତ ସମ୍ପତ୍ତିର ଅଧିକାରିଣୀ ଏବଂ ମାତାର ମୃତ୍ୟୁ ପରେ ତାହାର କନ୍ୟାମାନେ ସେ ସମ୍ପତ୍ତି ଅଧିକାର କରନ୍ତି । ନାୟାର ରମଣୀମାନେ ଅତୀବ ସୁନ୍ଦରୀ ଓ ବିଦୁଷୀ । ସେମାନେ ପୁରୁଷମାନଙ୍କର ଅଧୀନ ନୁହନ୍ତି । ସେମାନଙ୍କର ସାମାଜିକ ସ୍ଥାନ ଭାରତର ଅନ୍ୟାନ୍ୟ ରମଣୀମାନଙ୍କଠାରୁ ଅନେକ ଉତ୍କୃଷ୍ଟ । ସେମାନେ ଅନାର୍ଯ୍ୟ, ଅଥଚ ନାମ୍ବୁତିରି ବ୍ରାହ୍ମଣମାନଙ୍କ ସହିତ ସଂସର୍ଗ କରିବାରେ ସେମାନଙ୍କର କୌଣସି ଆପତ୍ତି ନାହିଁ । ସେମାନଙ୍କ ମଧ୍ୟରେ ଅବରୋଧ-ପ୍ରଥା ନାହିଁ । ସେମାନେ ସ୍ୱାଧୀନଭାବରେ ସର୍ବତ୍ର ବିଚରଣ କରନ୍ତି । ହିନ୍ଦୁମାନଙ୍କର ଅନୁକରଣରେ ନାୟାର ରମଣୀ ଶୈଶବରେ ଗୋଟାଏ ବାଳକକୁ ବିବାହ କରେ, କିନ୍ତୁ ବିବାହ ପରେ ସେ ବାଳକ ସହିତ ତାହାର କୌଣସି ସମ୍ପର୍କ ନ ଥାଏ । ଯୌବନକାଳ ଉଦୟ ହେଲେ ସେ ଅନ୍ୟ ପୁରୁଷ ସହିତ ସଂସର୍ଗ କରେ-। ସେଠାରେ ସ୍ତ୍ରୀ ଓ ତାହାର ପୁରୁଷ-ସହଚର ଏକ ଘରେ ବାସ କରନ୍ତି ନାହିଁ । ସ୍ତ୍ରୀ ଯେପରି ତାହାର ମାତା ଘରେ ଚିରଜୀବନ ବାସ କରେ ପୁରୁଷ ସେହିପରି ତାହାର ନିଜର ମାତା ଘରେ ବାସ କରେ-। ସେମାନେ ପରସ୍ପରଠାରୁ ଆର୍ଥିକ ସାହାଯ୍ୟ ଗ୍ରହଣ କରନ୍ତି ନାହିଁ । ପୁରୁଷ ସ୍ତ୍ରୀ ଘରକୁ ଆସି ତାହା ସହିତ ଦେଖା କରେ, ସ୍ତ୍ରୀ ମଧ୍ୟ ସମୟ ସମୟରେ ପୁରୁଷ ଘରକୁ ଯାଇ ତାହା ସହିତ ଦେଖା କରେ-। ପରସ୍ପର ସହିତ ଅମେଳ ହେଲେ ସେମାନେ ବିନା ବାଧାରେ ସମ୍ପର୍କ କାଟି ଦିଅନ୍ତି-। ମିଳନ ଓ ବିଚ୍ଛେଦ ବିଷୟରେ ସ୍ତ୍ରୀ ପୁରୁଷମାନେ ସ୍ୱାଧୀନ । କେତେକ ବର୍ଷ ହେଲା ସରକାର ସେ ପ୍ରଦେଶରେ Malabar Civil Marriage Act ବିଧିବଦ୍ଧ କରି ପକ୍ଷମାନଙ୍କୁ ସେମାନଙ୍କର ବିବାହ ରେଜିଷ୍ଟାରୀ କରିବାର ଅଧିକାର ଦେଇଅଛନ୍ତି । ଯୌନ ସ୍ୱାଧୀନତା ନଷ୍ଟ ହେବ ବୋଲି ସେଠାକାର ଲୋକେ ଏ ଆଇନର ସାହାଯ୍ୟ ନେବାକୁ ଏକପ୍ରକାର ଅନିଚ୍ଛୁକ । ଏଠାରେ ବେଶ୍ୟାପ୍ରଥା ନାହିଁ-। କାରଣ ବିବାହଦ୍ୱାରା ଯେଉଁଠାରେ ଯୌନ ସ୍ୱାଧୀନତା ନଷ୍ଟ କରା ହୋଇଅଛି ଲୋକେ କେବଳ ସେହିଠାରେ ବେଶ୍ୟା-ସଂସର୍ଗ ଲୋଡ଼ନ୍ତି ।

 

ଆସାମ ପ୍ରଦେଶରେ ଜୟନ୍ତୀ ପାହାଡ଼ରେ ସିଣ୍ଟେଙ୍ଗ୍‌ ଜାତି ବାସ କରନ୍ତି । ନାୟାରମାନଙ୍କ ପରି ସେମାନେ ମଧ୍ୟ ବିବାହ କରନ୍ତି ନାହିଁ । ନାରୀ ଓ ତାହାର ସହଚର ଏକ ଘରେ ବାସ କରନ୍ତି ନାହିଁ । ନାରୀ ତାହାର ମାତା ଘରେ ଥାଏ, ପୁରୁଷ ମଧ୍ୟ ତାହାର ନିଜର ମାତା ଘରେ ଥାଏ । ସେମାନେ କେବଳ ରାତିରେ ପରସ୍ପର ସହିତ ସାକ୍ଷାତ୍‌ କରନ୍ତି । ଗାର୍ଡନ ସିଣ୍ଟେଙ୍ଗ୍‌ ଗୃହର ନିମ୍ନଲିଖିତ ବର୍ଣ୍ଣନା ଲିପିବଦ୍ଧ କରି ଯାଇଛନ୍ତି :—‘‘ସିଣ୍ଟେଙ୍ଗ୍‌ମାନଙ୍କ ମଧ୍ୟରେ ସ୍ୱାମୀ ତାହାର ଶାଶୁ ଘରେ ବାସ କରେ ନାହିଁ । ସେ ସେଠାକୁ ତାହାର ସ୍ତ୍ରୀ ସହିତ ସାକ୍ଷାତ୍‌ କରିବାକୁ ଯାଏ । ଯବାଇ ସହରରେ କେତେକ ଲୋକ ମୋ ପାଖରେ ସ୍ୱୀକାର କରିଅଛନ୍ତି ଯେ ସ୍ୱାମୀ ସନ୍ଧ୍ୟା ପରେ ତାହାର ଶାଶୁ ଘରକୁ ଯାଏ । ସେ ସେଠାରେ ଆହାର କିମ୍ବା ଧୂମ୍ରପାନ କରେ ନାହିଁ, ଗୁଆ ମଧ୍ୟ ଚୋବାଏ ନାହିଁ । ସେ ଭାବେ ଯେ ତାହାର ଶାଶୁର ପରିବାର ଯେସ୍ଥଳେ ତାହାର ଉପାର୍ଜନର ଅଂଶ ଗ୍ରହଣ କରନ୍ତି ନାହିଁ, ତାହାର ମଧ୍ୟ ସେମାନଙ୍କର କୌଣସି ବସ୍ତୁ ଗ୍ରହଣ କରିବା ଉଚିତ ନୁହେ । ଯଦି ଆମ୍ଭେମାନେ କୌଣସି ସିଣ୍ଟେଙ୍ଗ୍‌ ଘର ଦେଖିବାକୁ ଯାଉଁ ସେଠାରେ କନ୍ୟାମାନଙ୍କର ସ୍ୱାମୀମାନଙ୍କୁ ଦେଖିବାକୁ ଯାଉଁ ନା, କିନ୍ତୁ ସେମାନଙ୍କର ପୁଅମାନେ କାମରୁ ଫେରିଲେ ସେମାନଙ୍କୁ ଦେଖିବାକୁ ପାଉଁ । ସାଧାରଣତଃ ଦିନବେଳେ ସେମାନଙ୍କ ଘରକୁ ଗଲେ ଦେଖିବ ଗୋଟାଏ ବୁଢ଼ୀ କିମ୍ବା କେତେଗୁଡ଼ି ଶିଶୁ-ସନ୍ତାନ । ବୁଢ଼ିଟି ହୁଏତ ପରିବାରର ଆଈ କି ପଣଆଈ ଏବଂ ସନ୍ତାନମାନେ ନାତି କି ପଣନାତି, କିନ୍ତୁ କନ୍ୟାମାନଙ୍କର ସ୍ୱାମୀମାନେ ସେଠାରେ ଥାଆନ୍ତି ନାହିଁ । ସିଣ୍ଟେଙ୍ଗ୍‌ମାନେ ମାତୃପ୍ରଧାନ ଜାତିର ରୀତିନୀତି ବଜାୟ ରଖିଛନ୍ତି ।’’ ସିଣ୍ଟେଙ୍ଗ୍‌ମାନଙ୍କ ମଧ୍ୟରେ ମାତା ସମସ୍ତ ସମ୍ପତ୍ତିର ଅଧିକାରିଣୀ, ମାତା ଅନ୍ତେ ସର୍ବ କନିଷ୍ଠ କନ୍ୟା ସେ ସମ୍ପତ୍ତି ପାଏ । ଯୌନ-ସ୍ୱାଧୀନତା ଯୋଗୁଁ ପିତା ନିର୍ଣ୍ଣୟ କରିବା କଠିନ ଏବଂ ପୁରୁଷମାନଙ୍କ ପକ୍ଷରେ ନିଜ ନିଜ ସନ୍ତାନ ନିର୍ଣ୍ଣୟ କରିବା ମଧ୍ୟ କଠିନ । ସେଥିପାଇଁ ପୁରୁଷମାନେ ସେଠାରେ ସମ୍ପତ୍ତିର ଭାଗ ପାଆନ୍ତି ନାହିଁ ।

 

୩ । ବିବାହର ଉତ୍ପତ୍ତି—

 

ବିବାହ ନ ଥିଲା, ଆସିଲା କିପରି ? ନାରୀବିଶେଷ ପୁରୁଷବିଶେଷଠାରେ ଆଜୀବନ ବନ୍ଧା ହେଲେ କିପରି ? ସ୍ତ୍ରୀ-ସ୍ୱାଧୀନତା କିରୂପେ ଲୋପ ପାଇଲା ? ଯେତେବେଳେ ସଭ୍ୟତା ଆସି ନ ଥିଲା, ଲୋକେ କୃଷି ପ୍ରଭୃତି ବିଦ୍ୟା ଜାଣି ନ ଥିଲେ ସେତେବେଳେ ଖାଦ୍ୟଶସ୍ୟ ପ୍ରଚୁର ପରିମାଣରେ ଉତ୍ପନ୍ନ ହେଉ ନ ଥିଲା, ଖାଦ୍ୟ-ସଂଗ୍ରହ ପାଇଁ ନରନାରୀଙ୍କର ସମବେତ ଚେଷ୍ଟା ଆବଶ୍ୟକ ହେଉଥିଲା, ସେତେବେଳେ ନରନାରୀଙ୍କ-ମଧ୍ୟରେ ଶ୍ରମବିଭାଗ ଉଦୟ ହୋଇ ନ ଥିଲା-। କିନ୍ତୁ ସଭ୍ୟତାର ଉଦୟ ସଙ୍ଗେ ସଙ୍ଗେ ଲୋକେ କୃଷି ପ୍ରଭୃତି ବିଦ୍ୟା ଶିଖିବାକୁ ଲାଗିଲେ, ଅଳ୍ପ ପରିଶ୍ରମରେ ଅଧିକ ଶସ୍ୟ ଉତ୍ପନ୍ନ ହେଲା, ଖାଦ୍ୟ-ସଂଗ୍ରହ ବିଷୟରେ ନରନାରୀଙ୍କର ସମବେତ ଚେଷ୍ଟାର ଆବଶ୍ୟକତା ରହିଲା ନାହିଁ, ନାରୀମାନେ ଖାଦ୍ୟ-ସଂଗ୍ରହ ବ୍ୟାପାରରୁ ଅବସର ଗ୍ରହଣ କଲେ, ସେ କାର୍ଯ୍ୟଟା ସେମାନେ ପୁରୁଷମାନଙ୍କ ହାତରେ ଛାଡ଼ି ଦେଇ ରନ୍ଧନ, ସନ୍ତାନପାଳନ ପ୍ରଭୃତି ଗୃହକର୍ମରେ ନିଯୁକ୍ତ ରହିଲେ । ଏହି ଶ୍ରମ-ବିଭାଗଦ୍ୱାରା ନାରୀମାନେ ପୁରୁଷମାନଙ୍କର ମୁଖାପେକ୍ଷୀ ହେଲେ । ସେମାନେ ଅଳସ, ଦରିଦ୍ର ଓ ଅସହାୟ ହୋଇ ପଡ଼ିଲେ । ପରବର୍ତ୍ତୀ ଯୁଗରେ ନାରୀର ଯେଉଁ ଦୁର୍ଗତି ଘଟିଲା ତାହାର ମୂଳକାରଣ ଯଦି ଆମ୍ଭେମାନେ ଅନୁସନ୍ଧାନ କରୁଁ ଦେଖିବୁଁ ତାହା ନରନାରୀଙ୍କ ମଧ୍ୟରେ ଶ୍ରମ-ବିଭାଗ ଛଡ଼ା ଅନ୍ୟ କିଛି ନୁହେଁ । *

 

*In the lowest stages of society the life of woman is less differentiated from that of men than it afterwards becomes. At a higher stage the sphere of woman becomes more clearly restricted to the house. She does hard outside work only when compelled thereto by poverty and the idea grows that she should be protected by her men-folk and as far as possible sheltered from the world. (L T. Hobhouse—Morals in Evolution—p. 232)

 

ଶ୍ରମବିଭାଗଦ୍ୱାରା ନାରୀ ଯେତେବେଳେ ଦରିଦ୍ର ଓ ଅସହାୟ ହୋଇ ପଡ଼ିଲା ଶିକାରୀ ପୁରୁଷ ନାରୀର ସେହି ଦୁର୍ଦଶାର ସୁଯୋଗ ନେଲା । ଆମ୍ଭେମାନେ ଦେଖିଅଛୁଁ ଯେଉଁଠାରେ ଲୋକେ ଅବସ୍ଥାପନ୍ନ ସେଠାରେ ଚାକର ଚାକରାଣୀ ମିଳେ ନାହିଁ । ବିପଦରେ ନ ପଡ଼ିଲେ କେହି ପରର ଦାସତ୍ୱ କରିବାକୁ ଯାଏ ନାହିଁ । ଯେତେବେଳେ ନାରୀମାନେ ସ୍ୱାଧୀନ ଥିଲେ ପୁରୁଷର ଯୌନ-କ୍ଷୁଧା ତୃପ୍ତ କରିବାକୁ ହେଲେ ସେ ନାରୀ-ବିଶେଷର ଶରଣାପନ୍ନ ହେଉଥିଲା, ନାରୀ ତାହାର ଆବେଦନ ନାମଞ୍ଜୁର କରି ପାରୁଥିଲା । ପୁରୁଷର ଇଚ୍ଛା ନୁହେ ଯେ ସେ ଯେଉଁ ନାରୀକୁ ଭୋଗ କରେ ଅନ୍ୟ ପୁରୁଷ ସହିତ ତାହାର ସମ୍ପର୍କ ଥାଉ । ସେ ସେଥିପାଇଁ ନାରୀବିଶେଷକୁ ଆତ୍ମସାତ୍‌ କରିବାକୁ ଚେଷ୍ଟା କଲା । ଏହି ମହତ ଉଦ୍ଦେଶ୍ୟ ସାଧନ କରିବା ପାଇଁ ସେ ଦୁଇଗୋଟି ଉପାୟ ଆବିଷ୍କାର କଲା । ସେ ତାହାକୁ ଧରି ଆଣିଲା ନତୁବା ତାହାର ଅଭିଭାବକମାନଙ୍କଠାରୁ କିଣି ଆଣିଲା । ଏହି ହତାକାଙ୍‌କ୍ଷୀ ଅଭିଭାବକମାନେ ‘ଦେଲା ନାରୀ ହେଲା ପାରି’ କହି ନିଜର କନ୍ୟା କିମ୍ବା ଭଗ୍ନୀକୁ ଗାଈ ଗୋରୁ ପରି ବିକ୍ରୟ କରିବାକୁ ଲାଗିଲେ ।

 

ମନୁଙ୍କ ସମୟରେ ଆଠ ପ୍ରକାର ବିବାହ ପ୍ରଚଳିତ ଥିଲା । ନାରୀ ନିଦ୍ରିତ, ମତ୍ତ ଅଥବା ମତିଭ୍ରଷ୍ଟ ଥିବା ଅବସ୍ଥାରେ ପୁରୁଷ ତାହା ସହିତ ସହବାସ କରି ତାକୁ କୁଳରୁ ବାହାର କରି ଆଣେ (ପୈଶାଚ) । କେହି ବା କୁମାରୀର ଘର ମଧ୍ୟରେ ବଳପୂର୍ବକ ପ୍ରବେଶ କରି, ତାହାର ଜ୍ଞାତିମାନଙ୍କୁ ହତ୍ୟା ଅଥବା କ୍ଷତ-ବିକ୍ଷତି କରି, ସେ କାନ୍ଦୁଥିବା ଅଥବା ଚିତ୍କାର କରୁଥିବା ଅବସ୍ଥାରେ ତାକୁ ତାହାର ଘରୁ ବଳପୂର୍ବକ ହରଣ କରେ (ରାକ୍ଷସ) । କେତେବେଳେ ବର କୁମାରୀ କିମ୍ବା ତାହାର ଆତ୍ମୀୟମାନଙ୍କୁ ଯଥାଶକ୍ତି ଅର୍ଥ ଦେଇ ସେହି କୁମାରୀକୁ କିଣିଆଣେ (ଅସୁର) । ଅନେକ ସ୍ଥଳରେ ବର କନ୍ୟାର ଅଭିଭାବକମାନଙ୍କଠାରୁ ତାହାକୁ ଦାନସୂତ୍ରେ ଗ୍ରହଣ କରେ (ବ୍ରାହ୍ମ, ଦୈବ, ଆର୍ଷ ଓ ପ୍ରାଜାପତ୍ୟ) । କଦାଚିତ୍‌ ବର ଓ କନ୍ୟା ସ୍ୱେଚ୍ଛାରେ ଓ ସହବାସ ଉଦ୍ଦେଶ୍ୟରେ ପରସ୍ପର ସହିତ ମିଳିତ ହୁଅନ୍ତି (ଗାନ୍ଧର୍ବ) । ମନୁଙ୍କ ସମୟରେ ନାରୀର ସ୍ୱାଧୀନ ସତ୍ତା ନ ଥିଲା । ସେ ପଣ୍ୟଦ୍ରବ୍ୟ ପରି ଅନ୍ୟକୁ ବିକ୍ରିତ ଅଥବା ଦାନ କରାହେଉଥିଲା, କେହି ବା ତାହାକୁ ଶିକାରରୂପେ ହରଣ କରି ନେଇ ଯାଉଥିଲା । ସେ ଯଦି ପରମୁଖାପେକ୍ଷୀ ହୋଇ ନ ଥାନ୍ତା, ନିଜର ଜାବିକା ନିଜେ ଅର୍ଜନ କରୁଥାନ୍ତା ତାହାର ଏ ଦୁର୍ଗତି ହୁଅନ୍ତା ନାହିଁ ।

 

ଅଷ୍ଟ୍ରେଲିୟାର ସିଡ୍‌ନି ସହର ପାଖରେ ଲୋକେ କିରୂପେ ସ୍ତ୍ରୀ ସଂଗ୍ରହ କରନ୍ତି କଲିନ୍ସ ତାହାର ଗୋଟାଏ ବର୍ଣ୍ଣନା ଦେଇ ଅଛନ୍ତି—‘‘ବାଳିକାର ରକ୍ଷକମାନଙ୍କ ଅନୁପସ୍ଥିତିରେ ସେମାନେ ଗୋପନରେ ତାହାଠାରେ ଉପସ୍ଥିତ ହୁଅନ୍ତି; ତାହାର ମୁଣ୍ଡ, ପିଠି ଓ କାନ୍ଧରେ ବାଡ଼ି ପ୍ରହାର କରି ତାକୁ ଅଜ୍ଞାନ କରି ପକାନ୍ତି । ପ୍ରହାରଦ୍ୱାରା ତାହାର ସର୍ବାଙ୍ଗ ରକ୍ତାକ୍ତ ହୋଇ ପଡ଼େ । ଏପରି ଅବସ୍ଥାରେ ସେହି ହତଭାଗ୍ୟ ବାଳିକାର ଗୋଟିଏ ହାତ ଧରି ତାହାକୁ ଜଙ୍ଗଲ ଭିତର ଦେଇ ଘୋଷାରି ଘୋଷାରି ନେଇ ଯାଆନ୍ତି । ବାଳିକାର ଆତ୍ମୀୟମାନେ ଏପରି ଅତ୍ୟାଚାରକୁ ଅପମାନଜନକ ମନେ କରନ୍ତି ନାହିଁ ।’’

 

ଅନେକଙ୍କ ମତରେ ନାରୀକିଣାରୁ ବିବାହର ଉତ୍ପତ୍ତି ହୋଇଅଛି । କନ୍‌ଷ୍ଟାଣ୍ଟିନୋପଲ୍‌ ନଗର ନାରୀବିକ୍ରୟର ଗୋଟାଏ ସୁପ୍ରସିଦ୍ଧ ପଣ୍ୟଶାଳା । ସର୍କେଶିୟା ପ୍ରଭୃତି ନାନା ଦେଶରୁ ଏବଂ ନାନା ଜନପଦରୁ କୁମାରୀମାନେ ସେଠାକୁ ବିକ୍ରୟାର୍ଥ ଆନୀତ ହୁଅନ୍ତି । ନାନା ଶ୍ରେଣୀର ଗ୍ରାହକମାନେ ଯଥାସମୟରେ ଉପସ୍ଥିତ ହୋଇ ସେମାନଙ୍କର ଅଙ୍ଗସୌଷ୍ଠବ ପରୀକ୍ଷା କରନ୍ତି । ବିକ୍ରେୟ ଅନ୍ୟାନ୍ୟ ବସ୍ତୁ ପରି ସେମାନେ ମଧ୍ୟ ରୂପଲାବଣ୍ୟର ତାରତମ୍ୟାନୁସାରେ ନାନା ଶ୍ରେଣୀରେ ବିଭକ୍ତ ହୁଅନ୍ତି ଏବଂ ସାଧାରଣ ବିକ୍ରୟର ପ୍ରଥାନୁସାରେ ସେମାନେ ମଧ୍ୟ ଯଥାକ୍ରମେ ବିକ୍ରୀତ ହୋଇ ନିଃଶବ୍ଦଭାବରେ କ୍ରେତାର ପଦାନୁସରଣ କରନ୍ତି । ଇଂଲଣ୍ଡ ପରି ସୁସଭ୍ୟ ଦେଶରେ ମଧ୍ୟ ୧୮୮୪ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ସ୍ତ୍ରୀ-କିଣାବିକା ଚାଲିଥିଲା । ଜଣେ ଗ୍ରନ୍ଥକର୍ତ୍ତା ଲେଖିଅଛନ୍ତି :–‘‘ସ୍ୱାମୀମାନେ ସେମାନଙ୍କ ସ୍ତ୍ରୀମାନଙ୍କ ଗଳାରେ ଦଉଡ଼ି ବାନ୍ଧି ସେମାନଙ୍କୁ ହାଟରେ ବିକ୍ରୟାର୍ଥ ଘେନି ଯାଆନ୍ତି । ସେଠାରେ ପଶୁ ସହିତ ନାରୀମାନଙ୍କୁ ମଧ୍ୟ ଉପଯୁକ୍ତ ସାକ୍ଷୀ ରଖି ବିକ୍ରୟ କରାହୁଏ-। ବିକ୍ରୟ ହୋଇଗଲେ ସରକାରୀ କିରଣୀ ଟେକ୍‌ସ ଧାର୍ଯ୍ୟ କରେ ଏବଂ ଏହି ଟେକ୍‌ସ କେତେକ ସିଲିଂରୁ ଅଧିକ ହୁଏ ନାହିଁ । ନାରୀମାନଙ୍କ ଗଳାରେ ଦଉଡ଼ି ବାନ୍ଧି ସେମାନଙ୍କୁ ହାଟ ମଧ୍ୟ ଦେଇ ଘେନି ଯିବାର ଲୋକେ ସଚରାଚର ଦେଖିବାକୁ ପାଆନ୍ତି । ସ୍ମିଥ୍‌ଫିଳ୍‌ଡ୍‌ ବଜାର ଏପରି ବିକ୍ରୟ ସକାଶେ ପ୍ରସିଦ୍ଧ ଥିଲା ।’’ ସମାଜତତ୍ତ୍ୱବିତ୍‌ମାନେ କହିଅଛନ୍ତି, ଯେତେବେଳେ ବିବାହପ୍ରଥା ଉଦିତ ହେଲା ସେତେବେଳେ ଦାସତ୍ୱପ୍ରଥା ପୃଥିବୀରେ ସର୍ବବ୍ୟାପୀ ଥିଲା । ଲୋକେ ଲୋକଙ୍କୁ କିଣୁଥିଲେ-। ବର୍ତ୍ତମାନ ଆଉ ପୁରୁଷମାନେ ପୁରୁଷମାନଙ୍କୁ କିଣୁନାହାନ୍ତି, କିନ୍ତୁ ପୁରୁଷମାନେ ନାରୀମାନଙ୍କୁ କିଣୁଅଛନ୍ତି-। ଏହି ନାରୀକିଣା ବର୍ତ୍ତମାନ ଜଗତରେ ବିବାହ ନାମରେ ପରିଚିତ ହୋଇଅଛି । ଦାସତ୍ୱପ୍ରଥା ବିବାହପ୍ରଥାର ଜନନୀ ।

 

ଯେତେବେଳେ ପୃଥିବୀର ସର୍ବତ୍ର ପୁରୁଷମାନେ ନାରୀମାନଙ୍କୁ ଧରି ଆଣି ଅଥବା କିଣି ଆଣି ନିଜର ବ୍ୟବହାରରେ ନିଯୁକ୍ତ କଲେ ସେତେବେଳେ ପରିବାର ମଧ୍ୟରେ ଗୋଟାଏ ନୂତନ ବସ୍ତୁ ଦୃଷ୍ଟିଗୋଚର ହେଲା । ମାତୃପ୍ରଧାନ ପରିବାର ମଧ୍ୟରେ ପିତା କି ସ୍ୱାମୀ ଦୃଷ୍ଟିଗୋଚର ହୁଏ ନାହଁ । ଏବେ ପରିବାର ମଧ୍ୟରେ ପିତାର ଉଦୟ ହେଲା । ଯେଉଁ ପରିବାରରେ ମାତା କର୍ତ୍ତ୍ରୀ ଥିଲେ ସେ ପରିବାରରେ ବର୍ତ୍ତମାନ ପିତା କର୍ତ୍ତା ହେଲେ । ମାତା କର୍ତ୍ତ୍ରୀର ସ୍ଥାନ ଛାଡ଼ି ଦାସୀର ସ୍ଥାନ ଅଧିକାର କଲେ । ନାରୀର ଦାସତ୍ୱ ଦୃଢ଼ କରିବା ପାଇଁ ପୁରୁଷ-ଶାସିତ ସମାଜ ନାରୀ ବିରୁଦ୍ଧରେ ଆଉ ଗୋଟାଏ ଅସ୍ତ୍ର ପ୍ରୟୋଗ କଲା । ନାରୀକୁ ସମସ୍ତ ଅଧିକାରରୁ ବଞ୍ଚିତ କରି କେବଳ ବଞ୍ଚି ରହିବା ପାଇଁ ଯେତିକି ଦରକାର ସେତିକି ଅଧିକାର ଦେଲେ । ମାତୃପ୍ରଧାନ ପରିବାରରେ ମାତା ସମସ୍ତ ସମ୍ପତ୍ତିର କର୍ତ୍ତ୍ରୀ  ଥିଲେ, ତାଙ୍କ ଅନ୍ତେ ତାଙ୍କର କନ୍ୟା ସେ ସମ୍ପତ୍ତି ପାଉଥିଲେ । ପିତାର ଅଭାବରେ ସନ୍ତାନପାଳନର ଗୁରୁଭାର ମାତା ଉପରେ ନ୍ୟସ୍ତ ଥିଲା । ସେଥିପାଇଁ ମାତା ସେ ପରିବାରରେ ସମସ୍ତ ସମ୍ପତ୍ତି ଅଧିକାର କରୁଥିଲା । ମାତାକୁ ନିଜର ଓ ସନ୍ତାନର ଆହାର ଅନ୍ୱେଷଣ କରିବାକୁ ହେଉଥିଲା । ସେଥିପାଇଁ ସେଠାରେ ଅବରୋଧପ୍ରଥା ନ ଥିଲା । ପୁରୁଷଠାରେ ଯେପରି ନାରୀଠାରେ ମଧ୍ୟ ସମସ୍ତ କର୍ମକ୍ଷେତ୍ର ଉନ୍ମୁକ୍ତ ଥିଲା ! ଯେତେବେଳେ ପରିବାର ପିତୃପ୍ରଧାନ ହେଲା ନାରୀର ସମସ୍ତ ଅଧିକାର ଲୋପ ପାଇଲା । ସେ କେବଳ ଖୋରାକ-ପୋଷାକର ଭାଗୀ ହେଲା । ସମ୍ପତ୍ତିରେ ତାହାର କୌଣସି ଅଧିକାର ରହିଲା ନାହିଁ । ଆମ୍ଭେମାନେ କହୁଁ ଯଦି ବିବାହ-ପ୍ରଥା ଉଠିଯାଏ ଅସହାୟ ନାରୀ ଏକା କିପରି ସନ୍ତାନ ପାଳନ କରିବ ? ନାରୀକୁ ଅସହାୟ କଲା କିଏ ? ନାରୀର ଗୋଡ଼ ଭାଙ୍ଗି ଦେଇଅଛୁଁ । ସେଥିପାଇଁ ପୁରୁଷ ଚିରଜୀବନ ତାହାକୁ ସ୍କନ୍ଧରେ ବହନ କରୁଅଛି । ଯେତେବେଳେ ସେ ସ୍ୱାଧୀନ ଥିଲା ପୁରୁଷର ବିନା ସାହାଯ୍ୟରେ ସେ ସନ୍ତାନପାଳନର ଗୁରୁଭାର ଏକାକୀ ବହନ କରୁଥିଲା । ସମାଜର ଇତିହାସରେ ଦେଖୁଁ ଯେଉଁଠାରେ ନାରୀ ପରାଧୀନ, ସମସ୍ତ ଅଧିକାରରୁ ବଞ୍ଚିତ ବିବାହ ପ୍ରଥା କେବଳ ସେହିଠାରେ ବର୍ତ୍ତମାନ ଅଛି । ନାରୀକୁ ଯଦି ତାହାର ନ୍ୟାଯ୍ୟ ଅଧିକାର ଦିଆଯାଏ ସେ ତାହାର ପରିବାରର ଭରଣ-ପୋଷଣ ପାଇଁ ସ୍ୱାମୀର ସାହାଯ୍ୟ ଲୋଡ଼ିବ ନାହିଁ, ବିବାହର ଆବଶ୍ୟକତା ଅନୁଭବ କରିବ ନାହିଁ, ବିବାହ ନ କରି ମଧ୍ୟ ସନ୍ତାନସନ୍ତତିର ମାତା ହୋଇ ପାରିବ, ତାହାର ଯୌନ-ସ୍ୱାଧୀନତା ଅକ୍ଷୁର୍ଣ୍ଣ ରହିବ । *

 

*Robert Briffault ଲେଖିଅଛନ୍ତି—A comprehensive inquiry into the history of the institution of marriage discloses the unpalatable, but quite definite, fact that marriage, as we have been accustomed to conceive it, has only existed in states of society where the husband has been invested with an excessive and inequitable power over the wife. In stages of culture where men possess no pronounced economic or juridic advantages over women, as is the case in many tribes of lowly culture, marriage is nothing more than a succession of loose cohabitations. Stable and binding marriage is a patriarchal institution. Every inference that can be drawn from the facts of social history shows that the inevitable consequence must be a tendency for marriage to revert from patriarchal to so-called matriarchal forms; that is to a very loose and unstable association. (V. F. Calverton—The Bankruptcy of Marriage—Introduction)

 

ପ୍ରାଚୀନ ଭାରତରେ ମନୁ ନାରୀ ଗୋଡ଼ରେ ଦାସତ୍ୱ-ଶୃଙ୍ଖଳ ପିନ୍ଧାଇ ଦେଇଥିଲେ । ସେ ବିଧାନ ଦେଇ ଯାଇଛନ୍ତି—

 

ବାଲ୍ୟେ ପିତୁବଂଶେ ତିଷ୍ଠେତ୍‌ ପାଣିଗ୍ରାହସ୍ୟ ଯୌବନେ ।

ପୁତ୍ରାଣାଂ ଭର୍ତ୍ତରି ପ୍ରେତେ ନ ଭଜେତ୍‌ ସ୍ତ୍ରୀ ସ୍ୱତନ୍ତ୍ରତାଂ ।

 

[ମନୁସଂହିତା ୧୪୮ ଶ୍ଳୋକ]

 

(କନ୍ୟା ବାଲ୍ୟ କାଳରେ ପିତାର ଅଧୀନରେ, ଯୌବନରେ ସ୍ୱାମୀର ଅଧୀନରେ ଏବଂ ସ୍ୱାମୀ ଅନ୍ତେ ପୁତ୍ରମାନଙ୍କ ଅଧୀନରେ ରହିବ । ସ୍ତ୍ରୀ କଦାପି ସ୍ୱାଧୀନତା ଇଚ୍ଛା କରିବ ନାହିଁ ।) ଧର୍ମ ଆସି ବିବାହ ବନ୍ଧନକୁ ଆହୁରି ଦୃଢ଼ କରି ଦେଇଅଛି । ସ୍ୱୟଂ ଯୀଶୁ ଖ୍ରୀଷ୍ଟ କହିଅଛନ୍ତି—‘‘Whom God hath joined together let no man put asunder(ଭଗବାନ ଯେଉଁମାନଙ୍କୁ ଯୁକ୍ତ କରିଅଛନ୍ତି ମନୁଷ୍ୟ ସେମାନଙ୍କୁ ବିଚ୍ଛିନ୍ନ ନ କରୁ ।)

 

ବିବାହର ଇତିହାସରେ ଦେଖୁଁ ଯେ ପୁରୁଷ ଯାହା ଲୋଡ଼ିଥିଲା ସେ ତାହା ପାଇଅଛି । ସେ ନାରୀ ଉପରେ ଆଧିପତ୍ୟ ଲୋଡ଼ିଥିଲା, ସେ ତାହା ପାଇଅଛି । ଏଥିରେ ଆଶ୍ଚର୍ଯ୍ୟ ହେବାର କୌଣସି କାରଣ ନାହିଁ । ସେଦିନ ଜାର୍ମାନୀ ଜେକୋଶ୍ଳୋଭାକିୟାକୁ ଗ୍ରାସ କଲା, ଇଟାଲୀ ଓ ଜାର୍ମାନୀ ମିଳି ସ୍ପେନର ସ୍ୱାଧୀନତା ହରଣ କଲେ, ଏତେ କାଳର ସ୍ୱାଧୀନ ରାଜ୍ୟ ଆବିସିନିୟା ବିଧ୍ୱସ୍ତ ହୋଇଗଲା, ଜାପାନ ନିଜର ଶକ୍ତିର ଅହଙ୍କାରରେ ମତ୍ତ ହୋଇ ଚୀନ ଦେଶ ଗ୍ରାସ କଲା । ଜଗତର ସମସ୍ତ ସଭ୍ୟ ଜାତି ଚାହିଁ ରହିଲେ, ଦୁର୍ବଳ ଏବଂ ବିପନ୍ନର ଉଦ୍ଧାର ପାଇଁ କେହି ତ କିଛି ଚେଷ୍ଟା କଲେ ନାହିଁ । ସଭ୍ୟତାର ଆଗମରେ ମାନବର ଯେତେବେଳେ ଜ୍ଞାନଚକ୍ଷୁ ଖୋଲିଲା ସେ ସେହି ଜ୍ଞାନବିଜ୍ଞାନକୁ ତାହାର ପ୍ରୟୋଜନ-ସିଦ୍ଧିର ଉପାୟରୂପେ ବ୍ୟବହାର କଲା । ଯେଉଁ ଜୀବଜନ୍ତୁମାନେ ବନରେ ସ୍ୱାଧୀନ ଭାବରେ ବିଚରଣ କରୁଥିଲେ ସେମାନେ ଆସି ମାନବର ଦାସତ୍ୱ କଲେ, ତାହାର ଖାଦ୍ୟ-ବସ୍ତୁରେ ପରିଣତ ହେଲେ, ଅନୁନ୍ନତ ଜାତିମାନେ ସଭ୍ୟଜାତିମାନଙ୍କର ପଦତଳେ ପିଷ୍ଟ ହେଲେ, ନାରୀଜାତି ପୁରୁଷଜାତିର ଅଧୀନ ହେଲେ । ବଳବାନ୍‌ ଓ ସୁଯୋଗବିଶିଷ୍ଟର ସର୍ବତ୍ର ଜୟ ହେଉଅଛି—might is right.

 

ଦାମ୍ପତ୍ୟ ଜୀବନରେ ଆଧିପତ୍ୟ ଏକମାତ୍ର କାମ୍ୟ ବସ୍ତୁ ନୁହେ । ସେଥିରେ ଅନ୍ୟ କିଛି ମଧ୍ୟ କାମ୍ୟ ଅଛି । ଆଧିପତ୍ୟର ମୋହରେ ଏହି ମୁର୍ଖ ଦ୍ୱିପଦ ଜନ୍ତୁ ତାହା ଭୁଲି ଯାଇଅଛି । ପରବର୍ତ୍ତୀ ଯୁଗରେ ବିବାହର ଫଳାଫଳ କ’ଣ ହୋଇଛି ତାହା ବର୍ତ୍ତମାନ ଆଲୋଚନା କରୁଁ ।

 

୪ । ବିବାହର ପରିଣାମ—

 

ବିବାହର କରି ପୁରୁଷ ଯେତେବେଳେ ନାରୀର ସ୍ୱାମୀ ହେଲା ସେତେବେଳେ ତାହାର ଅହଙ୍କାରର ସୀମା ରହିଲା ନାହିଁ ।

 

‘‘I will be master of what is mine own,

She is my goods, my chattels; she is my house,

My household stuff, my field, my barn,

My horse, my ox, my ass, my anything.’’

 

(ମୋର ଯାହା ନିଜର ମୁଁ ସେଥିର ପ୍ରଭୁ ହେବି । ସେ ନାରୀ ମୋର ଧନ, ମୋର ସମ୍ପତ୍ତି; ସେ ମୋର ଘର, ମୋର ଗୃହସାମଗ୍ରୀ, ମୋର ଜମି, ମୋର ଖମାର, ମୋର ଘୋଡ଼ା, ମୋର ବଳଦ, ମୋର ଗଧ, ମୋର ସବୁ ।) ସେ ତାହାର ନାରୀ-ସମ୍ପତ୍ତିକୁ ପକା କରିବା ପାଇଁ ତାହାଠାରେ ସତୀତ୍ୱର ଗୌରବ କୀର୍ତ୍ତନ କଲା । କାବ୍ୟ ଜଗତରେ ସୀତା-ସାବିତ୍ରୀ ଉଦିତ ହେଲେ-

 

କାଳକ୍ରମେ ଏହି ବିବାହପ୍ରଥାରୁ ଗୋଟାଏ ଅରୁଚିକର ଫଳ ଉତ୍ପନ୍ନ ହେଲା । ଯେଉଁମାନେ ସାମାଜିକ ନିୟମର ଉତ୍ପତ୍ତିର ଧାରା ଆଲୋଚନା କରିଅଛନ୍ତି ସେମାନେ ଜାଣିଥିବେ ଯେ ଭାବାତ୍ମକ (positive) ବିଧିରୁ ସଚରାଚର ଅଭାବାତ୍ମକ ଅଥବା ନିଷେଧାତ୍ମକ (negative) ବିଧି ଉତ୍ପନ୍ନ ହୋଇଥାଏ । ମୁସଲମାନ୍‌ମାନଙ୍କ ମଧ୍ୟରେ ଜବାଇ ସମୟରେ କେହି କେହି ହୁଏତ ଆତଙ୍କରେ ଭଗବାନଙ୍କ ନାମ ଉଚ୍ଚାରଣ କରୁଥିଲେ । ବର୍ତ୍ତମାନ ସେମାନଙ୍କ ମଧ୍ୟରେ ନିୟମ ହୋଇଛି ଯେ ଭଗବାନଙ୍କ ନାମ ଉଚ୍ଚାରଣ କରି ଯେଉଁ ଜୀବ ବଧ କରା ହୋଇ ନାହିଁ ତାହା ସେମାନଙ୍କର ଅଖାଦ୍ୟ । ବ୍ରାହ୍ମମାନଙ୍କ ମଧ୍ୟରେ ଉପାସନା ସମୟରେ କେହି କେହି ଭାବର ଆବେଗରେ ଆଖି ବୁଜି ପକାଉଥିଲେ । ବର୍ତ୍ତମାନ ସେମାନଙ୍କ ମଧ୍ୟରେ ନିୟମ ହୋଇଅଛି ଯେ ଆଖି ନ ବୁଜି କେହି ଉପାସନା କରି ପାରିବ ନାହିଁ । ଯେତେବେଳେ ପୁରୁଷମାନେ ନାରୀକୁ ଧରି ଆଣି ଅଥବା କିଣି ଆଣି ଭୋଗ କରିବାକୁ ଲାଗିଲେ ସେତେବେଳେ ସମାଜ ମଧ୍ୟରେ ଗୋଟାଏ ଅରୁଚିକର ବିଧି ଉତ୍ପନ୍ନ ହେଲା ଯେ ପୁରୁଷମାନେ ଯେଉଁ ନାରୀକୁ ଧରି କିମ୍ୱା କିଣି ଆଣି ନାହାନ୍ତି ଅର୍ଥାତ୍‌ ବିବାହ କରି ନାହାନ୍ତି ସେ ନାରୀକୁ ସେମାନେ ଭୋଗ କରିପାରିବେ ନାହିଁ । ବିବାହଦ୍ୱାରା ନାରୀମାନଙ୍କର ଯୌନ ସ୍ୱାଧୀନତା ସଙ୍କୁଚିତ ହୋଇଥିଲା । ବର୍ତ୍ତମାନ ଏହି ନିଷେଧାତ୍ମକ ବିଧିଦ୍ୱାରା ପୁରୁଷମାନଙ୍କର ମଧ୍ୟ ଯୌନ ସ୍ୱାଧୀନତା ସଙ୍କୁଚିତ ହେଲା । ବିବାହଦ୍ୱାରା କେବଳ ଯେ ନାରୀମାନେ କ୍ଷତିଗ୍ରସ୍ତ ହୋଇଅଛନ୍ତି ଏପରି ନୁହେ ପୁରୁଷମାନେ ମଧ୍ୟ କ୍ଷତିଗ୍ରସ୍ତ ହୋଇଅଛନ୍ତି । ବିବାହବିଧି ସୃଷ୍ଟି ହେବା ପୂର୍ବେ ପୁରୁଷମାନେ ଯେ କୌଣସି ନାରୀ ସହିତ ସଂସର୍ଗ କରି ପାରୁଥିଲେ-। ବର୍ତ୍ତମାନ ସେମାନଙ୍କୁ ଜଣକର ଆଶ୍ରୟ ନେବାକୁ ପଡ଼ୁଅଛି । ସେହି ଗୋଟାଏ ମାତ୍ର ନାରୀର ଯଦି ଯୌନକ୍ଷୁଧା ମିଟାଇବାର ଶକ୍ତି ନ ଥାଏ ତାହାର ପୁରୁଷପ୍ରଭୁକୁ ଚିରଜୀବନ ଯୌନ-ଉପବାସୀ ରହିବାକୁ ହୁଏ । ପୂର୍ବେ ନାରୀ ଯଦି ତାହାର ପୁରୁଷ ପ୍ରତି ଅସନ୍ତୁଷ୍ଟ ହେଲା କିବା ପୁରୁଷ ଯଦି ତାହାର ନାରୀ ପ୍ରତି ଅସନ୍ତୁଷ୍ଟ ହେଲା ସେମାନେ ପରସ୍ପରଠାରୁ ବିଚ୍ଛିନ୍ନ ହୋଇ ସହଚର ପରିବର୍ତ୍ତନ କରିପାରୁଥିଲେ । ବର୍ତ୍ତମାନ ସେମାନଙ୍କର ସେ ପରିବର୍ତ୍ତନ କରିବାର ଅଧିକାର ନାହିଁ-। ପୂର୍ବେ ପୁରୁଷକୁ ନାରୀର ଭାର ବହନ କରିବାକୁ ହେଉ ନ ଥିଲା । ବର୍ତ୍ତମାନ ସେ ତାହା ଉପରେ ପ୍ରଭୁତ୍ୱ କରିବା ଉଦ୍ଦେଶ୍ୟରେ ତାହାକୁ ସ୍ୱାଧୀନ ଭାବରେ ନିଜର ଜୀବିକା ଅର୍ଜନ କରିବାକୁ ଦେଉ ନାହିଁ-। ଅତଏବ ବାଧ୍ୟ ହୋଇ ତାହାକୁ ଚିରଜୀବନ ଭରଣ-ପୋଷଣ ଦେବାକୁ ହେଉଅଛି-। ସୁଖରେ ଦୁଃଖରେ, ସୁସ୍ଥତାରେ ଅସୁସ୍ଥତାରେ, ଶାନ୍ତିରେ ଓ କଳହ ସମୟରେ, ସତୀତ୍ୱ ଓ ଅସତୀତ୍ୱ ଅବସ୍ଥାରେ କେହି କାହାରିକୁ ଛାଡ଼ି ପାରୁ ନାହିଁ । ସାଗରର ବୃଦ୍ଧ ଯେପରି ସିନ୍ଧବାଦ ସ୍କନ୍ଧରେ ଚିରଜୀବନ ଆରୋହଣ କରି ବସିଥିଲା, ବର୍ତ୍ତମାନ ନାରୀ ସେହିପରି ପୁରୁଷ ସ୍କନ୍ଧରେ ଆରୋହଣ କରି ବସି ରହିଛି । ବିବାହ-ବନ୍ଧନରେ କିଏ ପ୍ରଭୁ କିଏ ଦାସ କିଛି ଜଣା ପଡ଼ୁ ନାହିଁ ।

 

ବିବାହଦ୍ୱାରା ସମାଜରେ ଯେଉଁ ବାଧା ନିଷେଧମାନ ପ୍ରଚଳିତ ହୋଇଅଛି ଯୁବକମାନେ ତଦ୍ଦ୍ୱାରା ବିପନ୍ନ ହୋଇ ଅଛନ୍ତି । ବିବାହର ବାହାରେ ସେମାନଙ୍କର ଯୌନସଂସର୍ଗ କରିବାର ଅଧିକାର ନାହିଁ । ଯୌବନର ଉଦୟରେ ସେମାନଙ୍କର ଯୌନ-କ୍ଷୁଧା ଅସାଧାରଣରୂପେ ଜାଗ୍ରତ ହେଉଅଛି । ସେ କ୍ଷୁଧା ସେମାନେ ଯେତେବେଳେ ତୃପ୍ତ କରିବାକୁ ମାଗୁଛନ୍ତି ସମାଜ ସେମାନଙ୍କୁ କହୁଅଛି ‘ଗଳାରେ ଗୋଟାଏ ବାନ୍ଧ’ । ଅଧିକାଂଶ କ୍ଷେତ୍ରରେ ଗଳାରେ ବାନ୍ଧିବାର ଶକ୍ତି ଉଦୟ ହେବା ପୂର୍ବେ ସେମାନଙ୍କର ଯୌନକ୍ଷୁଧା ଜାଗ୍ରତ ହୋଇ ଯାଉଛି । ବାଧ୍ୟ ହୋଇ ସେମାନଙ୍କୁ ବହୁକାଳ ଯୌନ-ଉପବାସୀ ରହିବାକୁ ହେଉଅଛି । ଅନେକେ ପ୍ରବୃତ୍ତିକୁ ଶାସନ କରି ନ ପାରି ବେଶ୍ୟା ସଂସର୍ଗ କରୁଅଛନ୍ତି । ଯେଉଁମାନେ ଏ ସବୁ କୁସଂସର୍ଗରୁ ବିରତ ହେଉଛନ୍ତି ସେମାନେ ସ୍ଵପ୍ନଦୋଷ ବ୍ୟାଧିରେ ଆକ୍ରାନ୍ତ ହେଉଛନ୍ତି, ସମୟ ସମୟରେ ସେମାନେ ପାଗଳ ହୋଇ ଯାଉଛନ୍ତି-। ବେଶ୍ୟା ସଂସର୍ଗ ହେତୁ ଅନେକଙ୍କର ଯୋନିରୋଗ ଉପସ୍ଥିତ ହୋଇ ଅଛି । ସମାଜରେ ଏ ସବୁ ଦୁର୍ଯୋଗ ଉଦୟ ହୋଇଅଛି । *

 

* V F. Calverton କହି ଅଛନ୍ତି—‘‘Sex-expression for boys and girls is utterly forbidden outside marriage. As a consequence both sexes learn to suffer restraints and repressions that disturb and agitate their lives. The multiplication of neurotics and psychotics in this age and the appalling increase in the insane—all these attest the reality of the terrific maladjustment that has occurred in our civilisation.’’

 

ବିବାହ କରି ମଧ୍ୟ ଅତି ଅଳ୍ପ ଲୋକ ତୃପ୍ତି ପାଇଥାନ୍ତି । ଏ ବିଷୟରେ ଅବିବାହିତମାନଙ୍କଠାରୁ ବିବାହିତମାନଙ୍କର ଯନ୍ତ୍ରଣା ଅଧିକ । ପାଣିରେ ବାସ କରି ଶୋଷରେ ମରିବାଠାରୁ ଅଧିକ ଯନ୍ତ୍ରଣା କ’ଣ ଥାଇ ପାରେ ? ଏଥିପାଇଁ ଦେଖାଯାଏ ବେଶ୍ୟାସକ୍ତମାନଙ୍କ ମଧ୍ୟରେ ଅଧିକାଂଶ ଲୋକ ବିବାହିତ ।

 

ଅନ୍ୟ ବିଷୟ ପରି ଯୌନ ବ୍ୟାପାରରେ ମଧ୍ୟ ପରିବର୍ତ୍ତନ ଆବଶ୍ୟକ । ବିବାହ ସେ ପରିବର୍ତ୍ତନର ପଥ ରୋଧ କରିଅଛି । ଆମେରିକା ପ୍ରଭୃତି ଦେଶରେ ଯେ ଦାସତ୍ୱପ୍ରଥା ଉଠିଗଲା ସେଟା କି କେବଳ ଦାସମାନଙ୍କ ପ୍ରତି ଅନୁଗ୍ରହ ସକାଶେ ? ଦାସ-ପ୍ରଭୁମାନେ ମଧ୍ୟ ତଦ୍ଦ୍ୱାରା କ୍ଷତିଗ୍ରସ୍ତ ହେଉଥିଲେ । ଯଦି କୌଣସି ଦାସଦାସୀ ସେମାନଙ୍କ କାର୍ଯ୍ୟ ଚଳାଇ ପାରୁ ନ ଥିଲା ଅଥବା ଚଳାଇବାରେ ତ୍ରୁଟି କରୁଥିଲା ପ୍ରଭୁମାନେ ତାକୁ ହଠାତ୍ ଛାଡ଼ି ପାରୁ ନ ଥିଲେ । ନିତାନ୍ତ ଅସୁବିଧା ହେଲେ ତାହାକୁ ବିକ୍ରୟ କରି ଦେଉଥିଲେ । କିନ୍ତୁ ବିକ୍ରୟ ସମୟରେ ସେମାନେ କିଣାଦାମ ଅନେକ ସମୟରେ ପାଉ ନ ଥିଲେ । ସେଥିପାଇଁ ସ୍ୱାଧୀନ ଶ୍ରମିକଦ୍ୱାରା କାର୍ଯ୍ୟ ଚଳାଇବା ସେମାନେ ଅଧିକ ଲାଭଜନକ ମନେ କଲେ । ଏଥିରେ ସେମାନେ ଇଚ୍ଛାନୁସାରେ ଶ୍ରମିକ ପରିବର୍ତ୍ତନ କରି ପାରିଲେ । ବିବାହପ୍ରଥା ଗୋଟାଏ ଦାସୀ-ବ୍ୟବସାୟ । ଏଥିରେ ଆମ୍ଭେମାନେ ନାରୀ କିଣୁଁ କିନ୍ତୁ ତାହା ବିକ୍ରୟ କରି ପାରୁଁ ନା । ଆମ୍ଭେମାନେ ଯେଉଁ ଉଦ୍ଦେଶ୍ୟରେ ବିବାହ କରୁଁ ସେ ଉଦ୍ଦେଶ୍ୟ ଯଦି ବ୍ୟର୍ଥ ହୁଏ ସେତେବେଳେ ଆମ୍ଭେମାନେ ନିରୁପାୟ । ମନୁ କହିଛନ୍ତି ‘‘ପୁତ୍ରାର୍ଥେ କ୍ରିୟତେ ଭାର୍ଯ୍ୟା ।’’ କିନ୍ତୁ ଭାର୍ଯ୍ୟା ଯଦି ପୁତ୍ର ପ୍ରସବ ନ କରି କେବଳ କନ୍ୟା ପ୍ରସବ କରେ ଅଥବା ବନ୍ଧ୍ୟା ହୁଏ ସେତେବେଳେ ଆମ୍ଭମାନଙ୍କର ଉପାୟ କ’ଣ ? ପାଶ୍ଚାତ୍ୟ ମତରେ ଗାର୍ହସ୍ଥ୍ୟ ଜୀବନ ସୁଖମୟ କରିବା ପାଇଁ ସ୍ତ୍ରୀ ଗ୍ରହଣ କରିବ । ସ୍ତ୍ରୀ ଗ୍ରହଣ କରି ଜୀବନ ସୁଖମୟ ହେବା ଦୂରେ ଥାଉ, ଯଦି ଜୀବନର ପ୍ରତି ମୁହୂର୍ତ୍ତ ଦୁଃଖରେ ଶୋକରେ ଜର୍ଜରିତ ହୋଇ ପଡ଼େ ସେତେବେଳେ କି ପ୍ରଜାପତି ଉପରେ ସବୁ ଦୋଷ ଢାଳି ଦେଇ ଚୁପ୍‌ କରି ବସି ରହିବୁଁ ? ଆମ୍ଭେମାନେ ବିବାହ ସମୟରେ କ’ଣ ଦେଖୁଁ ? ବର ଓ କନ୍ୟାର ଆକୃତି ଓ ବର୍ଣ୍ଣ । ସେମାନଙ୍କ ଆଚରଣ ସେତେବେଳେ ଆମ୍ଭମାନଙ୍କଠାରେ ଅଜ୍ଞାତ ଥାଏ । ସେହି ଆଚରଣ ଯଦି ଅବାଞ୍ଚ୍ଥିତ ହୁଏ ବିବାହବନ୍ଧନରେ ତାହାର ପ୍ରତିକାରର କୌଣସି ଉପାୟ ନାହିଁ । ବିବାହ ଆମ୍ଭମାନଙ୍କୁ ସ୍ତ୍ରୀ ଗ୍ରହଣ କରିବା ବିଷୟରେ ସାହାଯ୍ୟ କରୁଅଛି କିନ୍ତୁ ସ୍ତ୍ରୀ ପରିବର୍ତ୍ତନ କରିବା ବିଷୟରେ ବାଧା ଦେଉଅଛି । ଏଥିପାଇଁ ପାଶ୍ଚାତ୍ୟ ପଣ୍ତିତମାନେ ବିବାହକୁ ମୂଷାଧରା-ଯନ୍ତ୍ର (mouse-trap) ସହିତ ତୁଳନା କରି ଅଛନ୍ତି, କାରଣ ଏଥି ମଧ୍ୟକୁ ଲୋକେ ସହଜେ ପଶି ଯାଇ ପାରନ୍ତି, କିନ୍ତୁ ସେଥି ମଧ୍ୟରୁ ବାହାରି ଆସିବା ସମ୍ଭବପର ନୁହେ । ବାହାରି ଆସିବାକୁ ହେଲେ ଆତ୍ମହତ୍ୟା କିମ୍ୱା ଗୃହତ୍ୟାଗ ଛଡ଼ା ଉପାୟ ନାହିଁ । *

 

*ଜଣେ ପାଶ୍ଚାତ୍ୟ ପଣ୍ତିତ କହିଅଛନ୍ତି :—‘‘An unhappy marriage from which neither party can escape and which, in extreme cases, resembles a dungeon whose poisoned vapours stifle soul and heart is, when maintained by compulsion, a reversion of the matrimonial idea debasing to both parties and noxious to the children at home.’’

 

ଏହି ବିବାହ-ବ୍ୟବସାୟରେ ନାରୀମାନଙ୍କର କି କୌଣସି ଲାଭ ଅଛି ? ସେମାନେ ସମ୍ପତ୍ତିର ଅଧିକାରରୁ ବଞ୍ଚିତ ହେବା ଦିନଠାରୁ, ସ୍ୱାଧୀନ ଭାବରେ ନିଜର ଜୀବିକା ଅର୍ଜନ କରିବାର ଅଧିକାର ହରାଇବା ଦିନଠାରୁ ବିବାହକୁ ଏକମାତ୍ର ପେଶା କରି ଅଛନ୍ତି । ସେମାନେ ସେମାନଙ୍କ ଯୋନି ବିକ୍ରୟ କରି ଜୀବିକା ନିର୍ବାହ କରୁ ଅଛନ୍ତି । ବେଶ୍ୟାମାନେ ମଧ୍ୟ ସେହି କାର୍ଯ୍ୟ କରୁଅଛନ୍ତି । କିନ୍ତୁ ବେଶ୍ୟାମାନେ ନିଜର ସ୍ୱାଧୀନତା ଅକ୍ଷୁର୍ଣ୍ଣ ରଖି ଅଛନ୍ତି । ବିବାହିତା ନାରୀମାନେ ନିଜକୁ ଜଣକଠାରେ ବିକ୍ରୟ କରି ଚିରକାଳ ପାଇଁ ଦାସତ୍ୱ-ଶୃଙ୍ଖଳରେ ଆବଦ୍ଧ ଅଛନ୍ତି । ବାର୍ଣାର୍ଡ଼ଶ କହିଅଛନ୍ତି, Marriage is a legalised prostitution (ବିବାହ ଆଇନାନୁମୋଦିତ ବେଶ୍ୟାବୃତ୍ତି) । ଯଦି ବେଶ୍ୟାମାନେ ସ୍ୱାସ୍ଥ୍ୟବିଜ୍ଞାନର ନିୟମ ଲଙ୍ଘନ ନ କରି ନିଜର ବ୍ୟବସାୟ ଚଳାନ୍ତେ ସେମାନଙ୍କ ବ୍ୟବସାୟ ବିବାହପେଶାଠାରୁ ଅଧିକ ଉତ୍କୃଷ୍ଟ ହୁଅନ୍ତା ।

 

ବିବାହଦ୍ୱାରା ନାରୀ ତାହାର ଭରଣ-ପୋଷଣ ଆଦାୟ କରି ହୁଏତ ଭାବୁଛି ଯେ ସେହି ଏକା ଜିଣିଗଲା । ଘରର ପଶୁ, ପକ୍ଷୀ, କୀଟ, ପତଙ୍ଗ ମଧ୍ୟ ଭରଣ-ପୋଷଣ ପାଉଅଛନ୍ତି । ସେ ପର ଘରେ ଅବରୁଦ୍ଧା ଓ ବନ୍ଦିନୀ । ସେ କାଳେ ଅସତୀ ହୋଇଯିବ ଏହି ଭୟରେ ତାହାର ସ୍ୱାମୀ ତାହାକୁ ଚିରଜୀବନ ଆବଦ୍ଧ କରି ରଖି ଅଛି । ଧନୀମାନଙ୍କର ଗୃହ ବଡ଼ । ସେଥିରେ ଆଜୀବନ ଆବଦ୍ଧ ହୋଇ ରହିବା ନାରୀ ପକ୍ଷରେ ସେତେ କଷ୍ଟକର ହୋଇ ନପାରେ, କିନ୍ତୁ ଯେଉଁମାନେ ଦରିଦ୍ର, ଯେଉଁମାନଙ୍କୁ ଦୁଇ ଚାରି ହାତ ପରିମିତ ଗୃହ ମଧ୍ୟରେ ଆଜୀବନ ବାସ କରିବାକୁ ହୁଏ, ସେହି କ୍ଷୁଦ୍ର ଗୃହ ମଧ୍ୟରେ ଆଜୀବନ ଆବଦ୍ଧ ହୋଇ ରହିବା ଯେ କି କଷ୍ଟକର ତାହା ଭୁକ୍ତଭୋଗୀମାନେ ଜାଣନ୍ତି-। ଏଥିରେ ନାରୀର ସ୍ୱାସ୍ଥ୍ୟ ନଷ୍ଟ ହେଉଛି; ସେ ରୁଗ୍ଣ ଓ ଦୁର୍ବଳ ହୋଇ ପଡ଼ୁଛି । ରୁଗ୍ଣ ନାରୀ ରୁଗ୍ଣ ସନ୍ତାନ ପ୍ରସବ କରୁଅଛି-। ମାନବଜାତି ଦୁର୍ବଳ ହୋଇ ନାନା ବ୍ୟାଧି-ଯନ୍ତ୍ରଣା ଭୋଗ କରୁଅଛି-। ଯେଉଁ ଜାତିମାନଙ୍କ ମଧ୍ୟରେ ବିବାହ ପ୍ରଥା ନାହିଁ ସେମାନଙ୍କ ମଧ୍ୟରେ ଅବରୋଧ-ପ୍ରଥା ମଧ୍ୟ ନାହିଁ-। ସେମାନଙ୍କ ମଧ୍ୟରେ ନରନାରୀ ସ୍ୱାଧୀନ ଭାବରେ ପରସ୍ପର ସହିତ ମିଳିତ ହେଉଛନ୍ତି-

 

ବର୍ତ୍ତମାନ ଜଗତରେ ନାରୀଜାତି କେବଳ ଭୋଗ୍ୟବସ୍ତୁରୂପେ ବ୍ୟବହୃତ ହେଉଛନ୍ତି । ଏଥିପାଇଁ ମାନବସମାଜ ନିୟମ କରିଅଛି ଯେ ନାରୀ ତାହାର ଭୋକ୍ତାର ଅଧୀନରେ ଥାଇ ମାନବଜାତି ସୃଷ୍ଟି କରିବ, ସେ ନିଜର ଜୀବିକା ପାଇଁ ପୁରୁଷବିଶେଷ ଉପରେ ନିର୍ଭର କରିବ, ସେ ପୁରୁଷର କିଣାଦାସୀ ହୋଇ ମାତୃତ୍ଵର ଅଧିକାର ଲାଭ କରିବ, ସେ ବିବାହ କରିବ । ଏ ନିୟମ ନାରୀଜାତି ପ୍ରତି ଅପମାନ । ସେ କେବଳ ଭୋଗ୍ୟ ନୁହେ । ସେ ଭୋଗ୍ୟ ଏବଂ ଭୋକ୍ତା ଦୁଇ । ମାନବଜାତିର ସୃଷ୍ଟି, ସ୍ଥିତି ଏବଂ ପ୍ରଳୟ—ଏ ତିନି ଗୋଟି ବିଷୟରେ ସେ କେବଳ ଯନ୍ତ୍ରବିଶେଷ ନୁହେ, ସେ ଏ ସବୁର ପ୍ରଭୁ ଏବଂ ଅଧିଷ୍ଠାତ୍ରୀ ଦେବୀ । କୌଣସି ପୁରୁଷବିଶେଷର ଅଧିନତା ସ୍ୱୀକାର ନ କରି, ଭିନ୍ନ ଭିନ୍ନ ସମୟରେ ଭିନ୍ନ ଭିନ୍ନ ପୁରୁଷ ସହିତ ମିଳିତ ହୋଇ ସେ ତାହାର ଭୋଗ ଏବଂ ଆନନ୍ଦ ମଧ୍ୟରେ ଜଗତର ସୃଷ୍ଟିକାର୍ଯ୍ୟ ଚଳାଇ ପାରେ । ସେ କିମ୍ୱା ଅନ୍ୟ କେହି ଚିରକାଳ ପାଇଁ ତାହାର ଭୋକ୍ତା ନିର୍ଦେଶ  କରି ପାରିବେ ନାହିଁ । ସେ ନିତ୍ୟ ସ୍ୱୟମ୍ୱରା ହେଉଥିବ । ଏହା ଉଚ୍ଛୃଙ୍ଖଳତା ନୁହେ, ଏହା ନାରୀଜାତି ପ୍ରତି ସମ୍ମାନ । ସମାଜର ସମସ୍ତ ବିଭାଗରେ ଆମ୍ଭେମାନେ ସ୍ୱାଧୀନତା ଦାବୀ କରୁଅଛୁଁ । କେବଳ ଯୌନ ବ୍ୟାପାରରେ ଦାସତ୍ୱ-ଶୃଙ୍ଖଳକୁ ବିବାହ-ବେଦୀରେ ବସାଇ ତାହାର ପୂଜାର ଆୟୋଜନ କରୁଅଛୁଁ ।

 

ଆଉ ଗୋଟାଏ କଥା । ବିବାହିତା ନାରୀମାନଙ୍କର ସନ୍ତାନଲାଭ ସେମାନଙ୍କ ନିଜ ଇଚ୍ଛା ଉପରେ ନିର୍ଭର କରେ ନାହିଁ । ସେମାନଙ୍କର ସ୍ୱାମୀମାନଙ୍କର ଇଚ୍ଛାନୁସାରେ ସେମାନଙ୍କୁ ଏହି କାର୍ଯ୍ୟ କରିବାକୁ ହୁଏ । ସନ୍ତାନଜନନ ବେଳେ ସ୍ୱାମୀମାନେ ସ୍ତ୍ରୀର ସ୍ୱାସ୍ଥ୍ୟ, ନିଜର ଆର୍ଥିକ କ୍ଷମତା–ଏ ସବୁ ବିଷୟରେ ଦୃଷ୍ଟି ଦିଅନ୍ତି ନାହିଁ । ଫଳରେ ନାରୀ ଓ ଶିଶୁମାନେ ବ୍ୟାଧି, ଦାରିଦ୍ର୍ୟ ଓ ଅକାଳ-ମୃତ୍ୟୁ ଭୋଗ କରନ୍ତି । ବିବାହପ୍ରଥା ଦୂର ହେଲେ ନାରୀମାନେ ଅବାଞ୍ଚ୍ଥିତ ସନ୍ତାନଲାଭର ଯନ୍ତ୍ରଣାରୁ ମୁକ୍ତ ହେବେ । ସେମାନେ ଜନ୍ମଶାସନ ଦ୍ୱାରା ସନ୍ତାନଭାରରୁ ମୁକ୍ତ ହୋଇ ପାରନ୍ତି-। ପୃଥିବୀର ଜନସଂଖ୍ୟା ଅତ୍ୟଧିକ ବଢ଼ି ଯାଇଅଛି । କିଛି କାଳ ସକାଶେ ନୂତନ ସନ୍ତାନ ଜନ୍ମ ନ ହେଲେ ମଧ୍ୟ ମନୁଷ୍ୟ-ସମାଜ ଲୋପ ପାଇବ ନାହିଁ । ଜଗତରେ ଯେ ଏତେ ଯୁଦ୍ଧ-ବିଗ୍ରହ ଲାଗିଛି ତାହାର ପ୍ରଧାନ କାରଣ କ’ଣ ? ଅତ୍ୟଧିକ ଜନସଂଖ୍ୟା ବୃଦ୍ଧି । ନାରୀ ଯେତେବେଳେ ନିଜର ଶରୀର ଉପରେ ଅଧିକାର ଫେରି ପାଇବ, ଜନସଂଖ୍ୟା ଏତେ ଅଧିକ ବଢ଼ିବ ନାହିଁ-। ଯୁଦ୍ଧ, ମହାମାରି, ଦୁର୍ଭିକ୍ଷ ପ୍ରଭୃତି ନାନା ଦୁର୍ଯୋଗରୁ ସମାଜ ରକ୍ଷା ପାଇବ ।

 

କିଛିକାଳ ପୂର୍ବେ ‘ମାସିକ ବସୁମତୀ’ର ୧୩୪୨ ଆଷାଢ଼ ସଂଖ୍ୟାରେ ‘ନାରୀ ବିଦ୍ରୋହ’ ଶୀର୍ଷକ ଗୋଟାଏ ପ୍ରବନ୍ଧ ପାଠ କଲି । ସେଥିରୁ ବୁଝିଲି ଯେ ଭାରତରେ ମଧ୍ୟ ନାରୀଜାଗରଣ ଉପସ୍ଥିତ ହୋଇଅଛି । ସେ ପ୍ରବନ୍ଧ ଏହିରୂପ :—‘‘ପାଶ୍ଚାତ୍ୟଖଣ୍ତର କେତେଗୁଡ଼ି ପ୍ରଗତିଶୀଳ ଅଥବା ଉଚ୍ଛୃଙ୍ଖଳ ନାରୀର ଦେଖାଦେଖି ଏ ଦେଶର ଏକ ଶ୍ରେଣୀର ତଥାକଥିତ ଶିକ୍ଷିତ ମହିଳା ଯେ ସ୍ୱେଚ୍ଛାଚାରିତାର ପଥରେ ଧାବିତ ହେବାପାଇଁ ଲାଳାୟିତ ହୋଇଅଛନ୍ତି ତାହା ସେମାନଙ୍କର କଥାବାର୍ତ୍ତା ଏବଂ ଧରଣଧାରଣରୁ ବେଶ୍‌ ବୁଝାଯାଏ । ସେମାନେ କହୁଅଛନ୍ତି ଅନ୍ୟ ବିଷୟରେ ସେମାନେ ପୁରୁଷମାନଙ୍କ ସହିତ ଯେପରି ସମାନାଧିକାର ଚାହାନ୍ତି—ଯୌନ ବ୍ୟାପାରରେ ମଧ୍ୟ ସେହିପରି ପୁରୁଷମାନଙ୍କ ସମାନ ଅଧିକାର ଚାହାନ୍ତି । ସେଦିନ କଲିକତା ସମବାୟ ମେନ୍ସନରେ ମିଳନୀ କ୍ଲାବରେ ଏ ବିଷୟଟି ଆଲୋଚନା ହେବାପାଇଁ ଗୋଟିଏ ସଭା ହୋଇଥିଲା । ଜଣେ ଏମ୍‌. ଏ. ଉପାଧିଧାରିଣୀ ମହିଳା କହିଲେ ଯେ ସେମାନେ ସନ୍ତାନର ଜନନୀ ହେବାକୁ ବିଶେଷ ଆପତ୍ତି କରନ୍ତି ନାହିଁ ସତ, କିନ୍ତୁ ପତିର ଗୃହିଣୀ ହେବାକୁ ସେମାନେ କୌଣସିମତେ ସମ୍ମତା ନୁହନ୍ତି । ପର ହାତ-ଟେକାରେ ରହି ମନ ଯୋଗାଇବା, ସେ ଆଉ ଏ କାଳରେ ନହି ନହି ନହି । ଏ ସଭାରେ ଶ୍ରୀଯୁକ୍ତ ଅନାଥ ଗୋପାଳ ସେନ ସ୍ତ୍ରୀଲୋକମାନଙ୍କୁ ବିବାହ କରିବାକୁ ସମ୍ମତ କରାଇବାପାଇଁ ଯେ ଏତେ କାକୁତି-ମିନତି କଲେ ତାହା ନିରର୍ଥକ ହେଲା । ଶ୍ରୀଯୁକ୍ତ ଶରଚ୍ଚନ୍ଦ୍ର ଚଟ୍ଟୋପାଧ୍ୟାୟ ଉକ୍ତ ସଭାରେ ସଭାପତିତ୍ୱ ଗ୍ରହଣ କରିଥିଲେ ।’’

 

ନାରୀ ଏତେକାଳ ପୁରୁଷର ଅଧୀନ ହୋଇ ରହିଛି କାହିଁକି ? ସେ ନିଜର ଜୀବିକା ନିଜେ ଅର୍ଜନ କରେ ନାହିଁ । ଏ ବିଷୟରେ ତାହାକୁ ପୁରୁଷ ଉପରେ ନିର୍ଭର କରିବାକୁ ହୁଏ । ଅନ୍ୟ ଜୀବମାନଙ୍କର ସ୍ତ୍ରୀମାନେ ସନ୍ତାନ-ପ୍ରସବ ଏବଂ ସନ୍ତାନ-ପାଳନ କରିଥାନ୍ତି । ସେମାନେ ତ ସେଥିପାଇଁ ନିଜର ଜୀବିକା ସକାଶେ ପୁରୁଷର ଆଶ୍ରୟ ଲୋଡ଼ନ୍ତି ନାହିଁ । ସନ୍ତାନ-ପ୍ରସବ ଏବଂ ସନ୍ତାନ-ପାଳନ କରୁଛି ବୋଲି ବୁଦ୍ଧିମତୀ ମାନବ-ସ୍ତ୍ରୀ କିପାଇଁ ଗୋଟାଏ ପୁରୁଷର ଗଳଗ୍ରହ ହେବ-? ଜଗତର ନାରୀମାନେ ସମସ୍ତ ବିଭାଗରେ ପୁରୁଷମାନଙ୍କ ସହିତ ଉଚ୍ଚ ସ୍ଥାନ ଅଧିକାର କରିଛନ୍ତି-। ଇଟାଲୀ-ଆବିସିନିୟା ଯୁଦ୍ଧରେ ଶତକଡ଼ା ଦଶଜଣ ସୈନିକ ନାରୀ ଥିଲେ । ଆମେରିକାରେ ଦୁଇଜଣ ନାରୀ ପ୍ରାଦେଶିକ ଶାସନକର୍ତ୍ତ୍ରୀ ହୋଇଛନ୍ତି । ନାରୀମାନେ ବର୍ତ୍ତମାନ ପୁରୁଷମାନଙ୍କ କଲେଜରେ ଅଧ୍ୟାପନା କରୁଅଛନ୍ତି । ପାଶ୍ଚାତ୍ୟ ଦେଶମାନଙ୍କରେ ସେମାନେ ଜଜ୍‌, ମେଜିଷ୍ଟ୍ରେଟ୍ ଓ କମିଶନର କାର୍ଯ୍ୟ କରୁଅଛନ୍ତି । ଏପରି କୌଣସି ବିଭାଗ ନାହିଁ, ଯେଉଁଥିରେ ନାରୀକର୍ମୀର ଅଭାବ ହୋଇଛି । ନାରୀମାନେ ରାଣୀଠାରୁ ଚାକରାଣୀ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ କରୁଅଛନ୍ତି । ସେମାନଙ୍କର ଆର୍ଥିକ ପରାଧୀନତା ସଭ୍ୟ ସମାଜର ଗୋଟାଏ ବିଶେଷ କଳଙ୍କ । ସେମାନେ ପୁରୁଷମାନଙ୍କର ମୁଖାପେକ୍ଷୀ ନ ହୋଇ ନିଜର ଜୀବିକା ନିଜେ ଅର୍ଜନ କରନ୍ତୁ । ଯେତେବେଳେ ନାରୀ ନିଜର ଜୀବିକା ପାଇଁ ପୁରୁଷବିଶେଷ ଉପରେ ନିର୍ଭର ନ କରିବ ସେ କିପାଇଁ ଚିରକାଳ ତାହାଠାରେ ବନ୍ଧା ରହିବ ? ସେମାନେ ସନ୍ତାନ କାମନା କଲେ ସନ୍ତାନଲାଭ କରିପାରନ୍ତି, କିନ୍ତୁ ଏହି ସନ୍ତାନ ପାଇଁ ସେମାନେ ସ୍ୱାମୀ ଲୋଡ଼ିବେ ନାହିଁ । ଆମ୍ଭେମାନେ ଆଶାକରୁଁ ଭବିଷ୍ୟତରେ ମାନବ ଜାତି ମାତୃପ୍ରଧାନ ହେବ । ନାରୀ ବିବାହ ନ କରି ମଧ୍ୟ ମାତୃତ୍ୱର ଦାବୀ କରିବ । *

 

* But the achievement of economic independence by women, which is already seen clearly ahead of us, would be to make marriage disappear altogether not by formal abolition, but by simple disuse. (Bernard Shaw Getting Married–p.143)

 

ଏହି ବିବାହପ୍ରଥାଦ୍ୱାରା ସନ୍ତାନମାନଙ୍କର କି କୌଣସି ଲାଭ ହୋଇଅଛି ? କେହି କେହି କହନ୍ତି ବିବାହଦ୍ୱାରା ସନ୍ତାନର ଭାର ପିତା ମାତା ଉଭୟଙ୍କ ଉପରେ ପଡ଼ୁଛି; ବିବାହ ନ ଥିଲେ ଏକା ମାତାକୁ ତାହାର ସନ୍ତାନମାନଙ୍କର ଭାର ନେବାକୁ ପଡ଼ିବ । ଯେଉଁ ପିତା ସନ୍ତାନର ଭାର ନେଉଛି ତାହାର ଆୟ ଯଦି କମିଯାଏ କିବା ରୋଜଗାର ବନ୍ଦ ହୋଇଯାଏ କିମ୍ୱା ସେ ମରିଯାଏ ସମାଜ କି ପିତା ବଦଳ କରିବାର କିମ୍ୱା ନୂତନ ପିତା ଗ୍ରହଣ କରିବାର କୌଣସି ବନ୍ଦୋବସ୍ତ କରିଛି ? ସ୍ୱାମୀର ଏହି ଅନିଶ୍ଚିତ ସାହାଯ୍ୟର ଭରସାରେ ନାରୀର କି ମାତୃକୁଳ ଛାଡ଼ିଯିବା ଉଚିତ ? ମାତୃପ୍ରଧାନ ଜାତି ମଧ୍ୟରେ କନ୍ୟା କଦାପି ମାତୃକୁଳ ପରିତ୍ୟାଗ କରି ଯାଏ ନାହିଁ । ସେଠାରେ ସେ ତାହାର ମାତା ଓ ଭାଇ ଭଉଣୀମାନଙ୍କର ସାହାଯ୍ୟ ପାଏ । ତାହାର ଭାଇର କୌଣସି ନିର୍ଦ୍ଦିଷ୍ଟ ସ୍ତ୍ରୀ ନ ଥାଏ; ସେଥିପାଇଁ ସେ ନିଜର ସନ୍ତାନ କିଏ ତାହା ଜାଣିପାରେ ନାହିଁ । ତାହାର ଭଉଣୀର ସନ୍ତାନମାନଙ୍କୁ ସେ ନିଜର ସନ୍ତାନ ପରି ଯତ୍ନ କରେ । ପିତୃପ୍ରଧାନ ପରିବାରରେ ପିତା ମଲେ ସନ୍ତାନମାନେ ଅନାଥ ହୁଅନ୍ତି, କିନ୍ତୁ ମାତୃପ୍ରଧାନ ପରିବାରରେ ଯଦି ଗୋଟାଏ ମାମୁ ମରିଯାଏ ସେ ଅନ୍ୟ ମାମୁମାନଙ୍କର, ମାଉସୀ ଓ ଆଈମାନଙ୍କର ସାହାଯ୍ୟ ପାଏ । ଶିଶୁର ରକ୍ଷଣାବେକ୍ଷଣର ଭାର ଯେତେବେଳେ ଏତେଗୁଡ଼ି ଲୋକଙ୍କ ଉପରେ ନ୍ୟସ୍ତ ଅଛି ସେତେବେଳେ ନାରୀ ଏହି ଉଦ୍ଦେଶ୍ୟରେ ଜଣେ ଅପରିଚିତ ଯୁବକର ଦାସତ୍ୱ କରିବାକୁ ଯିବ କାହିଁକି ? ପୁନଶ୍ଚ ଯେଉଁ ସମାଜରେ ବିବାହ ନାହିଁ ସେ ସମାଜରେ ଅବରୋଧପ୍ରଥା ମଧ୍ୟ ନାହିଁ । ସେ ସମାଜରେ ନରନାରୀ ଉଭୟେ ରୋଜଗାର କରିବାକୁ ବାହାରି ଯାଆନ୍ତି । ପତି ନିର୍ଭର ସେ ସମାଜରେ ନାହିଁ । ପିତୃପ୍ରଧାନ ଜାତି ମଧ୍ୟରେ ସୁଦ୍ଧା ନାରୀ ବିଧବା ହେଲେ କି ସ୍ୱାମୀପରିତ୍ୟକ୍ତା ହେଲେ ସେ ମାତୃକୁଳକୁ ଚାଲିଯାଏ । ସେ ସେତେବେଳେ ମାତୃପ୍ରଧାନ ଜାତିର ରୀତିନୀତି ଅବଲମ୍ୱନ କରେ । ଆମ୍ଭେମାନେ ଦେଖିଅଛୁଁ ମାତୃପ୍ରଧାନ ଜାତିରେ ସମସ୍ତ ସମ୍ପତ୍ତିର ଅଧିକାରିଣୀ ମାତା; ମାତା ଅନ୍ତେ ତାହାର କନ୍ୟାମାନେ ସେ ସମ୍ପତ୍ତି ପାଆନ୍ତି । ଯେଉଁମାନେ ବଂଶ ରକ୍ଷା କରିବେ ସେହିମାନଙ୍କର ସମ୍ପତ୍ତିର ଆବଶ୍ୟକ । ଆମ୍ଭେମାନେ ନାରୀକୁ ସମସ୍ତ ଅଧିକାରରୁ ବଞ୍ଚିତ କରି କହୁଅଛୁଁ ଯେ ସେ ସନ୍ତାନ-ପାଳନ ଏବଂ ସନ୍ତାନଶିକ୍ଷାର ଗୁରୁଭାର ବହନ କରିବାକୁ ଅକ୍ଷମ । ସେ ତାହାର ସମସ୍ତ ନ୍ୟାଯ୍ୟ ଅଧିକାର ପାଇଲେ ନିଜକୁ ଅନ୍ୟଠାରେ ବିକ୍ରୟ ନ କରି ମଧ୍ୟ ଏକାକୀ ସନ୍ତାନର ସମସ୍ତ ଭାର ବହନ କରିବାକୁ ସକ୍ଷମ ହେବ । ସନ୍ତାନପ୍ରତି ତାହାର କର୍ତ୍ତବ୍ୟ ସମ୍ପାଦନ ସକାଶେ ନାରୀର ବିବାହ କରିବା ଆବଶ୍ୟକ ଏହା ଗୋଟାଏ ପ୍ରକାଣ୍ତ ମିଥ୍ୟା କଥା ।

 

୫ । ଆମ୍ଭମାନଙ୍କର କର୍ତ୍ତବ୍ୟ—

 

ଆମ୍ଭେମାନେ ଯେଉଁ ଆଲୋଚନାରେ ପ୍ରବୃତ୍ତ ହୋଇଅଛୁଁ ସେଥିରୁ ଦେଖିଲୁଁ ଯେ ସମାଜରେ ଯେତେବେଳେ ଯୌନସ୍ୱାଧୀନତା ପ୍ରଚଳିତ ଥିଲା ସେତେବେଳେ ପିତା କିଏ ନିର୍ଦେଶ କରିବା କଠିନ ହୋଇଥିଲା । ସେଥିପାଇଁ ସେ ସମୟରେ ସମାଜ ମାତୃପ୍ରଧାନ ଥିଲା । ଯେତେବେଳେ ପୁରୁଷମାନେ ଲୋଭର ବଶବର୍ତ୍ତୀ ହୋଇ ନିଜର ବ୍ୟବହାର ସକାଶେ ନାରୀବିଶେଷକୁ ହସ୍ତଗତ କଲେ ସେତେବେଳେ ମାତୃପ୍ରଧାନ ପରିବାର ଭାଙ୍ଗିଗଲା ଏବଂ ତାହା ପରିବର୍ତ୍ତରେ ପିତୃପ୍ରଧାନ ପରିବାର ସୃଷ୍ଟି ହେଲା । ଏହି ନୂତନ ବିଧି ସମାଜ ପକ୍ଷରେ ଯେ ହିତକର ଏହା ଭାବି ସମାଜ ଏ ବିଧି ସୃଷ୍ଟି କରି ନାହିଁ । ଲୋଭ, ଈର୍ଷା, ସ୍ୱାର୍ଥପରତା ଓ ପରଶ୍ରୀକାତରତା ଏମାନେ ମିଳି ସମାଜରେ ବିବାହବିଧି ସୃଷ୍ଟି କରିଅଛନ୍ତି । ଆମ୍ଭେମାନେ ଦେଖିଲୁଁ ସ୍ୱାର୍ଥକଳୁଷିତ ଏହି ବିଧିଦ୍ୱାରା କି ପୁରୁଷ କି ନାରୀ କିବା ସନ୍ତାନସନ୍ତତି କେହି ଲାଭବାନ୍‌ ହୋଇନାହାନ୍ତି । ତଥାପି ଅନ୍ଧ ସମାଜନୀତି, ଚରିତ୍ରନୀତି, ରାଷ୍ଟ୍ରନୀତି, ଅର୍ଥନୀତି ଓ ଧର୍ମନୀତି ଏହି ଅନ୍ଧ ବିବାହବିଧିକୁ ପୁଷ୍ଟ କରି ଆସୁଛନ୍ତି । ସଭ୍ୟତାର କ୍ରମବିକାଶରେ ବର୍ତ୍ତମାନ ମାନବ ତାହାର ଭ୍ରାନ୍ତି ବୁଝି ପାରିଅଛି । ସୋଭିୟେଟ୍ ରଶିୟାରୁ ବିବାହପ୍ରଥା ଏକପ୍ରକାର ଉଠି ଯାଇଅଛି । ସେମାନେ ଇଚ୍ଛାନୁସାରେ ବିବାହ କରୁଅଛନ୍ତି ଏବଂ ତାହା ଭାଙ୍ଗି ଦେଉଛନ୍ତି । ଏହା ବିବାହ ନୁହେ ସ୍ୱାଧୀନ-ମିଳନ ।  ଆମେରିକାରେ ବିଚାରପତି ଲିଣ୍ତ୍‌ସେ ନରନାରୀଙ୍କର ସ୍ୱାଧୀନ-ମିଳନ ଆଇନସଙ୍ଗତ କରିବା ପାଇଁ ସେଠାକାର ସରକାରଙ୍କୁ ଆବେଦନ କରିଥିଲେ । ସରକାର ତ ତାଙ୍କର ଆବେଦନ ମଞ୍ଜୁର କଲେ ନାହିଁ, ଅଧିକନ୍ତୁ ତାଙ୍କୁ ଜଜିୟତି କର୍ମରୁ ବରଖାସ୍ତ କଲେ । ସଭ୍ୟ ଜଗତର କେତେ ଲେଖକ ଲେଖିକା ଯୌନ-ସ୍ୱାଧୀନତାର ପକ୍ଷ ସମର୍ଥନ କରିଅଛନ୍ତି । ଇଉରୋପର ସାମ୍ୟବାଦୀ ସମାଜ (Socialists) ଧର୍ମ ଓ ବିବାହ ସମାଜ ପକ୍ଷରେ ଅକଲ୍ୟାଣକର ବୋଲି ତାହା ବର୍ଜନ କରିଅଛନ୍ତି-। ଏବେ ଆମ୍ଭମାନଙ୍କର ଉପାୟ କ’ଣ ?

 

ଆମ୍ଭମାନଙ୍କର ଯୁବକ-ଯୁବତୀମାନେ ଯୌନ-ସମସ୍ୟାର ଗୋଟାଏ ସହଜ ସମାଧାନ ଆବିଷ୍କାର କରିଅଛନ୍ତି । ସେମାନେ ସମାଜ ସହିତ ସଂଗ୍ରାମ କରିବାକୁ ଚାହାନ୍ତି ନାହିଁ, ଅଥଚ ନିଜର ଯୌନ-କ୍ଷୁଧା ମିଟାଇବା ବିଷୟରେ ପଶ୍ଚାତ୍‌ପଦ ନୁହନ୍ତି । ସେମାନେ ଗୁପ୍ତପ୍ରେମର ପନ୍ଥା ଅବଲମ୍ୱନ କରି ଅଛନ୍ତି । ସେମାନେ ଜନନକ୍ଷମ (procreative) ବିବାହର ପକ୍ଷପାତୀ ନୁହନ୍ତି, ଆମୋଦଜନକ (recreative) ସହବାସର ପକ୍ଷପାତୀ । ଜନ୍ମଶାସନର ଉପାଦାନମାନ ସଂଗ୍ରହ ଏବଂ ବ୍ୟବହାର କରି ସେମାନେ ସନ୍ତାନଦାୟରୁ ମୁକ୍ତ ହେଉଛନ୍ତି । ଯଦି କେତେବେଳେ ସନ୍ତାନର ସମ୍ଭାବନା ଦେଖୁଛନ୍ତି ଭ୍ରୁଣହତ୍ୟା ଦ୍ୱାରା ସେ ଦାୟରୁ ମୁକ୍ତ ହେଉଛନ୍ତି । ସୋଭିୟେଟ୍ ରଶିୟାରେ ଜନ୍ମଶାସନ ଏବଂ ଭ୍ରୁଣହତ୍ୟା ଆଇନସଙ୍ଗତ ହୋଇଅଛି । ଏତେ ଉପାୟ କରି ମଧ୍ୟ ଯଦି ସନ୍ତାନ ଜନ୍ମ ହୋଇପଡ଼ିଲା, ସେମାନେ ତାହାକୁ ଗୋପନରେ ଅନାଥାଶ୍ରମକୁ ପଠାଇ ଦେଉଛନ୍ତି । ଆମ୍ଭେମାନେ ଗୁପ୍ତ-ପ୍ରେମର ପକ୍ଷପାତୀ ନୋହୁଁ । ଯେଉଁମାନେ ପାପୀ ସେହିମାନେ ନିଜର କାର୍ଯ୍ୟକୁ ଲୁଚାଇ ରଖନ୍ତି । ସମାଜ ପକ୍ଷରେ ବିବାହ-ବହିର୍ଭୂତ ମିଳନର ଯଦି ଆବଶ୍ୟକତା ଥାଏ ଆମ୍ଭେମାନେ ତାହା ସମାଜଠାରେ ଜଣାଇବୁଁ ଏବଂ ସମାଜ ଯେପରି ତାହାର ପ୍ରାଚୀନ ପନ୍ଥା ତ୍ୟାଗ କରି ନୂତନ ପନ୍ଥା ଅବଲମ୍ୱନ କରେ ତାହାର ଆୟୋଜନ କରିବୁଁ ।

 

ସମାଜରେ ଯଦି ସ୍ୱାଧୀନ-ମିଳନ ପ୍ରଚଳିତ ହୁଏ ପିତା ନିର୍ଦ୍ଦେଶ କରିବା କଠିନ ହୋଇ ପଡ଼ିବ । ସେତେବେଳେ ଏକା ମାତା ସନ୍ତାନର ସମସ୍ତ ଭାର ବହନ କରିବ । ଏଥିପାଇଁ ମାତୃପ୍ରଧାନ ଜାତିରେ ଦେଖୁଁ ମାତାହିଁ ସମସ୍ତ ସମ୍ପତ୍ତିର ଅଧିକାରିଣୀ, ମାତା ଅନ୍ତେ କନ୍ୟାମାନେ ସେ ସମ୍ପତ୍ତି ପାଆନ୍ତି । ନାରୀକୁ ବଂଶ ରକ୍ଷା କରିବାକୁ ହେଉଅଛି । ସେଥିପାଇଁ ତାହାର ସମ୍ପତ୍ତିର ଆବଶ୍ୟକ । ପୁରୁଷମାନେ ସମ୍ପତ୍ତି ନେଇ କ’ଣ କରିବେ ? ଅବରୋଧ-ପ୍ରଥା ଉଠାଇ ଦେବାକୁ ହେବ । ନାରୀକୁ ସ୍ୱାଧୀନ ଜୀବିକା ଶିଖାଇବାକୁ ହେବ । ସେଥିପାଇଁ ସମାଜର ସମସ୍ତ କର୍ମକ୍ଷେତ୍ର ତାହାପାଇଁ ଉନ୍ମୁକ୍ତ ରଖିବାକୁ ହେବ । ପୁରୁଷ ନାରୀର ସ୍ୱାଧୀନତା ଓ ତାହାର ସ୍ୱାଧୀନ ଜୀବିକାର ସାହାଯ୍ୟ କରି ନାରୀବହନଭାରରୁ ଅର୍ଥାତ ବିବାହ ଭାରରୁ ନିଜକୁ ମୁକ୍ତ କରିବ । ‘‘Woman’s cause is man’s’’ ଯାହା ନାରୀ ପକ୍ଷରେ ହିତକର ତାହା ପୁରୁଷ ପକ୍ଷରେ ମଧ୍ୟ ହିତକର । ଆମ୍ଭେମାନେ ଉଚ୍ଛୃଙ୍ଖଳତାର ସାହାଯ୍ୟ କରୁ ନାହୁଁ । ସମାଜର ଗୋଟାଏ ଦାୟିତ୍ୱପୂର୍ଣ୍ଣ କର୍ତ୍ତବ୍ୟର ପନ୍ଥା ନିର୍ଦ୍ଦେଶ କରୁଅଛୁଁ । ସତୀତ୍ୱ ? ଆମ୍ଭେମାନେ ଏତେକାଳ ସ୍ତ୍ରୀକୁ ଅନ୍ୟର ସମ୍ପତ୍ତି ଭାବି ଆସୁଅଛୁଁ । ଯେତେବେଳେ ସେ ତାହାର ଅଧିକାରୀର ବିନା ଅନୁମତିରେ ସମ୍ଭୋଗ କରୁଅଛି ଅଥବା ସନ୍ତାନ ଲାଭ କରୁଅଛି ଆମ୍ଭେମାନେ ତାହାକୁ ଅଧିକାରୀ-ଦ୍ରୋହୀ ଅଥବା ଅସତୀ କହୁଅଛୁଁ-। ନୂତନ ନିୟମରେ ଯେତେବେଳେ ତାହାର ସ୍ୱାମୀ ଅଥବା ଅଧିକାରୀ ଅଦୃଶ୍ୟ ହେବ ସେ କାହା ବିରୁଦ୍ଧରେ ଅସତୀତ୍ୱ କରିବ ? ନାରୀକୁ ଜନ୍ମ-ଶାସନ-ବିଦ୍ୟା ଶିଖାଇବାକୁ ହେବ । ସେ ତାହାର ସ୍ୱାସ୍ଥ୍ୟ ନଷ୍ଟ ନ କରି, ନିଜର ଆୟର ଅନୁପାତରେ ଯେତେ ଗୋଟି ସନ୍ତାନର ଭାର ସେ ସହଜରେ ବହନ କରି ପାରେ ସେ କେବଳ ସେତେଗୋଟି ସନ୍ତାନକୁ ଜନ୍ମ ଦେବ । ଏଥିରେ ସମାଜର ଇଷ୍ଟ ଛଡ଼ା ଅନିଷ୍ଟ ନାହିଁ ।

 

ସମାଜ-ଶରୀରରେ ଦୁଇଗୋଟି ଭୂତ ପ୍ରବେଶ କରିଅଛନ୍ତି—ଧର୍ମ୍ମ ଓ ବିବାହ । ଏମାନେ ଏତେକାଳ ପରସ୍ପରକୁ ସାହାଯ୍ୟ କରି ଆସୁଛନ୍ତି । ଏମାନଙ୍କୁ ନ ତଡ଼ିଲେ ସମାଜର ମଙ୍ଗଳ ନାହିଁ ।

☆☆☆

 

Unknown

ସ୍ତ୍ରୀ ଜାତିର ସ୍ୱାଧୀନ ଜୀବିକା*

 

*(ଜନୈକ ବଙ୍ଗୀୟ ଲେଖକଦ୍ୱାରା ବଙ୍ଗ ଭାଷାରେ ଅନୁବାଦିତ ଏବଂ ବଙ୍ଗଳା ମାସିକ ପତ୍ରିକାରେ ପ୍ରକାଶିତ)

 

ଆମ୍ଭେମାନେ ଆଜି ସେହି ପୁରାତନ ଉଚ୍ଚନୀଚ-ଭେଦ ବିଷୟ ଆଲୋଚନା କରିବୁଁ । କେତେକ ଶ୍ରେଣୀ ଜନ୍ମ ଗୁଣରୁ ବିଦ୍ୟା, ବିଷୟ ଏବଂ ସ୍ୱାଧୀନତାର ଅଧିକାରୀ ହେବେ ଏବଂ ଅନ୍ୟ କେତେକ ଶ୍ରେଣୀ ଜନ୍ମ ଦୋଷରୁ ସମସ୍ତ ସୁଖମୟ ଅଧିକାରରୁ ବଞ୍ଚିତ ହେବେ ଏବଂ ଅନ୍ୟ ଶ୍ରେଣୀର ଅଧୀନତା କରିବେ ଏହାହିଁ ଉଚ୍ଚନୀଚ-ଭେଦର ମର୍ମ । ଉଚ୍ଚନୀଚ ଭେଦ ନିୟମ ଉଚ୍ଚ ସ୍ୱାଧୀନ ଶ୍ରେଣୀ ପକ୍ଷରେ ଅତ୍ୟନ୍ତ ସୁଖକର ବିଷୟ ସତ୍ୟ, କିନ୍ତୁ ନିମ୍ନ ପରାଧୀନ ଶ୍ରେଣୀ ପକ୍ଷରେ ଏହା ଅତ୍ୟନ୍ତ କଷ୍ଟକର ଅଟେ ।

 

ଏହି ସାମ୍ୟବାଦର ଯୁଗରେ ମଧ୍ୟ ଉଚ୍ଚନୀଚ-ଭେଦର ଅନେକ ପୃଷ୍ଠପୋଷକ ଅଛନ୍ତି । ସେମାନଙ୍କ ମତରେ ଉଚ୍ଚନୀଚ-ଭେଦ ପ୍ରକୃତିର ନିୟମ । ପ୍ରକୃତି ତାହାର ନିଜ ରାଜ୍ୟକୁ କେତେଗୁଡ଼ିଏ ସ୍ଥୂଳ ଶ୍ରେଣୀରେ ବିଭାଗ କରିଅଛି ଏବଂ ପ୍ରତ୍ୟେକ ଶ୍ରେଣୀ ସୋପାନକ୍ରମେ ତାହାର ଉପରିସ୍ଥ ଶ୍ରେଣୀର ଭିତ୍ତି ଏବଂ ଆସନ ହୋଇ ଅବସ୍ଥାନ କରୁଅଛି । ଜଡ଼-ପ୍ରକୃତି କି ଉଭିଦପ୍ରକୃତିର ଭିତ୍ତି ଏବଂ ଆସନ ନୁହେଁ ? ଉଭିଦ-ପ୍ରକୃତି କି ପଶୁ ପକ୍ଷୀମାନଙ୍କର ଜୀବନଧାରଣ ସକାଶେ ଅବସ୍ଥାନ କରୁ ନାହିଁ ଏବଂ ଏହି ପଶୁ-ଜଗତ ମଧ୍ୟ ମାନବ ଜାତିର ବ୍ୟବହାର, ମାନବ ଜାତିର ସୁଖ-ସ୍ୱଚ୍ଛନ୍ଦତା ସକାଶେ କି ଜୀବନ ଧାରଣ କରୁ ନାହିଁ ? ନିମ୍ନ ଶ୍ରେଣୀ ଉଚ୍ଚ ଶ୍ରେଣୀ ସକାଶେ ଜୀବନ ଧାରଣ କରିବ, ତାହାର ସ୍ୱାଧୀନ ଜୀବନ ନାହିଁ, ଏହାହିଁ ପ୍ରକୃତିର ନିୟମ, ପ୍ରକୃତିର ଆଦେଶ । ନିମ୍ନଶ୍ରେଣୀ ମସ୍ତକରେ ଉଚ୍ଚ ଶ୍ରେଣୀ ଆରୋହଣ କରି ଉନ୍ନତିଶିଖରକୁ ଗତି କରିବ ଏହାହିଁ କ୍ରମବିକାଶର ନିୟମ । ଆମ୍ଭେମାନେ ଏହି ପ୍ରାକୃତିକ ବୈଷମ୍ୟ ନୀତି ପରିତ୍ୟାଗ କରି ଯଦି ଆମ୍ଭମାନଙ୍କର ଗୋଟିଏ କପୋଳ-କଳ୍ପିତ ସାମ୍ୟ ନୀତି ଅବଲମ୍ୱନ କରୁଁ ତାହା ହେଲେ ପ୍ରକୃତିର ବିରୁଦ୍ଧାଚରଣ କରି ଆମ୍ଭେମାନେ କି ସମସ୍ତ ଉନ୍ନତି ମୂଳରେ କୁଠାରାଘାତ କରୁଁ ନା ? ଉଦାହରଣ ସ୍ୱରୂପ ଆମ୍ଭେମାନେ ସ୍ତ୍ରୀ-ପୁରୁଷ କଥା ଭାବୁଁ । ଜୀବଜଗତ୍‌ ମଧ୍ୟରେ ସ୍ତ୍ରୀ ଓ ପୁରୁଷ ଏହି ଯେ ଦୁଇଗୋଟି ମହାଜାତି ଅଛି, ସେଥି ମଧ୍ୟରୁ ସ୍ତ୍ରୀ ଜାତି ଦୁର୍ବଳ ଏବଂ ପୁରୁଷ ଜାତି ବଳବାନ୍‌ । ପ୍ରକୃତିର କି ଏହା ଉଦ୍ଦେଶ୍ୟ ନୁହେଁ ଯେ ଦୁର୍ବଳ ସ୍ତ୍ରୀ ଜାତି ବଳବାନ୍ ପୁରୁଷ ଜାତିର ଅଧୀନ ହେବ ? ଯେପରି ଉଭିଦ ପଶୁ ପକ୍ଷୀଙ୍କ ପାଇଁ ଜୀବନ ଧାରଣ କରେ, ପଶୁ ପକ୍ଷୀ ମାନବ ଜାତି ପାଇଁ ଜୀବନ ଧାରଣ କରେ, ସେହିପରି ସ୍ତ୍ରୀ ଜାତିର ଧର୍ମ କି ପୁରୁଷ ଜାତି ପାଇଁ ଜୀବନ ଧାରଣ କରିବା ନୁହେଁ ?

 

କେହି କେହି କହନ୍ତି ସ୍ତ୍ରୀମାନଙ୍କ ଜୀବନ ପୁରୁଷମାନଙ୍କ ସକାଶେ । ପୁରୁଷର କାର୍ଯ୍ୟ କରି, ପୁରୁଷର ବ୍ୟବହାରରେ ଲାଗି ସ୍ତ୍ରୀମାନେ ସେମାନଙ୍କ ଜୀବନ ସଫଳ କରିବେ । ସ୍ୱାଧୀନ ସ୍ତ୍ରୀ ଏହା ଗୋଟିଏ ଅସ୍ୱାଭାବିକ କଥା । ବାଇବେଲରେ କଥିତ ଅଛି ଈଶ୍ୱର ନିଜ ପ୍ରତିକୃତିରେ ପୁରୁଷକୁ ସୃଜନ କଲେ ଏବଂ ପୁରୁଷର ବ୍ୟବହାର ସକାଶେ ପୁରୁଷର ଶରୀରରୁ ଅସ୍ଥି ନେଇ ସ୍ତ୍ରୀ ଜାତି ସୃଜନ କଲେ । ଏଥିରୁ ସ୍ପଷ୍ଟ ଅନୁମିତ ହେବ ଯେ ବାଇବେଲ ମତରେ ସ୍ତ୍ରୀର ଅସ୍ତିତ୍ୱ ପୁରୁଷ ନିମିତ୍ତ । ଆମ୍ଭମାନଙ୍କ ସଂସ୍କୃତ ଭାଷାରେ ମଧ୍ୟ ଗୋଟିଏ ଶ୍ଳୋକ ଅଛି, ତାହାର ମର୍ମ ଏହି ଯେ ବାଲ୍ୟକାଳରେ ସ୍ତ୍ରୀ ପିତାର ଅଧୀନ ହେବ, ଯୌବନରେ ସ୍ୱାମୀର ଏବଂ ବାର୍ଦ୍ଧକ୍ୟରେ ପୁତ୍ରର ଅଧୀନ ହେବ । ପୁରୁଷର ଅଧୀନ ହେବା ସ୍ତ୍ରୀର ଧର୍ମ । ମତରେ ଯାହା ହେଉ, କାର୍ଯ୍ୟରେ କିନ୍ତୁ ସମସ୍ତ ଦେଶକାଳରେ ଏହି ନୀତି ଅବଲମ୍ୱିତ ହୋଇ ଆସୁଅଛି । ଏପରି କୌଣସି ଦେଶ କିମ୍ବା କାଳ ନାହିଁ ଯେଉଁଥିରେ ସ୍ତ୍ରୀ ଜାତି ଅଳ୍ପାଧିକ ପରିମାଣରେ ପୁରୁଷ ଜାତିର ଅଧୀନ ନୁହେ ।

 

କେହି କହି ପାରନ୍ତି ଯଦି ସ୍ତ୍ରୀ ଜାତି ପୁରୁଷ ଜାତିର ଅଧୀନ ହେବାଟା ସ୍ୱାଭାବିକ ହୋଇ ନ ଥାନ୍ତା ତାହାହେଲେ ଏହା ନିର୍ବିବାଦରେ ସର୍ବଦେଶରେ କିପରି ପ୍ରଚଳିତ ହୁଅନ୍ତା ? ସର୍ବଦେଶରେ ଏକ ନୀତି ପ୍ରଚଳିତ ହେବାଦ୍ୱାରା ସେହି ନୀତିର ସ୍ୱାଭାବିକତା ଏବଂ ଯୁକ୍ତିଯୁକ୍ତତା କି ପ୍ରମାଣିତ ହେଉ ନାହିଁ ? ଜନ୍‌ ଷ୍ଟୁୟାର୍ଟ ମିଲ୍ ତାଙ୍କର ‘‘Subjection of Women’’ ନାମକ ଗ୍ରନ୍ଥରେ ଏହି ଯୁକ୍ତିର ଉତ୍ତରରେ କହିଅଛନ୍ତି ଯେ ଭିନ୍ନ ଭିନ୍ନ ଦେଶ ଆଲୋଚନାଦ୍ୱାରା ସିଦ୍ଧାନ୍ତ କରି ସ୍ତ୍ରୀ ଜାତିର ପରାଧୀନତା ସମାଜ ମଧ୍ୟରେ ପ୍ରଚଳିତ କରି ନାହାନ୍ତି କିମ୍ୱା ସେମାନଙ୍କ ବିଧିବିଧାନର ଅଙ୍ଗୀଭୂତ କରିନାହାନ୍ତି; ବିଧି-ବିଧାନର ବହୁପୂର୍ବରୁ-ସମାଜନୀତି ଏବଂ ରାଜନୀତିର ସୃଷ୍ଟିର ବହୁପୂର୍ବରୁ ସ୍ତ୍ରୀଜାତି ପାଶବଶକ୍ତିରେ ନ୍ୟୂନ ଏବଂ ପୁରୁଷ ଜାତିର ଭୋଗ୍ୟ ଥିବାରୁ ପୁରୁଷ ଜାତିର ଅଧୀନତା ସ୍ୱୀକାର କରିଅଛନ୍ତି । କାରଣ ସେହି ପ୍ରାଚୀନ ଯୁଗରେ ନ୍ୟାୟ ଅନ୍ୟାୟ, ଧର୍ମ ଅଧର୍ମ ଏହାର ପାର୍ଥକ୍ୟ ଲୋକେ ଅନୁଭବ କରି ନ ଥିଲେ—‘‘ଯୋର ଯାହାର ମୁଲକ ତାହାର’’ ସମସ୍ତେ ଏହି ପ୍ରାକୃତିକ ନୀତି ଅନୁସରଣ କରୁଥିଲେ; ଯେ ଦୁର୍ବଳ ହେଲା ତାହାକୁ ବଳବାନର ଦାସତ୍ୱ କରିବାକୁ ପଡ଼ିଲା । ସେହି ପ୍ରାଚୀନ ଯୁଗରେ ପ୍ରକୃତିର ଏହି ସାଙ୍ଘାତିକ ନିୟମ ଅନୁସରଣ କରି ସମଗ୍ର ସ୍ତ୍ରୀ ଜାତି ଦୁର୍ବଳ ଥିବାରୁ ବଳବାନ ପୁରୁଷ ଜାତିର ବଶ୍ୟତା ସ୍ୱୀକାର କରିଅଛନ୍ତି । ସ୍ତ୍ରୀ ଜାତିର ପରାଧୀନତା ଏହିରୂପେ ପ୍ରାଚୀନ କାଳରୁ ସମାଜ ମଧ୍ୟରେ ଚଳି ଆସୁଅଛି । ଯେତେବେଳେ ସମାଜ ମଧ୍ୟରେ ବିଧି ବିଧାନର ଉଦୟ ହେଲା, ସେତେବେଳେ ସମାଜ ସ୍ତ୍ରୀ ଜାତିର ଏହି ବହୁକାଳବ୍ୟାପୀ ପରାଧୀନତାର ଯୁକ୍ତିଯୁକ୍ତତା ବିଚାର ନ କରି ତାହାକୁ ନିଜର ବିଧିବିଧାନର ଅଙ୍ଗୀଭୂତ କଲା ।

 

କେବଳ ଯେ ହିନ୍ଦୁଶାସ୍ତ୍ର ସ୍ତ୍ରୀ ଜାତିର ଅଧିକାର କାଢ଼ି ନେଇଅଛି ତାହା ନୁହେ, କିନ୍ତୁ ଭିନ୍ନ ଭିନ୍ନ ଦେଶର ସାମାଜିକ ଏବଂ ରାଜନୈତିକ ବ୍ୟବସ୍ଥାରେ ଅନେକ ପ୍ରଧାନ ପ୍ରଧାନ ବିଷୟରେ ସ୍ତ୍ରୀ ଜାତିର ଅଧିକାର ନାହିଁ । ଶାସ୍ତ୍ର ସବୁ ସ୍ତ୍ରୀ ଜାତିର ସ୍ୱାଧିନତା, ସ୍ତ୍ରୀ ଜାତିର ଅଧିକାର କାଢ଼ିନେଇ ଅଛନ୍ତି କହିବାଟା ଠିକ୍ ନୁହେ । ଯେଉଁ ଅଧିକାରରୁ ସେମାନେ ପୂର୍ବେ ବଞ୍ଚିତ ହୋଇଥିଲେ ସେହିସବୁ ଅଧିକାର ନ ଥିବା ବିଷୟ ଶାସ୍ତ୍ରସବୁ ଲିପିବଦ୍ଧ କରି ଯାଇଅଛନ୍ତି । ପ୍ରାଚୀନ ରୀତିକୁ ସେମାନେ ସ୍ୱୀକାର କରିଅଛନ୍ତି—ସେମାନଙ୍କର ନିଜର ଅଙ୍ଗୀଭୂତ କରିଅଛନ୍ତି, କୌଣସି ନୂତନ ରୀତି ସେମାନେ ସୃଷ୍ଟି କରି ନାହାନ୍ତି । ଏହିରୂପେ ମିଲ୍‌ ପ୍ରମାଣ କରିଅଛନ୍ତି ଯେ ଭିନ୍ନ ଭିନ୍ନ ଦେଶର ଶାସ୍ତ୍ରରେ ସ୍ତ୍ରୀ ଜାତିର ପରାଧିନତା ବିଷୟ ଲିପିବଦ୍ଧ ଥିବା ଯୋଗୁଁ ଏହା ଅନୁମିତ ହୋଇ ନ ପାରେ ଯେ ସ୍ତ୍ରୀ ଜାତିର ପରାଧିନତା ସ୍ୱାଭାବିକ ଏବଂ ଯୁକ୍ତିସଙ୍ଗତ ଅଟେ । ସମାଜନୀତି, ରାଜନୀତି କିମ୍ୱା ଧର୍ମନୀତି ସର୍ବତ୍ର ଆମ୍ଭେମାନେ ଦେଖୁଁ ଶାସ୍ତ୍ର ଦେଶାଚାର ସୃଷ୍ଟି କରୁ ନାହିଁ; ପକ୍ଷାନ୍ତରେ ଦେଶାଚାର ନିଜର ଅନୁରୂପ ଶାସ୍ତ୍ର ସୃଷ୍ଟି କରୁଅଛି ।

 

ସାମାଜିକ ଜୀବନରେ ନାରୀଜାତିର ସ୍ଥାନ ବିଷୟରେ ଅନ୍ୟ ଗୋଟିଏ ବିଚିତ୍ର ମତ ଦୃଷ୍ଟିଗୋଚର ହୁଏ । କେହି କେହି କହନ୍ତି ସ୍ତ୍ରୀମାନେ ସମାଜର ଦାସୀ ନୁହନ୍ତି, ସେମାନେ ସମାଜର ଦେବୀ । ଈଶ୍ୱର ସେମାନଙ୍କୁ ପ୍ରୀତି, ପୁଣ୍ୟ, ସୌନ୍ଦର୍ଯ୍ୟ, ଦୟା, ମାୟା, କ୍ଷମା ଇତ୍ୟାଦି ସ୍ୱର୍ଗୀୟ ଗୁଣରେ ଭୂଷିତ କରିଅଛନ୍ତି । ଅତଏବ ସେମାନେ ପୁରୁଷମାନଙ୍କର ପୁଜାର୍ହ ଏବଂ ପୁରୁଷମାନେ ସେମାନଙ୍କର ଆଜ୍ଞାବହ ହେବା ଉଚିତ । ‘‘ଯତ୍ର ନାର୍ଯ୍ୟସ୍ତୁ ପୂଜ୍ୟନ୍ତେ ରମନ୍ତେ ତତ୍ର ଦେବତାଃ’’ । ଏହି ନାରୀପୂଜା କେବଳ ଯେ ଭାରତର ପ୍ରାଚୀନ ଯୁଗରେ ଦୃଷ୍ଟିଗୋଚର ହୁଏ ଏପରି ନୁହେ; ଇୟୁରୋପରେ ମଧ୍ୟ chivalry ଯୁଗରେ ଏହାର ଉଜ୍ଜ୍ୱଳ ଦୃଷ୍ଟାନ୍ତ ମିଳେ । କିନ୍ତୁ ଏହି ନାରୀପୂଜା ଅନ୍ୟାନ୍ୟ ପୂଜା ପରି ପୌତ୍ତଳିକତା ଦୋଷରେ ଦୂଷିତ । ପୌତ୍ତଳିକତା କ’ଣ ? ଗୋଟିଏ ନିର୍ଜୀବ ବସ୍ତୁପ୍ରତି ଅନ୍ଧ ଭକ୍ତିର ନାମ ପୌତ୍ତଳିକତା । ଯଦି ଆମ୍ଭେମାନେ ନାରୀଜାତିର ଅବସ୍ଥାର ଉନ୍ନତି ନ କଲୁଁ, ଯଦି ସେମାନଙ୍କୁ ସର୍ବପ୍ରକାର ସ୍ଵାଧୀନତାରୁ ବଞ୍ଚିତ କଲୁଁ, ତେବେ ସେମାନଙ୍କୁ ପୂଜା କରି ଫଳ କ’ଣ ? ସେ ଶୁଷ୍କ ପୂଜାଦ୍ୱାରା ନାରୀଜାତିର କେଉଁ ଇଷ୍ଟ ସମ୍ପାଦିତ ହେବ ? ପ୍ରକୃତ ପକ୍ଷରେ କୌଣସି ଜାତି ଅପର ଜାତିର ପୂଜ୍ୟ ନୁହନ୍ତି କିମ୍ବା ସେମାନଙ୍କର ସେବାର ଦାସୀ ନୁହନ୍ତି । ସମସ୍ତେ ସମାନ; ସମସ୍ତେ ସମାଜ-ଅଙ୍ଗର ଗୋଟିଏ ଗୋଟିଏ ପ୍ରଧାନ ବିଭାଗରୂପେ ପ୍ରତିଷ୍ଠିତ । ଯେପରି ଇତର ଜୀବ ଜାତି ମଧ୍ୟରେ ସ୍ତ୍ରୀ ପୁରୁଷ ମଧ୍ୟରେ ଉଚ୍ଚନୀଚ-ଭେଦ ନାହିଁ, ଉଭୟେ ସମାନ ସ୍ଥାନ ଅଧିକାର କରନ୍ତି, ସେହିପରି ମାନବ ଜାତିରେ ମଧ୍ୟ ସ୍ତ୍ରୀ ପୁରୁଷ ଭେଦରେ ଅଧିକାର-ଭେଦ ହେବା ଅନୁଚିତ । ଆମ୍ଭେମାନେ ମାନବ ଜାତି ମଧ୍ୟରେ ଲିଙ୍ଗଭେଦ ଅନୁସାରେ ଯେଉଁ ଉଚ୍ଚନୀଚଭେଦ ଦୃଷ୍ଟିଗୋଚର କରୁଁ ତାହା ଅନ୍ୟ କୌଣସି ଜୀବଜାତି ମଧ୍ୟରେ ଦୃଷ୍ଟିଗୋଚର ହୁଏ ନାହିଁ ।

 

ବର୍ତ୍ତମାନ ଯୁଗରେ ପାଶବ-ଶକ୍ତିର ରାଜତ୍ୱ ନାହିଁ; ମାନସିକ ଶକ୍ତିର ରାଜତ୍ୱ । ସ୍ତ୍ରୀମାନେ ଶାରୀରିକ ଦୁର୍ବଳତା ଯୋଗୁଁ କିପାଇଁ ପୁରୁଷମାନଙ୍କ ସହିତ ସମାନ ଅଧିକାର ନ ପାଇବେ ? ଆମ୍ଭେମାନେ ସ୍ତ୍ରୀ ସ୍ୱାଧୀନତାର ପକ୍ଷପାତୀ । ଯେଉଁ ସ୍ୱାଧୀନତାର ରସ ପୁରୁଷମାନେ ଭୋଗ କରି ଅଛନ୍ତି ଏବଂ କରୁ ଅଛନ୍ତି ତାହା ସ୍ତ୍ରୀମାନଙ୍କୁ ଦେବାହିଁ ଆମ୍ଭମାନଙ୍କର ମତ । ଅନ୍ୟ କୌଣସି ଜୀବଜାତି ମଧ୍ୟରେ ସ୍ତ୍ରୀ ସ୍ୱାଧୀନତା-ଧନରୁ ବଞ୍ଚିତ ନୁହେ, ମାନବଜାତି ମଧ୍ୟରେ ସେ କାହିଁକି ସେ ସ୍ୱାଧୀନତା-ଧନରୁ ବଞ୍ଚିତ ହେବ ?

 

ସ୍ତ୍ରୀ-ସ୍ୱାଧୀନତା ସ୍ୱରୂପ କିପରି ହେବା ଉଚିତ୍ ? ଯେଉଁ ଦେଶରେ ଅବରୋଧ-ପ୍ରଥା ପ୍ରଚଳିତ ଅଛି, ସେ ଦେଶର ଲୋକେ କହିବେ ଯେ ସ୍ତ୍ରୀମାନଙ୍କୁ ଜନାନା ମଧ୍ୟରୁ ବାହାର କରିବାହିଁ ସ୍ତ୍ରୀ-ସ୍ୱାଧୀନତା । ଅବଶ୍ୟ ବାହାରକୁ ବାହାରି ମୁକ୍ତ-ବାୟୁ ଏବଂ ସୂର୍ଯ୍ୟ-ରଶ୍ମି ଉପଭୋଗ କରିବା ଗୋଟିଏ ସୁଖକର ବ୍ୟାପାର, କିନ୍ତୁ ଆମ୍ଭମାନଙ୍କ ଦେଶର ସ୍ତ୍ରୀଲୋକମାନେ ବହୁକାଳ ଗୃହପିଞ୍ଜରରେ ରହି ଏପରି ପୋଷାମାନି ଯାଇ ଅଛନ୍ତି ଯେ ସେମାନେ ବିଶେଷ କାରଣ-ଅଭାବରେ ବାହାରକୁ ବାହାରିବାକୁ ଅନିଚ୍ଛୁକ; ଗୃହ-କୋଣରେ ରହିବାକୁ ସେମାନେ ସୁଖ ମଣନ୍ତି । ପୁନଶ୍ଚ, ସ୍ତ୍ରୀମାନଙ୍କର ପୁରୁଷମାନଙ୍କ ପରି ସାମାଜିକ କର୍ମକ୍ଷେତ୍ରରେ ସ୍ୱାଧୀନ ଭାବରେ ଅବତୀର୍ଣ୍ଣ ହେବାର ଅଧିକାର ନାହିଁ । ସେମାନେ ବାହାରକୁ ବାହାରି କ’ଣ କରିବେ ? କି ସାମାଜିକ କି ରାଜନୈତିକ ସର୍ବ ପ୍ରକାର କର୍ମକ୍ଷେତ୍ର ପୁରୁଷମାନଙ୍କ ପାଇଁ ଯେପରି ଉନ୍ମୁକ୍ତ ଅଛି, ସ୍ତ୍ରୀମାନଙ୍କ ପାଇଁ ସେହିପରି ଉନ୍ମୁକ୍ତ କରିବାହିଁ ସ୍ତ୍ରୀ-ସ୍ୱାଧୀନତା । ସ୍ୱାଧୀନ କର୍ମକ୍ଷେତ୍ରର ସର୍ବ ପ୍ରକାର ଦ୍ୱାର ରୁଦ୍ଧ କରିବା ଏବଂ ସ୍ୱାଧୀନ ଜୀବିକାର ସର୍ବବିଧ ଉପାୟ ବନ୍ଦ କରି ଦେବାହିଁ ସ୍ତ୍ରୀଜାତିର ପରାଧୀନତା, ସେମାନଙ୍କର ଦାସତ୍ୱ । ସରଳ ଭାଷାରେ କହିବାକୁ ଗଲେ ଆମ୍ଭମାନଙ୍କ ମତରେ ସ୍ତ୍ରୀମାନେ ଚାକିରି କରିବେ, ବ୍ୟବସାୟ ବାଣିଜ୍ୟ କରିବେ ଏବଂ ପୁରୁଷମାନଙ୍କ ପରି ସ୍ୱାଧୀନ ଭାବରେ ଜୀବିକାର୍ଜନ କରିବେ, ପୁରୁଷମାନଙ୍କ ମୁଖାପେକ୍ଷୀ ହେବେ ନାହିଁ, ରାଜ୍ୟ-ଶାସନରେ ମଧ୍ୟ ସେମାନେ ପୁରୁଷମାନଙ୍କ ସହିତ ସମାନ ଅଧିକାର ପାଇବେ, ଏବଂ ସମାଜ ମଧ୍ୟରୁ ସ୍ତ୍ରୀପୁରୁଷ ଏହି ଉଚ୍ଚନୀଚଭେଦ ଏକାବେଳେ ଉଠିଯିବ । ବର୍ତ୍ତମାନ ସୋଭିୟେଟ୍‌ ରଶିୟାରେ ସର୍ବ ପ୍ରକାର କର୍ମକ୍ଷେତ୍ର ସ୍ତ୍ରୀ-ପୁରୁଷ ଉଭୟଙ୍କ ପାଇଁ ସମାନରୂପେ ଉନ୍ମୁକ୍ତ ।

 

ସ୍ତ୍ରୀଲୋକମାନେ ଯଦି ନିଜ ନିଜର ଅନ୍ନ ସଂଗ୍ରହ ନ କରନ୍ତି, ସେମାନଙ୍କ ପାଇଁ ଅନ୍ୟ କେହି ସେ କାର୍ଯ୍ୟ କରିବ । ବର୍ତ୍ତମାନ ଉପଯୁକ୍ତ ପାତ୍ର ଅଭାବରେ ଅନେକ ନାରୀ ବିବାହ-ବ୍ରତ ଅବଲମ୍ୱନ କରନ୍ତି ନାହିଁ; ବିବାହ କରି ମଧ୍ୟ କେହି କେହି ସ୍ୱାମୀ ହରାଇ ବସୁ ଅଛନ୍ତି ଅଥବା ସେମାନଙ୍କ ସ୍ୱାମୀ ଯଥେଷ୍ଟ ଉପାର୍ଜନ କରି ପାରୁ ନାହିଁ । ଅନେକଙ୍କର ପୁତ୍ରଲାଭ ହେଉ ନାହିଁ, କିମ୍ୱା ହେଲେ ମଧ୍ୟ ସେ ପୁତ୍ର ଉପାର୍ଜନକ୍ଷମ ହେଉ ନାହିଁ । ଏ କ୍ଷେତ୍ରେ ପରର ଗଳଗ୍ରହ ନ ହୋଇ ଯଦି ନାରୀମାନଙ୍କୁ ଜୀବନ-ଧାରଣ କରିବାକୁ ହୁଏ ସେମାନେ ନିଜର ଜୀବିକା ନିଜେ ଅର୍ଜନ କରିବେ ।

 

ଭାରତରେ ନିମ୍ନ ଶ୍ରେଣୀର ସ୍ତ୍ରୀଲୋକମାନେ ଯେଉଁ ଅଧିକାର ପାଇଅଛନ୍ତି ଉଚ୍ଚଶ୍ରେଣୀର ସ୍ତ୍ରୀଲୋକମାନେ ସେଥିରୁ ବଞ୍ଚିତ । ଉତ୍କଳରେ କେଉଟୁଣୀ ମାଛ, ଗଉଡ଼ୁଣୀ ଦୁଧ, ଗୁଡ଼ିଆାଣୀ ମୁଢ଼ି, ତେଲୁଣୀ ତେଲ ବିକି ଏବଂ ଅନ୍ୟାନ୍ୟ ସ୍ତ୍ରୀମାନେ ଅନ୍ୟ ପ୍ରକାର ବ୍ୟବସାୟ ଅବଲମ୍ୱନ କରି ନିଜ ନିଜ ଜୀବିକା ନିର୍ବାହ କରନ୍ତି । ସମ୍ୱଲପୁର ଅଞ୍ଚଳରେ ପୁରୁଷମାନଙ୍କ ଅପେକ୍ଷା ସ୍ତ୍ରୀମାନଙ୍କୁ କର୍ମକ୍ଷେତ୍ରରେ ଅଧିକ ଦେଖାଯାଏ । ସେଠାରେ ସ୍ତ୍ରୀମାନେ ଏଡ଼େ ପରିଶ୍ରମୀ ଏବଂ ସେମାନେ ଏତେ ଅଳ୍ପ ମଜୁରୀରେ ସନ୍ତୁଷ୍ଟ ହୁଅନ୍ତି ଯେ ଲୋକେ ପୁରୁଷ ଅପେକ୍ଷା ସ୍ତ୍ରୀ ଦ୍ୱାରା ଅଧିକ କାର୍ଯ୍ୟ ଚଳାଇ ନିଅନ୍ତି । ଦୁଃଖର ବିଷୟ ଉଚ୍ଚ ଶ୍ରେଣୀର ସ୍ତ୍ରୀଲୋକମାନଙ୍କର କର୍ମକ୍ଷେତ୍ରରେ ଯୋଗ ଦେବାର ସେପରି ସୁଯୋଗ ନାହିଁ । ହିନ୍ଦୁ ସମାଜରେ ଯଦି ସେପରି ସ୍ତ୍ରୀଲୋକ ବିଧବା ହେଲା ଅଥବା ତାହାର ସ୍ୱାମୀ ଉପାର୍ଜନରେ ଅକ୍ଷମ ହେଲା, ତାହାକୁ କୌଣସି ଜ୍ଞାତି-କୁଟୁମ୍ୱର ଗଳଗ୍ରହ ହେବାକୁ ପଡ଼େ; ସ୍ଥଳ ବିଶେଷରେ ଅବସ୍ଥା ଏଡ଼େ ଶୋଚନୀୟ ହୋଇ ପଡ଼େ ଯେ ତାହା ପକ୍ଷରେ ଚରିତ୍ର ରକ୍ଷା କରିବା ଦୁଷ୍କର ହୋଇ ଉଠେ । ଖ୍ରୀଷ୍ଟୀୟ ଏବଂ ବ୍ରାହ୍ମ ସମାଜର ନାରୀମାନେ ଉଚ୍ଚ-ଶିକ୍ଷା ପାଉଅଛନ୍ତି ଏବଂ ଭଦ୍ର-ବ୍ୟବସାୟର ଉପଯୋଗୀ ହୋଇ ଶିକ୍ଷା କିମ୍ୱା ଚିକିତ୍ସା କାର୍ଯ୍ୟ ଅବଲମ୍ୱନ କରୁଅଛନ୍ତି । ଉତ୍କଳର କେତେ ଗୁଡ଼ିଏ ଖ୍ରୀଷ୍ଟୀୟ ରମଣୀ ସୂଚିକାର୍ଯ୍ୟ କରି ଜୀବିକା ନିର୍ବାହ କରନ୍ତି । ପାଦ୍ରୀମାନେ ସେମାନଙ୍କର ସୂଚିକାର୍ଯ୍ୟଗୁଡ଼ି ବିକ୍ରୟ ସକାଶେ ବିଦେଶକୁ ପଠାଇ ଦିଅନ୍ତି । ଏହିରୂପେ ଯୁବତୀମାନେ ଏତେ ଅଧିକ ଉପାର୍ଜନ କରନ୍ତି ଯେ ସେମାନେ ବିବାହର ଆବଶ୍ୟକତା ଅନୁଭବ କରନ୍ତି ନାହିଁ । *

 

*ପ୍ରବନ୍ଧ-ଲେଖକ ମହୋଦୟ ଉତ୍କଳଦେଶ ସମ୍ୱନ୍ଧରେ ଯାହା କହି ଅଛନ୍ତି ଆମ୍ଭମାନଙ୍କ ବଙ୍ଗଦେଶ ସମ୍ୱନ୍ଧରେ ମଧ୍ୟ ତାହା କୁହା ଯାଇପାରେ । ବଙ୍ଗଦେଶର ହିନ୍ଦୁସମାଜରେ (ଅନେକ ସ୍ଥଳରେ ନିମ୍ନଶ୍ରେଣୀର ମୁସଲମାନ ସମାଜରେ ମଧ୍ୟ) ନିମ୍ନସ୍ତରର ରମଣୀମାନେ ସ୍ୱାଧୀନ ଭାବରେ ଜୀବିକା ଅର୍ଜନ କରନ୍ତି ଏବଂ ତାହାଦ୍ୱାରା ନିଜର ଏବଂ ସନ୍ତାନ ସନ୍ତତିମାନଙ୍କର ଭରଣ-ପୋଷଣ ଚଳେ ଏବଂ ଅନେକ ସମୟରେ ସ୍ୱାମୀ-କୁଟୁମ୍ୱମାନଙ୍କର ମଧ୍ୟ ବିଶେଷ ସାହାଯ୍ୟ ହୁଏ । ଏପରି ଅନେକ ବ୍ୟବସାୟ ଅଛି ଯେଉଁଥିରେ ସ୍ତ୍ରୀର ସାହାଯ୍ୟ ଏକାନ୍ତ ଆବଶ୍ୟକ ହୁଏ । ବଙ୍ଗଦେଶର ରଙ୍ଗପୁର, କୁଚବିହାର ପ୍ରଭୃତି ପ୍ରଦେଶରେ ଦେଖାଯାଏ ଯେ କୃଷିଜୀବୀ ଲୋକମାନଙ୍କର ରମଣୀମାନେ କୃଷି କାର୍ଯ୍ୟରେ ବିଶେଷ ସାହାଯ୍ୟ କରନ୍ତି । ଆସାମରେ ମଧ୍ୟ ସେହିରୂପ । ପଶ୍ଚିମ-ବଙ୍ଗର ବାଙ୍କୁଡ଼ା, ବୀରଭୂମୀ ପ୍ରଭୃତି ପ୍ରଦେଶର ବାଗଦୀ ସାନ୍ତାଳ ପ୍ରଭୃତି ଜାତିର ସ୍ତ୍ରୀଲୋକମାନେ କିପରି ପରିଶ୍ରମୀ ତାହା ଅନେକେ ଦେଖିଅଛନ୍ତି । ତେବେ ବଙ୍ଗଦେଶରେ ଅତି ଅଳ୍ପ ସଂଖ୍ୟକ ଭଦ୍ରବଂଶୀୟ ମହିଳା ଧାତ୍ରୀ, ଡାକ୍ତରୀ, ଶିକ୍ଷୟିତ୍ରୀ ପ୍ରଭୃତି ବ୍ୟବସାୟ କରି ସ୍ୱାଧୀନ ଭାବରେ ଜୀବିକା ନିର୍ବାହ କରନ୍ତି । ସମାଜ କି ସେମାନଙ୍କ ପ୍ରତି ସମୁଚିତ ଶ୍ରଦ୍ଧା ଓ ସମ୍ମାନ ପ୍ରଦର୍ଶନ କରିଥାଏ-?

 

ଅନୁବାଦକ ।

 

ଅର୍ଥନୈତିକ କାରଣ ଛଡ଼ା ନାରୀମାନଙ୍କର ସ୍ୱାଧୀନଜୀବିକାର ଅନ୍ୟ ଗୋଟିଏ ବିଶେଷ କାରଣ ଅଛି । ନରନାରୀର ମିଳନରେ ସୁଖଠାରୁ ଦୁଃଖର ସମ୍ଭାବନା ଅଧିକ । ଉପଯୁକ୍ତ ପାତ୍ର ନ ମିଳିଲେ ଏ ମିଳନ ସୁଖକର ହୁଏ ନାହିଁ । କିନ୍ତୁ ସୁପାତ୍ର ସବୁ ସମୟରେ ମିଳିବା ସହଜ ନୁହେଁ, ଏବଂ ଅନେକଙ୍କ ପକ୍ଷରେ ତାହା ଅସମ୍ଭବ । ଏଥିପାଇଁ ନାରୀମାନଙ୍କୁ ଅପେକ୍ଷା କରିବା ଆବଶ୍ୟକ ଏବଂ ଅନେକଙ୍କ ପକ୍ଷରେ ଚିରକୁମାରୀ ହେବା ବାଞ୍ଛନୀୟ । ସେମାନେ ଯଦି ନିଜର ଜୀବିକା ନିଜେ ଉପାର୍ଜନ କରିବାକୁ ଅକ୍ଷମ, ସେମାନଙ୍କୁ ବାଧ୍ୟ ହୋଇ ଅତିଶୀଘ୍ର ବିବାହ-ବନ୍ଧନରେ ଜଡ଼ିତ ହେବାକୁ ହେବ । Marry in haste, repent at leisure. ତରବର ହୋଇ ବିବାହ କଲେ ସେଥିପାଇଁ ଅନେକ କାଳ କି ଚିରକାଳ ଭୋଗିବାକୁ ହୁଏ । ପୁନଶ୍ଚ,ଅନେକ ସ୍ଥଳରେ ନାନା କାରଣରୁ ବିବାହ-ବନ୍ଧନ ଦୁଃଖ ଓ ଅଶାନ୍ତିମୟ ହୋଇ ପଡ଼େ । ବିବାହିତ ସ୍ତ୍ରୀ ପୁରୁଷଙ୍କୁ ଏ ଦୁର୍ଭୋଗରୁ ମୁକ୍ତି ଦେବା ସମାଜର ଗୋଟିଏ ବିଶେଷ କର୍ତ୍ତବ୍ୟ । କିନ୍ତୁ ସ୍ତ୍ରୀ ପୁରୁଷ ଯଦି ସ୍ୱାଧୀନଭାବରେ ନିଜ ନିଜର ଜୀବିକା ଉପାର୍ଜନ କରି ନ ପାରନ୍ତି ସେମାନେ ସେମାନଙ୍କର ବନ୍ଧନ ଛିନ୍ନ କରିବେ କିପରି ? ଆମ୍ଭେମାନେ ବିବାହ ବିଷୟରେ ଅଚ୍ଛେଦ୍ୟ ବନ୍ଧନର ପକ୍ଷପାତୀ ନୋହୁଁ । ବ୍ୟକ୍ତି ଉପରେ ସମାଜର ଓ ଧର୍ମର ଏହା ଗୋଟିଏ ବିଶେଷ ଅତ୍ୟାଚାର । ଯଦି ନରନାରୀର ମିଳନରେ ସ୍ୱାଧୀନତା ନ ରହିଲା, ସାମାଜିକ ଓ ରାଜନୈତିକ ସ୍ୱାଧୀନତାରେ ଲାଭ କ’ଣ ? ଯଦି ସମସ୍ତ ସୁଖ ଓ ଶାନ୍ତିର ଉତ୍ସ ଦୂଷିତ ହୁଏ, ତାହା ହେଲେ ଜୀବନ ଧାରଣ କରିବା ନିଷ୍ପ୍ରୟୋଜନ ।

 

ଅବିବାହିତା ରମଣୀ ପକ୍ଷରେ ନିଜର ଜୀବିକା ଅର୍ଜନ କରିବା କଷ୍ଟକର ନୁହେ । କିନ୍ତୁ ବିବାହିତ ରମଣୀ ଯେ ସନ୍ତାନ-ପ୍ରସବ, ସନ୍ତାନ-ଧାରଣ ଓ ସନ୍ତାନ-ପାଳନ କାର୍ଯ୍ୟରେ ବିବ୍ରତ; ସେ ତା’ର ସନ୍ତାନ ସନ୍ତତିଙ୍କୁ ଛାଡ଼ି ଉପାର୍ଜନ କରିବ କିପରି ? ଅଥଚ ରଶିୟାରେ ଏହି ଦୁରୂହ ସମସ୍ୟାର ସମାଧାନ ହୋଇଅଛି । ବଲଶେଭିକ ଗଭର୍ଣ୍ଣମେଣ୍ଟ କେତେଗୁଡ଼ି ରାଷ୍ଟ୍ର-ଚାଳିତ ଶିଶୁ-ଆଶ୍ରମ ପ୍ରତିଷ୍ଠିତ କରି ଅଛନ୍ତି । ଶ୍ରମିକ ନାରୀମାନେ କର୍ମ-ସ୍ଥାନକୁ ଯିବାବେଳେ ସେହି ଆଶ୍ରମରେ ଲାଳନ ପାଳନ ସକାଶେ ସେମାନଙ୍କ ସନ୍ତାନ ସନ୍ତତିଙ୍କୁ ଛାଡ଼ି ଯାଆନ୍ତି । ପୁଣି ସନ୍ଧ୍ୟାବେଳେ ଯେତେବେଳେ ସେମାନେ ଘରକୁ ଫେରି ଆସନ୍ତି ସେମାନଙ୍କ ପିଲାପିଲିଙ୍କୁ ଘେନି ଆସନ୍ତି । ଏହିରୂପେ ରାତ୍ର କାଳରେ ସନ୍ତାନମାନେ ମାତାର ସାହଚର୍ଯ୍ୟ ପାଆନ୍ତି ଏବଂ ଦିନବେଳେ ଆଶ୍ରମରେ ସେମାନଙ୍କ ଲାଳନ-ପାଳନ କାର୍ଯ୍ୟ ଚଳେ । ବିବାହିତା ରମଣୀମାନଙ୍କର ନିଜର ଜୀବିକା ଉପାର୍ଜନ ବିଷୟରେ କୌଣସି ବାଧା ଘଟେ ନାହିଁ । ଏହି ସବୁ ଆଶ୍ରମରେ ଶିଶୁମାନେ ଯେପରି ସୁସ୍ଥ ଓ ସବଳ ହୁଅନ୍ତି ସେ ବିଷୟରେ ବିଶେଷ ଚେଷ୍ଟା କରା ହୁଏ । ଭାରତରେ ଏପରି ଆଶ୍ରମ ନାହିଁ; ତଥାପି ବିବାହିତା ରମଣୀମାନେ ଅନ୍ୟର ସାହାଯ୍ୟରେ ସନ୍ତାନମାନଙ୍କର ଲାଳନ-ପାଳନ କାର୍ଯ୍ୟ ସମ୍ପନ୍ନ କରି ନିଜର ଓ ପରିବାରର ଜୀବିକା ସକାଶେ ଯଥେଷ୍ଟ ଉପାର୍ଜନ କରି ପାରନ୍ତି ।

 

ରଶିୟାରେ ନାରୀମାନେ ପୁରୁଷମାନଙ୍କ ସହିତ ଅର୍ଥନୈତିକ ସାମ୍ୟ ଲାଭ କରୁଅଛନ୍ତି । ଜଣେ ଗ୍ରନ୍ଥକର୍ତ୍ତା ଲେଖିଛନ୍ତି—‘‘The communist lays the disabilities from which women have suffered throughout the ages primarily to one cause—economic dependence on men.’’ (ସାମ୍ୟବାଦୀମାନେ କହନ୍ତି ଯେ ଯୁଗଯୁଗାନ୍ତ ଧରି ନାରୀମାନେ ଯେ ନାନା ଅଧିକାରରୁ ବଞ୍ଚିତ ହୋଇଛନ୍ତି ତାହାର ମୂଳ କାରଣ ହେଉଛି ପୁରୁଷମାନଙ୍କ ଉପରେ ସେମାନଙ୍କର ଅର୍ଥନୈତିକ ନିର୍ଭର ।) ସେମାନଙ୍କ ମତରେ ନାରୀମାନଙ୍କର କର୍ମୀ ହେବା ଉଚିତ । ଜାତିର ଧନ ବୃଦ୍ଧି କରିବା ସକାଶେ ଏବଂ ନିଜର ଅର୍ଥନୈତିକ ସ୍ୱାଧୀନତା ଲାଭ କରିବା ପାଇଁ ଏମାନଙ୍କର କିଛି କାର୍ଯ୍ୟ କରିବା ଆବଶ୍ୟକ । କର୍ମଦ୍ୱାରା ଯେ ନାରୀମାନଙ୍କର ମର୍ଯ୍ୟାଦା ନଷ୍ଟ ହୁଏ ଏ ଧାରଣା ସେଠାରୁ ଚାଲି ଯାଇଅଛି । ବର୍ତ୍ତମାନ ମତରେ କି ପୁରୁଷ କି ସ୍ତ୍ରୀ ଉଭୟଙ୍କ ପକ୍ଷରେ ଆଳସ୍ୟ ହୀନତାଜନକ । ସେଠାରେ ବିବାହିତା ନାରୀମାନଙ୍କୁ ଅର୍ଥନୈତିକ ସ୍ୱାଧୀନତା ଅନ୍ୱେଷଣ କରିବାକୁ ଉତ୍ସାହିତ କରିବା ପାଇଁ ନିୟମ ହୋଇଅଛି ଯେ ସନ୍ତାନଜନ୍ମର ଦୁଇମାସ ପୂର୍ବେ ଏବଂ ଦୁଇମାସ ପରେ ଗର୍ଭିଣୀ ନାରୀମାନେ ପୂର୍ଣ୍ଣ ବେତନରେ ଛୁଟି ପାଇବେ । ଶିଳ୍ପ ଓ ବ୍ୟବସାୟର ଶାଖାଗୁଡ଼ି ସହିତ ଶିଶୁମାନଙ୍କର ଯତ୍ନ ନେବା ସକାଶେ ଲାଳନାଗାର ସ୍ଥାପିତ ହୋଇଅଛି । ଏହି ସବୁ ସ୍ଥାନରେ ମାତାମାନଙ୍କୁ ସେମାନଙ୍କ ଶିଶୁମାନଙ୍କୁ ଦେଖିବା ପାଇଁ କାର୍ଯ୍ୟ-ସମୟ ମଧ୍ୟରେ ନିର୍ଦ୍ଦିଷ୍ଟ ବେଳମାନଙ୍କରେ ଛୁଟି ଦିଆଯାଏ ।

 

ଜଣେ ବଙ୍ଗୀୟ ରମଣୀ (ଶ୍ରୀ ସୁଷମା ସେନଗୁପ୍ତା ଏମ୍‌. ଏ.) କହିଅଛନ୍ତି ଯେ ନାରୀମାନଙ୍କର ସବୁ ଅବସ୍ଥାରେ ଉପାର୍ଜନକ୍ଷମ ହେବା ଦରକାର । ଆମ୍ଭମାନଙ୍କ ଦେଶରେ ବାଳ-ବିଧବା ବା ସ୍ୱାମୀ-ପରିତ୍ୟକ୍ତା କମ ନାହାନ୍ତି । ସେମାନେ ପରର ସଂସାରରେ ଗଳଗ୍ରହ ହୋଇ ସୁଖରେ କାଳ କଟାନ୍ତି ନାହିଁ । ସେମାନେ ଯେପରି ସ୍ୱାଧୀନ ଭାବରେ ଜୀବିକା ଉପାର୍ଜନ କରନ୍ତି ସେଥିପାଇଁ ସମାଜରେ ବିଧବାଶ୍ରମ, ଶିଳ୍ପାଶ୍ରମ ପ୍ରଭୃତି ଗଢ଼ି ଉଠୁଥିଲା । ବର୍ତ୍ତମାନ ସ୍ତ୍ରୀ’ଶିକ୍ଷାର ଉନ୍ନତି ସଙ୍ଗେ ସଙ୍ଗେ ଆଉ ଏକ ଶ୍ରେଣୀର ନାରୀକର୍ମୀ ଦେଖିବାକୁ ପାଉଁ । ସେମାନେ ମନ ଅନୁଯାୟୀ ପାତ୍ର ଅଭାବରୁ ବା ଅନ୍ୟ କୌଣସି କାରଣରୁ ଚିରକୁମାରୀ ରହି ଶିକ୍ଷୟିତ୍ରୀ କିମ୍ୱା ଡାକ୍ତରୀ କାର୍ଯ୍ୟ କରି ଜୀବନ କଟାଉ ଅଛନ୍ତି । ବିବାହିତା ରମଣୀମାନଙ୍କର ମଧ୍ୟ ଉପାର୍ଜନକ୍ଷମ ହେବାର ଆବଶ୍ୟକତା ଅଛି । ସେମାନଙ୍କର ସ୍ୱାମୀ ଯଦି ଯଥେଷ୍ଟ ଉପାର୍ଜନ ନ କରେ, ସ୍ୱାମୀ ସ୍ତ୍ରୀ ଉଭୟେ ଉପାର୍ଜନ କଲେ ଅବସ୍ଥାର ଉନ୍ନତି ହୋଇପାରେ । ହଠାତ୍‌ ବିଧବା ହେଲେ ସେମାନେ ନିଜର ଏବଂ ପୁତ୍ର କନ୍ୟାମାନଙ୍କର ଭାର ନେଇ ପାରନ୍ତି । କୌଣସି କାରଣରୁ ସ୍ୱାମୀ ସହିତ ମନୋମାଳିନ୍ୟ ହେଲେ ପ୍ରାଣାନ୍ତକର ଅପମାନ ସହ୍ୟ କରି ସ୍ୱାମୀ ସହିତ ଘର କରିବାକୁ ହୁଏ ନାହିଁ-

 

ଏହି ପ୍ରବନ୍ଧରେ ଯେଉଁ ମତର ସମର୍ଥନ କଲୁଁ ସେ ମତ ଅବଲମ୍ୱିତ ହେଲେ ପିତାମାତାଙ୍କର ‘କନ୍ୟାଦାୟ’ ଦୂର ହୋଇଯିବ । କନ୍ୟାମାନେ ଦାୟ ନ ହୋଇ ଅନେକ ସମୟରେ ଗରିବ ପିତା ମାତାଙ୍କର ସହାୟ ହେବେ । କନ୍ୟାମାନଙ୍କର ବିବାହ-ବିଭ୍ରାଟ ଦୂର ହୋଇଯିବ । ସ୍ୱାଧୀନ-ଜୀବିକାର ଉପାୟ ରୁଦ୍ଧ ଥିବା ହେତୁରୁ ଅନେକ କନ୍ୟାଙ୍କୁ କେବଳ ଭରଣ-ପୋଷଣ ସକାଶେ ଅନିଚ୍ଛା ସତ୍ତ୍ୱେ ବିବାହ କରିବାକୁ ପଡ଼େ । ସେପରି ବିବାହ ଅତି ଅଳ୍ପ ସମୟରେ ସୁଖକର ହୋଇଥାଏ । ସେ ଶୁଭଯୁଗ କେବେ ହେବ ଯେବେ ସ୍ତ୍ରୀମାନେ ଦାୟରେ ପଡ଼ି ନୁହେ, କର୍ତ୍ତବ୍ୟର ଅନୁରୋଧରେ ନୁହେ, ସମାଜଶାସନ ଭୟରେ ନୁହେ, କେବଳ ହୃଦୟର ଆବେଗରେ ପ୍ରୀତିର ଆକର୍ଷଣରେ ପୁରୁଷମାନଙ୍କ ସହିତ ମିଳିତ ହେବେ । ସ୍ତ୍ରୀ ପୁରୁଷ ଉଭୟେ ଯଦି ସ୍ୱାଧୀନଜୀବୀ ହୁଅନ୍ତି କେହି କାହାରି ଭାରସ୍ୱରୂପ ହେବେ ନାହିଁ । ସେମାନେ ହୃଦୟର ଆବେଗରେ ହସି ହସି ଦିନେ ଯେପରି ପରସ୍ପର ସହିତ ମିଳିତ ହୋଇଥିଲେ ଦୈବ-ଦୁର୍ବିପାକରେ ସେମାନଙ୍କର ସେହି ପୁରାତନ ପ୍ରୀତିବନ୍ଧନ ଯଦି ଛିନ୍ନ ହୁଏ ତାହା ହେଲେ ସେମାନେ ପୂର୍ବପରି ଆନନ୍ଦ ମନରେ ପରସ୍ପରଠାରୁ ବିଦାୟ ଗ୍ରହଣ କରିବେ; କେହି କାହାରି ଗଳଗ୍ରହ ହେବେ ନାହିଁ । ‘ପତି ବିନା ଅବଲାର କି ଗତି ସଂସାରେ ?’ ଏ ଅପବାଦ ସମାଜରୁ ଘୁଞ୍ଚିଯିବ । ଏଥିରେ କେବଳ ବ୍ୟକ୍ତିର ନୁହେ ସମାଜର ମଧ୍ୟ ଇଷ୍ଟ ଅଛି । ଯେତେବେଳେ ନାରୀମାନେ କର୍ମକ୍ଷେତ୍ରରେ ଅବତୀର୍ଣ୍ଣ ହେବେ ସେତେବେଳେ ସମାଜରେ କର୍ମୀସଂଖ୍ୟା ଦ୍ୱିଗୁଣିତ ହେବ, ସମାଜ ଅଧିକତର ଧନୀ ଓ ବଳଶାଳୀ ହେବ । ନରନାରୀଙ୍କ ମିଳନ ମଧ୍ୟରୁ ଦାସତ୍ୱ ଯାଇ ସ୍ୱାଧୀନତାର ଉଦୟ ହେବ । ଏହି ସ୍ୱାଧୀନତା ସମସ୍ତ ସୁଖ, ସମ୍ପଦ, ଶାନ୍ତି ଓ ଉନ୍ନତିର ଉତ୍ସ ହେବ । *

 

*ଏହି ପ୍ରବନ୍ଧରେ ଯେଉଁ ମତର ବିଷୟ ଆଲୋଚିତ ହୋଇଅଛି ତାହା ଇଉରୋପ ଓ ଆମେରିକା ପ୍ରଭୃତି ଦେଶରେ ପୁରାତନ ହୋଇ ଯାଇଅଛି । ଏ ଦେଶରେ ଏ ପ୍ରକାର ମତର ପ୍ରଚାର ଏକ ପ୍ରକାର ନୂତନ । ନୂତନ ହେଲେ ମଧ୍ୟ ଏ ମତ ସମ୍ୱନ୍ଧରେ ସାମାଜିକ କର୍ତ୍ତୃପକ୍ଷମାନଙ୍କର ଯଥେଷ୍ଟ ଚିନ୍ତାର ବିଷୟ ଅଛି ସନ୍ଦେହ ନାହିଁ । ଏହାର ଭଲ ମନ୍ଦ, ଉପଯୋଗିତା-ଅନୁପଯୋଗିତା ପ୍ରଭୃତି ନେଇ ବିଚାର-ବିବେଚନା ଚଳୁ ଏହାହିଁ ଆମ୍ଭମାନଙ୍କର ବିନୀତ ଅନୁରୋଧ ।

 

ଅନୁବାଦକ ।

☆☆☆

 

ବିବେକ

 

୧ । ବିବେକ ସମ୍ୱନ୍ଧରେ ସେକ୍ସପିୟରଙ୍କ ମନୋଭାବ—

ବିବେକ ପ୍ରତି ସେକ୍ସପିୟରଙ୍କ ବିଶେଷ କୌଣସି ଶ୍ରଦ୍ଧା ନ ଥିଲା । ସେ ଏକ ସ୍ଥାନରେ କହି ଅଛନ୍ତି—

Conscience is a word that cowards use.

Devised at first to keep the strong in awe. (King Richard)

ପ୍ରସିଦ୍ଧ ବଙ୍ଗକବି ଦ୍ୱିଜେନ୍ଦ୍ରଲାଲ ରାୟ ତାଙ୍କର ‘ଚନ୍ଦ୍ରଗୁପ୍ତ’ ରେ କହି ଅଛନ୍ତି ଯେ ଗୋଟାଏ କୁସଂସ୍କାର । ହେମ୍‌ଲେଟଙ୍କ ଜୀବନରେ କ’ଣ ଦେଖୁଁ ? ତାଙ୍କର ଖୁଡ଼ୁତା ଗୋପନରେ ତାଙ୍କ ପିତାଙ୍କୁ ବିଷ ଦେଇ ମାରି ଦେଇଥିଲେ । ତାଙ୍କର ପିତାଙ୍କର ମୃତ୍ୟୁ ପରେ ସେହି ଖୁଡ଼ୁତା ତାଙ୍କର ମାତାଙ୍କୁ ବିବାହ କରିଥିଲେ ଏବଂ ତାଙ୍କର ପିତାଙ୍କର ସିଂହାସନ ବଳ ପୂର୍ବକ ଆରୋହଣ କରିଥିଲେ । ହେମ୍‌ଲେଟଙ୍କ ପିତାଙ୍କର ପ୍ରେତ ଆସି ହେମ୍‌ଲେଟଙ୍କଠାରେ ଦେଖା ଦେଲେ ଏବଂ ଏହି ସବୁ ଅନ୍ୟାୟର ପ୍ରତିଶୋଧ ନେବାପାଇଁ ତାଙ୍କୁ ଆଦେଶ କଲେ । ହେମ୍‌ଲେଟଙ୍କ ସାଧୁତା ଏବଂ ବିବେକପରାୟଣତା ତାଙ୍କୁ ଅସ୍ଥିରମତି କରାଇଲା । ଏପରି ପ୍ରତିଶୋଧ ନେବା ଯେ ତାଙ୍କ ପକ୍ଷରେ ଉଚିତ ଏ ବିଷୟରେ ସ୍ଥିର ନିଶ୍ଚୟ ନ ହେବା ପର୍ଯ୍ୟନ୍ତ ସେ ତାଙ୍କ ଖୁଡ଼ୁତାଙ୍କୁ ଦଣ୍ତ ଦେଇ ପାରୁ ନ ଥିଲେ । ସେ ସ୍ୱଭାବତଃ ଶାନ୍ତସ୍ୱଭାବ ଥିଲେ । ସେଥିପାଇଁ ତାଙ୍କ ପକ୍ଷରେ ପ୍ରତିଶୋଧ ନେବା କଠିନ ହୋଇ ପଡ଼ିଥିଲା ।

ମେକ୍‌ବେଥଙ୍କର ଚରିତ୍ର ହେମ୍‌ଲେଟଙ୍କର ଠିକ ବିପରୀତ ଥିଲା । ବିବେକ ଏବଂ ଚିନ୍ତା ହେମ୍‌ଲେଟଙ୍କୁ ଅସ୍ଥିରମତି କରାଇ ଥିଲା । ଏ ସବୁର ଅଭାବରେ ମେକ୍‌ବେଥ ସ୍ଥିର ସଂକଳ୍ପ ହୋଇଥିଲେ । ମେକ୍‌ବେଥ୍‌ ଯେତେବେଳେ ଡାନ୍‌କାନଙ୍କୁ ହତ୍ୟା କରିବାକୁ ଯାଉଥିଲେ ପରକାଳର ଭୟ ତାଙ୍କୁ ସେ କାର୍ଯ୍ୟରୁ ନିରସ୍ତ କରି ପାରି ନ ଥିଲା । ସେ କହିଲେ—

If the assassination

Could trammel up the consequence, and catch,

With his surcease, success; that but this blow

Might be the be-all and the end-all here,

But here, upon the bank and shoal of time,

We’d jump the life to come.

ବିବେକର ନିମ୍ନଲିଖିତ କେତେଗୁଡ଼ି ଗୁଣ ଓ ଲକ୍ଷଣ ଆଲୋଚନା କଲେ ବୁଝି ପାରିବୁଁ ତାହା କିପରି ଆମ୍ଭମାନଙ୍କୁ କାପୁରୁଷ କରିଦିଏ ।

୨ । ବିବେକ ପରିବର୍ତ୍ତନଶୀଳ—

ନ୍ୟାୟ-ଅନ୍ୟାୟ ବିଚାର କରିବାହିଁ ବିବେକର କାର୍ଯ୍ୟ । କିନ୍ତୁ ନ୍ୟାୟାନ୍ୟାୟର ଧାରଣା ଭିନ୍ନ ଭିନ୍ନ ଦେଶରେ ଏବଂ ଭିନ୍ନ ଭିନ୍ନ ଯୁଗରେ ସ୍ୱତନ୍ତ୍ର ଅଟେ । ଯଥା—

 

(୧) ସତୀତ୍ୱର ଧାରଣା—ଇଉରୋପରେ ପୁରୁଷ ଯଦି ଜିତେନ୍ଦ୍ରିୟ ହେବାକୁ ଚାହେ ସେ ହୁଏତ ସମସ୍ତ ଯୌନ-ସମ୍ପର୍କରୁ ବିରତ ହେବ, ନତୁବା କୌଣସି ଗୋଟିଏ ସ୍ତ୍ରୀଲୋକ ସହିତ ଚିରଜୀବନ ଦାମ୍ପତ୍ୟ ବନ୍ଧନରେ ଆବଦ୍ଧ ରହିବ । ଏଠାରେ କୌଣସି ନାରୀର ଯଦି ଏକାଧିକ ପୁରୁଷ ସହିତ ଯୌନ-ସମ୍ପର୍କ ଥାଏ ସେ ସତୀ ବୋଲି ଗଣ୍ୟ ହୋଇ ନ ପାରେ । କିନ୍ତୁ ଯେଉଁ ଦେଶମାନଙ୍କରେ ବହୁବିବାହ ପ୍ରଚଳିତ ସେଠାରେ ପୁରୁଷର ଏକାଧିକ ସ୍ତ୍ରୀ ଥିବା ଦୋଷାବହ ନୁହେ-। ତିବ୍ଦତ ଦେଶରେ ନାରୀର ବହୁ ପତି ଥିଲେ ମଧ୍ୟ ସେ ସତୀ । କେତେକ ଦେଶରେ ଅବିବାହିତା ନାରୀମାନଙ୍କର ଅକ୍ଷତଯୋନି ହେବାର ଆବଶ୍ୟକତା ନାହିଁ । କାରିବ ଜାତି ଅବିବାହିତା ନାରୀମାନଙ୍କର ଅକ୍ଷତଯୋନି ହେବାର ଆବଶ୍ୟକତା ଅନୁଭବ କରନ୍ତି ନାହିଁ । ଏସ୍କୁଇମୋ ଜାତି ମଧ୍ୟରେ ଦିନେ ଦୁଇଦିନ ସକାଶେ ସ୍ତ୍ରୀ’ବିନିମୟ କରିବା ବନ୍ଧୁତ୍ୱର ଲକ୍ଷଣ । ଚିପେଓ୍ୟା ଜାତି ମଧ୍ୟରେ ପରସ୍ପରର ସ୍ତ୍ରୀ ସହିତ ରାତ୍ରିବାସ-ବିନିମୟ ଗୋଟାଏ ସାଧାରଣ ପ୍ରଥା । ସେମାନେ ଏହାକୁ ଦୋଷାବହ ମନେ ନ କରି ବରଞ୍ଚ ଭାବନ୍ତି ଯେ ଏତଦ୍ଦ୍ୱାରା ଦୁଇ ପରିବାର ମଧ୍ୟରେ ବନ୍ଧୁତ୍ୱ-ବନ୍ଧନ ଦୃଢ଼ୀଭୂତ ହୁଏ । (Spencer’s Principles of Ethics— Vol Ip. 452) ବେଦବ୍ୟାସ କହି ଅଛନ୍ତି ଅଭିଯାଚିତ ହୋଇ ପର ସ୍ତ୍ରୀ ସମ୍ଭୋଗ କଲେ  ପାପଭାଗୀ ହେବାକୁ ହୁଏ ନାହିଁ ।

 

(୨) ସତ୍ୟବାଦିତା—ସତ୍ୟ କହିବା ସବୁ ଦେଶରେ ଗୋଟିଏ ସଦ୍ଗୁଣ ମଧ୍ୟରେ ଗଣ୍ୟ ହୁଏ ନାହିଁ । ଉଗାଣ୍ତାର ଲୋକମାନଙ୍କ ମଧ୍ୟରେ ସତ୍ୟର ମୂଲ୍ୟ ଅତି କମ । ସେଠାରେ ଅସତ୍ୟ କହିବା ଅନ୍ୟାୟ ବୋଲି ଗଣ୍ୟ ହୁଏ ନାହିଁ । କୃତକାର୍ଯ୍ୟ ମିଥ୍ୟାବାଦୀକୁ ସେମାନେ ଗୋଟାଏ ଚତୁର ଲୋକ ବୋଲି ଶ୍ରଦ୍ଧା କରନ୍ତି । ଫିଲିପାଇନ୍‌ ଦ୍ୱୀପପୁଞ୍ଜରେ ମିଥ୍ୟାବାଦିତା ପାପ ମଧ୍ୟରେ ଗଣ୍ୟ ହୁଏ ନାହିଁ । ସେମାନେ ଏହାକୁ ଗୋଟାଏ ସୁବିଧାଜନକ ବ୍ୟାପାର ବୋଲି ମନେ କରନ୍ତି । ଇଲିୟଡ ମହାକାବ୍ୟରେ ଦେବତାମାନେ କେବଳ ଯେ ମନୁଷ୍ୟମାନଙ୍କୁ ପ୍ରତାରିତ କରୁ ଅଛନ୍ତି ଏପରି ନୁହେ, ସେମାନେ ପରସ୍ପରକୁ ମଧ୍ୟ ପ୍ରତାରିତ କରୁ ଅଛନ୍ତି । ରାଜାମାନେ ମିଥ୍ୟାକଥା କହିବାକୁ ପଶ୍ଚାତ୍‌ପଦ ନୁହନ୍ତି । ଇଉଲିସିସ୍‌ ଏତେ ବଡ଼ ଠକ ବୋଲି ସେଥିର ନାୟିକା ପେଲାସ ଏଥିନୀ ତାଙ୍କ ପ୍ରତି ଆସକ୍ତ ହୋଇଥିଲେ । ଏଥିରୁ ମନେ ହୁଏ ହୋମାରଙ୍କ ସମୟରେ ଗ୍ରୀକ୍‌ ସମାଜ ମିଥ୍ୟା ଏବଂ ପ୍ରବଞ୍ଚନାରେ ପୂର୍ଣ୍ଣ ଥିଲା । କେତେକ ପାର୍ବତ୍ୟ ଜାତି ମଧ୍ୟରେ ଏହାର ବିପରୀତ ଦୃଷ୍ଟାନ୍ତ ଦେଖିବାକୁ ପାଉଁ । ଶର୍ଟ କହିଛନ୍ତି—

 

‘‘A pleasing feature in the character of the Sowrahs is their complete truthfulness. They do not know how to tell a lie. They are not sufficiently civilized to be able to invent.

 

ସ୍ପେନ୍ସରଙ୍କ ମତରେ ଯଥେଚ୍ଛାଚାର ମିଥ୍ୟାବାଦିତାର ଗୋଟିଏ କାରଣ ଅଟେ । ସେ ମିସରବାସୀ ଏବଂ ହିନ୍ଦୁମାନଙ୍କର ଉଦାହରଣ ଦେଇ ଅଛନ୍ତି । ସେ ଲେଖିଛନ୍ତି—

 

‘‘Among the Egyptians long subject to a despotism administered by despotic officials, a man prides himself on successful lying and will even ascribe a defect in his work to failure in deceiving some one. Then we have the case of the Hindus, who, in their early days irresponsibly governed, afterwards subject for a long period to the brutal rule of the Mahomedans, and since that time to scarcely less brutal rule of the Christians, are so utterly untruthful that oaths in courts of justice are of no avail, and lying is confessed to without shame.’’

 

ପୂର୍ବ ଆଫ୍ରିକାର ଅଧିବାସୀମାନଙ୍କ ବିଷୟରେ ତାଙ୍କର ଅଭିଜ୍ଞତାରୁ ଲିଭିଂଷ୍ଟୋନ୍‌ କହିଅଛନ୍ତି—

 

‘‘Untruthfulness is a sort of refuge for the weak and the oppressed.’’ (ଦୁର୍ବଳ ଏବଂ ଅତ୍ୟାଚାରିତର ମିଥ୍ୟା ଏକ ପ୍ରକାର ଅବଲମ୍ୱନ ।)

 

ବେଦବ୍ୟାସ କହିଅଛନ୍ତି ନିଜର ଏବଂ ଅପରର ପ୍ରାଣରକ୍ଷା, ଗୁରୁଙ୍କର କାର୍ଯ୍ୟସାଧନ, ବିବାହ-ସମ୍ପାଦନ ଏବଂ ସ୍ତ୍ରୀଲୋକର ସନ୍ତୋଷସାଧନ ନିମିତ୍ତ ମିଥ୍ୟା ବାକ୍ୟ ପ୍ରୟୋଗ କରିବା ଦୂଷ୍ୟ ନୁହେ ।

 

(୩) ପ୍ରତିହିଂସା—କେତେକ ଜାତି ମଧ୍ୟରେ ପ୍ରତିହିଂସା ଗୋଟାଏ କର୍ତ୍ତବ୍ୟ ମଧ୍ୟରେ ଗଣ୍ୟ ହୁଏ । ଅଷ୍ଟ୍ରେଲିଆବାସୀ ସମ୍ୱନ୍ଧରେ ନିମ୍ନଲିଖିତ ବିବରଣ ପାଠ କରନ୍ତୁ—

 

‘‘The holiest duty a native is called on to perform is that of avenging the death of his nearest relation, for it is his peculiar duty to do so; until he has fulfilled this task, he is constantly taunted by the old women; his wives, if he be married, would soon quit him; if he is unmarried, not a single young woman would speak to him; his mother would constantly cry, and lament she should ever have given birth to so degenerate a son; his father would treat him with contempt, and reproaches would constantly be sounded in his ear.

 

ପୂର୍ବ ଆଫ୍ରିକାବାସୀ ସମ୍ୱନ୍ଧରେ ବାର୍ଟନ ଲଖିଛନ୍ତି—

 

‘‘Revenge is a ruling passion, as the many rancorous fratricidal wars that have prevailed between kindred clans, even for a generation, prove. Retaliation and vengeance are in fact their great agents of moral control.

 

ଋଗ୍‌ବେଦର ଦେବତାମାନେ ପ୍ରତିହିଂସାପରାୟଣ । ଅଗ୍ନି ତାଙ୍କର ଶତ୍ରୁମାନଙ୍କୁ ଗ୍ରାସ କରୁଅଛନ୍ତି, ସେମାନଙ୍କର ଚର୍ମ ବିଦୀର୍ଣ୍ଣ କରୁଅଛନ୍ତି, ସେମାନଙ୍କର ଅଙ୍ଗପ୍ରତ୍ୟଙ୍ଗ ଖଣ୍ତବିଖଣ୍ତ କରୁଅଛନ୍ତି, ବ୍ୟାଘ୍ର-ମୁଖରେ ସେମାନଙ୍କୁ ନିକ୍ଷେପ କରୁଅଛନ୍ତି ଏବଂ ବ୍ୟାଘ୍ର ଏବଂ ଗୃଧ୍ରମାନେ ସେମାନଙ୍କୁ ଆହାର କରୁଅଛନ୍ତି ।

 

ଏସବୁ କ୍ଷେତ୍ରରେ ପ୍ରତିହିଂସା ଗୋଟାଏ କର୍ତ୍ତବ୍ୟ ମଧ୍ୟରେ ଗଣ୍ୟ ହୋଇଅଛି । କିନ୍ତୁ ଅନ୍ୟାନ୍ୟ କ୍ଷେତ୍ରରେ ଏହା ଗୋଟାଏ ଅପରାଧ ଏବଂ କ୍ଷମା ଗୋଟାଏ ସଦ୍‌ଗୁଣ ବୋଲି ବିବେଚିତ ହୋଇଅଛି । ଚୈନ ଜ୍ଞାନୀମାନେ କହିଛନ୍ତି—

 

Recompense injury with kindness. (Lao-Tsze)

 

A benevolent man does not lay up anger nor cherish resentment against his brother, but only regard him with affection and love. (Mencius)

 

ଯୀଶୁଖ୍ରୀଷ୍ଟ କହିଅଛନ୍ତି—

 

If one of our cheeks is smitten we should show the other cheek.

 

୩ । ବିବେକ ଆପେକ୍ଷିକ—

 

ବିବେକର ବାଣୀ ବିଶ୍ଲେଷଣ କଲେ ଦେଖିବୁଁ ସେଥିରେ ଦୁଇଟି ପ୍ରଧାନ ଆଜ୍ଞା ନିହିତ ଅଛି—ମଙ୍ଗଳ ଅନୁସରଣ କର ଏବଂ ଅମଙ୍ଗଳ ତ୍ୟାଗ କର । ନୀତି-ବିଜ୍ଞାନର ମୁଖ୍ୟ ଧାରଣା ହେଉଛି ମଙ୍ଗଳଜ୍ଞାନ । କିନ୍ତୁ ମଙ୍ଗଳ ଗୋଟାଏ ଆପେକ୍ଷିକ ବସ୍ତୁ । ଯାହା ଜଣକ ପକ୍ଷରେ ମଙ୍ଗଳ ତାହା ଅନ୍ୟ ପକ୍ଷରେ ଅମଙ୍ଗଳ ହୋଇ ପାରେ । ବାଘ ଛେଳିକୁ ଖାଉଛି । ଏହା ବାଘ ପକ୍ଷରେ ମଙ୍ଗଳ, ଯେହେତୁ ଏତଦ୍ଦ୍ୱାରା ତାହାର ଶରୀର ପୃଷ୍ଟ ହେଉଛି । ଏହା ଛେଳି ପକ୍ଷରେ ଅମଙ୍ଗଳ, କାରଣ ତାହାର ପ୍ରାଣ ବିନଷ୍ଟ ହେଉଛି । ଆମ୍ଭେମାନେ ଯେଉଁ ଅର୍ଥ ଉପାର୍ଜନ କରୁଁ ତାହା ଅନ୍ୟ ଜଣକ କୋଷରୁ ଆସୁଅଛି । ଶ୍ରମିକ ଯେଉଁ ପରିମାଣରେ ଲାଭ କରେ ଧନସ୍ୱାମୀ ସେହି ପରିମାଣରେ ହରାଏ ଏବଂ ଧନସ୍ୱାମୀ ଲାଭ କଲେ ଶ୍ରମିକ ହରାଇ ବସେ । କ୍ରେତା ଲାଭ ବିକ୍ରେତା ହରାଏ ଏବଂ ବିକ୍ରେତା ଲାଭ କଲେ କ୍ରେତା ହରାଏ । ଦାସ-ପ୍ରଥାଦ୍ୱାରା ଦାସସ୍ୱାମୀମାନେ ଲାଭବାନ୍‌ ହୁଅନ୍ତି କିନ୍ତୁ ଦାସମାନେ ବିନଷ୍ଟ ହୁଅନ୍ତି । ନିଟ୍‌ଜେ କହିଅଛନ୍ତି—

 

‘‘Slavery is one of the essential conditions of a high culture. The misery of the men who struggle painfully through life must be increased to allow a small number of Olympic geniuses to produce great works of art’ (The Gospel of Superman—p.60)

 

ଶାସକଜାତି ଲାଭ କଲେ ଶାସିତ ଜାତିର ହାନି ହୁଏ । କାରଲାଇଲ୍‌ ଏକ ସ୍ଥାନରେ କହିଅଛନ୍ତି—You must either be the tooth or the grass. (ତୁମ୍ଭେ ଯଦି ଦନ୍ତ ହୋଇ ଅନ୍ୟକୁ ଚର୍ବଣ ନ କର, ତୃଣ ହୋଇ ଅନ୍ୟଦ୍ୱାରା ଚର୍ବିତ ହେବ ।) ଉଭିଦ-ଜଗତକୁ ଗ୍ରାସ କରି ପ୍ରାଣୀ-ଜଗତ୍‌ ଜୀବନ-ଧାରଣ କରୁଅଛି ଏବଂ ଉଭିଦ ଓ ପ୍ରାଣୀ ଦୁହିଙ୍କୁ ଗ୍ରାସ କରି ମନୁଷ୍ୟ ଜୀବନ-ଧାରଣ କରୁଅଛି । ନାନା ଅସଭ୍ୟ ଜାତିର ସ୍କନ୍ଧରେ ଦଣ୍ତାୟମାନ ହୋଇ ଅଳ୍ପ-ସଂଖ୍ୟକ ସଭ୍ୟ ଜାତିମାନେ ସଭ୍ୟତାର ଉଚ୍ଚ ଶିଖରରେ ଆରୋହଣ କରୁଅଛନ୍ତି । ଜଗତର ଏପରି ବିଚିତ୍ର ନିୟମ ଯେ ଅନ୍ୟକୁ ନ ମାରି, ତାହାର କ୍ଷତି ନ କରି ଆମ୍ଭେମାନେ ଜୀବିତ ବା ଉନ୍ନତ ହୋଇ ନ ପାରୁଁ । ଏହି ନିୟମର ବଶବର୍ତ୍ତୀ ହୋଇ ଅନ୍ୟାନ୍ୟ ଜାତିର ବିନାଶ ଓ ଅବନତିର ସାହାଯ୍ୟରେ ଇଉରୋପ ଉନ୍ନତି ମାର୍ଗରେ ଧାବିତ ହେଉଅଛି । ବେଦବ୍ୟାସ କହିଅଛନ୍ତି ଅନ୍ୟର ଅପକାର ନ କଲେ ସଚରାଚର ଅର୍ଥ ଉପାର୍ଜନ କରାଯାଏ ନାହିଁ । ଏଥିପାଇଁ ରାଜାମାନେ ଅନ୍ୟକୁ ପରାଜିତ କରି ପୃଥିବୀ ଗ୍ରହଣ କରି ଯାଇଛନ୍ତି । ଭୂପାଳମାନଙ୍କର ଏହିରୂପ କାର୍ଯ୍ୟହିଁ ଧର୍ମାନୁଗତ ବୋଲି କୀର୍ତ୍ତିତ ହୁଏ । ସେମାନେ ଏହିରୂପ କାର୍ଯ୍ୟ କରି ସ୍ୱର୍ଗଲାଭର ଅଧିକାରୀ ହୋଇଛନ୍ତି ।

 

ନୀତିର ଆପେକ୍ଷିକତା ବଶତଃ ଆମ୍ଭେମାନେ ନୀତି-ବିଜ୍ଞାନରେ ଏତେ ମତଭେଦ ଦୃଷ୍ଟି ଗୋଚର କରୁଁ । ସ୍ପେନ୍‌ସାରଙ୍କ ମତରେ ନୀତି ଦୁଇ ପ୍ରକାର—ମୈତ୍ରୀ-ନୀତି ଓ ବିରୋଧ-ନୀତି । ମୈତ୍ରୀ-ନୀତି ଅନୁଯାୟୀ ଯାହା ପୁଣ୍ୟ ବିରୋଧ-ନୀତି ଅନୁସାରେ ତାହା ପାପ । ପୂର୍ବୋକ୍ତ ନୀତି ଅନୁସାରେ କ୍ଷମା ଗୋଟାଏ ସଦ୍‌ଗୁଣ, କିନ୍ତୁ ଶେଷୋକ୍ତ ନୀତି ଅନୁସାରେ ତାହା ପାପ । ଏକ ନୀତି ଅନୁସାରେ ସତ୍ୟବାଦିତା ପୁଣ୍ୟ, ଅନ୍ୟ ନୀତି ଅନୁସାରେ ତାହା ପାପ ।

 

ନିଟ୍‌ଜେଙ୍କ ମତରେ ନୀତି ଦୁଇ ପ୍ରକାର—ପ୍ରଭୁ-ନୀତି ଓ ଦାସ-ନୀତି । ସେ ଇତିହାସ ଆଲୋଚନା କରି ଏହି ମହା ସତ୍ୟ ଆବିଷ୍କାର କରିଥିଲେ ଯେ ଦୁଇ ବିପରୀତ ଶ୍ରେଣୀ ମଧ୍ୟରେ ଯୁଗଯୁଗାନ୍ତ ଧରି ଗୋଟାଏ ଅବିରାମ ଏବଂ ଦୁଃଶାମ୍ୟ ସଂଗ୍ରାମ ଚାଲିଅଛି । କେଉଁ ଆଦି ଯୁଗରେ ସେ ସଂଗ୍ରାମ ଆରମ୍ଭ ହୋଇଥିଲା, ଏ ପର୍ଯ୍ୟନ୍ତ ତାହାର ବିରାମ ହୋଇ ନାହିଁ । ଏ ସଂଗ୍ରାମ ବଳବାନ୍‌ ଓ ଦୁର୍ବଳ ମଧ୍ୟରେ, ଦାତା ଓ ଗ୍ରହୀତା ମଧ୍ୟରେ, ସୁସ୍ଥ ଏବଂ ଅସୁସ୍ଥ ମଧ୍ୟରେ, ସୁଖୀ ଏବଂ ଦୁଃଖୀ ମଧ୍ୟରେ । ବଳବାନ୍‌ ସେମାନଙ୍କ କାମନା ଅନୁଯାୟୀ ନ୍ୟାୟାନ୍ୟାୟର ଗୋଟାଏ ଧାରଣା ସୃଷ୍ଟି କଲେ । ଦୁର୍ବଳ ଲୋକ ଏହି ବିଷୟରେ ଗୋଟାଏ ବିପରୀତ ଧାରଣା ସୃଷ୍ଟି କଲେ । ଏହିରୂପେ ଜଗତରେ ଦୁଇ ବିପରୀତ ନୀତିର ପ୍ରଚଳନ ହେଲା—ପ୍ରଭୁ-ନୀତି (Master-morality) ଓ ଦାସ-ନୀତି (slave-morality) ଯେଉଁ ସମାଜରେ ଦାସ-ନୀତି ପ୍ରବଳ ହେଲା ଲୋକେ ସେହି ବ୍ୟକ୍ତିକୁ ଭଲ କହିଲେ ଯେ ଦୟାଳୁ, ଅସ୍ୱାର୍ଥପର, ବିନୀତ ଏବଂ ବଶ୍ୟ  ଏହି ଶ୍ରେଣୀର ଭଲ ଲୋକ ମଧ୍ୟରେ ମୂଢ଼ତା ଏବଂ ଭାବପ୍ରବଣତା ବିଶେଷ ଭାବରେ ବର୍ତ୍ତମାନ । ଏହାହିଁ ଖ୍ରୀଷ୍ଟଧର୍ମ । ଇହ ସଂସାରକୁ ତୁଚ୍ଛ କରି ଏହା ଗୋଟାଏ କଳ୍ପିତ ପରକାଳକୁ ଉଚ୍ଚ ସ୍ଥାନ ଦେଇଅଛି । ଏହା ଅବନତି ଏବଂ ଅଧୋଗତିର ଧର୍ମ । ପ୍ରଭୁନୀତି ଅନୁସାରେ ତାହାହିଁ ଭଲ ଯାହା ଆମ୍ଭମାନଙ୍କୁ ଜୀବନ ଏବଂ ଶକ୍ତି ଦାନ କରେ । ନିଟ୍‌ଜେ ଜୀବନର ଏହି ସଂଜ୍ଞା ଦେଇ ଯାଇଛନ୍ତି —

 

‘‘Life is appropriation, injury, conquest of the strange and the weak, suppression, severity, obtrusion of its own forms, incorporation and exploitation.’’

 

ତାଙ୍କ ସହିତ ଏକମତ ହୋଇ ଇଂରେଜ କବି କହିଛନ୍ତି—

 

“the simple plan,

That they should take who have the power,

And they should keep who can.”

 

ନିଟ୍‌ଜେଙ୍କ ଲେଖାରୁ ଆଉ କେତକ ଅଂଶ ଉଦ୍ଧାର କଲି । ସେଥିରୁ ତାଙ୍କର ମତ ସ୍ପଷ୍ଟ ବୁଝାଯିବ ।

 

“From the moment I live I will that life shall be as exuberant, luxuriant and tropical as possible, within and without myself. I shall, therefore, say ‘yea’ to all that makes life more beautiful, more worthy of being lived, more intense. If it be proved to me that error and illusion can serve for the development of life, I will say ‘yea’ to error and illusion; if it be proved to me that those instincts labelled ‘bad’ by present morality--such as hardness, cruelty, deceit, bold daring, a pugnacious disposition–are likely to increase the vitality of man I will say ‘yea’ to sin and evil; if it be proved to me that suffering as well as pleasure takes part in the upbringing of the human race, I will say ‘yea’ to suffering. On the other hand I will say ‘nay’ to all that tends to diminish the vitality of the human plant. And if I find that truth, virtue and goodness are harmful to life, then I will say ‘nay’ to science and morals.” (Gospel of Superman p. 118)

 

ପୁଣି ସେ କହିଛନ୍ତି—

 

“Every living thing—plant, animal or man—tends to increase its strength by securing a mastery over other beings, other forces. This continuous effort, this perpetual struggle in which every being ceaselessly stakes its life in order to increase its power, is the fundamental law of all existence.”

 

ଖ୍ରୀଷ୍ଟଧର୍ମ ଦୁଃଖ ଏବଂ ତ୍ୟାଗର ନୀତି ପ୍ରଚାର କରେ । ସେଥିପାଇଁ ନିଟ୍‌ଜେଙ୍କର ଏ ଧର୍ମ ପ୍ରତି କୌଣସି ଆସ୍ଥା ନ ଥିଲା । ସେ କହିଛନ୍ତି —

 

“The religion of human suffering is a morality of invalids”

 

“The wise man must make others suffer without being overcome by pity”

 

ସ୍ପେନ୍ସାରଙ୍କ ବିରୋଧ-ନୀତି ସହିତ ଭାରତର ଆପଦ୍‌-ଧର୍ମ ତୁଳନା କରିପାରୁଁ । ଯାହା ସହଜ ଅବସ୍ଥାରେ କରିବାକୁ ଦିଆଯାଏ ନାହିଁ ଆପଦ ପଡ଼ିଲେ ତାହା କରିବାର ବିଧାନ ଅଛି । ଆପଦ୍‌ ପଡ଼ିଲେ ଆମ୍ଭେମାନେ ଅସତ୍ୟବାଦୀ, ଅସାଧୁ, ନିଷ୍ଠୁର ଏବଂ ଅସତୀ ମଧ୍ୟ ହୋଇ ପାରୁଁ ।

 

ଆମ୍ଭେମାନେ ଦେଖିଲୁଁ ବିବେକ ପରିବର୍ତ୍ତନଶୀଳ ଏବଂ ଆପେକ୍ଷିକ । ବର୍ତ୍ତମାନ ବିବେକର ଉତ୍ପତ୍ତି ଆଲୋଚନା କରୁଁ ।

 

୪। ବିବେକର ଉତ୍ପତ୍ତି—

 

ଏ ବିଷୟରେ ଦୁଇଗୋଟି ସ୍ୱତନ୍ତ୍ର ମତ ଦୃଷ୍ଟିଗୋଚର ହୁଏ । କେତେକଙ୍କ ମତରେ ବିବେକ ସହାନୁଭୂତିରୁ ଉତ୍ପନ୍ନ ହୋଇଅଛି । ଅନ୍ୟାନ୍ୟଙ୍କ ମତରେ ଏହା ଭୟରୁ ଉତ୍ପନ୍ନ । ପୂର୍ବୋକ୍ତ ଦଳ କହନ୍ତି, ଆମ୍ଭେମାନେ ସାଧୁ, ଯେହେତୁ ଆମ୍ଭେମାନେ ସହାନୁଭୂତି-ସମ୍ପନ୍ନ । ଶେଷୋକ୍ତଙ୍କ ମତରେ ଦଣ୍ତଭୟ ଆମ୍ଭମାନଙ୍କୁ ସାଧୁ କରିଅଛି । ପ୍ରକୃତରେ ଏହି ଦୁଇଗୋଟି ଉପାଦାନ ଆମ୍ଭମାନଙ୍କ ବିବେକକୁ ସୃଷ୍ଟି କରିଅଛି ।

ବିବେକରେ ଭୟର ପରିମାଣ ଅଧିକ । ଯେଉଁଠାରେ ଭୟ ନାହିଁ ଅଥବା କମ୍‌ ସେଠାରେ ବିବେକ ନାହିଁ ଅଥବା ଅତି ଦୁର୍ବଳ । ଆମ୍ଭେମାନେ ଯେତେବେଳେ ଗୋଟାଏ ଛେଳି କିମ୍ୱା ମାଛକୁ ମାରି ପକାଉଁ ସେତେବେଳେ କି ବିବେକର କୌଣସି ସଙ୍କୋଚ ଅନୁଭବ କରୁଁ ? ଆମ୍ଭେମାନେ ଜାଣୁଁ ସେମାନେ ଆମ୍ଭମାନଙ୍କ ଉପରେ ପ୍ରତିଶୋଧ ନେଇ ପାରିବେ ନାହିଁ । ସେଥିପାଇଁ ସେମାନଙ୍କ ସମ୍ୱନ୍ଧରେ ଆମ୍ଭମାନଙ୍କର ବିବେକ ସୁପ୍ତ । ଗୋଟାଏ ବଳବାନ୍‌ ଜାତି ଅନ୍ୟ ଗୋଟାଏ ଦୁର୍ବଳ ଜାତିକୁ ପରାଭୂତ କରୁଅଛି, ତାହାର ଧନ, ସମ୍ପତ୍ତି, ଅଧିକାର ଓ ସ୍ୱାଧୀନତା ସମସ୍ତ ହରଣ କରୁଅଛି । ସେଟା କି ସେ ଅପରାଧ ବୋଲି ଭାବେ ? ବରଞ୍ଚ ସେ ତାହା ଗୋଟାଏ କୀର୍ତ୍ତି ମନେ କରେ । ଲକ୍‌ ତାଙ୍କର ଲେଖାର ଏକ ଅଂଶରେ ଦେଖାଇ ଅଛନ୍ତି ଯେ ଯେଉଁଠାରେ ଦଣ୍ତର ଅଭାବ ସେଠାରେ ବିବେକ ଅଦୃଶ୍ୟ ହୁଏ ।

“Veiw but an army at the sacking of a town, and see what observation or sense of moral principles or what touch of conscience, for all the outrages they do. Robberies, murders, rapes are the sports of men set at liberty from punishment and censure. Have there not been whole nations, and those of the most civilized people, amongst whom the exposing their children and leaving them in the fields to perish by want or wild beasts, has been the practice, as little condemned or scrupled as the begetting them?” (Locke's Essay— p. 30)

ଦଣ୍ତର ଆରମ୍ଭ ହେଲେ ବିବେକର ଉଦୟ ହୁଏ । ଜଣେ ଲୋକ ଯେତେବେଳେ ଅନ୍ୟ ଜଣର କ୍ଷତି କରେ, ସେ ପ୍ରତିବଦଳରେ ତାହାଦ୍ୱାରା ଅପକୃତ ହୁଏ ଏବଂ କ୍ଷତିଗ୍ରସ୍ତ ବ୍ୟକ୍ତି ଯେ ପ୍ରତିଶୋଧ ନେଇପାରେ ଏ ଭୟ ତାହାଠାରେ ବର୍ତ୍ତମାନ ଥାଏ । ସାମାଜିକ ନିନ୍ଦାର ଭୟ ତାହାକୁ ଅନ୍ୟାୟ କାର୍ଯ୍ୟରେ ବାଧା ଦିଏ । ଯୁଦ୍ଧରେ ବିଜୟୀ ନେତା ଯେତେବେଳେ ତାହାର ଜାତି ଉପରେ ସ୍ଥାୟୀ କର୍ତ୍ତୃତ୍ୱ ଲାଭ କରେ ସେତେବେଳେ ସେ ନିଜର କ୍ଷମତା ବଜାୟ ରଖିବା ପାଇଁ ଇଚ୍ଛୁକ ହୁଏ । ତାହାର ଅଧୀନସ୍ଥ ପ୍ରଜାମାନେ ପରସ୍ପର ସହିତ ବିବାଦରେ ନିଯୁକ୍ତ ହେଲେ ତାହାର ଜାତି ଦୁର୍ବଳ ହୋଇପଡ଼େ । ସେ ସେଥିପାଇଁ ଏପରି କାର୍ଯ୍ୟରେ ବାଧା ଦିଏ । ସମାଜରେ ରାଜଦଣ୍ତର ଭୟ ଆସି ପଡ଼େ ଏବଂ ଏହି ଭୟ ମଧ୍ୟ ବିବେକ ସୃଷ୍ଟି କରେ । ଶେଷରେ ଐଶ୍ୱରିକ ପ୍ରତିହିଂସାର ଭୟ ଆମ୍ଭମାନଙ୍କୁ ଅନ୍ୟାୟ କାର୍ଯ୍ୟରେ ବାଧା ଦିଏ । ଏହିରୂପେ ଅପକୃତ ବ୍ୟକ୍ତିର ପ୍ରତିହିଂସା, ସାମାଜିକ ନିନ୍ଦା ଓ ଅପମାନ, ରାଜଦଣ୍ତ ଏବଂ ଐଶ୍ୱରିକ ପ୍ରତିହିଂସାର ଭୟ ଏକତ୍ର ହୋଇ ଆମ୍ଭମାନଙ୍କର ବିବେକ ରୂପ ବସ୍ତୁକୁ ସୃଷ୍ଟି କରନ୍ତି ।

ସମାଜର ମତାମତ ଆମ୍ଭମାନଙ୍କର ହିତାହିତ ଜ୍ଞାନ ସୃଷ୍ଟି କରେ । ଆମ୍ଭେମାନେ କାହା ଭୟରେ ଜାତିଭେଦ ମାନି ଚଳୁଁ ? ଜାତି ତ୍ୟାଗ କଲେ ସରକାର ତ ଆମ୍ଭମାନଙ୍କୁ ଦଣ୍ତ ଦିଅନ୍ତି ନାହିଁ-। ସମାଜର ମତାମତ ଅନୁସାରେ ଆମ୍ଭେମାନେ ଅନେକ କାର୍ଯ୍ୟ କରୁଁ ଏବଂ ଅନେକ କାର୍ଯ୍ୟରୁ ବିରତ ହେଉଁ । ବିଧବାମାନଙ୍କର ପୁନର୍ବିବାହ ସରକାର ତ ଆଇନସଙ୍ଗତ କଲେ, କିନ୍ତୁ କେତେଟା ବିଧବା ଏ ଆଇନର ସାହାଯ୍ୟରେ ପୁନର୍ବାର ବିବାହ କରିଛନ୍ତି ? ଜଣେ ବଙ୍ଗୀୟ ପିତା ତାଙ୍କର କନ୍ୟାକୁ ବିବାହ ଦେବା ପାଇଁ ନିଜକୁ ବାଧ୍ୟ ମନେ କରନ୍ତି । କିଏ ତାଙ୍କୁ ବାଧ୍ୟ କରେ ? ସମାଜର ମତ ଓ ଇଚ୍ଛା । ବର କନ୍ୟାପିତାର ଏହି ବିବେକ ଓ କାପୁରୁଷତାର ସୁଯୋଗ ନେଇ ଖୁବ ଗୋଟାଏ ବଡ଼ ଯୌତୁକ ଦାବୀ କରି ବସେ । କନ୍ୟାପିତା ତାଙ୍କର ବିବେକ ଓ କାପୁରୁଷତାର ଦଣ୍ତ ଦିଅନ୍ତି-। ଆମ୍ଭେମାନେ ସମସ୍ତେ ବିବାହରୂପ ଦାସତ୍ୱ-ଶୃଙ୍ଖଳରେ ଆବଦ୍ଧ ହେଉଁ । କେ ଆମ୍ଭମାନଙ୍କୁ ବାନ୍ଧେ-? ସମାଜର ମତ ଓ ଇଚ୍ଛା ।

ଐଶ୍ୱରିକ ପ୍ରତିହିଂସାର ଭୟ ବିବେକର ଆଉ ଗୋଟାଏ ଉପାଦାନ । ହେମ୍‌ଲେଟ୍‌ ଯେତେବେଳେ ଆତ୍ମହତ୍ୟା କରିବାକୁ ଯାଉଅଛନ୍ତି ଏହି ଭୟ ତାଙ୍କୁ ସେ କାର୍ଯ୍ୟରେ ବାଧା ଦେଉଅଛି-। ସେ କହୁଅଛନ୍ତି—

Who would fardels bear,

To grunt and sweat under a weary life,

But that the dread of something after death,

The undiscovered country from whose bourn

No traveller returns, puzzles the will,

And makes us rather bear those ills we have

Than fly to others that we know not of ?

Thus conscience does make cowards of us all;

And thus the native hue of resolution

Is sicklied o'er with the pale cast of thought,

And enterprises of great pitch and moment

With this regard their currents turn awry,

And lose the name of action.’

(Act III, Sc. I)

 

ସମାଜ ତାହାର ବ୍ୟକ୍ତିମାନଙ୍କୁ ଧର୍ମର ଅସ୍ତ୍ରଦ୍ୱାରା ଶାସନ କରେ । ଏହି ଧର୍ମ ସମାଜ-ସଂସ୍କାର-ପଥରେ ଗୋଟାଏ ବିଶେଷ ବାଧା । ଭାରତବାସୀମାନେ ସହସ୍ର ସହସ୍ର ବତ୍ସର ଧରି କେତେଗୁଡ଼ିଏ ପ୍ରାଚୀନ କୁପ୍ରଥାର ଅତ୍ୟାଚାରରେ ଉତ୍ପୀଡ଼ିତ ହେଉଅଛନ୍ତି । ବାଲ୍ୟ-ବିବାହ, ବିଧବାମାନଙ୍କର ପୁନର୍ବିବାହ-ନିଷେଧ, ଜାତିଭେଦ, ଯୁକ୍ତପରିବାର-ପ୍ରଥା, ଅବରୋଧ-ପ୍ରଥା—ଏ ସବୁର ସଂସ୍କାର ଆବଶ୍ୟକ । କିଏ ସେଥିରେ ବାଧା ଦେଉଅଛି ? ଧର୍ମ ଓ ଧର୍ମଭୟ । ଧର୍ମଭୟ ଏବଂ ବିବେକ ଆମ୍ଭମାନଙ୍କୁ କାପୁରୁଷ କରି ଦେଇଅଛି ।

 

ବିବେକ ସମ୍ୱନ୍ଧରେ ଆଉ ଗୋଟାଏ ବିଷୟ ଆଲୋଚନା କରିବାର ଅଛି ।

 

୫ । ବିବେକ କି ଆମ୍ଭମାନଙ୍କର କାର୍ଯ୍ୟସିଦ୍ଧି ପକ୍ଷରେ ସହାୟ ଅଟେ ?

 

କାର୍ଯ୍ୟସିଦ୍ଧିର ଦୁଇଗୋଟି ଉପାୟ ଅଛି—(୧) ସବୁ ସମୟରେ ନିଜର ଇଷ୍ଟ କରିବ ଏବଂ (୨) ଆବଶ୍ୟକ ପଡ଼ିଲେ ପରର ଅନିଷ୍ଟ କରିବ । କେଉଁଟାରେ ଇଷ୍ଟ ହେବ ଏବଂ କେଉଁଟାରେ ଅନିଷ୍ଟ ହେବ ପ୍ରକୃତି ତାହାର ସଙ୍କେତର ବନ୍ଦୋବସ୍ତ କରିଅଛି । ଯେଉଁ ବସ୍ତୁ ଆମ୍ଭମାନଙ୍କର ଇଷ୍ଟ ସାଧନ କରିବ ସେ ବସ୍ତୁର ଆଗମନରେ ଆମ୍ଭେମାନେ ସୁଖ ଅନୁଭବ କରୁଁ । ଯେଉଁ ବସ୍ତୁ ଆମ୍ଭମାନଙ୍କର ଅନିଷ୍ଟ ସାଧନ କରିବ ତାହାର ଆଗମନରେ ଆମ୍ଭେମାନେ ଦୁଃଖ ଅନୁଭବ କରୁଁ । ଶୀତଳ ବାୟୁ ଆମ୍ଭମାନଙ୍କୁ ସୁଖ ଦିଏ, ତାହା ଆମ୍ଭମାନଙ୍କୁ ସ୍ୱାସ୍ଥ୍ୟ ଆଣିଦିଏ । ଉଷ୍ଣ ବାୟୁ ଆମ୍ଭମାନଙ୍କୁ ଦୁଃଖ ଦିଏ, ତାହା ଆମ୍ଭମାନଙ୍କୁ ଅସୁସ୍ଥ କରାଏ । ଆମ୍ଭେମାନେ ଯଦି ସୁଖ ଅନ୍ୱେଷଣ କରୁଁ, ଆମ୍ଭମାନଙ୍କର ମଙ୍ଗଳ ହେବ, ଯଦି ଦୁଃଖ ଅନ୍ୱେଷଣ କରୁଁ ଆମ୍ଭମାନଙ୍କର ଅମଙ୍ଗଳ ହେବ । ଶରୀରରେ କେତେଗୁଡ଼ି ବିଶେଷ ଶିରା ଅଛି ଯାହା ଆମ୍ଭମାନଙ୍କୁ ସୁଖ ଦିଏ ଏବଂ ଅନ୍ୟ କେତେଗୁଡ଼ି ଶିରା ଅଛି ଯାହା ଆମ୍ଭମାନଙ୍କୁ ଦୁଃଖ ଦିଏ । ଶରୀରର ଉପରି ଭାଗରେ ଏହି ସବୁ ଶିରା ବର୍ତ୍ତମାନ, କାରଣ ସେଠାରେ ଏ ସବୁର ଆବଶ୍ୟକତା ଅଛି । ଯେତେବେଳେ କୌଣସି ହିତକର ବସ୍ତୁ ଆସେ ସୁଖଶିରା ତାକୁ ଗ୍ରହଣ କରିବାର ଆଦେଶ ଦିଏ । ଯେତେବେଳେ କୌଣସି ଅନିଷ୍ଟକର ବସ୍ତୁ ଆସେ ଦୁଃଖଶିରା ତାକୁ ବର୍ଜନ କରିବା ପାଇଁ ସତର୍କ କରିଦିଏ । ସେଥିପାଇଁ ଜଣେ ବୈଜ୍ଞାନିକ କହିଅଛନ୍ତି—ସୁଖଗୁଡ଼ି ଆଦେଶାତ୍ମକ (mandatory), କ’ଣ କରିବାକୁ ହେବ ତାହା ସେମାନେ କହି ଦିଅନ୍ତି; ଦୁଃଖଗୁଡ଼ି ସତର୍କକର (monitory), ଯେହେତୁ ସେଗୁଡ଼ି ଆମ୍ଭମାନଙ୍କୁ ବିପଦର ସନ୍ଧାନ ଦିଅନ୍ତି । ଶରୀରର ଅଭ୍ୟନ୍ତରରେ—ଯେଉଁଠାରେ ହିତକର କି ଅହିତକର ବସ୍ତୁର ପ୍ରବେଶ କରିବାର ଉପାୟ ନାହିଁ, ସେଠାରେ ସୁଖର କି ଦୁଃଖର ଶିରା ଥାଏ ନାହିଁ । ହୃତ୍‌ପିଣ୍ତକୁ ଯଦି ଖଣ୍ତ ଖଣ୍ତ କରି କଟା ହୁଏ ପ୍ରାଣୀ ସେଥିରେ କୌଣସି ଦୁଃଖ ଅନୁଭବ କରେ ନାହିଁ, କାରଣ ସେଠାରେ ଦୁଃଖଶିରାର ଅଭାବ । ଯଦି ଆମ୍ଭେମାନେ ମଙ୍ଗଳ ଚାହୁଁ ଆମ୍ଭମାନଙ୍କୁ ପ୍ରକୃତିର ଆଦେଶ ମାନିବାକୁ ହେବ—ସୁଖ ଅନ୍ୱେଷଣ କରିବାକୁ ହେବ ଏବଂ ଦୁଃଖ ବର୍ଜନ କରିବାକୁ ହେବ । ବିବେକ ଏପରି କାର୍ଯ୍ୟରେ ସହାୟତା ନ କରି ବରଞ୍ଚ ବାଧା ଦିଏ । ନିଜର ଇଷ୍ଟ ନ କରି ଯେ ପରର ଇଷ୍ଟ କରେ ଆମ୍ଭେମାନେ ତାହାକୁ ସାଧୁ ଓ ବିବେକୀ କହୁଁ । କାର୍ଲାଇଲ ଏକ ସ୍ଥାନରେ କହିଅଛନ୍ତି–

 

Virtue is a passion—a bubble of the blood—bubbling in the direction which others profit by.

 

(ସ୍ୱାର୍ଥନାଶାୟ ପରୋପକାର) ବିବେକ ଆମ୍ଭମାନଙ୍କୁ ପ୍ରକୃତିର ବିରୁଦ୍ଧାଚରଣ କରିବାକୁ ଆଦେଶ ଦିଏ । ସେଥିପାଇଁ ତାହା ଆମ୍ଭମାନଙ୍କର କାର୍ଯ୍ୟସିଦ୍ଧିର ଅନୁକୂଳ ନୁହେ ।

 

ବିବେକ ଆମ୍ଭମାନଙ୍କୁ ସବୁ ସମୟରେ ପରର ଇଷ୍ଟ କରିବାକୁ ଆଦେଶ ଦିଏ ଏବଂ ଅନିଷ୍ଟ କରିବାରେ ବାଧା ଦିଏ । କିନ୍ତୁ ନିଜର ଇଷ୍ଟ କରିବାକୁ ହେଲେ ଅନେକ ସମୟରେ ପରର ଅନିଷ୍ଟ କରିବାକୁ ହୁଏ । ଆଓରଙ୍ଗଜେବ କେତେ ଆତ୍ମୀୟ ବନ୍ଧୁଙ୍କୁ ହତ୍ୟା କରି, ଦୁଃଖ ଦେଇ ସିଂହାସନ ଆରୋହଣ କରିଥିଲେ । ଅର୍ଦ୍ଧସଭ୍ୟ ଓ ଅସଭ୍ୟ ଜାତିମାନଙ୍କୁ ବିନାଶ କରି ସଭ୍ୟଜାତିମାନେ ସେମାନଙ୍କ ଉପରେ ରାଜତ୍ୱ କରୁଅଛନ୍ତି । ଜୀବ-ଜଗତରେ ଦେଖୁଁ ପ୍ରକୃତି କେତେଗୁଡ଼ି ଜାତିକୁ ଏପରି ଶାରୀରିକ ଓ ମାନସିକ ଅସ୍ତ୍ର ଦେଇଅଛି ଯେ ସେମାନେ ଅନ୍ୟ ପ୍ରତିଯୋଗୀ ଜାତିମାନଙ୍କୁ ବିନାଶ କରି ପାରୁଅଛନ୍ତି । ବ୍ୟାଘ୍ରର ନଖଦନ୍ତ, ତାହାର ମାଂସପେଶୀ, ତାହାର ନିଷ୍ଠୁର ପ୍ରକୃତି ଅନ୍ୟ ଜୀବଜାତିକୁ ବିନାଶ କରିବାରେ ତାହାର ସହାୟ ହେଉଅଛି । ସେ ପରୋପକାର କରି ବନର ରାଜା ହୋଇ ନାହିଁ, ହିଂସାମାର୍ଗ ତାହାକୁ ଜୀବଜାତି ମଧ୍ୟରେ ଏତେ ଉଚ୍ଚ ସ୍ଥାନ ଦେଇଅଛି । ଇଟାଲୀ, ଜର୍ମାନୀ ଓ ଯାପାନ ବର୍ତ୍ତମାନ ସେମାନଙ୍କର ରାଜ୍ୟ ବିସ୍ତାର କରୁ ଅଛନ୍ତି । କେଉଁ ପୁଣ୍ୟବଳରେ ସେମାନେ ଜଗତର ରାଜସିଂହାସନ ପାଉଅଛନ୍ତି ? ଦସ୍ୟୁବୃତ୍ତି, ନରହତ୍ୟା, ବଳତ୍କାର, ବିଷାକ୍ତ ବାଷ୍ପ, ଆଗ୍ନେୟ ଗୋଳା ନିକ୍ଷେପକାରୀ ବ୍ୟୋମଯାନ, ଯୁଦ୍ଧ ଜାହାଜ ପ୍ରଭୃତି ଅସ୍ତ୍ରମାନ ସେମାନଙ୍କୁ ଜଗତରେ ଏତେ ଉଚ୍ଚ ସ୍ଥାନ ଦାନ କରିଅଛି । ମୁକ୍ତିପ୍ରୟାସୀ ନିରୀହ ଭାରତବାସୀ ଦାସତ୍ୱ, ଦାରିଦ୍ର୍ୟ ଏବଂ ଅଧୋଗତିର ଅତଳପଙ୍କରେ ନିମଜ୍ଜିତ ଅଛନ୍ତି । ଧର୍ମର ପଣ୍ତାମାନେ ଧର୍ମର ବିଜୟଗାଥା ଆମ୍ଭମାନଙ୍କୁ ଚିରକାଳ ଶୁଣାଇ ଆସୁଛନ୍ତି । କିନ୍ତୁ ଜଗତର ଚତୁର ବ୍ୟକ୍ତି ଓ ଜାତିମାନେ ଶକ୍ତିର ମାର୍ଗ ଅନ୍ୱେଷଣ କରୁଅଛନ୍ତି ।

 

ବେଦବ୍ୟାସ କହିଅଛନ୍ତି—ଏହି ଜୀବଲୋକରେ କେହି ହିଂସା ନ କରି ଜୀବନଧାରଣ କରି ପାରେ ନାହିଁ । ବଳବାନ୍‌ ଜୀବମାନେ ଦୁର୍ବଳ ଜନ୍ତୁମାନଙ୍କୁ ହିଂସା କରି ପ୍ରାଣ ଧାରଣ କରୁଅଛନ୍ତି-। ନକୁଳ ମୂଷିକକୁ, ମାର୍ଜାର ନକୁଳକୁ, କୁକ୍କୁର ମାର୍ଜାରକୁ, ଚିତ୍ରବ୍ୟାଘ୍ର କୁକ୍କୁରକୁ ଏବଂ ମନୁଷ୍ୟ ସେହି ଚିତ୍ରବ୍ୟାଘ୍ରକୁ ଭକ୍ଷଣ କରିଥାଏ । ବିଧାତା ସ୍ୱୟଂ ସ୍ଥାବରଜଙ୍ଗମାତ୍ମକ ପଦାର୍ଥ-ସମୂହକୁ ଜୀବର ଜୀବନଧାରଣୋପଯୋଗୀ ଅନ୍ନସ୍ୱରୂପ ନିର୍ଦ୍ଦେଶ କରିଦେଇଛନ୍ତି । ଏଥିପାଇଁ ବିଜ୍ଞ ଲୋକେ ହିଂସା ସହକାରେ ଜୀବିକା ନିର୍ବାହ କରିବାକୁ ଆଦୌ ସଙ୍କୁଚିତ ହୁଅନ୍ତି ନାହିଁ ।

 

ଅନ୍ୟର ମର୍ମ-ଛେଦନ, ଭୀଷଣ କାର୍ଯ୍ୟସାଧନ ଏବଂ ମତ୍ସ୍ୟଘାତୀ ପରି ଲୋକର ପ୍ରାଣ ସଂହାର ନ କଲେ ବିପୁଳ ଐଶ୍ୱର୍ଯ୍ୟ, କୀର୍ତ୍ତି ଓ ପ୍ରଜା ଲାଭ ହୁଏ ନାହିଁ । ଦେବରାଜ ବୃତ୍ରାସୁରକୁ ସଂହାର କରି ଇନ୍ଦ୍ରତ୍ୱ ଲାଭ କରିଥିଲେ । (ମହାଭାରତ—ଶାନ୍ତିପର୍ବ)

 

ଇଂରାଜୀରେ ଗୋଟିଏ ପଦ୍ୟ ଅଛି, ତାହା ଅନ୍ୟକୁ ଆକ୍ରମଣ କରିବା ସୌଭାଗ୍ୟର ସୋପାନ ବୋଲି ନିର୍ଦ୍ଦେଶ କରିଅଛି ।

 

“My sword, my spear, my shaggy shield,

These make me lord of all below,

And he who fears the lance to wield

Beneath my shaggy shield must bow,

His lands, his vineyards must resign,

For all that cowards have is mine.”

 

କାହାକୁ ଆକ୍ରମଣ କରିବୁଁ ? ଯେ ଦୁର୍ବଳ ତାକୁ ଆକ୍ରମଣ କଲେ ଲାଭ ଅଛି । ବଳବାନକୁ ଆକ୍ରମଣ କଲେ ବିନାଶ ଅବଶ୍ୟମ୍ଭାବୀ । ମାଛକୁ ଆକ୍ରମଣ କଲେ କ୍ଷୁଧା ନିର୍ବୃତ୍ତ ହୋଇ ପାରେ କିନ୍ତୁ ବାଘକୁ ଆକ୍ରମଣ କଲେ ପ୍ରାଣନାଶ ହୋଇଁ ପାରେ । ଜଗତର ନିୟମରେ ଚତୁର ଓ ବଳବାନର ଜୟ ସୁନିଶ୍ଚିତ । କିନ୍ତୁ ବିବେକ ଏହି ନିୟମର ପ୍ରତିକୂଳ ଅଟେ । ସେଥିପାଇଁ ଏହା କାର୍ଯ୍ୟସିଦ୍ଧିର ଅନୁକୂଳ ନୁହେ । ସେଥିପାଇଁ ନିଟ୍‌ଜେ ବର୍ତ୍ତମାନ ଜଗତର ଚରିତ୍ରନୀତିକୁ ଦାସ-ନୀତି କହିଅଛନ୍ତି । ଏଥିରେ ଆମ୍ଭମାନଙ୍କର ଉନ୍ନତି ନ ହୋଇ ଅବନତି ହେଉଅଛି ।

 

ପ୍ରାଚ୍ୟ ଜଗତ ଏତେକାଳ ଦାସ-ନୀତି ଅବଲମ୍ୱନ କରି ଦାସତ୍ୱ ଏବଂ ଅଧୋଗତି ଆଡ଼କୁ ଧାବିତ ହେଉଥିଲା । କିନ୍ତୁ ଜାପାନ ପ୍ରତୀଚୀର ଅନୁକରଣରେ ପ୍ରଭୁ-ନୀତି ଅବଲମ୍ୱନ କରିଅଛି । ଆମ୍ଭେମାନେ ଜାପାନକୁ ପ୍ରଶଂସା କରି ପାରୁଁ କିବା ନିନ୍ଦା କରି ପାରୁଁ, କିନ୍ତୁ ସେ କାର୍ଯ୍ୟସିଦ୍ଧିର ଉପାୟ ଆବିଷ୍କାର କରିଅଛି । ସେ ବର୍ତ୍ତମାନ ପ୍ରତୀଚ୍ୟ ଜଗତର ସମକକ୍ଷ ହୋଇଅଛି-। ଧର୍ମ ଏବଂ ପରକାଳ ପ୍ରାଚୀର ସର୍ବନାଶ କରିଅଛି । ପ୍ରତୀଚୀ ଇହସର୍ବସ୍ୱବାଦୀ । ତାହାର ଭୟର କାରଣ କିଛି ନାହିଁ । ପ୍ରାଚୀ ନିର୍ବାଣର ଉପାସନା କରୁଅଛି । ପ୍ରତୀଚୀ ଅନନ୍ତ ଜୀବନ, ଅନନ୍ତ ତୃପ୍ତିର ସ୍ୱପ୍ନ ଦେଖୁଅଛି ।

 

୬ । ବିବେକ ଓ ସ୍ୱାର୍ଥସାଧନ—

 

ଆମ୍ଭେମାନେ ଦେଖିଲୁଁ ଅନେକ ସମୟରେ ବିବେକ ଆମ୍ଭମାନଙ୍କ ସ୍ୱାର୍ଥ-ସାଧନ-ପଥରେ ଅନ୍ତରାୟ ଅଟେ । ଏ ଦୁଇ ମଧ୍ୟରେ ବିରୋଧ ଚିରକାଳ ଲାଗିଥିବ । ତେବେ କି ଆମ୍ଭମାନଙ୍କୁ ବିବେକଶୂନ୍ୟ ହେବାକୁ ହେବ ? ଏହାର ଗୋଟିଏ ସାଧାରଣ ଉତ୍ତର ଦେବା ଅସମ୍ଭବ-। ଛେଳିକୁ ଯଦି ମାଂସ ଭକ୍ଷଣ କରିବାକୁ ବାଧ୍ୟ କରୁଁ ସେ ତାହା କରି ପାରିବ ନାହିଁ; କାରଣ ଏଟା ତାହାର ପ୍ରକୃତି-ବିରୁଦ୍ଧ ଅଟେ । ବାଘକୁ ଯଦି ଶାକ ସବ୍‌ଜି ଆହାର କରିବାକୁ ଦେଉଁ, ସେ ତାହା ଆହାର କରି ପାରିବ ନାହିଁ । ମନୁଷ୍ୟ ମଧ୍ୟରେ ସୁଦ୍ଧା ନାନା ପ୍ରକୃତିର ଲୋକ ଅଛନ୍ତି । ସମସ୍ତେ ନିଜ ନିଜର ପ୍ରକୃତିର ଅନୁସରଣ କରୁଅଛନ୍ତି । କେହି ତ୍ୟାଗ-ମାର୍ଗର ପଥିକ, କେହି ବା ଭୋଗ-ମାର୍ଗର ପଥିକ; କେହି ହିଂସ୍ର-ନୀତି ଅନୁସରଣ କରୁଅଛି, କେହି ବା ଅହିଂସ-ନୀତି; କେହି ଧର୍ମ-ପଥର ପଥିକ, କେହି ବା ଇହସର୍ବସ୍ୱବାଦୀ । ସମସ୍ତଙ୍କୁ ଏକ ପଥରେ ଚଳାଇବା ଅସମ୍ଭବ ଅଟେ ।

 

ଧର୍ମଧ୍ୱଜୀମାନେ ପରକାଳର ଆଶା ଦେଇ ବିବେକ ଓ ସ୍ୱାର୍ଥସାଧନ ମଧ୍ୟରେ ମିଳନ ଘଟାଇବାକୁ ଚେଷ୍ଟା କରିଅଛନ୍ତି । ସେମାନେ କୁହନ୍ତି ବିବେକମାର୍ଗରେ ଚଳି ଯଦି ତୁମ୍ଭେ ଏ ଜୀବନରେ କ୍ଷତିଗ୍ରସ୍ତ ହୁଅ, ପରକାଳରେ ସେ କ୍ଷତିପୂରଣ ହେବ, ତୁମ୍ଭେ ଅନନ୍ତ  ସ୍ୱର୍ଗଲାଭ କରିବ । ବିଜ୍ଞାନ ଯୁଗରେ ଆଉ ଏପରି ଭଣ୍ତାମି ଚଳୁ ନାହିଁ ।

 

ଅନ୍ୟ କେତେକ ଲୋକ ରାଜଦଣ୍ତର ଭୟ ଦେଖାଇ ଆମ୍ଭମାନଙ୍କୁ ବିବେକ ପଥରେ ଚଳିବାପାଇଁ ଆଦେଶ ଦେଉ ଅଛନ୍ତି । ଯେତେବେଳେ ରାଜା ରାଜା ମଧ୍ୟରେ ସଂଗ୍ରାମ ହୁଏ, ଯେତେବେଳେ ରାଜା ପ୍ରଜାଙ୍କ ଉପରେ ଉତ୍ପୀଡ଼ନ କରେ, ଯେତେବେଳେ ରାଜକୀୟ ବିଧିର ସାହାଯ୍ୟ ନେଇ ମନୁଷ୍ୟ ମନୁଷ୍ୟ ଉପରେ ଅତ୍ୟାଚାର କରେ ଅଥବା ମନୁଷ୍ୟ ଇତର ଜୀବଜନ୍ତୁ ଉପରେ ଅତ୍ୟାଚାର କରେ ସେତେବେଳେ ରାଜଦଣ୍ତର ଅବକାଶ କାହିଁ ?

 

ବିବେକ ଓ ସ୍ୱାର୍ଥସାଧନ ମଧ୍ୟରେ ବିରୋଧ କେଉଁ ଅନାଦି କାଳରୁ ଚଳି ଆସୁଅଛି । ଏହି ବିରୋଧ ଦୂର କରିବାପାଇଁ ଭଗବାନଙ୍କର ସୃଷ୍ଟି ହୋଇଅଛି । କଥିତ ଅଛି ବିବେକ ଭଗବାନଙ୍କର ବାଣୀ ଏବଂ ଯେଉଁ ଲୋକ ବିବେକର ବାଣୀ ଅଗ୍ରାହ୍ୟ କରେ ଭଗବାନ ତାହାକୁ ଶାସ୍ତି ଦିଅନ୍ତି । ଦୁର୍ବଳ ବଳବାନକୁ ଡରାଇବା ପାଇଁ ବିବେକ ଓ ଭଗବାନ ସୃଷ୍ଟି କରିଅଛି । ଚତୁର ଲୋକେ ଏ ଭୟରେ ଭୀତ ନୁହନ୍ତି । ସୁଯୋଗ ପାଇଲେ ସେମାନେ ସ୍ୱାର୍ଥସାଧନ କରିବାକୁ ଛାଡ଼ନ୍ତି ନାହିଁ, ନ ପାଇଲେ ସେମାନେ ବୃଥା ଚେଷ୍ଟା ଏବଂ ବୃଥା ବିଳାପ କରନ୍ତି ନାହିଁ ।

 

ବିବେକ ଗୋଟାଏ କୁସଂସ୍କାର । ଆମ୍ଭେମାନେ ଯେଉଁ ସମାଜରେ ଜନ୍ମଗ୍ରହଣ କରୁଁ ସେହି ସମାଜରେ ବାଲ୍ୟକାଳରୁ ଶୁଣି ଆସୁଁ ଏଟା ନ୍ୟାୟ,ଏଟା ଅନ୍ୟାୟ, ଏଟା ହିତକର, ଏଟା ଅହିତକର । ସମାଜ ଏହିପରି ଆମ୍ଭମାନଙ୍କ କର୍ଣ୍ଣରେ ମନ୍ତ୍ର ଦେଉଥାଏ । ଯେବେ ବଡ଼ ହେଉଁ ସମାଜବାଣୀକୁ ସମାଜବାଣୀ ବୋଲି ଭୁଲି ଯାଉଁ । ତାହା ଆମ୍ଭମାନଙ୍କଠାରେ ବିବେକବାଣୀ ବା ଈଶ୍ୱରବାଣୀ ବୋଲି ପ୍ରତୀତ ହୁଏ ଏବଂ ଆମ୍ଭମାନଙ୍କର ସମସ୍ତ କାର୍ଯ୍ୟ ଏହି ମିଥ୍ୟାବାଣୀଦ୍ୱାରା ଚାଳିତ ହୁଏ । ଜନ୍‌ ଷ୍ଟୁୟାର୍ଟ ମିଲ୍ କହିଅଛନ୍ତି—Conscience can be manufactured (ଆମ୍ଭେମାନେ ଗୋଟିଏ ବିବେକ ସୃଷ୍ଟି କରିପାରୁଁ) । ସମାଜର କାରଖାନାରେ କେତେ ଯେ ବିବେକ ସୃଷ୍ଟି ହେଉଛି ତାହା କେହି ଗଣନା କରି ପାରେ ନାହିଁ । ଏ ବିବେକକୁ ଡରିଲେ ଚଳିବ ନାହିଁ । ଏହା ଆମ୍ଭମାନଙ୍କୁ କାପୁରୁଷ କରି ଦେଉଅଛି । ଏତଦ୍ଦ୍ୱାରା ଆମ୍ଭେମାନେ ଲକ୍ଷ୍ୟଭ୍ରଷ୍ଟ ହେଉଅଛୁଁ । ଆମ୍ଭମାନଙ୍କୁ ଲକ୍ଷ୍ୟ ସ୍ଥିର କରିବାକୁ ହେବ । ସ୍ୱାସ୍ଥ୍ୟ, ଅର୍ଥ, ବିଦ୍ୟା, ଶକ୍ତି, ଯଶ, ଗୌରବ—ଲୋକେ ଏହିରୂପ ନାନା ଅଭୀଷ୍ଟ ଦିଗକୁ ଧାବିତ ହେଉଅଛନ୍ତି । ଏସବୁ ଲାଭ କରିବାକୁ ହେଲେ ଆମ୍ଭମାନଙ୍କୁ କେତେଗୁଡ଼ି ଉପାୟ ଅନୁସରଣ କରିବାକୁ ହେବ । ସେ ଉପାୟଗୁଡ଼ି ବିବେକାନୁମୋଦିତ କି ବିବେକବିରୋଧୀ ଏହା ଭାବିଲେ ଚଳିବ ନାହିଁ । ଆମ୍ଭମାନଙ୍କୁ ଦେଖିବାକୁ ହେବ ଉପାୟଗୁଡ଼ି ଇଷ୍ଟ ସାଧନର ଅନୁକୂଳ କି ନା । ଜଗତର ମହାପୁରୁଷମାନଙ୍କ ଜୀବନରେ ଦେଖୁଁ ସେମାନେ ବିବେକର ପନ୍ଥା ଅନୁସରଣ ନ କରି କାର୍ଯ୍ୟ କାରଣର ପନ୍ଥା ଅନୁସରଣ କରିଅଛନ୍ତି ।

 

କ୍ରୋଡ଼ପତ୍ର

 

‘ବିବେକ’ ଶୀର୍ଷକ ପ୍ରବନ୍ଧରେ ବିବେକ ଓ ନୀତି ବିଜ୍ଞାନର ଆପେକ୍ଷିକତା ବିଷୟ ଆଲୋଚନା କରା ହୋଇଅଛି । ୧୯୩୪ ସାଲ ଏପ୍ରିଲ ମାସରେ ପୁନା ସହରରେ ଭାରତବର୍ଷୀୟ ଦାର୍ଶନିକ ମହାସଭାର  (Indian Philosophical Congress) ନବମ ଅଧିବେଶନ ସମ୍ପନ୍ନ ହୋଇଥିଲା । ସେଠାରେ ନୀତିବିଜ୍ଞାନର ଆପେକ୍ଷିକତା (Ethical Relativity) ଶୀର୍ଷକ ପ୍ରବନ୍ଧ ପାଠ କରିବା ପାଇଁ ମୁଁ ଆହୂତି ହୋଇଥିଲି । ଉକ୍ତ ପ୍ରବନ୍ଧରେ ଆଲୋଚ୍ୟ ବିଷୟ ଆହୁରି ସ୍ପଷ୍ଟ ଭାବରେ ବ୍ୟକ୍ତ କରା ହୋଇଅଛି । ପାଠକମାନଙ୍କର ଅବଗତି ସକାଶେ ତାହା ନିମ୍ନରେ ଉଦ୍ଧାର କଲି :—

 

ETHICAL RELATIVITY

 

1. Historical Orientation.

 

The theory of ethical relativity had its origin among the Sophists in Greece. The theory, as defined by Rogers in his ‘History of Ethics’ is that the laws of social morality are subject to variation—not indeed arbitrary, but determined by the changes in social conditions and individual circumstances. The maxim that circumstances alter the case is true. The law makes a distinction between murder and homicide which is justified in self-defence. Fraud which is condemned in times of peace may be justified in war. Herbert Spencer shows that different forms of marriage are suited to the different conditions of society polygamy for nations which are constantly engaged in war and where, consequently, the proportion of females is very large polyandry for those in which women require the protection of more than one husband and monogamy for other nations.

 

Protagoras taught the famous doctrine that man is the measure of all things. As applied to Ethics it means that good is entirely subjective; it is relative to the individual who achieves it, and what appears to him to be good is good. Among the later Sophists this principle of subjectivity in Ethics led to the doctrine that each individual may do what he likes without reference to the good of others, that there is no objective distinction between good and bad. Recently Westermarck in his treatise on ‘Ethical Relativity’ supports both the principles of ethical subjectivism and ethical relativity. According to him conscience is mainly a matter of emotion. Certain actions have a tendency to rouse in us the feeling of approval and others that of disapproval. The former are called good and the latter bad. But the same action may rouse the feeling of approbation in some and that of disapprobation in others. Hence one and the same action may be good to some and bad to others. Thus he deduces the principle of relativity from that of subjectivity. What is meat to one might be poison to another. What is good for Japan might be highly bad for China.

 

2. A criterion needed.

 

In deciding the question of relativity we should guard against one particular error. There is a general tendency to decide such questions on the ground of consequence. If a particular doctrine is found to be mischievous it is generally held to be erroneous. The principle of ethical relativity is supposed to lead to anarchy and hence it is considered unscientific. We should, in the present discussion, see whether there is any scientific ground for the theory which we are trying to establish without regard to its consequences.

 

3. Problem stated.

 

The fundamental concept of Ethics is Good. But Good is essentially relative. There is a conflict in the interests of individuals and societies. If what is ethically right is what is conducive to good then the same thing might be right for some and wrong for others. It will be said perhaps that in order to make social life possible we cannot be wholly oblivious to the interests of other persons. There must, therefore, be a certain amount of sacrifice of individual good in order to make common good possible. But no science can lay down the exact boundary between the two forms of good–can say how far the individual good should yield to general good or vice versa. That would depend on individual tastes and temperaments and the tastes and temperaments of the society to which he belongs. There can be no question as to the fact that morality is relative. We have seen that it is relative to social conditions and individual circumstances. We have only to see if ethical relativity is such that no uniformity is possible in the region of morals—that under the same circumstances what is right for some might be wrong for others.

 

4. Positive morality.

 

Rogers makes a distinction between Positive Morality and Ideal Morality. “Positive Morality is the body of ethical laws accepted by an Age or Community as correct principles for determining the true worth of actions and expressed in the form of judgements of approval and disapproval.” He admits that this form of morality is partly based on unreflecting traditions, conventions and customs; it is often inconsistent with itself and varies in different times and countries. The burning of so-called witches and the torture of persons suspected of heresy were once regarded as justifiable. (Rogers-History of Ethics—p. 2) But he claims that Ideal Morality cannot but be uniform.

 

5. Ideal Morality :—

 

To see if uniformity is possible in the region of Ideal Morality we have to consider the main problems which this form of morality has to solve. In individual Ethics it has to solve the problem why a man should sacrifice the interest of the present to those of the future and in Social Ethics the problem why we should sacrifice our own interests for those of other persons. In answer to the first problem it may be said that it would be unreasonable for every individual not to sacrifice his present interests when his greatest happiness cannot be secured otherwise. But it is not so easy to answer the second problem. Society, apart from the individuals composing it, is an abstraction. Hence all good must be realised in the life of individuals. When the good of one individual comes into conflict with that of others we cannot always solve the conflict by appeal to the greatest happiness of the greatest number, for the greatest happiness of the greatest number is very seldom the greatest happiness of the agent himself. The principle of rational benevolence, as laid down by Sidgwick, is “I ought not to prefer my own lesser good to the greater good of another.” This opposed to the common-sense principle according to which it might very well be right for each person to prefer his own lesser good to the greater good of another. The second problem. therefore, seems to be insoluble. If Positive Morality fails to establish uniformity in morals so too the Ideal Morality.

 

6. Conflicting Ideals.

 

Moreover the ultimate moral ideal is not one. It is many. According to some, self-realization and according to others the service of others is the ultimate moral ideal. According to Nietzche altruism is a pestilent delusion which has retarded individual development from the first dawn of civilization. This he calls the “slave-morality” which keeps in existence the incapable and the weak and he thinks that with the advance of “master-morality” each individual would be free to follow his own line of development and secure his own enjoyment without regard to the interests of others. This form of morality is suited to an aristocratic society. But there is another form which is suited to a democratic institution. The utilitarian doctrine of the greatest happiness of the greatest number does not advocate the concentration of happiness and development within the few but its distribution among the many. Buddha, Chaitanya and Jesus were the supporters of this doctrine.

 

7. No Categorical Imperative.

 

When ideals differ a science of morality becomes impossible. For science presupposes the existence of certain uniform laws which can be reduced to one ultimate or a body of ultimate laws which do not contradict one another. In the field of morals we find such uniformity impossible. Moralists try to reduce all moral laws to one principle Be reasonable. But when we come to determine what is reasonable we arrive at diverse conclusions. The interests of individuals and races are so antagonistic that what is reasonable for one might be very unreasonable for another. Moral laws are, therefore, hypothetically, not categorically, valid; i.e, valid on the assumption that we accept some reasonable end of action as the ultimate moral ideal. But if we take our stand on conflicting moral ideals, moral uniformity becomes a dream. Like social and political laws they would be changeable and not uniform and eternal.

 

8. Is Relativity anti-social ?

 

If there is no such thing as objective right it seems that the laws of the state can be founded on nothing but force, custom and convention. In the absence of an objective standard there can be no such thing as goodness or justice. The law of force is the only law which Nature recognises. If a man is powerful enough to defy the law with impunity he has a perfect right to do so. Might is, therefore, right. These are the conclusions which the Sophists deduced from their doctrine of moral relativity. But they are not wholly right. It does not follow from moral relativity that the individual should do whatever he likes. His choice should be limited to what is reasonable. So too the choice of society. But when the reasonable end pursued by the individual comes into conflict with the reasonable end pursued by the society, the individual has to yield to the society which is the greater power. If two nations, each pursuing what is reasonable for her, come into conflict with each other and cannot arrive at an agreement, force solves the insoluble. It is in this sense that might is right. Force is the weapon by which society brings into unity and harmony the couflicting interests of the individuals coming under it and it is the same weapon which nations use when they fail to arrive at an agreement. The logical consequences of ethical relativity might be unpleasant but they are in accordance with the law of universe. All that Ethics demands is that our actions should be reasonable. But when reasonable ends conflict, force solves the insoluble. Herein do we find the limitations of Ethics. Force can be used for diverse ends - the greatest happiness of the greatest number, the greatest happiness of the few, the greatest happiness of mankind as a whole or the greatest good only of the powerful nations. In so far as the doctrine of relativity benefits a part of the society we call it pro-social and in so far as it injures other parts we call it anti-social.

 

9. Resulting conception of moral progress. –

 

If all morality be relative there can be nothing higher or lower in it.  Each is highest in its own sphere. It is wider when it seeks the greatest good of the greatest number and narrower when it seeks the greatest good of the few. Moral progress would then mean not a transition from a lower from to a higher form of morality but a change from a narrower application of moral ideas to a wider one.

☆☆☆

 

ଭାରତରେ ବିବାହ-ସଂସ୍କାର

 

ବିବାହ-ପ୍ରଥାଦ୍ୱାରା ଯେ ନାରୀର ସ୍ୱାଧୀନତା ଲୋପ ହୋଇଅଛି ଏତିକି ନୁହେ । ଏତଦ୍ଦ୍ୱାରା ପୁରୁଷର ଯୌନ-ସ୍ୱାଧୀନତା ମଧ୍ୟ ଲୋପ ହୋଇଅଛି । ଭାରତରେ ଯେତେଗୁଡ଼ି ବିବାହ-ସଂସ୍କାରର ଚେଷ୍ଟା ହୋଇଅଛି ସେଥିରେ କେବଳ ନାରୀର ବର୍ତ୍ତମାନ ଅବସ୍ଥାର ଉନ୍ନତିର ଚେଷ୍ଟା କରା ହୋଇଅଛି, ନରନାରୀଙ୍କୁ ସେମାନଙ୍କର ଯୌନ-ସ୍ୱାଧୀନତା ଦେବାର ଚେଷ୍ଟା କରା ହୋଇ ନାହିଁ ।

ପଣ୍ତିତ ଈଶ୍ୱରଚନ୍ଦ୍ର ବିଦ୍ୟାସାଗର ନାରୀର ଦୁର୍ଗତିର କାରଣ ଏହିରୂପେ ନିର୍ଦ୍ଦେଶ କରିଅଛନ୍ତି—‘‘ସ୍ତ୍ରୀ ଜାତି ଅପେକ୍ଷାକୃତ ଦୁର୍ବଳ ଓ ସାମାଜିକ ନିୟମ ଦୋଷରୁ ପୁରୁଷ ଜାତିର ନିତାନ୍ତ ଅଧୀନ । ଏହି ଦୁର୍ବଳତା ଓ ଅଧୀନତା ଯୋଗୁଁ ସେମାନେ ପୁରୁଷଜାତିଠାରେ ଅବନତ ଓ ଅପଦସ୍ଥ ହୋଇ କାଳହରଣ କରୁଅଛନ୍ତି । ପ୍ରଭୁତାପନ୍ନ ପ୍ରବଳ ପୁରୁଷଜାତି ଯଦୃଚ୍ଛାପ୍ରବୃତ୍ତି ହୋଇ ଅତ୍ୟାଚାର କରନ୍ତି । ସ୍ତ୍ରୀମାନେ ନିତାନ୍ତ ନିରୂପାୟ ହୋଇ ସେ ସମସ୍ତ ସହ୍ୟ କରି ଜୀବନଯାତ୍ରା ସମାଧାନ କରନ୍ତି । ପୃଥିବୀର ପ୍ରାୟ ସର୍ବ ପ୍ରଦେଶରେ ସ୍ତ୍ରୀ ଜାତିର ଏହିପରି ଅବସ୍ଥା । କିନ୍ତୁ ଏହି ହତଭାଗ୍ୟ ଦେଶରେ ପୁରୁଷ ଜାତିର ନୃଶଂସତା, ସ୍ୱାର୍ଥପରତା, ଅବିମୃଶ୍ୟକାରିତା ପ୍ରଭୃତି ଦୋଷର ଆତିଶଯ୍ୟବଶତଃ ସ୍ତ୍ରୀଜାତିର ଯେଉଁ ଅବସ୍ଥା ଘଟିଅଛି ତାହା ଅନ୍ୟ କୌଣସିଠାରେ ଲକ୍ଷିତ ହୁଏ ନାହିଁ ।’’

ପରାଶର ସ୍ତ୍ରୀଜାତିକୁ ଗୃହପାଳିତ ପଶୁଠାରୁ ଅଧିକ ଉଚ୍ଚ ସ୍ଥାନ ଦେଇ ନ ଥିଲେ । ସେଥିପାଇଁ ସେ କହି ଅଛନ୍ତି ଯେ, ଯେତେବେଳେ ନାରୀର ସ୍ୱାମୀ ମରେ ସେ ନାରୀର ଆଉ ବଞ୍ଚି ରହିବାର ପ୍ରୟୋଜନ କ’ଣ ? ‘‘ତିସ୍ରଃ କୋଟ୍ୟୋଽର୍ଦ୍ଧ କୋଟୀ ଚ ଯାନି ଲୋମାନି ମାନବେ । ତାବତ୍‌ କାଲଂ ବସେତ୍‌ ସ୍ୱର୍ଗଂ ଭର୍ତ୍ତାରଂ ଯାନୁଗଚ୍ଛତି ।’’ (ଯେଉଁ ନାରୀ ସ୍ୱାମୀର ସହଗମନ କରେ, ମନୁଷ୍ୟ ଶରୀରରେ ଯେଉଁ ସାଢ଼େ ତିନିକୋଟି ଲୋମ ଅଛି ସେ ସେତେକାଳ ସ୍ୱର୍ଗରେ ବାସକରେ ।) କି କୁକ୍ଷଣରେ ପରାଶର ଏପରି ବ୍ୟବସ୍ଥା ଦେଲେ ! ପୁରୁଷର ଚିତାରେ କେତେ ନାରୀ ଯେ ପୋଡ଼ା ହେଲେ ତାହା କିଏ ଗଣନା କରିବ । ଭାରତରେ ବିଧବାମାନେ ଯେ ସ୍ୱାମୀର ଚିତାରେ ପୋଡ଼ା ହେଉଥିଲେ ଅଥବା ଜୀବନ୍ତ ଅବସ୍ଥାରେ ପୋତା ହେଉଥିଲେ ତାହାର କାରଣ କ’ଣ ? କେତେ ଗ୍ରନ୍ଥକର୍ତ୍ତା ଲେଖିଛନ୍ତି ଯେ ପୂର୍ବ କାଳରେ ସ୍ତ୍ରୀମାନେ ସେମାନଙ୍କ ସ୍ୱାମୀମାନଙ୍କୁ ବିଷ ଦେଇ ମାରି ଦେଉଥିଲେ । ଏହି ଦୁଷ୍କର୍ମ ନିବାରଣ କରିବା ଉଦ୍ଦେଶ୍ୟରେ ସତୀଦାହ ପ୍ରଥା ପ୍ରଚଳିତ ହେଲା । ସ୍ତ୍ରୀମାନେ ଯେତେବେଳେ ବୁଝିଲେ ଯେ ସ୍ୱାମୀ ସହିତ ସେମାନଙ୍କୁ ମଧ୍ୟ ମରିବାକୁ ହେବ ସେମାନେ ସେମାନଙ୍କର ସ୍ୱାମୀମାନଙ୍କର ଜୀବନ ରକ୍ଷା କରିବାକୁ ଚେଷ୍ଟା କରିବାକୁ ଲାଗିଲେ । ଅନ୍ୟାନ୍ୟ ଲେଖକ ଏ ପ୍ରଥାର ଅନ୍ୟାନ୍ୟ କାରଣ ନିର୍ଦ୍ଦେଶ କରନ୍ତି । କେହି କେହି କହନ୍ତି ଯେ ସ୍ୱାମୀମାନେ ଭୟ କରୁଥିଲେ ଯେ ସେମାନଙ୍କ ଅନ୍ତେ ଅନ୍ୟ ଲୋକେ ସେମାନଙ୍କର ଯୁବତୀ ଓ ସୁନ୍ଦରୀ ସ୍ତ୍ରୀମାନଙ୍କୁ ଭୋଗ କରିବେ । ଈର୍ଷା-ପ୍ରଣୋଦିତ ହୋଇ ସେମାନେ ସେମାନଙ୍କର ସ୍ତ୍ରୀମାନଙ୍କର ମୃତ୍ୟୁର ଆୟୋଜନ କରି ଯାଇଛନ୍ତି । ରାମମୋହନଙ୍କ ମତରେ ବିଧବାର ପୁରୁଷ ଆତ୍ମୀୟମାନେ ଚାହାନ୍ତି ନାହିଁ ଯେ ବିଧବା ସେମାନଙ୍କ ସହିତ ମୃତ ବ୍ୟକ୍ତିର ସମ୍ପତ୍ତି ଭୋଗ କରୁ । ସେଥିପାଇଁ ସେମାନେ ଏହି ସତୀଦାହ-ପ୍ରଥା ସୃଷ୍ଟି କରି ବିଧବାର ଜଞ୍ଜାଳରୁ ନିଜକୁ ମୁକ୍ତ କରିଅଛନ୍ତି । ଅନ୍ୟ କେତେକ ଲେଖକ କହିଛନ୍ତି ଯେ ହିନ୍ଦୁ ସମାଜରେ ବିଧବାର ଜୀବନ ଏପରି ଶୋଚନୀୟ ଯେ ସେମାନେ ନିଜେ ଇଚ୍ଛା କରି ମୃତ୍ୟୁ ଆଲିଙ୍ଗନ କରନ୍ତି । କାରଣ ଯାହା ହେଉ ଏ ପ୍ରଥାର ନୃଶଂସତା ସମ୍ୱନ୍ଧରେ ମତଦ୍ୱୈଧ ଥାଇ ନ ପାରେ । ଶେଷରେ ରାଜା ରାମମୋହନ ଆସି ନାରୀମାନଙ୍କୁ ରକ୍ଷା କଲେ । ତାଙ୍କର ଆନ୍ଦୋଳନରେ ଲର୍ଡ ଉଇଲିୟମ୍‌ ବେଣ୍ଟିକ୍‌ ଯେତେବେଳେ ଭାରତର ରାଜ-ପ୍ରତିନିଧି ଥିଲେ, ୧୮୨୯ ଖ୍ରୀଷ୍ଟାଦ୍ଦ ୪ର୍ଥ ଡିସେମ୍ୱରରେ ଆଇନଦ୍ୱାରା ସତୀଦାହ ନିଷିଦ୍ଧ ହେଲା ।

Regulation XVII of 1829 made the burning or burying alive of widows culpable homicide, punishable with fine or imprisonment or both. When compulsion or the use of drugs deprived the Sati of free will, the offence might be punished with death as murder. [E. Thompson— Suttee —p.78]

ଏ ଆଇନ ରଦ କରିବା ପାଇଁ ହିନ୍ଦୁମାନେ ବିଲାତରେ ଅପିଲ ଦାୟେର କଲେ । Francis Bathie ଅପିଲ ଦରଖାସ୍ତ ଘେନି ବିଲାତ ଯାତ୍ରା କଲେ । ରାମମୋହନ ମଧ୍ୟ ଗଲେ-। ପ୍ରିଭି କାଉନ୍‌ସିଲ୍‌ ରାମମୋହନଙ୍କ ସାକ୍ଷ୍ୟ ଗ୍ରହଣ କରି ଅପିଲ ନା-ମଞ୍ଜୁର କଲେ । ହିନ୍ଦୁ ବିଧବାମାନେ ବଞ୍ଚିଗଲେ ।

ସେହି ଦିନରୁ ଦେଶରେ ହିନ୍ଦୁ-ବିଧବା-ସଂଖ୍ୟା ବଢ଼ିବାକୁ ଲାଗିଲା । ହିନ୍ଦୁ ଧର୍ମର ନିୟମାନୁସାରେ ସେମାନଙ୍କୁ ଆଜୀବନ କଠୋର ବ୍ରହ୍ମଚର୍ଯ୍ୟ ପାଳନ କରିବାକୁ ହେଲା । ସେମାନଙ୍କର ପୁନର୍ବିବାହ ନିଷିଦ୍ଧ । ସେମାନେ ଆଜୀବନ ପରର ଗଳଗ୍ରହ ହୋଇ କାଳ କଟାଇବାକୁ ଲାଗିଲେ । ଈଶ୍ୱରଚନ୍ଦ୍ର ସେମାନଙ୍କ ଦୁଃଖ ମୋଚନ କରିବା ଉଦ୍ଦେଶ୍ୟରେ ବିଧବା-ବିବାହର ଅନୁକୂଳ ବ୍ୟବସ୍ଥା ସକାଶେ ଶାସ୍ତ୍ରରାଶି ଉଦ୍‌ଘାଟନ କରିବାକୁ ଲାଗିଲେ । ଶେଷରେ ସେ ସେପରି ବ୍ୟବସ୍ଥା ପାଇଲେ ଏବଂ ସରକାରଙ୍କ ସାହାଯ୍ୟରେ ସେ ବିଧବା-ବିବାହ-ଆଇନ ସିଦ୍ଧ କରାଇଲେ ।

 

No marriage contracted between Hindus shall be invalid and the issue of no such marriage shall be illegitimate by reason of the woman having been previously married or betrothed to another person, who was dead at the time of such marriage, any custom and interpretation of Hindu law to the contrary notwithstanding. [Act XV of 1856 dated 26th July, 1856]

 

ଯେତେବେଳେ ଆଇନ ଜାରି ହୋଇଗଲା ସେ ନିଜ ଖର୍ଚ୍ଚରେ ଅନେକ ବିଧବା-ବିବାହ ସମ୍ପନ୍ନ କରାଇଲେ । ଶେଷରେ ସେ ସର୍ବସ୍ୱାନ୍ତ ହୋଇ ପଡ଼ିଲେ । ପରେ ଦେଖା ଗଲା ଯେ ଲୋକେ ଆଇନ ଓ ଶାସ୍ତ୍ରବିଧିର ସାହାଯ୍ୟ ପାଇ ମଧ୍ୟ କେବଳ ଦେଶାଚାର ଯୋଗୁଁ ବିଧବା-ବିବାହରେ ରାଜି ହେଲେ ନାହିଁ । ଈଶ୍ୱରଚନ୍ଦ୍ରଙ୍କ ଏତେ ପରିଶ୍ରମ, ଏତେ ଅର୍ଥବ୍ୟୟ ସମସ୍ତ ପଣ୍ତ ହୋଇଗଲା ।

 

ବିଧବା-ବିବାହ ସପକ୍ଷରେ ବିଦ୍ୟାସାଗର ପ୍ରଧାନ କେତେଗୋଟି କାରଣ ଦର୍ଶାଇଥିଲେ-। ସେଗୁଡ଼ି ଏହିରୂପ :—

 

୧ । ଅନ୍ୟାନ୍ୟ ଦେଶ ଓ ଜାତି ମଧ୍ୟରେ ବିଧବା-ବିବାହ ନିଷିଦ୍ଧ ନୁହେ । ଏହା ହିନ୍ଦୁ ଜାତିର ବିଶେଷ ପ୍ରଥା ।

 

୨ । ବିଧବାମାନଙ୍କୁ କଠୋର ବ୍ରହ୍ମଚର୍ଯ୍ୟ-ବ୍ରତ ପାଳନ କରିବାକୁ ହୁଏ । ସେମାନେ ଦିନ ମଧ୍ୟରେ ଥରେ ମାତ୍ର ଖାଆନ୍ତି; ତାହା ମଧ୍ୟ ନିରାମିଷ ଆହାର । ବେଶଭୂଷା କରିବାକୁ ସେମାନଙ୍କୁ ମନା ।

 

୩ । ବିଧବା-ବିବାହ ନିଷିଦ୍ଧ ହେବାଯୋଗୁଁ ଦେଶରେ ପାପ-ଗର୍ଭ, ଭ୍ରୃଣହତ୍ୟା ପ୍ରଭୃତି ପାପ ଦେଖା ଦେଇଅଛି । [ବିଧବାର ଗର୍ଭଧାରଣ ପାପ-ଜନକ ଏହା ସମାଜର ଗୋଟାଏ କୁସଂସ୍କାର । ସମାଜ ମତରେ ସ୍ୱାମୀର ଅଧୀନରେ ଥାଇ ନାରୀ ଗର୍ଭଧାରଣ କରିବ, ନଚେତ୍‌ ସେ ପାପଭାଗୀ ହେବ । ମାତୃପ୍ରଧାନ ଜାତିରେ ଏପରି କୌଣସି ନିୟମ ନାହିଁ । ରୁଷିଆରେ ଜଣେ ବିଖ୍ୟାତ ନାରୀକର୍ମଚାରୀ ବିବାହ ନ କରି ମଧ୍ୟ ତିନିଗୋଟି ସନ୍ତାନର ମାତା ହୋଇଥିଲେ । ସେଥିରେ ସେ ସନ୍ତୁଷ୍ଟ ନ ହୋଇ ଆଉ ନଅଗୋଟି ସନ୍ତାନର ମାତା ହେବାର ଇଚ୍ଛା ପ୍ରକାଶ କରିଥିଲେ । (Dr Fannina Halle—Woman in Soviet Russia p.212) ଭ୍ରୂଣହତ୍ୟା ରୁଷିଆରେ ଆଇନ-ସିଦ୍ଧ ହୋଇଅଛି । ବିଧବା ଭ୍ରୂଣହତ୍ୟା କରେ । ତାହାର କାରଣ କ’ଣ ? ସମାଜ ବିଧବାର ଗର୍ଭଧାରଣ ପାପଜନକ ମନେ କରେ ଏବଂ ସମାଜର ବର୍ତ୍ତମାନ ଅବସ୍ଥାରେ ବିଧବାର ସ୍ୱାଧୀନ-ଜୀବିକାର କୌଣସି ଉପାୟ ନାହିଁ, ସେ ସେଥିପାଇଁ ନିଜର ସନ୍ତାନକୁ ପାଳନ କରିବାକୁ ଅକ୍ଷମ । ଗର୍ଭଧାରଣ ବିଷୟରେ ବିଧବା ଯଦି ସମାଜର ଅନୁମତି ପାଏ ଏବଂ ସମାଜ ଯଦି ତାହାର ସ୍ୱାଧୀନ-ଜୀବିକାର ଉପାୟ ନିର୍ଦ୍ଦେଶ କରେ, ସେ କିପାଇଁ ତାହାର ଗର୍ଭ ନଷ୍ଟ କରିବ ? ବିବାହ ନ କରି ମଧ୍ୟ ସେ ତାହାର ସନ୍ତାନର ଲାଳନ ପାଳନର ଭାର ନେଇ ପାରିବ । କେବଳ ବିଧବା-ବିବାହ ଦ୍ୱାରା ଯେ ଭ୍ରୂଣହତ୍ୟା ନିବାରିତ ହୁଏ ଏପରି ନୁହେ । ଆମ୍ଭେମାନେ ଯଦି ସମାଜର ବିବେକ ପରିବର୍ତ୍ତିତ କରିପାରୁଁ ଏବଂ ବିଧବାକୁ ତାହାର ଜୀବିକା ସ୍ୱାଧୀନ ଭାବରେ ଅର୍ଜନ କରିବାକୁ ସୁବିଧା ଦେଉଁ ସେ କିପାଇଁ ଭ୍ରୂଣହତ୍ୟା କରିବ ? ବିଧବାର କାର୍ଯ୍ୟ ପାଇଁ ବିଧବା ଦାୟୀ ନୁହେ, ଦାୟୀ ସମାଜ ।]

 

ବର୍ତ୍ତମାନ ସମାଜ ବିବାହକୁ ନାନା ବ୍ୟାଧିର ଏକମାତ୍ର ଔଷଧ ମନେ କରେ । କିନ୍ତୁ ବିଧବାକୁ ସଧବା କରି ଦେଲେ କି ତାହାର ସମସ୍ତ ଦୁଃଖର ଅବସାନ ହୁଏ ? ସଧବାମାନଙ୍କର ଅନେକ ଦୁଃଖ ଅଛି ଯାହା ସମାଜ ଜାଣେ ନାହିଁ କି ସମାଜ ଜାଣିବାକୁ ଚେଷ୍ଟା କରେ ନାହିଁ । ବଙ୍ଗଦେଶର ସାହିତ୍ୟିକ ନରେନ୍ଦ୍ରନାଥ ବସୁ ‘‘ଦାମ୍ପତ୍ୟ ଜୀବନରେ ଯୌନ ଅନାଚାର’’ ଆଲୋଚନା କରିବାକୁ ଯାଇ ଯେଉଁ ଘଟନାମାନ ଉଲ୍ଲେଖ କରିଅଛନ୍ତି ସେଥିରୁ କିଛି କିଛି ଆମ୍ଭମାନଙ୍କର ଜାଣିବା ଆବଶ୍ୟକ । ସନ୍ତାନ ଜନ୍ମ ହେବା ପରେ ନାରୀର ଜନନ-ଯନ୍ତ୍ରର ସ୍ୱାଭାବିକ ଅବସ୍ଥା ଫେରି ପାଇବାକୁ କେତେକ ମାସ ସମୟ ଲାଗେ । କିନ୍ତୁ ବହୁ ପୁରୁଷ ନାରୀକୁ ସେତିକି ମାତ୍ର ବିଶ୍ରାମ ଦେବାକୁ ନାରାଜ । ଅନ୍ତୁଡ଼ିର ଏକମାସ ନ କଟୁଣୁ ଅନେକ ନାରୀକୁ ପୁରୁଷର ଅନାଚାର ସହ୍ୟ କରିବାକୁ ହୁଏ । ସ୍ତ୍ରୀ ଯକ୍ଷ୍ମା କିମ୍ୱା ଅନ୍ୟାନ୍ୟ ପ୍ରାଣ-ସଂଶୟ ପୀଡ଼ାରେ ଆକ୍ରାନ୍ତ ହେଲେ ମଧ୍ୟ ପୁରୁଷମାନେ ନାରୀର ଗର୍ଭୋତ୍ପାଦନ ବିଷୟରେ ନିରସ୍ତ ହୁଅନ୍ତି ନାହିଁ । ଗୋଟିଏ ସ୍ତ୍ରୀ ଛଅଗୋଟି ସନ୍ତାନ ରଖି ସ୍ୱର୍ଗାରୋହଣ କଲେ । ତାଙ୍କର ସ୍ୱାମୀ ପୁନର୍ବାର ବିବାହ କଲେ । ଦ୍ୱିତୀୟ ସ୍ତ୍ରୀ ଗର୍ଭରେ ଆଠଗୋଟି ସନ୍ତାନ ଜନ୍ମ ହେବା ପରେ ସେହି ଭଦ୍ରଲୋକ ସ୍ୱର୍ଗାରୋହଣ କଲେ । ଏତେଗୁଡ଼ିଏ ନାବାଳକ ଓ ନାବାଳିକାମାନଙ୍କୁ ଲାଳନ-ପାଳନ କରିବାର ଭାର ଦ୍ୱିତୀୟ ସ୍ତ୍ରୀ ଉପରେ ପଡ଼ିଲା । (‘ଜୟଶ୍ରୀ’—୧୩୦୧ ଶ୍ରାବଣ—୩୭୩ ପୃଷ୍ଠା) ପୁନଶ୍ଚ,ସମାଜର ନୈତିକ ବାୟୁ ଏପରି ଦୂଷିତ ହୋଇଅଛି ଯେ ଅନେକ ସ୍ୱାମୀ ଯୋନିରୋଗରେ ଆକ୍ରାନ୍ତ ହେଉଅଛନ୍ତି । ଏହି ରୋଗରୁ କୁଷ୍ଠ ଏବଂ ଅନ୍ୟାନ୍ୟ ବ୍ୟାଧି ଜାତହୋଇ ବଂଶପରମ୍ପରାକ୍ରମେ ସଂକ୍ରାମିତ ହେଉଅଛି । ଏପରି ଅବସ୍ଥାରେ ସ୍ତ୍ରୀମାନଙ୍କର ସେମାନଙ୍କର ସ୍ୱାମୀମାନଙ୍କୁ ପରିତ୍ୟାଗ କରିବା ଉଚିତ । କିନ୍ତୁ ବିବାହରୂପ ଅଚ୍ଛେଦ୍ୟ ବନ୍ଧନରେ ଆବଦ୍ଧ ହୋଇ ସେମାନେ ତାହା କରିପାରୁ ନାହାନ୍ତି ।

 

ଈଶ୍ୱରଚନ୍ଦ୍ର ବହୁ-ବିବାହର ବିରୋଧୀ ଥିଲେ । ବଙ୍ଗଦେଶର କୁଳୀନମାନେ ଅନେକ ସ୍ତ୍ରୀ ବିବାହ କରୁଥିଲେ । ଜଣେ ଲୋକ ୧୦୭ ଗୋଟି ସ୍ତ୍ରୀ ବିବାହ କରିଥିଲା । ଆଉ ଜଣେ ୫୦ ବର୍ଷ ବୟସରେ ୫୦ ଗୋଟି, ସ୍ତ୍ରୀ ବିବାହ କରିଥିଲା । ଜଣେ ୩୫ ବର୍ଷ ବୟସରେ ୪୦ ଗୋଟି, ଅନ୍ୟ ଜଣେ ସେହି ବୟସରେ ୩୫ ଗୋଟି ବିବାହ କରିଥିଲା । ବିବାହିତା ସ୍ତ୍ରୀମାନେ ସେମାନଙ୍କ ବାପଘରେ ଥାଆନ୍ତି । ସ୍ୱାମୀଠାରୁ କୌଣସି ଅର୍ଥ-ସାହାଯ୍ୟ ପାଆନ୍ତି ନାହିଁ । ଅନେକଙ୍କ ଜୀବନରେ ଥରେ ସୁଦ୍ଧା ସ୍ୱାମୀ ସହିତ ଦେଖା ହୁଏ ନାହିଁ ।

 

ନାରୀ ଜଣେ ରକ୍ଷକ ଓ ଆଶ୍ରୟଦାତା ଲୋଡ଼େ ଏବଂ ସନ୍ତାନସନ୍ତତି ହେଲେ ସେମାନଙ୍କର ଭରଣ-ପୋଷଣ ଓ ଶିକ୍ଷା-ଦୀକ୍ଷା ପାଇଁ ଜଣେ ସହାୟ ଖୋଜେ । କୌଳୀନ୍ୟ ବିବାହରେ ନାରୀ ସ୍ୱାମୀଠାରୁ ଏ ସବୁ କୌଣସି ସାହାଯ୍ୟ ପାଏ ନାହିଁ । ଯୌନକ୍ଷୁଧା ତାହାର ମିଟେ ନାହିଁ । ଏଥିପାଇଁ ବିଦ୍ୟାସାଗର ଏହାର ତୀବ୍ର ପ୍ରତିବାଦ କରି ଅଛନ୍ତି । ଏହି ପ୍ରଥା ଆଇନଦ୍ୱାରା ରହିତ କରିବା ପାଇଁ ସେ ୨୫ ହଜାର ଲୋକଙ୍କର ସ୍ୱାକ୍ଷରିତ ଗୋଟିଏ ଆବେଦନ-ପତ୍ର ବ୍ୟବସ୍ଥାପକ ସଭାକୁ ପଠାଇଥିଲେ । କିନ୍ତୁ ସେଥିରେ କୌଣସି ଫଳ ଫଳିଲା ନାହିଁ । ପୁରୁଷର ବହୁବିବାହର ଅଧିକାର କ୍ଷୁର୍ଣ୍ଣ ନ କରି ସେ ଯଦି ନାରୀର ବହୁବିବାହର ଅଧିକାର ଦାବୀ କରିଥାନ୍ତେ ତାଙ୍କ ପକ୍ଷରେ ଆହୁରି ସୁବିବେଚନାର କାର୍ଯ୍ୟ ହୋଇଥାନ୍ତା । ନରନାରୀ ଉଭୟେ ଯୌନ-ସ୍ୱାଧୀନତା ଅଧିକ ପରିମାଣରେ ଭୋଗ କରନ୍ତେ ।

 

ଯେ ଯାହା କହୁ ଏ ପ୍ରଥା ମଧ୍ୟରେ ଆମ୍ଭେମାନେ ନବ ଯୁଗର ନବ ଆଦର୍ଶ ଦୃଷ୍ଟିଗୋଚର କରୁଁ । କୌଳୀନ୍ୟ ପ୍ରଥା ଅନୁସାରେ ପୁରୁଷ ସ୍ତ୍ରୀର ଭରଣ-ପୋଷଣ ବିଷୟରେ ଦାୟୀ ନୁହେ । ଯେଉଁଠାରେ ପ୍ରେମର ସମ୍ପର୍କ ସେଠାରେ କୌଣସି ଦେଣା ପାଉଣା ନ ଥିବା ଭଲ । ସ୍ତ୍ରୀ କ’ଣ ବେଶ୍ୟା ଯେ ସେ ସ୍ୱାମୀକୁ ତାହାର ଦେହ ବିକ୍ରୟ କରି ତାଠାରୁ ନିଜର ଭରଣ-ପୋଷଣ ଆଦାୟ କରିବ ? ଏ ପ୍ରଥାଦ୍ୱାରା ପୁରୁଷ ଗୋଟିଏ ନାରୀରେ ଆବଦ୍ଧ ନ ହୋଇ ବହୁ ନାରୀ ସହିତ ପରିଚିତ ଓ ମିଳିତ ହେବାର ସୁଯୋଗ ପାଏ । ତଦ୍ଦ୍ୱାରା ତାହାର ଜ୍ଞାନ ଓ ପ୍ରେମ ସଙ୍କୀର୍ଣ୍ଣତା ଛାଡ଼ି ପ୍ରସାରତା ଲାଭ କରେ ଏବଂ ପୂର୍ଣ୍ଣ ଭାବରେ ବିକଶିତ ହେବାର ସୁଯୋଗ ପାଏ । ଶେଲି କହିଅଛନ୍ତି–‘‘ଯାବଜ୍ଜୀବନ ଏକମାତ୍ର ସଙ୍ଗୀ ଅଥବା ସଙ୍ଗିନୀ ସହିତ ଆବଦ୍ଧ ରହିବା କି ଭୀଷଣ ବ୍ୟାପାର-।” ସେ ନିଜେ ଅନେକ ସୁନ୍ଦରୀଙ୍କ ସହିତ ପରିଚିତ ଓ ମିଳିତ ହୋଇଥିଲେ । ସେଥିପାଇଁ ସେ ତାଙ୍କ କବିତାରେ ଅପୂର୍ବ ମଧୁଚକ୍ର ସୃଷ୍ଟି କରି ପାରିଥିଲେ । କୌଳୀନ୍ୟ ପ୍ରଥା ମଧ୍ୟରେ ଏତିକି ଦୋଷ ଯେ ପୁରୁଷକୁ ବହୁ ନାରୀ ସହିତ ପରିଚିତ ଓ ମିଳିତ ହେବାର ଯେପରି ଅଧିକାର ଦିଆ ହୋଇଅଛି ନାରୀକୁ ମଧ୍ୟ ବହୁ ପୁରୁଷ ସହିତ ସେହିପରି ପରିଚିତ ଓ ମିଳିତ ହେବାର ଅଧିକାର ଦିଆ ହୋଇ ନାହିଁ । ଶୁଣୁଁ କୁଳୀନ ନାରୀମାନେ ଲୁଚା ଚୋରା କରି ସେପରି କାର୍ଯ୍ୟ କରୁଥିଲେ । କିନ୍ତୁ ଦୁଷ୍ଟ ସମାଜ ସ୍ତ୍ରୀ ପୁରୁଷଙ୍କୁ ସମାନ ଅଧିକାର ଦେଲା ନାହିଁ କାହିଁକି ? ତାହାହେଲେ କୁଳୀନ ନାରୀମାନେ ଆମେରିକାର ସଖ୍ୟ ବିବାହ (companionate marriage) ଆଚରଣ କରୁ ଥାଆନ୍ତେ-। ଜଣେ ରୁଷ ମହିଳା (Madame Kolontay) ଲେଖିଛନ୍ତି ଯେ ମାନବ ମଧୁମକ୍ଷିକା ପରି ଗୋଟାଏ ପ୍ରେମରୁ ଅନ୍ୟ ପ୍ରେମକୁ ସଞ୍ଚରଣ କରିବ । ଏତଦ୍ଦ୍ୱାରା ତାହାର ଜୀବନ ମଧୁମୟ ଓ ଶକ୍ତିଶାଳୀ ହେବ ।

 

The Russian revolutionary acknowledges that love has power to vitalize and enrich man's life and make him more fit a warrior for whatever cause he is pursuing [ Maurice Hindus–Humanity Uprooted p 130 ]

 

କୁଳୀନ ନାରୀମାନେ ଯେ ସ୍ୱାମୀ-ଘରକୁ ଯାଉ ନ ଥିଲେ ସେଟା ଭଲ କଥା । ବହୁକାଳ ଏକ ସଙ୍ଗରେ ବସବାସ କଲେ ନୂତନତ୍ୱର ମଧୁ ଚାଲିଯାଏ, ପ୍ରଣୟ ଘୃଣାରେ ପରିଣତ ହୁଏ ଏବଂ ସର୍ବ ପ୍ରକାର ମୋହ ଲୁପ୍ତ ହୋଇଯାଏ ।

 

‘‘ଦୂରେ ଥାଅ ଇପ୍ସିତ ହେ, ନ ଆସ ମୋ ପାଶ,

ମୋହ-ମରୀଚିକା ମୋର ନ କର ବିନାଶ ।

ଦିଅ ନାହିଁ ଧରା ବନ୍ଧୁ, ନ ଭାଙ୍ଗ ମୋ ମୋହ,

ନ ଘଟାଅ କ୍ଷୁଦ୍ର ପ୍ରାଣେ ଦାରୁଣ ବିଦ୍ରୋହ ।

ପରଶେ ମଳିନ ହୁଏ ବିକଚ ପ୍ରସୂନ,

ଅପସରି ଯାଏ ମାୟା ମରିଚିକା-ପୂର୍ଣ୍ଣ ।’’

 

(ନନ୍ଦକିଶୋର—ବସନ୍ତ-କୋକିଳ)

 

ସମାଜର ନୂତନ ବ୍ୟବସ୍ଥାରେ କୌଳୀନ୍ୟ ପ୍ରଥା ପୁନଃ-ପ୍ରତିଷ୍ଠିତ ହେବ । ତେବେ ସ୍ତ୍ରୀ ପୁରୁଷ ମଧ୍ୟରେ ଅଧିକାର-ଭେଦ ରହିବ ନାହିଁ ଏବଂ ସେମାନେ ସମାନ ଅଧିକାର ପାଇବେ ।

 

ହିନ୍ଦୁ ସମାଜ ମଧ୍ୟରେ ରହି, ହିନ୍ଦୁ ଧର୍ମ ପରିତ୍ୟାଗ ନ କରି କୌଣସି ସୁଫଳ ପାଇବାର ଆଶା ବିଡ଼ମ୍ୱନା ମାତ୍ର । ସେଥିପାଇଁ ବାଲ୍ୟ-ବିବାହ ଓ ବହୁ-ବିବାହ ରହିତ କରିବାପାଇଁ, ବିଧବା ବିବାହ ଏବଂ ଅସବର୍ଣ୍ଣ ବିବାହ ଆଇନ-ସିଦ୍ଧ କରିବାପାଇଁ କେଶବଚନ୍ଦ୍ର ହିନ୍ଦୁ ସମାଜ ଓ ହିନ୍ଦୁ ଧର୍ମ ପରିତ୍ୟାଗ କରିଥିଲେ ଏବଂ ସରକାରଙ୍କୁ ଅନୁରୋଧ କରି ବିଶେଷ-ବିବାହବିଧି (The Special Marriage Act III of 1872) ବିଧିବଦ୍ଧ କରାଇଥିଲେ । ଏହି ଆଇନ ଅନୁସାରେ ବିବାହ ସମୟରେ ବରର ଅନ୍ତତଃ ୧୮ ବର୍ଷ ଏବଂ କନ୍ୟାର ୧୪ ବର୍ଷ ବୟସ ହେବା ଆବଶ୍ୟକ । ଏକରୁ ଅଧିକ ବିବାହ କଲେ ବର କିମ୍ୱା କନ୍ୟା ଆଇନ ଅନୁସାରେ ଦଣ୍ତନୀୟ ହେବେ-। ଏଥିରେ ବିଧବାର ପୁନର୍ବାର ବିବାହ ବିଷୟରେ କୌଣସି ବାଧା ନାହିଁ । ବ୍ରାହ୍ମମାନେ ଏହି ଆଇନ ଅନୁସାରେ ସେମାନଙ୍କର ବିବାହ ସମ୍ପନ୍ନ କରି ଥାଆନ୍ତି । ବହୁବିବାହ-ନିଷେଧ ବିଷୟରେ ଆମ୍ଭେମାନେ କେଶବଚନ୍ଦ୍ରଙ୍କ ସହିତ ଏକମତ ହୋଇ ପାରିଲୁଁ ନାହିଁ । ଏଥିରେ ସେ କେବଳ ପାଶ୍ଚାତ୍ୟ ଖ୍ରୀଷ୍ଟ-ବିଧିର ଅନୁକରଣ କରି ଅଛନ୍ତି । କିନ୍ତୁ ବାଲ୍ୟ-ବିବାହ ରହିତ କରି ଏବଂ ଅସବର୍ଣ୍ଣ-ବିବାହ ପ୍ରଚଳନ କରି ସେ ସମାଜର ଯଥେଷ୍ଟ ଉପକାର କରି ଅଛନ୍ତି ।

 

କେଶବଚନ୍ଦ୍ରଙ୍କ ପରେ ବିବାହ-ସଂସ୍କାର ବିଷୟରେ ରାୟ ସାହେବ ହରବିଳାସ ସାର୍ଦା ପ୍ରଧାନ ଉଦ୍ୟୋଗୀ । ସେ ବାଲ୍ୟ-ବିବାହ ରହିତ କରିବାପାଇଁ ଗୋଟିଏ ଆଇନର ପାଣ୍ତୁଲିପି ଆଗତ କରିଥିଲେ । ସେ ଦେଖାଇଥିଲେ ଯେ ବାଲ୍ୟବିବାହ ଯୋଗୁଁ ଅନେକ ବାଲ୍ୟ-ବିଧବା ଉତ୍ପନ୍ନ ହେଉ ଅଛନ୍ତି । ୧୯୨୧ ଖ୍ରୀଷ୍ଟାଦ୍ଦରେ ହିନ୍ଦୁ ବାଳ-ବିଧବାର ସଂଖ୍ୟା ଏହିରୂପ ଥିଲା :—

 

୧ ବର୍ଷରୁ କମ ବୟସ୍କା

୬୧୨

 

 

୫ ବର୍ଷରୁ କମ ବୟସ୍କା

୨୦୨୪

 

 

୧୦ ବର୍ଷରୁ କମ ବୟସ୍କା

୯୭,୮୫୭

 

 

୧୫ ବର୍ଷରୁ କମ ବୟସ୍କା

୩,୩୨, ୦୨୪

 

ବାଲ୍ୟାବସ୍ଥାରେ ନରନାରୀଙ୍କର ଶରୀର ପୁଷ୍ଟ ହୋଇ ନ ଥାଏ । ସେଥିପାଇଁ ସେମାନଙ୍କ ମିଳନରେ ଯେଉଁ ସନ୍ତାନ ସନ୍ତତି ଜାତ ହୁଅନ୍ତି ସେମାନେ ରୁଗ୍‌ଣ ଓ ଦୁର୍ବଳ ହୁଅନ୍ତି । ସେ ସମୟରେ ବାଳିକାମାନଙ୍କର ସଂସର୍ଗ ସହ୍ୟ କରିବାର ଶକ୍ତି ମଧ୍ୟ ନ ଥାଏ । ପ୍ରସବ-ବେଦନା ସହ୍ୟ କରି ନ ପାରି ଅନେକେ ମୃତ୍ୟୁ-ମୁଖରେ ପତିତ ହୁଅନ୍ତି । ଶାର୍ଦା ଦେଖାଇ ଥିଲେ ଯେ ଭାରତରେ ପ୍ରତିବର୍ଷ ୧୪ ବର୍ଷରୁ କମ ବୟସ୍କା ପ୍ରାୟ ୨ ଲକ୍ଷ ବାଳିକା ପ୍ରସବ-ବେଦନା ସହ୍ୟ କରି ନ ପାରି ମୃତ୍ୟୁ-ମୁଖରେ ପତିତ ହେଉ ଅଛନ୍ତି । କି ଲଜ୍ଜାର କଥା ! ବାଲ୍ୟ-ବିବାହ ରହିତ କରିବାର ଯଥେଷ୍ଟ କାରଣ ଥିଲେ ମଧ୍ୟ ବ୍ୟବସ୍ଥାପକ ସଭାରେ କେତେକ ହିନ୍ଦୁ ପ୍ରତିନିଧି ‘ଜାତି ଗଲା, ଧର୍ମ ଗଲା’ କହି ଆକାଶ ଫଟାଇ ଦେଲେ । ସରକାର ଡରି ଯାଇ ବାଲ୍ୟ-ବିବାହ ରହିତ କଲେ ନାହିଁ । କେବଳ ବିବାହ ସମୟରେ ଯଦି ବରର ୧୮ ବର୍ଷ ଏବଂ କନ୍ୟାର ୧୪ ବର୍ଷ ବୟସରୁ କମ ହୋଇଥାଏ, ସେପରି ବିବାହରେ ଯେଉଁମାନେ ସହାୟତା କରିବେ ସେମାନଙ୍କୁ କିଛି ଲଘୁ ଦଣ୍ତ ଦେଇ ଛାଡ଼ି ଦେବାର ବ୍ୟବସ୍ଥା ହେଲା । ବାଲ୍ୟ-ବିବାହ-ନିରୋଧ-ଆଇନ (The Child Marriage Restraint Act XIX of 1929) ବିଧିବଦ୍ଧ ହେଲା । କିନ୍ତୁ ସେଥିରେ କିଛି ଫଳ ଫଳିଲା ନାହିଁ-। ଏପରି ବିବାହ ରହିତ କରିବା ଉଚିତ ଥିଲା ।

 

ଏ ସବୁ ସଂସ୍କାରଦ୍ୱାରା ନାରୀର ଅବସ୍ଥାର କିଞ୍ଚିତ ଉନ୍ନତି ହୋଇ ଅଛି ସତ୍ୟ, କିନ୍ତୁ ତାହାର ଦାସତ୍ୱ ଦୂର ହୋଇ ନାହିଁ । ସେ ପୂର୍ବ ପରି ପୁରୁଷର ଦାସୀ ରହିଅଛି । ବିବାହ-ପ୍ରଥା ନାରୀମାନଙ୍କୁ ସବୁ ବିଷୟରେ ପୁରୁଷମାନଙ୍କର ଅଧୀନ କରାଇଅଛି । ପୁରୁଷମାନେ ସେମାନଙ୍କର ଆଧିପତ୍ୟର କି ବ୍ୟବହାର କରି ଅଛନ୍ତି ତାହା ଭାରତର ଉଦାହରଣରେ ସମସ୍ତେ ବୁଝି ପାରିବେ । ପୁରୁଷମାନେ ନାରୀମାନଙ୍କୁ ସମ୍ପତ୍ତିର ଅଧିକାରରୁ ବଞ୍ଚିତ କରି ଅଛନ୍ତି, ସେମାନଙ୍କୁ ଗୃହ କୋଣରେ ଆବଦ୍ଧ କରି ରଖି ଅଛନ୍ତି ଏବଂ କାଳେ ସେମାନେ ଅସତୀ ହୋଇଯିବେ ସେଥିପାଇଁ ସ୍ୱାମୀମାନଙ୍କ ମୃତ୍ୟୁ ପରେ ସେମାନଙ୍କର ପୋଡ଼ା ହେବାର ବନ୍ଦୋବସ୍ତ କରି ରଖି ଅଛନ୍ତି । ଯେଉଁ ପୁରୁଷମାନଙ୍କଠାରୁ ନାରୀମାନେ ଏତେ ଦୟା ପାଇ ଆସିଛନ୍ତି ସେମାନଙ୍କ ଅଧୀନରେ ଆଉ ସେମାନଙ୍କର ରହିବା ଉଚିତ ନୁହେ । ଏହି ବିବାହ-ବନ୍ଧନରେ ପୁରୁଷ ମଧ୍ୟ ତାହାର ଯୌନ-ସ୍ୱାଧୀନତା ହରାଇ ଅଛି । ସ୍ତ୍ରୀ ପୁରୁଷ ଉଭୟଙ୍କୁ ବିବାହବନ୍ଧନରୁ ମୁକ୍ତି ଦେବାକୁ ହେବ । ନାରୀକୁ ସ୍ୱାଧୀନ ଜୀବିକାର ଶିକ୍ଷା ଦେବାକୁ ହେବ । ସେ ଯେତେବେଳେ ନିଜ ଗୋଡ଼ରେ ଛିଡ଼ା ହେବାକୁ ଶିଖିବ ସେ ବିବାହର ଆବଶ୍ୟକତା ଅନୁଭବ କରିବ ନାହିଁ । ଏ ଯୁଗରେ ବିବାହ-ସଂସ୍କାରର ଆବଶ୍ୟକତା ନାହିଁ, ବିବାହ-ବର୍ଜନର ଆବଶ୍ୟକତା ଅଛି ।

 

ଆଉ ଗୋଟାଏ କାରଣରୁ ବିବାହପ୍ରଥା ରହିତ କରିବା ଆବଶ୍ୟକ ହୋଇଅଛି । ବର୍ତ୍ତମାନ ଯୁଗରେ ଗୋଟାଏ ନୂତନ ବିଜ୍ଞାନ ବାହାରି ଅଛି । ତାହାର ନାମ ସୁପ୍ରଜନନ-ନୀତି (Eugenics) । ମାନବ-ଜନ୍ତୁ କିପରି ଉତ୍କୃଷ୍ଟ ସନ୍ତାନ ପ୍ରସବ କରିବ ଏ ବିଜ୍ଞାନ ତାହାର ପନ୍ଥା ନିର୍ଦ୍ଦେଶ କରୁ ଅଛି । ମାନବ ସମାଜରେ ସୁପ୍ରଜନନ-ନୀତିର ପ୍ରୟୋଜନୀୟତା ସମ୍ୱନ୍ଧରେ ଅନେକଙ୍କ ସନ୍ଦେହ ଥାଇ ପାରେ । କିନ୍ତୁ ଯେଉଁମାନେ ଜୀବଜନ୍ତୁମାନଙ୍କ ମଧ୍ୟରୁ ଉତ୍କୃଷ୍ଟ ସ୍ତ୍ରୀ ପୁରୁଷ ବାଛି ସେମାନଙ୍କ ସଂସର୍ଗରେ ସନ୍ତାନୋତ୍ପାଦନ କରାନ୍ତି ସେମାନେ ଦେଖିଛନ୍ତି ଯେ ଅତି ଅଳ୍ପ ସମୟ ମଧ୍ୟରେ ଏହି ଉପାୟରେ ଅତି ଉତ୍କୃଷ୍ଟ ଜୀବଜନ୍ତୁ ସୃଷ୍ଟି କରାହୁଏ । ଲତା ଓ ଜୀବଜନ୍ତୁର ଉତ୍କର୍ଷର ଯଦି ଆବଶ୍ୟକତା ଥାଏ, ମାନବ-ସନ୍ତାନର ଉତ୍କର୍ଷର କି କୌଣସି ଆବଶ୍ୟକତା ନାହିଁ ? ସ୍ୱାଭାବିକ ନିୟମରେ ପୃଥିବୀ ବକ୍ଷରେ ଶତ ସହସ୍ର ବର୍ଷରେ ଜଣେ ଅଧେ ସେପରି ପ୍ରସିଦ୍ଧ କବି କିମ୍ୱା ଦାର୍ଶନିକ ଜନ୍ମଗ୍ରହଣ କରନ୍ତି । କିନ୍ତୁ ଆମ୍ଭେମାନେ ଯଦି ବାଛି ବାଛି ବୀର ପୁରୁଷ ସହିତ ବୀର ନାରୀର ସଂଯୋଗ ଘଟାଉଁ, ଦୁଇ ତିନି ପୁରୁଷରେ ଜଣେ ପ୍ରସିଦ୍ଧ ବୀର ଜନ୍ମଗ୍ରହଣ କରିପାରେ ଏବଂ ତାହାଦ୍ୱାରା ମାନବ ସମାଜର ଅଶେଷ ଉନ୍ନତି ସାଧିତ ହୋଇପାରେ । ଏପରି ନିର୍ବାଚନ-ମୂଳକ ମାନବ-ସନ୍ତାନୋତ୍ପାଦନର ପ୍ରଧାନ ଅନ୍ତରାୟ ବିବାହ । ଆମ୍ଭେମାନେ ଉତ୍କୃଷ୍ଟ ନାରୀଠାରୁ ଉତ୍କୃଷ୍ଟ ସନ୍ତାନ ଆଶା କରୁଁ । ସେ ସେହି ସନ୍ତାନକୁ ଜନ୍ମ ଦେବା ପାଇଁ କେଉଁ ମହାବୃକ୍ଷରୁ ବୀଜ ଆଣି ଅଛି ତାହା ଆମ୍ଭମାନଙ୍କର ଅନୁସନ୍ଧାନ କରିବାର ପ୍ରୟୋଜନ ନାହିଁ । ବୀର ସନ୍ତାନ ପ୍ରସବ କରିବାର ବୀର୍ଯ୍ୟ ସମସ୍ତଙ୍କଠାରେ ନ ଥାଏ । ଯେଉଁମାନଙ୍କର ତାହା ଅଛି, ବିବାହପ୍ରଥାଦ୍ୱାରା ସେମାନେ ଅତି ଅଳ୍ପ ସଂଖ୍ୟକ କ୍ଷେତ୍ରର ଉର୍ବରତା ବିଧାନ କରୁଅଛନ୍ତି । ଯୌନ ସ୍ୱାଧୀନତା ନ ଥିଲେ ନରନାରୀଙ୍କର ସୁସନ୍ତାନ ଜନ୍ମ କରିବାର ସମ୍ଭାବନା ଅତି କମ । ଉତ୍କୃଷ୍ଟ ପୁରୁଷ ସହିତ ଉତ୍କୃଷ୍ଟ ନାରୀକୁ ସର୍ବଦା ମିଳିତ ହେବାର ସୁଯୋଗ ଦେବା ଆବଶ୍ୟକ । ଏତଦ୍ଦ୍ୱାରା ସେମାନେ ଯେ କେବଳ ପରିବର୍ତ୍ତନର ମଧୁ ଭୋଗ କରିବେ ଏତିକି ନୁହେ, ସେମାନେ ଉତ୍କୃଷ୍ଟ ସନ୍ତାନକୁ ଜନ୍ମ ଦେଇ ପାରିବେ । ଈର୍ଷା ସ୍ତ୍ରୀ ପୁରୁଷଙ୍କ ମଧ୍ୟରେ ଯୌନ ସ୍ୱାଧୀନତା ନଷ୍ଟ କରୁ ଅଛି ଏବଂ ବିବାହପ୍ରଥା ଏହି ଈର୍ଷାର ପୋଷକତା କରି ସୁସନ୍ତାନ-ଲାଭର ଅନ୍ତରାୟ ହୋଇଅଛି । କେହି କହିବେ ଆମ୍ଭେମାନେ ଉତ୍କୃଷ୍ଟ ପୁରୁଷ ସହିତ ଉତ୍କୃଷ୍ଟ ନାରୀର ବିବାହ ଦେଇ ସୁପ୍ରଜନନ-ନୀତିର ପ୍ରୟୋଗ କରି ପାରୁଁ । ଏ ନିୟମରେ ସମାଜର ଅଧିକାଂଶ ବ୍ୟକ୍ତିଙ୍କୁ ଅବିବାହିତ ରହିବାକୁ ହେବ ଅଥବା ବିବାହ କରି ନିଜର ଜନନ-ଶକ୍ତି ବିନାଶ କରିବାକୁ ହେବ । ଯେଉଁମାନଙ୍କର ସନ୍ତାନର ସମ୍ଭାବନା ନାହିଁ ସେମାନେ ଅକାରଣ କିପାଇଁ ବିବାହବନ୍ଧନରେ ଆବଦ୍ଧ ହେବେ ? ପୁନଶ୍ଚ ଉତ୍କୃଷ୍ଟ ପୁରୁଷ-ସଂଖ୍ୟା ଓ ଉତ୍କୃଷ୍ଟ ନାରୀ-ସଂଖ୍ୟା ମଧ୍ୟରେ ସାମଞ୍ଜସ୍ୟ ନ ଥାଇ ପାରେ । ଯଦି ନାରୀ-ସଂଖ୍ୟା ଅଧିକ ହୁଏ ଅନେକ ପୁରୁଷଙ୍କୁ ବହୁ ନାରୀ ବିବାହ କରିବାକୁ ହେବ ଏବଂ ପୁରୁଷ ସଂଖ୍ୟା ଯଦି ଅଧିକ ହୁଏ ଅନେକ ନାରୀଙ୍କୁ ବହୁ ପୁରୁଷ ବିବାହ କରିବାକୁ ହେବ । ଆଉ ଗୋଟାଏ କଥା । ଜଣେ ଯାହାକୁ ବିବାହ କରି ଅଛି ଯଦି ଜୀବନରେ ତାହାଠାରୁ ଆହୁରି ଉତ୍କୃଷ୍ଟ ସଙ୍ଗୀ ବା ସଙ୍ଗିନୀ ପାଏ, ବିବାହନିୟମରେ ସେ ତାହା ସହିତ ମିଳିତ ହୋଇ ପାରିବ ନାହିଁ । ସୁସନ୍ତାନ-ଲାଭର ଗୋଟାଏ ବିଶେଷ ସୁଯୋଗ ତାହାକୁ ହରାଇବାକୁ ହେବ ।

 

ପୂର୍ବ କାଳରେ ଗ୍ରୀସ ଦେଶରେ ସ୍ପାର୍ଟା ପ୍ରଦେଶରେ ରାଷ୍ଟ୍ରପତି ଲାଇକାର୍‌ଗାସ୍‌ ସୁପ୍ରଜନନ-ନୀତିର ସାହାଯ୍ୟରେ ଗୋଟାଏ ବୀର ଜାତି ଗଠନ କରାଉଥିଲେ । ନାରୀମାନେ ଉତ୍କୃଷ୍ଟ ସନ୍ତାନ ଉଦ୍ଦେଶ୍ୟରେ ଉତ୍କୃଷ୍ଟ ପୁରୁଷମାନଙ୍କ ସହିତ ମିଳିତ ହେଲେ ସେମାନଙ୍କର ସ୍ୱାମୀମାନେ ସେଥିରେ କୌଣସି ଆପତ୍ତି କରୁ ନ ଥିଲେ । ତାହା ନାରୀ ଧର୍ମର ଅନ୍ତର୍ଗତ ଥିଲା । ଜଣେ ବୈଜ୍ଞାନିକ ଲେଖିଛନ୍ତି—

 

The laws of other nations seemed to him (Lycurgus) very absurd and inconsistent, where people would be solicitous for their dogs and horses as to exert interest and pay money to procure fine breeding and yet kept their wives shut up, to be made mothers only by themselves who might be foolish, infirm or diseased; and children of a bad breed would prove their bad qualities first on those who kept and were rearing them, and well-born children, in like manner, their good qualities. [W.E. Castle—Genetics and Eugenics—p. 293]

 

ଲାଇକାର୍‌ଗାସ୍‌ ବିବାହ ଓ ଯୌନ-ସ୍ୱାଧୀନତା ମଧ୍ୟରେ କୌଣସି ବିରୋଧ ଦେଖୁ ନ ଥିଲେ । କିନ୍ତୁ ବର୍ତ୍ତମାନ ଯୁଗରେ ଯୌନସ୍ୱାଧୀନତା ଲାଭ କରିବାକୁ ହେଲେ ବିବାହ ବର୍ଜନ କରିବାକୁ ହେବ । ବିବାହ-ପ୍ରଥାର ନିୟମରେ ସମାଜର ସମସ୍ତ ବ୍ୟକ୍ତି ଜନନ କାର୍ଯ୍ୟରେ ନିଯୁକ୍ତ ଅଛନ୍ତି । ସମାଜରେ ଆମ୍ଭେମାନେ ଯେ ଏତେ ଦୁଷ୍ଟ, ନିର୍ବୋଧ, ରୁଗ୍ଣ ଓ ଦୁର୍ବଳମନା ଲୋକ ଦେଖୁଁ ତାହାର କାରଣ ସେମାନଙ୍କର ପିତାମାତା ଦୁଷ୍ଟ, ନିର୍ବୋଧ, ରୁଗ୍ଣ ଓ ଦୁର୍ବଳମନା ଥିଲେ ଏବଂ ସେମାନେ ସେମାନଙ୍କ ପିତାମାତାଠାରୁ ସେମାନଙ୍କ ଦୁର୍ଗୁଣଗୁଡ଼ି ଉତ୍ତରାଧିକାରସୂତ୍ରେ ପାଇଅଛନ୍ତି । ଏମାନେ ଯେପରି ଜଗତକୁ ନ ଆସନ୍ତି ତାହାର ଉପାୟ କରିବାକୁ ହେବ । ଏହି ହତଭାଗ୍ୟ ଲୋକମାନଙ୍କ ପାଇଁ ଏତେ ଆଇନ, ଅଦାଲତ, ଡାକ୍ତର, ଡାକ୍ତରଖାନା ଓ ଜେଲଖାନା ସୃଷ୍ଟି ହୋଇଅଛି । ସେମାନଙ୍କର ଯଦି ଜନ୍ମ ନ ହୁଏ ଏସବୁର କୌଣସି ଆବଶ୍ୟକତା ରହିବ ନାହିଁ । ସେଥିପାଇଁ ଯେଉଁ ସ୍ତ୍ରୀ ପୁରୁଷ ଉପଯୁକ୍ତ ସନ୍ତାନ ଜନନ କରିବାରେ ଅକ୍ଷମ ଏବଂ ଯେଉଁମାନେ ସନ୍ତାନ ଜନନ କଲେ ସେ ସନ୍ତାନଗୁଡ଼ି ଦୁଷ୍ଟ କିମ୍ୱା ବ୍ୟାଧିଗ୍ରସ୍ତ ହେବେ ସେମାନଙ୍କର ଜନନଶକ୍ତି ବିନାଶ କରିବା ଆବଶ୍ୟକ । ଆଜିକାଲି ଏପରି ଅସ୍ତ୍ରଚିକିତ୍ସା ଆବିଷ୍କୃତ ହୋଇଅଛି ଯଦ୍ଦ୍ୱାରା ସ୍ତ୍ରୀ ପୁରୁଷମାନେ ଯୌନ-ସଂସର୍ଗର ସମସ୍ତ ସୁଖ ସମ୍ଭୋଗ କରି ପାରିବେ ଅଥଚ ସନ୍ତାନ ଜନ୍ମ କରିବାର କ୍ଷମତା ହରାଇବେ । ନୂତନ ନିୟମରେ ଅତି ଅଳ୍ପ ସଂଖ୍ୟକ ବୀର୍ଯ୍ୟବାନ୍‌ ବ୍ୟକ୍ତି ସମାଜର ଜନସଂଖ୍ୟା ରକ୍ଷା କରିବେ । ଅବଶିଷ୍ଟ ଲୋକେ ଜନନ-କାର୍ଯ୍ୟରୁ ବିରତ ରହିବେ ।

 

In the case of the female sterilization is effected by cutting the Fallopian tubes in the middle and in the case of the male, it is effected by a cut of ‘vas deferens.’ These small surgical operations obviate all chances of a union of the male sperms and the female ova and thus render conception impossible. Besides, such sterilization does not in any way interfere with the usual process of sexual intercourse, nor does it detract from the normal pleasure attendant upon it. [N.S. Phadke—Sex-Problem in India—p. 281]

 

ବର୍ତ୍ତମାନ ଯୁଗରେ ଗାର୍ହସ୍ଥ୍ୟ ଜୀବନର ଗୋଟାଏ ମହା ସମସ୍ୟା ଆମ୍ଭମାନଙ୍କଠାରେ ଉପସ୍ଥିତ । ଆମ୍ଭେମାନେ ଯୁବକ-ଯୁବତୀମାନଙ୍କର ମିଳନ ସୁଖମୟ କରିବାକୁ ଚାହୁଁ । ସ୍ୱାସ୍ଥ୍ୟ, ସୌନ୍ଦର୍ଯ୍ୟ, ଅର୍ଥ ଓ ଚରିତ୍ର-ସୁଖର ଏହି ଉପାଦାନମାନ ସବୁ ସ୍ଥଳରେ ବର୍ତ୍ତମାନ ନ ଥାଏ, ଅଥବା ମିଳନ ସମୟରେ ଉପସ୍ଥିତ ଥିଲେ ମଧ୍ୟ ପରେ ଅଧିକାଂଶ ସ୍ଥଳରେ ତାହା ଲୋପ ପାଇ ଥାଏ । ଏପରି ଅବସ୍ଥାରେ ଯୁବକ-ଯୁବତୀମାନଙ୍କର ଚିରକାଳ ପାଇଁ ପରସ୍ପର ସହିତ ମିଳିତ ରହିବା ସମାଜ ପକ୍ଷରେ ବାଞ୍ଚ୍ଥନୀୟ ନୁହେ । ସମାଜର ବର୍ତ୍ତମାନ ବ୍ୟବସ୍ଥାରେ କେତେ ପରିବାରର ସୁଖଶାନ୍ତି ଯେ ନଷ୍ଟ ହୋଇଅଛି ତାହା ନିରପେକ୍ଷ ଭାବରେ ଅନୁସନ୍ଧାନ କଲେ ଆମ୍ଭେମାନେ ବର୍ତ୍ତମାନ ବ୍ୟବସ୍ଥାର ଭ୍ରାନ୍ତି ଓ ନୃଶଂସତା ଉପଲବ୍ଧି କରି ପାରିବୁଁ । ଏଥିପାଇଁ ନରନାରୀଙ୍କର ମିଳନରେ ପରିବର୍ତ୍ତନ ଆବଶ୍ୟକ ।

 

ଏତେକାଳ ନରନାରୀ ପରସ୍ପର ଉପରେ ମାଲିକୀ-ସ୍ୱତ୍ୱ ଚଳାଇ ଆସିଛନ୍ତି । ତଦ୍ଦ୍ୱାରା ସେମାନେ ସୁଖୀ ହୋଇ ନାହାନ୍ତି ଏବଂ ଅଧିକନ୍ତୁ ରୁଗ୍‌ଣ ଓ ଦୁର୍ବଳ ସନ୍ତାନଗୁଡ଼ିକୁ ଜନ୍ମ ଦେଇ ଅଛନ୍ତି-। ଏହି ବିବାହ ପ୍ରଥା ଯୋଗୁଁ ମାନବ ଜାତି ରୁଗ୍‌ଣ, ଦୁର୍ବଳ ଓ ଅସୁଖୀ ହୋଇଅଛି । ଆମ୍ଭେମାନେ ସମାଜର ଅନ୍ୟ ସମସ୍ତ ବିଭାଗରେ ସ୍ୱାଧୀନତା ଦାବୀ କରୁ ଅଛୁଁ କିନ୍ତୁ ପାରିବାରିକ ଜୀବନରେ ଦାସତ୍ୱ-ଶୃଙ୍ଖଳକୁ କୁଣ୍ଢାଇ ଧରି ଅଛୁଁ । ପରକାଳର ଲୋଭରେ ଇହକାଳ ନଷ୍ଟ କରୁଅଛୁଁ-। ଏ ବିଷୟରେ କି ମାନବଜନ୍ତୁର କୌଣସି କାଳେ ସୁବୁଦ୍ଧିର ଉଦୟ ହେବ ନାହିଁ ?

Image